ଲକ୍‌ଡାଉନ୍‌ରେ ବଢ଼ିଛି ମାଦକଦ୍ରବ୍ୟ କାରବାର

ଜଗତ୍‌ସିଂହପୁର ଅଫିସ,୧୪ା୬: କରୋନା ଭୂତାଣୁ (କୋଭିଡ୍‌-୧୯)ର ବ୍ୟାପକ ସଂକ୍ରମଣ ଯୋଗୁ ସାରା ରାଜ୍ୟ ସମେତ ଜଗତ୍‌ସିଂହପୁର ଜିଲାରେ ଲକ୍‌ଡାଉନ ନିୟମ କାର୍ଯ୍ୟକାରୀ ହୋଇଛି। ଏଥିଯୋଗୁ ଅତ୍ୟାବଶ୍ୟକ ଜିନିଷକୁ ବାଦ୍‌ ଦେଲେ ଅବଶିଷ୍ଟ ସାମଗ୍ରୀ ବିକ୍ରି ଉପରେ କଟକଣା ଜାରି କରାଯାଇଛି। କିନ୍ତୁ ଚୋରା ମଦ କାରବାର ଉପରେ ଅଙ୍କୁଶ ଲାଗିପାରୁନାହିଁ। ଅନ୍ୟପକ୍ଷରେ ବଜାରରେ ଲାଇସେନ୍ସପ୍ରାପ୍ତ ଦୋକାନରେ ଖୋଲାଖୋଲି ଭାବେ ମଦ ବିକ୍ରି ଉପରେ କଟକଣା ଲଗିଛି। ଅନ୍‌ଲାଇନ୍‌ରେ ମଦ କାରବାର ପାଇଁ ଅନୁମତି ଦିଆଯାଇଛି। କେହି ମଦ କିଣିବାକୁ ଚାହିଁଲେ ଅନ୍‌ଲାଇନ୍‌ରେ ଆବେଦନ କଲେ ଦୋକାନୀ ତାଙ୍କ ନିକଟରେ ମଦ ପହଞ୍ଚାଇବା ବ୍ୟବସ୍ଥା କରିବେ। ଏ ନେଇ ମଦର ମୂଲ୍ୟ ସହ ଯେଉଁ ବ୍ୟକ୍ତି ଏହାକୁ ନେଇ ଯିବେ ତାଙ୍କ ଖର୍ଚ୍ଚ ଦେବାକୁ ପଡ଼ିବ। କିନ୍ତୁ ବାସ୍ତବ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ହେଉଛି। ବିନା ଡୋର ଡେଲିଭରିରେ ମଦ କାରବାର ଚାଲିଛି। ଦୋକାନୀ ଘରେ ପହଞ୍ଚାଇବାକୁ ସ୍ଥିରୀକୃତ ଟଙ୍କା ନେଉଥିଲେ ସୁଦ୍ଧା ନିର୍ଦ୍ଦିଷ୍ଟ ସ୍ଥାନରୁ ବିକ୍ରି କରି ବେସ୍‌ ଲାଭ ଉଠାଉଛନ୍ତି। କେବଳ ଏତିକି ନୁହେଁ, ସ୍ଥିରୀକୃତ ମଦର ମୂଲ୍ୟଠାରୁ ମଧ୍ୟ ଅଧିକ ନେଉଥିବା ଅଭିଯୋଗ ହେଉଛି। ଏହାବାଦ୍‌ ଅନଲାଇନ୍‌ ମାଧ୍ୟମରେ କେତେଜଣ ଲୋକ ମଦ କିଣିବାକୁ ଚାହୁନାହାନ୍ତି। ସେମାନେ ନିଜର ନାମ ଗୋପନ ରଖି ଅଧିକ ଟଙ୍କାରେ କ୍ରୟ କରୁଛନ୍ତି। ଏ ପରିସ୍ଥିତିରେ ଜିଲାରେ ନକଲି ମଦ କାରବାର ମଧ୍ୟ ବୃଦ୍ଧି ପାଇଛି। ଏହି ର଼୍ୟାକେଟ୍‌ ଜିଲାରେ ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି। ସେହିପରି ବେଆଇନ ବ୍ରାଉନସୁଗାର ଓ ଗଞ୍ଜେଇ ଆଦି କାରବାର ଆଶାତୀତ ଭାବେ ବୃଦ୍ଧି ପାଇିଛି। ଏହାକୁ ନିୟନ୍ତ୍ରଣ କରା ନ ଗଲେ ଆଗକୁ ପରିସ୍ଥିତି ଜଟିଳ ରୂପ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଜିଲା ଅବକାରୀ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ୩୬ଟି ଅନ୍‌ଲାଇନ୍‌ ଶପ୍‌, ୧୯ ଅଫ୍‌ଲାଇନ ଶପ୍‌ ଓ ୧୧ଟି ଦେଶୀ ମଦ ଦୋକାନ ରହିଛି। ଏହାଛଡ଼ା ୭ ବିଦେଶୀ ଓ ୨ ଦେଶୀ ମଦ ଦୋକାନ ଉପରେ କଟକଣା ଲାଗୁ ହୋଇଥିଲା। କୋର୍ଟ ନିର୍ଦ୍ଦେଶ ପରେ ଏହି କଟକଣା ଉଚ୍ଛେଦ ହୋଇଛି। ଖୁବ୍‌ଶୀଘ୍ର ଏଗୁଡିକୁ ନିଲାମ କରାଯିବ। ସବୁଠୁ ବଡ କଥା ହେଲା ବିଦେଶୀ ମଦର ଅଭାବ ଦେଖି କେତେଜଣ ଅସାଧୁ ବ୍ୟକ୍ତି କଟକ ଓ ପୁରୀ ଜିଲା ପଟୁ ନକଲି ମଦ ଆଣି ବିକ୍ରି କରୁଥିବା ଶୁଣିବାକୁ ମିଳୁଛି। ସେମାନେ କଟକ ଜିଲାର ନିଆଳି ଓ ପୁରୀର ନୂଆହାଟ ପଟୁ ଏହି ନକଲି ମଦ ଆଣି ଜିଲାର ନାଉଗାଁ, ଜଗତ୍‌ସିଂହପୁର ଓ ବାଲିକୁଦା ଆଦି ଅଞ୍ଚଳରେ ବିକ୍ରି କରୁଥିବା ଅଭିଯୋଗ ହେଉଛି। ପୂର୍ବରୁ ଯେତିକି ପରିମାଣର ବ୍ରାଉନସୁଗାର ବିକ୍ରି ହେଉଥିଲା ଏବେ ତାହା ବଢିଛି। ଗଞ୍ଜେଇ ଚୋରା ଚାଲାଣ କଥା ନ କହିଲେ ଭଲ। ଅବକାରୀ ବିଭାଗର କର୍ମଚାରୀ ଓ ଗାଡିର ଅଭାବ ଥିବାରୁ ସନ୍ତୋଷଜନକ ଚଢାଉ କରିହେଉ ନ ଥିବା କୁହାଯାଇଛି। କିନ୍ତୁ ଅବକାରୀ ବିଭାଗ ଓ ଚୋରା ମଦ କାରବାରକାରୀଙ୍କ ମଧ୍ୟରେ ସମ୍ପର୍କରେ ହେତୁ ଜିଲାରେ ଏହି କାରବାର ବଢିଚାଲିଛ ଅଭିଯାଗ ହେଉଛି।
ଏ ସମ୍ପର୍କରେ ସୁପରିଣ୍ଟେଣ୍ଡେଣ୍ଟ ଅଶୋକ କୁମାର ମହାପାତ୍ର କହିଛନ୍ତି, ନକଲି ମଦ କାରବାର ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ତଥାପି ଅନୁଧ୍ୟାନ କରାଯିବ। କେହି ସୂଚନା ଦେଲେ ବିଭାଗ ପକ୍ଷରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଡୋର ଡେଲିଭରି ବାବଦ ନିର୍ଦ୍ଦିଷ୍ଟ ସ୍ଥାନରୁ ବିଦେଶୀ ମଦ ବିକ୍ରି ହେଉଥିବା ଶୁଣାଯାଉଛି। ଏସବୁ ଉପରେ ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମହାପାତ୍ର କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.