ଇତିହାସରେ ବର୍ଣ୍ଣିତ ଅଛି ଗଜପତି ନରସିଂହ ଦେବ ଲକ୍ଷ୍ମଣାବତୀ ଆକ୍ରମଣ କରିବା ପରେ ବଙ୍ଗ ନବାବ ତୁହ୍ମାନ ଖଁା ପ୍ରାଣରକ୍ଷା କରିବାକୁ ପଳାୟନ କରିଥିଲେ। ବାୟାଚକଡ଼ା ପୋଥିରେ ଲେଖାଯାଇଛି ‘ତୁଗଇନ୍ ଖାନ୍ ପୋଥି ବର୍ଣ୍ଣନା ଅନୁଯାୟୀ ତା’ ମହଲ ବା ଉଆସକୁ ଓଡ଼ିଆ ସୈନ୍ୟ ପ୍ରବେଶ କରି ଟିକିନିଖି ଖୋଜାଖୋଜି କରିଥିଲେ। ନେତୃତ୍ୱ ନେଇଥିଲେ ‘ଭୋଗିକ ଅମୃତ ଦଣ୍ଡାଧିକାରୀ ମଦନ ସୁନ୍ଦର ଦେବ।’
ନବାବଙ୍କ ମହଲରୁ ସମସ୍ତ ମୂଲ୍ୟବାନ୍ ଦ୍ରବ୍ୟ ପ୍ରଥମେ ସୈନ୍ୟମାନେ ଆଣି ‘କୃତ୍ତିବାସ ଦଣ୍ଡପାଟ’ରେ ରଖିଥିଲେ। ସେଠାରୁ ଚାରୋଟି ହାତୀ ପିଠିରେ ଲଦି ଆଣିଲେ ପଦ୍ମକେଶର କୋଷାଗାରକୁ। ମନ୍ଦିରର ନାମ ପଦ୍ମକେଶର ମନ୍ଦିର, ତେଣୁ ନିର୍ମାଣ ସମୟରେ ସେଠାରେ ଯେଉଁ କୋଷାଗାର ଅର୍ଥାତ୍ ଆଜିକା ଭାଷାରେ ‘ଟ୍ରେଜେରୀ’ ତା’ର ନାମ ହୋଇଥିଲା ପଦ୍ମକେଶର କୋଷାଗାର, ସାକିନ-କୋଣାର୍କ।
କୋଣାର୍କରେ ହାତୀ ପହଞ୍ଚତ୍ଲେ ୬୬୨ ସାଲ ମାର୍ଗଶିର ଶୁକ୍ଳ ଏକାଦଶୀ ଦିନ ଅର୍ଦ୍ଧରାତ୍ରିରେ। ଏଇଠି ସମ୍ଭାବନା ହୁଏ ଲକ୍ଷ୍ମଣାବତୀ ମହଲରୁ ଧନରତ୍ନ ଓ ସୁନା ରୁପା ପ୍ରଭୃତି ପ୍ରଥମେ ଆସି କୃତ୍ତିବାସ ଦଣ୍ଡପାଟର କୋଷାଗାରରେ ରଖିଥିଲେ। ଆବଶ୍ୟକ ଅନୁଯାୟୀ ପାଖାପାଖି ଦଶବର୍ଷ ପରେ ପଦ୍ମକେଶର କୋଷାଗାରକୁ ଅଣାଯାଇଥିଲା। ରାତିରେ କୋଷାଗାର ବନ୍ଦ ଥିଲା। ତିନି ଜଣ ପାଇକ ସୁରକ୍ଷା ଦାୟିତ୍ୱରେ ଥିଲେ। ଶ୍ରୀ ଧାରସିଂହ ହାତୀ ପିଠିରେ ଆସିଥିବା ଦ୍ରବ୍ୟକୁ ଗ୍ରହଣ କରିଥିଲେ। ପୋଥି ଅନୁଯାୟୀ ତା’ର ତାଲିକା ହେଲା-
୧. ବଙ୍କା ଲେଖା ମାଢ଼- ସୁନାର ମୋଗଲମୁଦ୍ରା- ୬୦୦୦ କୁରୁଜାତକ।
୨. କୁଳତୁଙ୍ଗ ଗେଡ଼ି-୦୮ ରତିର ଛୋଟ ସୁନାମୁଦ୍ରା- ୩୭,୦୦୦।
୩. ଗୁନ୍ଥା ହୋଇଥିବା ଗୋଲାକାର କଡ଼ାର ଚେନ୍- ୨୭ଟି।
୪. ବହୁ ମୂଲ୍ୟବାନ୍ ପଥର ଥିବା ପଗଡ଼ି ଅଳଙ୍କାର- ୧୨ଟି।
୫. ସୁନାବେଣ୍ଟ ଲଗା ଅଳଙ୍କାର ଗୁଚ୍ଛା- ୧୨୩ ମାଢ଼।
୬. ବାଘ ମାର୍କା ଛୁରି-ସୁନାର ବେଣ୍ଟ ଲାଗିଥିଲା, ଭିତରପଟେ ମାଣିକ୍ୟ ଓ ମୁକ୍ତା ଲାଗିଥିଲା- ୧୮ ମାଢ଼।
୭. ରୁପା ଇଟା – ୩୨୭ ଭିସା, ୦୩ ପଳ।
ଏଥିମଧ୍ୟରୁ ବାଘମାର୍କା ଛୁରିଟି ଶ୍ରୀପୁରୁଷୋତ୍ତମ କୋଷାଗାରକୁ ପରେ ପଠାଯାଇଥିଲା। ଛଅ ହଜାର କୁରୁଜାତକ ଗଜପତିଙ୍କ ଆଦେଶରେ ତରଳାଗଲା। ସେଇ ସୁନାରେ ୨,୪୩୧ଟି କୁଳତୁଙ୍ଗମାଢ଼ ନିର୍ମାଣ ହେବାକୁ ସ୍ଥିର ହୋଇଥିଲା। ସେଥିପାଇଁ ହାରୁ ପାଇକ ଓ ଭଣ୍ଡାର ନିକାପ କୁରୁଜାତକ ସବୁ ନେଇ ବିଡ଼ାନାସୀ ଦୁର୍ଗକୁ ଯାଇଥିଲେ। ସେଠାରୁ କୁଳତୁଙ୍ଗମାଢ଼ ପ୍ରସ୍ତୁତ ହୋଇ ଆସିବା ପରେ ଶିଳ୍ପୀମାନଙ୍କୁ ପାରିଶ୍ରମିକ ଦିଆଯାଇଥିଲା।
ପୋଥିରେ ୬୬୨ ସାଲ ବ୍ୟବହାର ହୋଇଅଛି। ଓଡ଼ିଶାରେ ପ୍ରାଚୀନକାଳରୁ ୪୯ଟି କାଳ ଗଣନା ବିଧି ରହିଛି। ତା’ ମଧ୍ୟରେ ‘ସାଲ’ ଅନ୍ୟତମ। ଅନେକ ପୋଥିରେ ‘ସ୍ନ’ ବା ‘ସ୍ଲା’ ଲେଖାଯାଇଛି। ୟାକୁ ‘ସାଲ’ ବୋଲି ବୁଝିବାକୁ ହୁଏ। ‘ସାଲ’ର ପ୍ରଚଳନ ରାଜା ଯଯାତି କେଶରୀ କରିଥିଲେ। ଭାଦ୍ରମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ଅର୍ଥାତ୍ ସୁନିଅଁା ଦିନ ଏହା ପ୍ରଚଳନ ହୋଇଥିଲା। ରାଜା ଯଯାତି କେଶରୀ (୧ମ) ଯେଉଁ ବର୍ଷ ପ୍ରଚଳନ କରିଥିଲେ, ତାହା ୫୯୩ ମସିହା ବୋଲି ସ୍ଥିର ହୋଇଛି। ତେଣୁ ୬୬୨ ସାଲ କହିଲେ ୧୨୫୫ ମସିହା ହେବ।
ଅଠରମାଢ଼ର ବାଘମାର୍କା ଛୁରି, ଯାହାର ବେଣ୍ଟ ସୁନାରେ ନିର୍ମିତ ହୋଇଥିଲା ଓ ଭିତରପଟେ ମାଣିକ୍ୟ ଆଉ ମୁକ୍ତା ଲାଗିଥିଲା, ତାହା ପୁରୁଷୋତ୍ତମ କୋଷାଗାରକୁ ଆସିଥିଲା। ପୁରୁଷୋତ୍ତମରେ ଥିବା ରାଜନଅରକୁ କି ପୁରୁଷୋତ୍ତମ ଦେଉଳ କୋଷାଗାରକୁ ଆସିଥିଲା ତାହାର ସ୍ପଷ୍ଟ ଉଲ୍ଲେଖ ନାହିଁ। ଯଦି ଏହା ପୁରୁଷୋତ୍ତମ ଦେଉଳ କୋଷାଗାରକୁ ଆସିଥିବ, ତେବେ ତାହାର ସୂଚନା ମିଳନ୍ତା। ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ଏବଂ ବ୍ୟବହୃତ ହେଉ ନ ଥିବା ଅଳଙ୍କାର ତାଲିକା ସଂଖ୍ୟା ୫୯୮। ତା’ ମଧ୍ୟରେ ବାଘମାର୍କା ଛୁରି ତାଲିକାଭୁକ୍ତ ନାହିଁ। ବାହାର ରତ୍ନଭଣ୍ଡାରରେ ଥିବା ଏବଂ ବ୍ୟବହୃତ ହେଉଥିବା ୧୧୮ ପ୍ରକାରର ଅଳଙ୍କାର ଓ ସାଜ (ସୁନାଖଡ଼ିକା ସମେତ) ମଧ୍ୟରେ ବାଘମାର୍କା ଛୁରି ନାହିଁ। ଅବଶ୍ୟ ଏହା ୧୯୭୮ ମସିହାରେ ପ୍ରସ୍ତୁତ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ତାଲିକା। ହେଇପାରେ, ସେତେବେଳେ ରାଜନଅରକୁ ଯାଇଥିବ କିମ୍ବା ମହାପ୍ରଭୁଙ୍କର ତାଲିକାଭୁକ୍ତ ନ ହୋଇଥିବା ଅଳଙ୍କାର ମଧ୍ୟରେ ରହିଥିବ।
ଡ. ସୁରେନ୍ଦ୍ର କୁମାର ମିଶ୍ର
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.