ବିକଳ୍ପ ନ ଥିବା ଚରିତ୍ର

ଦ୍ୱିତୀ ଚନ୍ଦ୍ର ସାହୁ

 

ନିମ୍ନ ଅଦାଲତର ପ୍ରକୋଷ୍ଠ। ବସିଛନ୍ତି ବିଚାରପତି। ସାମ୍ନାରେ ପୀଡ଼ିତା ବୋହୂ। ଭଲ ପାଇ ପରସ୍ପରକୁ ବାହା ହୋଇଛନ୍ତି ପୁଅ ଓ ଝିଅ। ଦୁହେଁ ଅଧ୍ୟାପକ ଭିନ୍ନ ଭିନ୍ନ କଲେଜରେ। ବାହା ହେବାର ଏକ ବର୍ଷ ପରେ ବୋହୂର ଲମ୍ବା ଅଭିଯୋଗ ଶାଶୁଙ୍କ ଉପରେ। ଅତ୍ୟାଚାରର ବିବରଣୀ କହୁଥାନ୍ତି। ବିଚାରପତି, ଓକିଲ, ବେଞ୍ଚ କ୍ଲର୍କ ସବୁ କାବା ହୋଇ ଚାହିଁଥାନ୍ତି। ଏଥର ପାଟି ଖୋଲିଲେ ପାଖରେ ଥିବା ଝିଅର ବାପା। ମୋ ଝିଅ ଏମ.ଏ. ପଢିଛି ସାର୍‌। ସେଠି ଯାଇ କ’ଣ ରୋଷେଇ କରିବ? ଲୁଗା କାଚିବ? ପ୍ଲେଟ ଗିନା ସଫା କରିବ ତାଙ୍କର? ବହୁତ ନିର୍ଯାତନା ଦେଉଛନ୍ତି ସେ ଘରେ। ଝିଅ କହିଲା ମୋତେ ଡିଭୋର୍ସ ଲୋଡ଼ା। ଝିଅର ବାପା ଏ କଥାକୁ ସମର୍ଥନ କଲେ। ପାଖରେ ଦାରୁମୂର୍ତ୍ତି ଭଳି ଠିଆହୋଇଛି ଭଲପାଇ ବାହା ହୋଇଥିବା ପୁଅ। ପୁଅ କିଛି ବି ପଦେ କହୁ ନ ଥାଏ। ସବୁ ଶୁଣିବା ପରେ ସମସ୍ତେ ହୃଦ୍‌ବୋଧ ହୋଇଗଲେ ଯେ ଶାଶୁ ଭାରି ଖରାପ ହୋଇଥିବ। ବିଚାରପତି ଶାଶୁଙ୍କୁ ଡାକିବାକୁ ନିର୍ଦ୍ଦେଶ ଦେଲେ। ବୟସର ଭାରରେ ସାମାନ୍ୟ ନଇଁ ପଡିଥିବା ଶାଶୁ ଧୀରସ୍ଥିର ହୋଇ ପ୍ରକୋଷ୍ଠରେ ପ୍ରବେଶ କଲେ। ଏଥର ବିଚାରପତି ଶାଶୁଙ୍କୁ ବୋହୂ ଅଭିଯୋଗର ପ୍ରତିକ୍ରିୟା ପଚାରିଲେ। ସେ କହିଲେ – ଆଜ୍ଞା ! ମୁଁ ପୁରୁଣାକାଳିଆ ଲୋକ। ବହୁତ କଷ୍ଟରେ ବାପଛେଉଣ୍ଡ ପୁଅକୁ ଖୁଆଇ ପିଆଇ ପଢ଼େଇ ଲେଖେଇ ବଡ଼ କରିଛି। ପୁଅ ବୋହୂ ଭଲରେ ରହିବା ମୋତେ ଲୋଡ଼ା। ମୁଁ କିଛି କହେନି ବାବୁ। କେବେ କେମିତି କହେ। ଚପଲ ପିନ୍ଧି ରୋଷେଇ ଘରକୁ ଗଲାରୁ ମୁଁ ସିମିତି