ପରୀକ୍ଷା ବାତିଲ: ଆହ୍ବାନ ଓ ସମାଧାନ

ଅଧ୍ୟାପକ ଶରତ କୁମାର ଦାସ

 

ମହାମାରୀ କରୋନା ପରବର୍ତ୍ତୀ ସମୟରେ ‘ଜୀବନ ଆଗ, ପରୀକ୍ଷା ପଛ’ ନ୍ୟାୟରେ କିଛିଦିନ ପୂର୍ବେ କେନ୍ଦ୍ର ସରକାର ସିବିଏସ୍‌ଇ ଓ ଆଇସିଏସ୍‌ଇ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରିଦେବା ପରେ ଆମ ରାଜ୍ୟ ସରକାର ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାକୁ ମଧ୍ୟ ବାତିଲ କରିଦେଲେ। ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ସିବିଏସ୍‌ଇ ପରିଚାଳିତ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ବାତିଲ କଲାପରେ ଓଡ଼ିଶା ସରକାର ମଧ୍ୟ ଅନୁରୂପ ପଥ ଅବଲମ୍ବନ କରିବା ପୂର୍ବକ ଛାତ୍ରୀଛାତ୍ର, ଅଭିଭାବକ ତଥା ଶିକ୍ଷୟିତ୍ରୀ/ଶିକ୍ଷକମାନଙ୍କର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଯୁକ୍ତଦୁଇ କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାକୁ ବାତିଲ କରିଛନ୍ତି।
ସାମ୍ପ୍ରତିକ ପରିସ୍ଥିତିରେ ପରୀକ୍ଷା ବାତିଲ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ନିଶ୍ଚୟ। ମାତ୍ର ପରୀକ୍ଷା ବାତିଲର ପରବର୍ତ୍ତୀ ପର୍ଯ୍ୟାୟ ଯଥା ଫଳ ପ୍ରକାଶନକୁ ନେଇ ଅନେକ ତର୍କ, ବିତର୍କ, ଆଲୋଚନା ଓ ପର୍ଯ୍ୟାଲୋଚନା ଦାନା ବାନ୍ଧୁଛି। କେଉଁ ମାପଦଣ୍ତ ଆଧାରରେ ଯୁକ୍ତଦୁଇ ଛାତ୍ରୀଛାତ୍ରମାନଙ୍କର ଫଳ ପ୍ରକାଶ କରାଯିବ ତାହା ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର ବିଷୟ ପାଲଟିଛି। ଏଥିପାଇଁ ଉଭୟ ସରକାର ଓ ଛାତ୍ରୀଛାତ୍ର ତଥା ଅଭିଭାବକମାନେ ଚିନ୍ତା ଓ ଚାପରେ ରହିବା ସ୍ବାଭାବିକ। ଇତିମଧ୍ୟରେ ରାଜ୍ୟ ସରକାର ସମସ୍ୟାର ଆଶୁ ସମାଧାନ ନିମନ୍ତେ ଚଉଦ ଜଣ ସଦସ୍ୟ ବିଶିଷ୍ଟ ଅଭିଜ୍ଞ ତଥା ବିଜ୍ଞ ଅଧିକାରୀଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରିବା ସ୍ବାଗତଯୋଗ୍ୟ ପଦକ୍ଷେପ। ସଂପୃକ୍ତ କମିଟିର ସୁପାରିସ ଆଧାରରେ ମାପଦଣ୍ଡ ନିର୍ଦ୍ଧାରଣ ପୂର୍ବକ ପରୀକ୍ଷା ଫଳ ପ୍ରକାଶ କରାଯାଇପାରିବ।
