Categories: ଖେଳ

ୟୁରୋକପ୍‌ ଫୁଟ୍‌ବଲ: ଆତ୍ମଘାତୀ ଗୋଲ, ଫ୍ରାନ୍ସଠାରୁ ହାରିଲା ଜର୍ମାନୀ

ମ୍ୟୁନିକ୍‌,୧୭।୬: ୟୁରୋକପ୍‌ ଫୁଟ୍‌ବଲରେ ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଫ୍ରାନ୍ସ ତା’ର ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ଜର୍ମାନୀକୁ ୧-୦ ଗୋଲରେ ପରାସ୍ତ କରିଛି। ତେବେ ଏକ ଆତ୍ମଘାତୀ ଗୋଲ କାରଣରୁ ଜର୍ମାନୀ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ପରାସ୍ତ ହୋଇଛି। ଅଭିଜ୍ଞ ଡିଫେଣ୍ଡର ମ୍ୟାଟ୍ସ ହୁମେଲ୍ସ ଦୀର୍ଘ ଦିନ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ତାଙ୍କର ଏହି ଆତ୍ମଘାତୀ ଗୋଲ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଜର୍ମାନୀ କୋଚ୍‌ ଜୋଆଚିମ ଲୋ ହୁମେଲ୍ସଙ୍କ ପ୍ରତିଭା ଓ ନେତୃତ୍ୱର କଳାରେ ପ୍ରଭାବିତ ହୋଇ ତାଙ୍କୁ ଦଳରେ ସାମିଲ କରିଥିଲେ। ୟୁରୋପର ଦୁଇ ଫୁଟ୍‌ବଲ ମହାଶକ୍ତି ମଧ୍ୟରେ ଏହି ମୁକାବିଲା ଥିଲା ବୋଲି ଫ୍ରାନ୍ସ କୋଚ୍‌ ଡିଡିଏର ଡେସଚାମ୍ପ୍ସ କହିଛନ୍ତି। ୧୪,୦୦୦ ଦର୍ଶକଙ୍କ ଉପସ୍ଥିତିରେ ଏହି ମ୍ୟାଚ୍‌ ଖେଳାଯାଇଥିଲା।
ମ୍ୟାଚ୍‌ର ୨୦ତମ ମିନିଟ୍‌ରେ ଫ୍ରାନ୍ସ ସେଣ୍ଟର ବ୍ୟାକ୍‌ ଲୁକାସ ହେର୍ନାଣ୍ଡିଜଙ୍କ ଏକ ଶଟ୍‌କୁ ଫ୍ରାନ୍ସ ଫରଓ୍ବାର୍ଡ କିଲିଆନ ଏମ୍‌ବାପ୍ପେଙ୍କ ପାଖକୁ ଯିବା ପୂର୍ବରୁ ହୁମେଲ୍ସ ରୋକିବାକୁ ପ୍ରୟାସ କରିଥିଲେ। ତେବେ ବଲ୍‌ ସିଧା ଜର୍ମାନୀର ନେଟ୍ସକୁ ଯାଇଥିଲା। ଏହା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ ଥିଲା। ତେବେ ଏଥିପାଇଁ ହୁମେଲ୍ସଙ୍କୁ ଦାୟୀ କରାଯିବା ଠିକ୍‌ ନୁହେଁ ବୋଲି ଲୋ କହିଛନ୍ତି। ବଲ୍‌ ଦ୍ରୁତଗତିରେ ଆସିଥିଲା ଓ ନିୟନ୍ତ୍ରଣ ବାହାରେ ଥିଲା। ତେଣୁ ଏଥିପାଇଁ କାହାକୁ ଦାୟୀ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଏହି ବିଜୟ ସହ ଫ୍ରାନ୍ସ ୩ ପଏଣ୍ଟ ପାଇ ପର୍ତ୍ତୁଗାଲ ପଛକୁ ରହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। କିନ୍ତୁ ବଲ୍‌ ପଜେଶନ, ପାସ ଓ ପାସ୍‌ ଆକ୍ୟୁରେସିରେ ଜର୍ମାନୀ ଫ୍ରାନ୍ସଠାରୁ ଯଥେଷ୍ଟ ଆଗରେ ଥିଲା। ଉଭୟ ଦଳ ଏକାଧିକ ସୁଯୋଗ ହାସଲ କରିଥିଲେ। ଜର୍ମାନୀ ଅଧିକ ସୁଯୋଗ ହାତଛଡ଼ା କରିଥିଲା। ଜର୍ମାନୀର ଇଲକେ ଗୁଣ୍ଡୋଗାଁ ପ୍ରଥମାର୍ଦ୍ଧରେ ଏକ ନିଶ୍ଚିତ ଗୋଲ ସୁଯୋଗ ହାସଲ କରିଥିଲେ। ତେବେ ଏହା ପୋଷ୍ଟରେ ପହଞ୍ଚିପାରି ନ ଥିଲା। ସେହିପରି ଏମ୍‌ବାପ୍ପେ ଇ କରିମ୍‌ ବେଞ୍ଜାମା ମଧ୍ୟ ଗୋଲ କରିବାର ସମ୍ଭାବନା ସୃଷ୍ଟି କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ। ୨୦୧୪ ଫିଫା ବିଶ୍ୱକପ୍‌ରେ ଜର୍ମାନୀଠାରୁ କ୍ୱାର୍ଟର ଫାଇନାଲରେ ହାରିବା ପରେ ବେଞ୍ଜାମା ଫ୍ରାନ୍ସ ପାଇଁ ପ୍ରଥମ କମ୍ପିଟିଟିଭ ମ୍ୟାଚ୍‌ ଖେଳିଥିଲେ।
ୟୁରୋକପ୍‌ରେ ପୂର୍ବରୁ ଜର୍ମାନୀ କେବେ ବି ଗ୍ରୁପ୍‌ ପର୍ଯ୍ୟାୟରେ ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇ ନ ଥିଲା। ଏହାପୂର୍ବରୁ ଅନ୍ତିମ ଅଭ୍ୟାସ ମ୍ୟାଚ୍‌ରେ ଜର୍ମାନୀ ୭-୧ ଗୋଲରେ ଲାଟଭିଆକୁ ପରାସ୍ତ କରିଥିଲା। ତେବେ ଜର୍ମାନୀ ଏହି ସଫଳତାକୁ ଫ୍ରାନ୍ସ ବିପକ୍ଷରେ ଦୋହରାଇପାରି ନ ଥିଲା। ଅନ୍ୟପଟେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଫ୍ରାନ୍ସର ପଲ୍‌ ପୋଗବା କହିଛନ୍ତି। ଏହି ମ୍ୟାଚ୍‌ରେ ପୋଗ୍‌ବା ଏମ୍‌ବାପ୍ପେ, ବେଞ୍ଜାମା ଓ ଆଣ୍ଟୋଇନ୍‌ ଗ୍ରିଏଜମ୍ୟାନଙ୍କୁ ବହୁମୂଲ୍ୟ ପାସ୍‌ମାନ ପ୍ରଦାନ କରିଥିଲେ। ଜର୍ମାନୀ ଏବେ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ପର୍ତ୍ତୁଗାଲକୁ ଭେଟିବ ଓ ଫ୍ରାନ୍ସ ବୁଦାପେଷ୍ଟରେ ହଙ୍ଗେରୀକୁ ଭେଟିବ। ପ୍ରଥମ ମ୍ୟାଚ୍‌ରେ ବିଜୟୀ ହେବା ସବୁଠାରୁ ବଡ଼ କଥା। ତେବେ ପରାଜୟରୁ ଅଭିଯାନ ଆରମ୍ଭ କରିଥିବାରୁ ଆମକୁ ଚାପର ସମ୍ମୁଖୀନ ହେବାକୁ ପଡିଛି ବୋଲି ଜର୍ମାନୀ ମିଡ୍‌ ଫିଲ୍ଡର ଟୋନି କ୍ରୁସ୍‌ କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.