ଯିବାର ନାହିଁ ବୋଲି କହିଲି। ଘରକୁ କିଏ ଆସିଲେ ମୁଣ୍ଡରେ ଟିକେ ଓଢ଼ଣା ଦେ ବୋଲି କହିଲି। ଇମିତି ଟିକେ ଟିକେ କଥାରେ ମୋ ବୋହୂମା ରାଗି ଯାଉଛି। ବାବୁ ହାତଯୋଡ଼ି କହୁଛି ସେମାନେ ଭଲରେ ରହିବା ହିଁ ଚାହୁଁଛି।
ଏତିକିରେ ଉତ୍‌କ୍ଷିପ୍ତ ହୋଇ ବୋହୂ କହିଲା – ମୁଁ ରୋଷେଇ କରିପାରିବିନି। ଲୁଗା ସଫା କରିପାରିବିନି। ଘର ଝାଡୁ କି ସଫାସଫି କରିପାରିବିନି। ଏତେ କାମ ମୁଁ କରିପାରିବିନି। ମୁଁ ଅଧ୍ୟାପିକା। ଶାଶୁ କହଲେ – ହଉ ଲୋ ମାଆ ! ଏଥର ମୁଁ ଘରର ସବୁ କାମ କରିବି। କିନ୍ତୁ ପୁଅ ବୋହୂ ତୁମେ ଏକାଠି ରହିବା ମୋତେ ଲୋଡ଼ା। ଶେଷ ଧାଡ଼ିକୁ ବାରମ୍ବାର କହୁଥାଏ ଶାଶୁ ବହୁତ କାକୁତିମିନତି ହୋଇ। ଏମିତିରେ ତର୍କବିତର୍କ ଚାଲିଥାଏ। ପୁଅ କିନ୍ତୁ ପାଟି ଖୋଲୁ ନ ଥାଏ। ସମସ୍ତ ଘଟଣାରେ ପୁଅର ନୀରବତା ଆହୁରି ଉତ୍କଟ କରୁଥାଏ ସମସ୍ୟାକୁ। ଶାଶୁ ବିଚାରପତିଙ୍କ ସବୁ ଉପଦେଶକୁ ଅକ୍ଳେଶରେ ମାନି ନେଉଥିଲେ। ବୋହୁ କିନ୍ତୁ ନିଜର ଆତ୍ମବଡ଼ିମା ସହ ବିଚାରପତିଙ୍କ କଥା ଶୁଣି ପୁଣି ଅବାନ୍ତର ଅଭିଯୋଗ ସବୁ ଯୋଡ଼ି ଚାଲିଥାଏ। ମୋଟାମୋଟି ଭାବେ ବିଚାରପତିଙ୍କ ସମେତ ଉପସ୍ଥିତ ସମସ୍ତେ ବୁଝିଗଲେ ଯେ ଝିଅ ତଥା ଝିଅ ଘର ପକ୍ଷର ଅହଂଭାବ ଯୋଗୁ ସମସ୍ୟା ଏଭଳି ସ୍ତରକୁ ଆସିଛି। ଧୈର୍ଯ୍ୟଚ୍ୟୁତ ହୋଇ ବିଚାରପତି ଏଥର ଉତ୍‌କ୍ଷିପ୍ତ ହୋଇ ପୁଅକୁ କହିଲେ – କ’ଣ ହେ ବାବୁ ! ଏତେ ସମୟ ଧରି ତୁମ ମାଆ ଉପରେ ଅଭିଯୋଗ ପରେ ଅଭିଯୋଗ ଲଦି ଚାଲିଛି ତୁମ ସ୍ତ୍ରୀ ଅଥଚ ତୁମ ପାଟିରୁ କଥା ବାହାରୁନି। ୟାଙ୍କୁ ଡିଭୋର୍ସ ଦେଲେ କ’ଣ ତୁମକୁ ସ୍ତ୍ରୀ ମିଳିବନି? ତଥାପି ପୁଅ କିଛି କହିଲାନି। ଉଭୟପକ୍ଷକୁ ପୁଣି ଥରେ ସୁଯୋଗ ଦେବା ଲାଗି ଶେଷରେ ପରବର୍ତ୍ତୀ ବିଚାର ଯାଏ ଅପେକ୍ଷା କରିବାକୁ ନିର୍ଦ୍ଦେଶ ଦେଲେ ଅଦାଲତ। ଯିଏ ଯାହା ଘରକୁ ଚାଲିଲେ।