ତେବେ ଯୁକ୍ତ ଦୁଇ ପରୀକ୍ଷା ବାତିଲକୁ ନେଇ ନାନା ମୁନିଙ୍କ ନାନା ମତରେ ଘାଣ୍ଟିଚକଟି ହୋଇଯାଉଛି ଛାତ୍ରୀଛାତ୍ରମାନଙ୍କ ଭାଗ୍ୟ ଓ ଭବିଷ୍ୟତ। ଯାହାହେଉନା କାହିଁକି ପରୀକ୍ଷା ବାତିଲ ସଂକ୍ରାନ୍ତୀୟ ସମସ୍ତ ବିଷୟକୁ ଦୁଇଟି ଦୃଷ୍ଟିକୋଣରୁ ବିଚାର କରାଯାଇପାରେ ଯଥା: ଆହ୍ବାନ ଓ ସମାଧାନର ପନ୍ଥା। ପ୍ରଥମେ ଆହ୍ବାନ ସମ୍ପର୍କରେ ଆଲୋଚନା କରାଯାଉ।
ପ୍ରଥମତଃ ସିବିଏସ୍‌ଇ ଦ୍ବାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଧାରରେ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ କରାଯିବା ସମ୍ଭବ ନୁହେଁ। ହୁଏତ କେତେକାଂଶରେ ବ୍ୟବସ୍ଥାକୁ ଅନୁକରଣ କରାଯାଇପାରେ। ଏହାର କାରଣ ସିବିଏସ୍‌ଇ ଦ୍ବାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଅନେକାଂଶରେ ସୁବ୍ୟବସ୍ଥିତ। ମାତ୍ର ମାଧ୍ୟମିକ ପରିଷଦର ପରୀକ୍ଷା ପଦ୍ଧତି ସେଭଳି ନୁହେଁ। ସେମାନେ ହୁଏତ ଏକାଦଶ ଶ୍ରେଣୀର ପରୀକ୍ଷା ଫଳ ତଥା ଇଣ୍ଟର୍‌ନାଲ ଆସେସ୍‌ମେଣ୍ଟ ଆଧାରରେ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ କରିପାରିବେ। ମାତ୍ର ଆମ ନିକଟରେ ସେଭଳି କିଛି ଆଧାର ନାହିଁ। ଶତକଡ଼ା ନବେ ଭାଗ କନିଷ୍ଠ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ପରୀକ୍ଷା ହୋଇନାହିଁ। ଟେଷ୍ଟ ପରୀକ୍ଷା କଥା ନ କହିବା ଭଲ। ଏପରି କି ବିଜ୍ଞାନ ଶ୍ରେଣୀ ପାଇଁ ପରିଷଦ ଦ୍ବାରା ପ୍ରାଟିକାଲ ପରୀକ୍ଷା ବି ସମ୍ଭବପର ହୋଇପାରିନାହିଁ । ପୁନଶ୍ଚ ଆମ କ୍ଷେତ୍ରରେ ଇଣ୍ଟର୍‌ନାଲ ଆସେସ୍‌ମେଣ୍ଟର କୌଣସି ବ୍ୟବସ୍ଥା ହିଁ ନାହିଁ। ଦ୍ବିତୀୟତଃ କିଛି କନିଷ୍ଠ ମହାବିଦ୍ୟାଳୟରେ ପ୍ରଥମ ବର୍ଷ ବା ଏକାଦଶ ଶ୍ରେଣୀ ପାଇଁ ଅନ୍‌ଲାଇନ ମାଧ୍ୟମରେ ପରୀକ୍ଷା ସମ୍ପାଦିତ ହୋଇଛି ବୋଲି କୁହାଯାଉଛି । ମାତ୍ର ତାହା ସମ୍ପୂର୍ଣ୍ଣ ରୂପେ ସ୍ବଚ୍ଛ ହୋଇ ନ ପାରେ। ତୃତୀୟତଃ ପୁନଶ୍ଚ ନିଜ ମହାବିଦ୍ୟାଳୟର ଶିକ୍ଷୟିତ୍ରୀ/ଶିକ୍ଷକମାନଙ୍କ ଦ୍ବାରା ଛାତ୍ରୀଛାତ୍ରମାନଙ୍କର ମୂଲ୍ୟ ନିର୍ଦ୍ଧାରଣ ମଧ୍ୟ ଏକ ବଳିଷ୍ଠ ପଦ୍ଧତି ନୁହେଁ । କୌଣସି ମହାବିଦ୍ୟାଳୟରେ ଶତକଡା ଶହେ ଭାଗ ଛାତ୍ରୀଛାତ୍ର କ୍ଲାସ କରନ୍ତି ନାହିଁ। ଏ ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ନିରପେକ୍ଷ ନୁହେଁ।
ଚତୁର୍ଥତଃ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ମାଟ୍ରିକ ପରୀକ୍ଷାର ମାର୍କ ଆଧାରରେ ଯୁକ୍ତଦୁଇ ଛାତ୍ରୀଛାତ୍ରମାନଙ୍କର ମୂଲ୍ୟ ନିର୍ଦ୍ଧାରଣ। ତେବେ ଏହାର ନକାରାତ୍ମକ ଦିଗ ଉପରେ ଆଲୋଚନା କରାଯାଇପାରେ। ମାଟ୍ରିକ ପରୀକ୍ଷା ସହିତ ଯୁକ୍ତ ଦୁଇ ପରୀକ୍ଷା ଆଦୌ ସମକକ୍ଷ ବା ତୁଳନୀୟ ନୁହେଁ। ଉଭୟ କ୍ଷେତ୍ରରେ ବିଷୟଗୁଡ଼ିକ ମଧ୍ୟ ସମାନ ନୁହେଁ । ଯୁକ୍ତ ଦୁଇ ପରୀକ୍ଷାରେ ଭଲ କରିବା ପାଇଁ ହେଲେ ମାଟ୍ରିକ ପରୀକ୍ଷା ଅପେକ୍ଷା ଅଧିକ ମେଧା, ଦକ୍ଷତା ଓ ପରିଶ୍ରମର ଆବଶ୍ୟକତା ପଡ଼େ। ପଞ୍ଚମତଃ ଯଦି ମାଟ୍ରିକ ପରୀକ୍ଷାର ସମ୍ପୂର୍ଣ୍ଣ ବିଷୟର ଫଳାଫଳ ହେଉ ବା ସର୍ବାଧିକ ମାର୍କ ରଖିଥିବା ଦୁଇଟି କିମ୍ବା ତିନୋଟି ବିଷୟର ହାରାହାରି ଫଳାଫଳକୁ ମାପଦଣ୍ଡ ରୂପେ ଗ୍ରହଣ କରାଯାଇ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ କରାଯାଏ ହୁଏତ କେତେକ ପରିଶ୍ରମୀ ଛାତ୍ରୀଛାତ୍ର ନିଜ ପରିଶ୍ରମର ଉଚିତ ମୂଲ୍ୟ ନ ପାଇପାରି ମାନସିକ ଭାରସାମ୍ୟ ହରାଇପାରନ୍ତି। ଅନ୍ୟ କେତେକ ନ୍ୟାୟାଳୟର ଆଶ୍ରୟ ମଧ୍ୟ ନେଇପାରନ୍ତି। ଷଷ୍ଠତଃ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଯଦି କୌଣସି ଛାତ୍ରୀଛାତ୍ର ସରକାରଙ୍କ ସ୍ଥିରୀକୃତ ମାନଦଣ୍ଡ ଅନୁଯାୟୀ ପରୀକ୍ଷା ଫଳ ପ୍ରକାଶରେ ଅସନ୍ତୋଷ ପ୍ରକାଶ କରନ୍ତି, ତେବେ ଚାହିଁଲେ ସଂପୃକ୍ତ ଛାତ୍ରୀଛାତ୍ର କୋଭିଡ୍‌ ପରିସ୍ଥିତିରେ ସୁଧାର ଆସିଲେ ପୁନଶ୍ଚ ପରୀକ୍ଷା ଦେଇପାରିବେ। ମାତ୍ର ଏହା ମଧ୍ୟ ଏକ ସମୟ ସାପେକ୍ଷ ପ୍ରକ୍ରିୟା।
ପରିସ୍ଥିତି କେବେ ସୁଧୁରିବ ଓ ସଂପୃକ୍ତ ଛାତ୍ରୀଛାତ୍ର ପରୀକ୍ଷା ଦେବେ ତାହା ଠିକ୍‌ କୁହାଯାଇ ପାରିବନାହିଁ। ନେଡ଼ିଗୁଡ଼ କହୁଣିକୁ ବୋହିଯିବା ସଦୃଶ ସେତେବେଳକୁ ସେମାନଙ୍କର ମାନସିକ ଅବସ୍ଥା କିଭଳି ଥିବ ତାହା ମଧ୍ୟ ବିଚାରଯୋଗ୍ୟ। ପୁନଶ୍ଚ ଯୁକ୍ତ ତିନି ନାମଲେଖା ପାଇଁ ସେମାନଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ିପାରେ। ତେଣୁ ସରକାରଙ୍କ ଏଭଳି ଘୋଷଣାନାମାରେ ଛାତ୍ରୀଛାତ୍ରମାନଙ୍କର ସନ୍ଦେହ ଉପୁଜିବା ସ୍ବାଭାବିକ।
ଉପରୋକ୍ତ ଆଲୋଚ୍ୟ ବିଷୟ ବ୍ୟତୀତ ଅନ୍ୟ କିଛି ହୁଏତ ଆହ୍ବାନ ସୃଷ୍ଟି ହୋଇପାରେ। ଛାତ୍ରୀଛାତ୍ରଙ୍କର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏଗୁଡ଼ିକ ସମାଧାନ ନିମନ୍ତେ ନିମ୍ନରେ କେତେକ ସମାଧାନର ମାଧ୍ୟମ ସମ୍ପର୍କରେ ଆଲୋଚନା କରାଯାଉ। ପ୍ରଥମତଃ ସରକାରଙ୍କ ଦ୍ବାରା ଗଠିତ ବିଶେଷଜ୍ଞ କମିଟିରେ ଅନେକ ବରିଷ୍ଠ, ଅଭିଜ୍ଞ ତଥା ବିଜ୍ଞ ବ୍ୟକ୍ତିବିଶେଷ ଥିବାରୁ ସେମାନଙ୍କୁ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବାର ସମ୍ପୂର୍ଣ୍ଣ ସ୍ବାଧୀନତା ଦେବା ଉଚିତ। ଦ୍ୱିତୀୟତଃ ବିଶେଷଜ୍ଞ କମିଟି ଆବଶ୍ୟକ ସ୍ଥଳେ ବରିଷ୍ଠ ତଥା ଅଭିଜ୍ଞ ଶିକ୍ଷାବିତ, ବିଭିନ୍ନ ଶିକ୍ଷକ ସଂଗଠନ, ବର୍ତ୍ତମାନ ତଥା ପ୍ରାକ୍ତନ ଛାତ୍ରୀଛାତ୍ର, ଅଭିଭାବକ, ବୁଦ୍ଧିଜୀବୀ ତଥା ସ୍ଥଳବିଶେଷରେ ଯେ କୌଣସି ସାଧାରଣ ବ୍ୟକ୍ତିବିଶେଷଙ୍କ ସହିତ ସମସ୍ୟାର ସମାଧାନ ନିମନ୍ତେ ଆଲୋଚନା କରିବା ଉଚିତ। ତୃତୀୟତଃ ମାଟ୍ରିକ ମାର୍କ ଅନୁସାରେ ଯୁକ୍ତ ଦୁଇ ଫଳାଫଳ ପ୍ରକାଶ ସର୍ବତ୍ର ଆଲୋଚ୍ୟ ପ୍ରସଙ୍ଗଟିକୁ ବିଭିନ୍ନ ଦୃଷ୍ଟିକୋଣରୁ ଉପଯୁକ୍ତ ଭାବେ ତର୍ଜମା କରାଯାଉ। ମାଟ୍ରିକ ମାର୍କକୁ ଯୁକ୍ତ ଦୁଇ ପରୀକ୍ଷା ଫଳାଫଳର ଶତପ୍ରତିଶତ ମାପଦଣ୍ତ ରୂପେ ଗ୍ରହଣ କରା ନ ଯାଇ ଷାଠିଏରୁ ସତୁରି ପ୍ରତିଶତ ଗ୍ରହଣ କରାଯାଇ ଅବଶିଷ୍ଟ ତିରିଶରୁ ଚାଳିଶ ପ୍ରତିଶତ ପାଇଁ ଅନ୍ୟ କୌଣସି ଠିକ୍‌ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉ। ଚତୁର୍ଥତଃ ସମସ୍ତଙ୍କୁ ଏକ ସ୍ବତନ୍ତ୍ର ପ୍ରମାଣପତ୍ର ପ୍ରଦାନ କରାଯାଉ। ବୈଷୟିକ ଶିକ୍ଷାନୁଷ୍ଠାନରେ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ନାମଲେଖାଇବା ବ୍ୟବସ୍ଥା କରାଯାଉ। ଯୁକ୍ତ ତିନି ଶ୍ରେଣୀ ନିମନ୍ତେ ନାମଲେଖାଇବା ପାଇଁ ଏକ ସାଧାରଣ ପ୍ରବେଶିକା ପରୀକ୍ଷାର ଆୟୋଜନ କରାଯାଉ ଓ ଏହି ପ୍ରବେଶିକା ପରୀକ୍ଷାର ଫଳାଫଳ ଆଧାରରେ ଅନର୍ସ ବିଷୟଗୁଡିକରେ ନାମଲେଖା ଯାଇପାରିବ।
