ଢେଙ୍କାନାଳ ଅଫିସ, ୨୩।୬ – ଢେଙ୍କାନାଳ ଜିଲାରେ ସକ୍ରିୟ ହୋଇଉଠିଛନ୍ତି ଅପରାଧୀ ଗୋଷ୍ଠୀ। କଥା କଥାରେ ଫୁଟୁଛି ବୋମା। ହେଉଛି ଗୁଳିମାଡ଼। ଗୋଷ୍ଠୀ ସଂଘର୍ଷରେ ଗଡୁଛି ମୁଣ୍ଡ। ହେଲେ ଏତେ ପରିମାଣର ଚୋରା ବନ୍ଧୁକ, ବୋମା କେଉଁଠୁ ଆସୁଛି ଏବଂ ଏଥିରେ ବାହାର ରାଜ୍ୟର ଲିଙ୍କ୍ ଅଛି କି ନାହିଁ ସେ ସମ୍ପର୍କରେ ପୋଲିସ ନିକଟରେ କୌଣସି ସୂଚନା ନାହିଁ। ଜିଲାରେ ଆପରାଧିକ କାର୍ଯ୍ୟକଳାପ ବଢ଼ିଚାଲିଥିବାବେଳେ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ଚୋରା ବନ୍ଧୁକକୁ ନେଇ ଏବେ ଚିନ୍ତା ବଢ଼ିଛି।
ଗତ ୧୬ ତାରିଖ ରାତିରେ କାମାକ୍ଷାନଗରର ଦୁଇ ସାହି ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ବନ୍ଧୁକ ଏବଂ ବୋମା ବ୍ୟବହାର ହୋଇଥିଲା। କେବଳ ଏହି ଘଟଣା ନୁହେଁ, ବହୁ ଚର୍ଚ୍ଚିତ ବିଜେଡି ନେତା ଯଶୋବନ୍ତ ପରିଡ଼ା ହତ୍ୟାକାଣ୍ଡରେ ଅତ୍ୟାଧୁନିକ ପିସ୍ତଲ ବ୍ୟବହାର କରାଯାଇଥିଲା। କିଛି ଦିନ ତଳେ ଗଁଦିଆ ଥାନା ଅଞ୍ଚଳର ଗ୍ରାମ୍ୟ ଜଙ୍ଗଲ ରାସ୍ତା ଜବରଦଖଲକୁ କେନ୍ଦ୍ରକରି ସେଠାରେ କୁକୁଡ଼ା ଫାର୍ମ କରିଥିବା ଜଣେ ବ୍ୟବସାୟୀ ଏବଂ ତାଙ୍କ ସମର୍ଥକ ଗୋଷ୍ଠୀ ଗ୍ରାମବାସୀଙ୍କ ଉପରକୁ ବୋମାମାଡ଼ କରିଥିଲେ। ଗ୍ରାମବାସୀ କୌଶଳକ୍ରମେ ୩ ଅଭିଯୁକ୍ତଙ୍କୁ ଧରି ପୋଲିସ ଜିମା ଦେଇଥିଲେ।
ଗତ ୭ମାସ ଭିତରେ କେବଳ କପିଳାସ ଅଭୟାରଣ୍ୟରୁ ବନ ବିଭାଗ ୬୦ରୁ ଊର୍ଦ୍ଧ୍ୱ ଦେଶୀ ବନ୍ଧୁକ ଜବତ କରିଛି। ଏସବୁ ଘଟଣାରେ ଗିରଫ ହୋଇଥିବା ଶିକାରୀମାନେ ସ୍ଥାନୀୟ ଅଞ୍ଚଳର। ତେଣୁ କପିଳାସ ଅଭୟାରଣ୍ୟ ଅଞ୍ଚଳରେ ଏକ ଚୋରା ବନ୍ଧୁକ ର଼୍ୟାକେଟ କାମ କରୁଥିବା ଅନୁମାନ କରାଯାଉଛି। ଏଥିରେ ଝାଡ଼ଖଣ୍ଡ ଏବଂ ବିହାରର ପେସାଦାର ଅପରାଧୀଙ୍କ ଲିଙ୍କ୍ ଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି। ହେଲେ ପୋଲିସ ଚୋରା ବନ୍ଧୁକ କାରବାର ଉପରୁ ପରଦା ଉଠାଇବାରେ ବିଫଳ ହୋଇଛି।
ଏହାକୁ ବାଦ୍ଦେଲେ ଜିଲାର ଜାତୀୟ ରାଜପଥରେ ବନ୍ଧୁକଧାରୀ ସକ୍ରିୟ ହୋଇଉଠିଛନ୍ତି। ଚୋରି, ଡକାୟତି, ଲୁଟ୍ ଭଳି ଘଟଣାରେ ଏଭଳି ଅପରାଧୀ ଗୋଷ୍ଠୀର ସମ୍ପୃକ୍ତି ରହୁଛି। ସେହିପରି ଢେଙ୍କାନାଳ ପୌରାଞ୍ଚଳ, ଶ୍ୟାମାଚରଣପୁର, ବୋରାପଦା ଏବଂ ଭଗବାନପୁର ସମେତ ସହରତଳି ଅଞ୍ଚଳରେ ବ୍ରାଉନ ସୁଗାର କାରବାର ବଢ଼ିବାରେ ଲାଗିଛି। ଏଥିରେ ବିଧିବଦ୍ଧ ଭାବେ ଗ୍ୟାଙ୍ଗ୍ କାମ କରୁଛି। ସେମାନଙ୍କୁ ଧରିବାରେ ପୋଲିସ ଓ ଅବକାରୀ ବିଭାଗ ଫେଲ୍ ମାରିଛି। ଲକ୍ଡାଉନ ଓ ଶଟ୍ଡାଉନ ସମୟରେ ବିଦେଶୀ ମଦ ଦୋକାନ ବନ୍ଦ ରହିଥିବା ବେଳେ ବିଭିନ୍ନ ଢାବାରେ ମାଦକ ଦ୍ରବ୍ୟର ଚୋରା କାରବାର ହେଉଛି। ପୋଲିସ ଗୋଇନ୍ଦା ବିଭାଗ ଠିକ୍ ଭାବେ କାର୍ଯ୍ୟ କରୁ ନ ଥିବାରୁ ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ଦିନକୁ ଦିନ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବାବେଳେ ଜିଲା ପୋଲିସ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ ଏସ୍ପି କେ. ଶିବା ସୁବ୍ରମଣି କୁହନ୍ତି, ଚୋରା ବନ୍ଧୁକ ଏବଂ ବ୍ରାଉନ୍ସୁଗାର କାରବାର ରୋକିବା ଦିଗରେ ପୋଲିସ ପ୍ରଶାସନ ନଜର ରଖିଛି। ଆଗକୁ କେଉଁ ଭଳି ପଦକ୍ଷେପ ନିଆଯାଇପାରିବ ସେ ନେଇ ବିଚାର କରାଯାଉଛି।
ପୋଲିସ ଦାୟିତ୍ୱ ଭୁଲିଯାଇଛି
ଢେଙ୍କାନାଳ ଜିଲାରେ ଆପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଏହାଦ୍ୱାରା ଶାନ୍ତିଭଙ୍ଗ ହେଉଛି। ପୋଲିସ ନିଜ ଦାୟିତ୍ୱ ଏବଂ କର୍ତ୍ତବ୍ୟ ଭୁଲିଯାଇଛି। ଏସ୍ପି ମଧ୍ୟ ଏହାକୁ ରୋକିବା ଲାଗି ଯତ୍ନବାନ ହେଉନାହାନ୍ତି। ପୋଲିସ ବିଭାଗ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ଏହାକୁ ରୋକିବା ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରିବା ଜରୁରୀ।
-ନବକିଶୋର ଗୁରୁ, ଆଇନଜୀବୀ
ଜଘନ୍ୟ ମାମଲା ବଢ଼ିବାରେ ଲାଗିଛି
ଢେଙ୍କାନାଳ ଜିଲାରେ ଆଇନଶୃଙ୍ଖଳା ବିଗିଡ଼ିବାରେ ଲାଗିଛି। ଅପହରଣ, ଗୁଳିକାଣ୍ଡ, ବୋମାମାଡ଼, ହତ୍ୟାକାଣ୍ଡ ଭଳି ଜଘନ୍ୟ ମାମଲା ବଢ଼ିଚାଲିଛି। ପୋଲିସ ନିଜ ଦାୟିତ୍ୱ ଠିକ୍ ଭାବେ ତୁଲାଉ ନାହିଁ। ଅପରାଧୀ ଏବଂ ସେମାନଙ୍କ ଆପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି।
-ପଙ୍କଜ ନାୟକ, ସାମାଜିକ କର୍ମୀ
ଏସ୍ପି ତୀକ୍ଷ୍ଣ ଦୃଷ୍ଟି ଦେବା ଜରୁରୀ
ଅପରାଧୀ ଏବଂ ସେମାନଙ୍କ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ଦାୟିତ୍ୱ ପୋଲିସ ପ୍ରଶାସନର। ହେଲେ ଏମିତି ଲାଗୁଛି ପୋଲିସ ନିଜ ଦାୟିତ୍ୱରୁ ମୁହଁ ଫେରାଇ ନେଇଛି। ଗୁଳିମାଡ଼, ବୋମାମାଡ଼, ହତ୍ୟା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଜନସାଧାରଣ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଏଥିପ୍ରତି ଏସ୍ପି ତୀକ୍ଷ୍ଣ ଦୃଷ୍ଟି ଦେବା ଜରୁରୀ।
-ମନୋରଞ୍ଜନ ପଟ୍ଟନାୟକ, ଆଇନଜୀବୀ
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.