ଭୁବନେଶ୍ୱର,୨୪।୬(ବ୍ୟୁରୋ): ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବ ଆରମ୍ଭ ହୋଇଗଲାଣି । ଜୁନ୍ରୁ ଅକ୍ଟୋବର ଗୁରୁତ୍ୱପୂର୍ଣ୍ଣ ସମୟ । ଏହି ସମୟରେ ବାତ୍ୟା, ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଇପାରେ। ସମ୍ଭାବ୍ୟ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ବୁଧବାର ଭିଡିଓ କନ୍ଫରେନ୍ସରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି କହିଛନ୍ତି, ପ୍ରାକ୍ ସୂଚନା ବ୍ୟବସ୍ଥା, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକ୍ରମ, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ଓ ପ୍ରାଣୀସେବା ଆଦି ସମସ୍ତ ବ୍ୟବସ୍ଥା ଠିକ୍ ଭାବେ ପ୍ରସ୍ତୁତ ରହିବା ଆବଶ୍ୟକ। ଓଡ୍ରାଫ୍ ଓ ଅଗ୍ନିସେବା ୟୁନିଟ୍ଗୁଡ଼ିକ ତୁରନ୍ତ ପଦକ୍ଷେପ ନେବା ପାଇଁ ସତର୍କ ହୋଇ ରହିବା ଜରୁରୀ । ବିପଦସଙ୍କୁଳ ଓ ଅଗମ୍ୟ ଅଞ୍ଚଳରେ ଯଥେଷ୍ଟ ପରିମାଣର ଖାଦ୍ୟପଦାର୍ଥ ଏବଂ ଗୋଖାଦ୍ୟ ମହଜୁଦ ରଖିବା ଆବଶ୍ୟକ । ବିପର୍ଯ୍ୟୟ ସମୟରେ ସବୁଜ ଗୋଖାଦ୍ୟର ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦେବା ସହିତ ପ୍ରାଣୀସେବା କ୍ୟାମ୍ପ୍ ଆୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସବୁ ଜିଲା ଓ ସମ୍ପୃକ୍ତ ବିଭାଗଗୁଡ଼ିକରେ କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟା ଖୋଲା ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସମୟରେ ଗର୍ଭବତୀ, ଭିନ୍ନକ୍ଷମ ଓ ମାନସିକ ଅନଗ୍ରସର ବ୍ୟକ୍ତିବିଶେଷ, ଛୋଟପିଲା, ବିଧବା ଓ ବୟୋଜ୍ୟେଷ୍ଠଙ୍କୁ ସ୍ବତନ୍ତ୍ର ଧ୍ୟାନ ଦେବାପାଇଁ ସେ ପରାମର୍ଶ ଦେଇଛନ୍ତି । ଲୋକଙ୍କୁ ଖୋଜିବା ଓ ଉଦ୍ଧାର କରିବା, ପ୍ରାଥମିକ ଚିକିତ୍ସା, ରିଲିଫ୍ ବ୍ୟବସ୍ଥା, ଅତ୍ୟାବଶ୍ୟକ ସେବା ସମ୍ପର୍କିତ ଭିତ୍ତିଭୂମିର ତୁରନ୍ତ ମରାମତି ଓ ପୁନରୁଦ୍ଧାର ଏବଂ ଉଜୁଡ଼ି ଯାଇଥିବା ଜୀବିକାର ପୁନଃସଂସ୍ଥାନ ଆଦି ସମସ୍ତ ବିଷୟଗୁଡ଼ିକୁ ଧ୍ୟାନ ଦେଇ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଛନ୍ତି। ମାନବୀୟ ଦୃଷ୍ଟିକୋଣରୁ ସହାୟତା ପାଇବା ହେଉଛି ବିପର୍ଯ୍ୟୟ ପ୍ରଭାବିତ ଲୋକମାନଙ୍କର ଅଧିକାର । ଏହି ଆଭିମୁଖ୍ୟ ନେଇ ଲୋକମାନଙ୍କୁ ଠିକ୍ ସମୟରେ ସହାୟତା ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନାରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି ନବୀନ କହିଛନ୍ତି, ମହାମାରୀର ପ୍ରଭାବ ସତ୍ତ୍ବେ ଓଡ଼ିଶା ବିଭିନ୍ନ ବିପର୍ଯ୍ୟୟର ଉତ୍ତମ ମୁକାବିଲା କରି ବିଶ୍ବସ୍ତରରେ ପ୍ରଶଂସାର ପାତ୍ର ହୋଇପାରିଛି । ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’। ଏଥିପାଇଁ ସରକାରଙ୍କ ସବୁ ବିଭାଗ ମିଳିତ ଭାବେ କାମ କରିବାର ଆଭିମୁଖ୍ୟ ନେଇ ବିପର୍ଯ୍ୟୟ ପରିଚାଳନା ନୀତି କାର୍ଯ୍ୟକାରୀ କରାଯାଉଛି। ସବୁଠାରୁ ଭଲ ପଦକ୍ଷେପ ନିଆଯାଇ ବିପର୍ଯ୍ୟୟର ପ୍ରଭାବକୁ କମ୍ କରାଯାଇପାରିବ।
ଓଡ଼ିଶା ଦେଶରେ ସବୁଠାରୁ ଅଧିକ ବିପର୍ଯ୍ୟୟପ୍ରବଣ ରାଜ୍ୟ। ବନ୍ୟା, ବାତ୍ୟା, ମରୁଡ଼ି ଭଳି ବିଭିନ୍ନ ପ୍ରକାର ବିପର୍ଯ୍ୟୟକୁ ରାଜ୍ୟ ନିୟମିତ ଭାବରେ ସାମ୍ନା କରିଆସୁଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ବିପର୍ଯ୍ୟୟର ତୀବ୍ରତା ବଢ଼ିବା ସହିତ ଅଧିକ ସଂଖ୍ୟକ ବିପତ୍ତି ଦେଖାଦେଉଛି। ବିପର୍ଯ୍ୟୟ ପରିଚାଳନାରେ ଗୋଷ୍ଠୀ ଅଂଶଗ୍ରହଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସମସ୍ତ ବିପର୍ଯ୍ୟୟପ୍ରବଣ ଅଞ୍ଚଳରେ ଗୋଷ୍ଠୀମାନଙ୍କର ଅଂଶଗ୍ରହଣକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ଛାତ୍ରୀଛାତ୍ରମାନଙ୍କର ଶିକ୍ଷା, ସରକାରୀ କର୍ମଚାରୀ ଓ ପ୍ରତିନିଧିମାନଙ୍କ ପ୍ରଶିକ୍ଷଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରକୃତିର ବିଭୀଷିକାକୁ ମୁକାବିଲା ପାଇଁ ଆମକୁ ସବୁବେଳେ ପ୍ରସ୍ତୁତ ରଖିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
୨୦୨୦-୨୧ରେ ବାତ୍ୟା ‘ଅମ୍ଫନ’ ଓ ‘ୟାସ୍’କୁ ରାଜ୍ୟ ସାମ୍ନା କରିଛି। ବାରମ୍ବାର ଆସୁଥିବା ବାତ୍ୟା ପ୍ରତିରୋଧ ପାଇଁ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା କରିବାକୁ ବହୁ ପରିମାଣର ଅର୍ଥ ବିନିଯୋଗର ଆବଶ୍ୟକତା ରହିଛି। ଆମେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଆଲୋଚନାରେ ଏମ୍ପି ଚନ୍ଦ୍ରଶେଖର ସାହୁ, ବିଧାୟକ ନରସିଂହ ମିଶ୍ର, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବିଧାୟକ ପ୍ରତାପ କେଶରୀ ଦେଓ, ବିଧାୟକ ଅନନ୍ତ ଦାସ ପ୍ରମୁଖ ଭାଗ ନେଇ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସେମାନଙ୍କର ମତାମତ ଦେଇଛନ୍ତି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରାରମ୍ଭିକ ଭାଷଣରେ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ସ୍ବତନ୍ତ୍ର ରିଲିଫ୍ କମିଶନର ପି.କେ. ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ମନ୍ତ୍ରିମଣ୍ଡଳର ସଦସ୍ୟଗଣ, ବିଧାୟକ, ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ସଚିବ ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ମାର୍କରେ ଅସନ୍ତୁଷ୍ଟ ଛାତ୍ରୀଛାତ୍ର ଦେଇପାରିବେ ପରୀକ୍ଷା: ଜୁଲାଇ ୫ରୁ ଫର୍ମ ଫିଲଅପ୍
ଭୁବନେଶ୍ୱର,୨୫।୬(ବ୍ୟୁରୋ): ବିନା ପରୀକ୍ଷାରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷାଫଳ। ଚଳିତ ବର୍ଷ କରୋନା କଟକଣା ଯୋଗୁ ବିକଳ୍ପ ଉପାୟରେ ପିଲାଙ୍କ ମୂଲ୍ୟାୟନ କରି ଶୁକ୍ରବାର ଅପରାହ୍ନରେ...
