ରକ୍ତ ସଂଗ୍ରହରେ କରୋନା ବାଧକ

ଭୁବନେଶ୍ୱର,୧୪ା୬(ବ୍ୟୁରୋ): କରୋନା ମହାମାରୀ ରାଜ୍ୟରେ ସଂକଟଜନକ ପରିସ୍ଥିତି ସୃଷ୍ଟି କରିଛି। ଲକ୍‌ଡାଉନ୍‌ ଓ ସପ୍ତାହାନ୍ତ ଶଟ୍‌ଡାଉନ୍‌ ଜାରି ରହିଥିବାବେଳେ ସ୍ବାସ୍ଥ୍ୟ, ଶିକ୍ଷା, ବ୍ୟବସାୟ ଆଦି ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଛି। ତେବେ ଏଥିଯୋଗୁ ରକ୍ତ ସଂଗ୍ରହ ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ରାଜ୍ୟରେ ଥିବା ବିଭିନ୍ନ ବ୍ଲଡ୍‌ ବ୍ୟାଙ୍କରେ ରକ୍ତ ଦାନ ଓ ସଂଗ୍ରହ ପୂରା କମିଯାଇଛି। ଫଳରେ ସାଧାରଣ ଚିକିତ୍ସା କ୍ଷେତ୍ର ବଡ଼ ସଙ୍କଟ ମଧ୍ୟଦେଇ ଗତି କରୁଛି।
କଟକରେ ସେଣ୍ଟ୍ରାଲ୍‌ ରେଡ୍‌ କ୍ରସ୍‌ ବ୍ଲଡ୍‌ ବ୍ୟାଙ୍କ ରହିଛି। ଓଡ଼ିଶାର ଏହି ଅନ୍ୟତମ ବୃହତ୍ତମ ବ୍ଲଡ୍‌ ବ୍ୟାଙ୍କ କରୋନା ପୂର୍ବରୁ ପ୍ରତିଦିନ ୧୫୦ ୟୁନିଟ୍‌ ରକ୍ତ ସଂଗ୍ରହ କରୁଥିଲା। ଏବେ ଦିନକୁ ୫୦ ୟୁନିଟ୍‌ ରକ୍ତ ପାଇବା କଷ୍ଟକର ହୋଇପଡୁଛି। ଏନେଇ ବ୍ଲଡ୍‌ ବ୍ୟାଙ୍କର ନିର୍ଦ୍ଦେଶକ ଡା. ଚନ୍ଦ୍ରିକା ଦାସ କହିଛନ୍ତି, କରୋନା ହେତୁ ରକ୍ତ ସଂଗ୍ରହ ହ୍ରାସ ପାଇଛି। ତଥାପି ଆମେ ନିୟମିତ ରକ୍ତ ସଂଗ୍ରହ ବୃଦ୍ଧି କରିବା ପାଇଁ ସ୍ବତନ୍ତ୍ର ଡ୍ରାଇଭ୍‌ କରିଛୁ। ସେହିପରି କ୍ୟାପିଟାଲ ହସ୍ପିଟାଲ ବ୍ଲଡ ବ୍ୟାଙ୍କର ରକ୍ତ ସଂଗ୍ରହ ବ୍ୟବସ୍ଥା ମଧ୍ୟ ମହାମାରୀ କାରଣରୁ ବାଧାପ୍ରାପ୍ତ ହୋଇଛି। ଏହି ବ୍ଲଡ୍‌ ବ୍ୟାଙ୍କର ଇନ୍‌ଚାର୍ଜ ଡା. ଦେବାଶିଷ ମିଶ୍ର କହିଛନ୍ତି, ଛାତ୍ରୀଛାତ୍ରମାନେ ଅଧିକାଂଶ ରକ୍ତ ଦାନ କରନ୍ତି। ଶିକ୍ଷାନୁଷ୍ଠାନ ରକ୍ତଦାନର ମୂଳ ଉତ୍ସ ହୋଇଥିବାରୁ ସେଗୁଡ଼ିକ ବନ୍ଦ ଥିବା କାରଣରୁ ରକ୍ତ ସଂଗ୍ରହ ହ୍ରାସ ପାଇଛି। ତେବେ ରକ୍ତ ସଂଗ୍ରହ ପାଇଁ ସ୍ବତନ୍ତ୍ର ଡ୍ରାଇଭ୍‌ ଜାରି ରଖିବାକୁ ସ୍ଥାନୀୟ କ୍ଲବ୍‌ ଓ ସ୍ବେଚ୍ଛାସେବୀ ଦାତାଙ୍କ ଉପରେ ଗୁରୁତ୍ୱ ଦିଆଯାଉଛି। ଲୋକେ ସ୍ବେଚ୍ଛାକୃତ ରକ୍ତଦାନ କରିବାକୁ ଡା. ମିଶ୍ର ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ଗୋଟିଏ ୟୁନିଟ୍‌ ରକ୍ତ ୩ଜଣ ରୋଗୀଙ୍କ ଜୀବନ ରକ୍ଷା କରିପାରିବ। ଦାନ କରାଯାଇଥିବା ଅଧିକାଂଶ ରକ୍ତ କର୍କଟ, ବର୍ନ, ଥାଲାସେମିଆ ଏବଂ ଅନ୍ୟ ଗୁରୁତର ରୋଗୀଙ୍କ ଚିକିତ୍ସାରେ ଲାଗିଥାଏ। ରକ୍ତ ହେଉଛି ମାନବ ଶରୀରରୁ ବାହାରୁଥିବା ଏକମାତ୍ର ଜୀବନ୍ତ ଶକ୍ତି, ଯାହା ମନୁଷ୍ୟର ଅସ୍ତିତ୍ୱ ସମୟରେ ଦାନ କରାଯାଇପାରେ। ତେଣୁ ଏହାର ଦାନକୁ ଉତ୍ସାହିତ କରାଯିବା ଆବଶ୍ୟକ ବୋଲି ଡା. ମିଶ୍ର କହିଛନ୍ତି।
ଅନ୍ୟପକ୍ଷରେ ରକ୍ତ ସଂଗ୍ରହରେ ବିଭିନ୍ନ ପଦ୍ଧତି ଆପଣାଯାଉଛି। ନାଟ୍‌-ପିସିଆର ପଦ୍ଧତି କେବଳ କ୍ୟାପିଟାଲ ହସ୍ପିଟାଲ, ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ, ବୁର୍ଲା ଭିମ୍‌ସାର ଏବଂ କଟକ ଏସ୍‌ସିବି ମେଡିକାଲ କଲେଜରେ ଉପଲବ୍ଧ ହେଉଛି। ବିଶେଷଜ୍ଞମାନେ ଦାବି କରିଛନ୍ତି, ନାଟ୍‌-ପିସିଆର ପଦ୍ଧତିରେ ରକ୍ତ ସଂଗ୍ରହ ନିରାପଦ। ପ୍ରାରମ୍ଭିକ ପର୍ଯ୍ୟାୟରେ ରକ୍ତରୁ ଏଚ୍‌.ଆଇ.ଭି. ଭଳି ମାରାତ୍ମକ ସଂକ୍ରମଣ ଚିହ୍ନଟ କରିପାରିବ ବୋଲି ଭିମ୍‌ସାର ବୁର୍ଲାର ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗର ମୁଖ୍ୟ ଡା. ସି.ଆର୍‌. ପ୍ରସାଦ କହିଛନ୍ତି। ତେବେ ଏହି ପଦ୍ଧତି ପାଇଁ ଆବଶ୍ୟକ ମେଶିନର ଅଧିକ ମୂଲ୍ୟ ହେତୁ ଅନେକ ବ୍ଲଡ୍‌ ବ୍ୟାଙ୍କରେ ରକ୍ତ ସଂଗ୍ରହରେ ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯାଇପାରୁନି। ଏଥିପାଇଁ ହସ୍ପିଟାଲ ଓ ମେଡିକାଲ କଲେଜ ଉପରେ ନିର୍ଭରଶୀଳ ହେଉଥିବାରୁ ପୂରା ପ୍ରକ୍ରିୟା ବିଳମ୍ବିତ ହେଉଛି। ଏହା ଉପରେ ସେ ଗୁରୁତ୍ୱ ଦେବା ସହ ରକ୍ତ ସଂଗ୍ରହକୁ ବ୍ୟାପକ କରିବା ପାଇଁ ବିକଳ୍ପ ବ୍ୟବସ୍ଥାର ଆବଶ୍ୟକତା ରହିଥିବା ଡା. ପ୍ରସାଦ କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.