ଠିକ୍‌ ସପ୍ତାହ ପରେ ଦେଖାଗଲା ଝିଅ ଓ ଝିଅର ବାପା ଆସି ଅଦାଲତ ଆଗରେ ବିଚାରପତିଙ୍କୁ ଅପେକ୍ଷା କରିଛନ୍ତି। ଏକଥା ବେଞ୍ଚ କ୍ଲର୍କ ଦେଖି ବିଚାରପତିଙ୍କୁ ଖବର ଦେବାରେ ପ୍ରଥମେ ବିଚାରପତି ହସିଲେ। ହସିବାର ରହସ୍ୟ ପଚାରିବାରେ ସେ କହିଲେ- ମୁଁ ଯେଉଁ କେଞ୍ଚ ଦେଲି ଶେଷରେ ତା’ର ଏଇଟା ଫଳ! କାଉନସେଲିଂ ଗୋଟେ ପକ୍ଷକୁ ନେଇ ହୁଏନି କେବେ! ବିଚାରପତିଙ୍କ ନିର୍ଦ୍ଦେଶରେ ପୁଣି ଆଉ ଏକ ଦିନ ସମସ୍ତଙ୍କୁ ଆମନ୍ତ୍ରଣ କରି ଆଲୋଚନା ହେଲା। ବୋହୂର ସ୍ବର କମିଯାଇଥାଏ। ଛାଡ଼ପତ୍ରର ମୋହଭଙ୍ଗ ହୋଇସାରିଥିଲା ତା’ର। ଶାଶୁ ସବୁ କାମ କରିବି ବୋଲି ପ୍ରତିଶ୍ରୁତି ଦେବା ସତ୍ତ୍ୱେ କିନ୍ତୁ ଶେଷରେ ବୋହୂ ଗୋଟେ ଜିଦି କଲା – ମୁଁ ସେ ଘରକୁ ଯାଇ ରହିବି ଗୋଟେ ସର୍ତ୍ତରେ। ସର୍ତ୍ତ ହେଲା ଶାଶୁ ରହିଲେ ସେ ଘରେ ରହିବିନି। ତା’ର କଥା ସରି ନ ଥାଏ ସମସ୍ତଙ୍କୁ ଚମକେଇ ବୁଢ଼ୀ ମାଆ ବିଚାରପତିକୁ କହିଲେ – ହଉ ବାବୁ ! ପୁଅ ବୋହୂ ରୁହନ୍ତୁ ଏକାଠି। ସୁଖରେ ରୁହନ୍ତୁ। ମୁଁ ନ ହେଲେ ରହିବିନି। ମାତୃତ୍ୱର ଚରମ ପରାକାଷ୍ଠା ଦେଖି ଚକିତ ହୋଇଗଲେ ବିଚାରପତି ଓ ଅନ୍ୟମାନେ। ବିଚଳିତ ହୋଇ ବିଚାରପତି ପଚାରିଲେ – ଏ ବୟସରେ କୋଉଠି ରହିବ! ବୁଢ଼ୀ ମାଆ କହିଲେ – ବାବୁ ପୁଅ ବୋହୂ ଖୁସିରେ ରହିଲେ ହେଲା। ମୋର କ’ଣ ଅଛି ପୁରୀ ପଳେଇବି ! ସ୍ତ୍ରୀର ସବୁ ସର୍ତ୍ତକୁ ଏତେବେଳେ ଯାଏ ମୁଣ୍ଡପାତି ହଁ ହଁ ମାରି