ନଳକୂଅ ଧରାଇ ନୀରବ
ବଇଣ୍ଡା,୧୦ା୬: ବସୁଧା ଯୋଜନାରେ ପ୍ରଚୁର ଅର୍ଥ ବ୍ୟୟ ହେଉଛି। ଏକାଧିକ ପାଣି ଟାଙ୍କି ଗ୍ରାମାଞ୍ଚଳ ଆକାଶ ଛୁଉଁଛି। ଘର ଟ୍ୟାପ୍ ଖୋଲିଲେ ଲୋକଙ୍କୁ ବିଶୁଦ୍ଧ ପାଇପ୍...
ରାଜ୍ୟରେ ୪ ହଜାର ତଳେ ରହୁଛି ଦୈନିକ କରୋନା ସଂକ୍ରମଣ
ଭୁବନେଶ୍ୱର, ୨୦।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଥିବା ବେଳେ ରବିବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୩,୫୭୭ ଜଣ...
ମାସ୍କ କାହିଁ ପଚାରିବାରୁ ପୋଲିସକୁ ଆକ୍ରମଣ
ଉଦଳା,୧୬ା୬: ମାସ୍କ ପିନ୍ଧିବାକୁ ତାଗିଦ୍ କରିବାରୁ ମୟୂରଭଞ୍ଜ ଜିଲା ଉଦଳା ଥାନା ଏସ୍ଆଇଙ୍କୁ ଜଣେ ଜେଲ୍ ଓ୍ବାର୍ଡର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ...
ଟେରାକୋଟା ଶିଳ୍ପୀଙ୍କୁ ଜୀବିକା ଚିନ୍ତା
ଭଦ୍ରକ ଅଫିସ, ୬।୬- କରୋନା ଯୋଗୁ ସମସ୍ତ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି। ଛୋଟ ବଡ଼ ବ୍ୟବସାୟୀମାନେ ମୁଣ୍ଡରେ ହାତ ଦେଲେଣି। ଲକ୍ଡାଉନ ଓ ଶଟ୍ଡାଉନ...
ଯଥାର୍ଥ ନୁହେଁ, ଭୁଲ୍
ଭୁବନେଶ୍ୱର,୨୧।୬(ଓଁକାର ମିଶ୍ର): ବରିଷ୍ଠ ଆଇପିଏସ୍ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଶେଷକୃତ୍ୟ ଶନିବାର କଟକ ଖାନ୍ନଗରସ୍ଥିତ ଶ୍ମଶାନରେ ସମ୍ପନ୍ନ ହୋଇଥିଲା। ଶେଷକୃତ୍ୟ ସମୟରେ...
ଜୁଲାଇ ୨୫ ପର୍ଯ୍ୟନ୍ତ ମିଳିବ ନାହିଁ ମହାପ୍ରଭୁଙ୍କ ଦର୍ଶନ
ପୁରୀ,୧୬।୬: ପୁରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। କରୋନା କଟକଣା ପାଇଁ ଶ୍ରୀମନ୍ଦିରକୁ ଜୁନ ୧୭ ପର୍ଯ୍ୟନ୍ତ...
ରାଜ୍ୟବାସୀଙ୍କୁ ‘ରଜ’ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୪ା୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ରଜ ପର୍ବ ପାଳନ ଉପରେ କଟକଣା ଜାରି କରାଯାଇଛି। ଫଳରେ ଘରେ ରହି ଲୋକେ ପହିଲି ରଜ...