ଚାଲିଥିବା ପୁଅର ମତାମତ ଲୋଡିବାରୁ ପୁଅ ଉତ୍ତର ଆହୁରି ନିର୍ବାକ କରିଦେଲା ସମସ୍ତଙ୍କୁ। ପୁରୀରେ ଘରଭଡ଼ା ବାହାର କରି ମାଆର ସେଠି ରହିବା ସମସ୍ତ ଖର୍ଚ୍ଚ ବହନ କରିବି ବୋଲି କହିବା ପରେ ସମସ୍ତଙ୍କ ହୃଦୟ ମନ୍ଥି ହୋଇଗଲା। ବିବଶ ବିଚାରପତିଙ୍କ ନିକଟରେ କିଛି ଚାରା ନ ଥିଲା ଆଉ। ଗୋଟେ ଘର ବସେଇବା ଲାଗି ବାଧ୍ୟ ହୋଇ ବୋହୂକୁ କହିଲେ – ପୁଅ ଓ ମାଆ ଭିତରେ ତୁମେ ପାଚେରି ଟାଣି ପାରିବନି କେବେ। ମାଆ ଯେବେ ଚାହିଁବେ ଆସି ପୁଅକୁ ଦେଖିପାରିିବେ। ଆଉ ପୁଅ ବି ମାଆକୁ ଦେଖା କରିବାକୁ ନିୟମିତ ବ୍ୟବଧାନରେ ଯିବା ବାଧ୍ୟ। ବୁଢ଼ୀ ମାଆର ଅସୁବିଧା ହେଲେ ପୁଅ ବୋହୂ ଉଭୟେ ଦାୟୀ ରହିବେ। ଉଭୟପକ୍ଷର ରାଜିନାମା ସରିବା ପରେ ଅତ୍ୟନ୍ତ ନିର୍ମାୟା ବୁଢ଼ୀ ମାଆ କହିଲେ – ବାବୁରେ ମୋତେ ପୁରୀ ବସରେ ବସେଇ ଦେ ! ଏଥର ସମସ୍ତଙ୍କ ଆଖିରେ ଝରୁଥିଲା ଲୁହ। କେବଳ ବୋହୂ ଆଖିରେ ଝଲସୁଥିଲା ବିଜୟର ପୁଲକ। ଏଇ ତମାମ ପ୍ରସଙ୍ଗ ଦେଖିଲା ପରେ ହୁଏତ ଆମେ କହିପାରିବା ସବୁ ଶାଶୁମାନେ ପର ଘର ଝିଅକୁ ଭିନ୍ନ ଦୃଷ୍ଟିରେ ଦେଖନ୍ତିନି। ନିର୍ଯାତନା ଦେଇ ସୁଖ ପାଆନ୍ତିନି। ଯୁଗେ ଯୁଗେ ଆମ ସମାଜ ଶାଶୁ ଚରିତ୍ରକୁ କଦର୍ଯ୍ୟ ସ୍ଥିତିରେ ରଖି ଆସିଛି। କିନ୍ତୁ ଶାଶୁ ଭିତରେ ବି ଖାଣ୍ଟି ମାଆମାନେ ରହିଥାନ୍ତି। ଆବଶ୍ୟକ ପଡ଼ିଲେ ପିଲାମାନଙ୍କ ପାଇଁ ସବୁ କିଛି ତ୍ୟାଗ କରିବାକୁ ପଛାନ୍ତି ନାହିଁ। କାରଣ ମାଆର ବିକଳ୍ପ ହିଁ ନାହିଁ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ -୯୪୩୭୯୦୯୬୭୧

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.