ପଞ୍ଚମତଃ ସାଧାରଣ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ବସ୍ତୁନିଷ୍ଠ ବିଶିଷ୍ଟ ପ୍ରସ୍ତୁତ କରାଯାଉ। ଏଥିରେ ପ୍ରତି ବିଷୟକୁ ସମାନ ଧ୍ୟାନ ଦିଆଯାଉ। ଆବଶ୍ୟକ ସ୍ଥଳେ ତିନୋଟି ବିଷୟରେ ପ୍ରାପ୍ତ ସର୍ବାଧିକ ନମ୍ବରର ହାରାହାରି ଆଧାରରେ ଫଳ ପ୍ରକାଶ କରାଯାଇ ଯୁକ୍ତ ତିନି ଶ୍ରେଣୀ ପାଇଁ ନାମଲେଖାର ବ୍ୟବସ୍ଥା କରାଯାଉ। ପ୍ରବେଶିକା ପରୀକ୍ଷାର ପ୍ରମାଣ ପତ୍ର ସମସ୍ତଙ୍କୁ ପ୍ରଦାନ କରାଯାଇପାରିବ। ଏ ପରୀକ୍ଷା କୋଭିଡ୍‌ ପରବର୍ତ୍ତୀ ପର୍ଯ୍ୟାୟରେ ଅଫ୍‌ଲାଇନ ମାଧ୍ୟମରେ କରାଯାଇ ଛାତ୍ରୀଛାତ୍ରଙ୍କର ଉଚ୍ଚଶିକ୍ଷା ପାଇଁ ମାର୍ଗ ନିର୍ଦ୍ଧାରଣ କରାଯାଉ। ଏହାଦ୍ବାରା ମେଧାବୀ ଛାତ୍ରୀଛାତ୍ରମାନେ ଉପଯୁକ୍ତ ନ୍ୟାୟ ପାଇପାରିବେ। ହୁଏତ ଏ ସମସ୍ତ ପ୍ରକ୍ରିୟା ସମୟ ସାପେକ୍ଷ ହୋଇପାରେ। ମାତ୍ର ଛାତ୍ରୀଛାତ୍ରମାନଙ୍କର ଉଜ୍ଜ୍ୱ୍ବଳ ଭବିଷ୍ୟତ ଗଠନ କ୍ଷେତ୍ରରେ କୌଣସି ସାଲିସ ଆଦୌ ଗ୍ରହଣୀୟ ନୁହେଁ।
ଉଚ୍ଚତର ଅଧ୍ୟୟନ ତଥା ବୈଷୟିକ ଶିକ୍ଷା ଗ୍ରହଣ ନିମିତ୍ତ ଯୁକ୍ତଦୁଇର ଫଳାଫଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯୁକ୍ତଦୁଇ ପରେ କିଏ କେଉଁ ବୈଷୟିକ ମାର୍ଗ ଗ୍ରହଣ କରିବ ତାହା ଏଠାରେ ନିଶ୍ଚିତ ହୋଇଥାଏ। କଳା, ବିଜ୍ଞାନ, ବାଣିଜ୍ୟ ଭଳି ପାଠ୍ୟକ୍ରମ ବ୍ୟତୀତ ଅନ୍ୟଗୁଡିକରେ ଅଧ୍ୟୟନ ନିମିତ୍ତ ସାଧାରଣ ପ୍ରବେଶିକା ପରୀକ୍ଷା ଦେବାକୁ ହୋଇଥାଏ। ଏପରି ସ୍ଥିତିରେ ଠିକ୍‌ ଭାବେ ଛାତ୍ରୀଛାତ୍ରମାନଙ୍କର ମେଧା ଆକଳନ କରା ନ ଯାଇପାରିଲେ ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କର ଭାଗ୍ୟ ଅଥଳ ସମୁଦ୍ର ଗର୍ଭକୁ ଚାଲିଯିବା ସହ ସମାନ ହେବ।
ସୁତରାଂ ଏ କ୍ଷେତ୍ରରେ ସରକାରଙ୍କର ବିଚାରବନ୍ତ ନିଷ୍ପତ୍ତି ହିଁ ଗୁରୁତ୍ୱପୂର୍ଣ୍ଣ। ସର୍ବୋପରି ଆମ ସମସ୍ତଙ୍କୁ ଜାଣିରଖିବାକୁ ହେବ ଯେ ଏହା ଏକ ବିଶେଷ ପରିସ୍ଥିତି ।
କେବଳ ଓଡ଼ିଶା ନୁହେଁ କି ଭାରତ ନୁହେଁ ସମଗ୍ର ବିଶ୍ବର ଶିକ୍ଷା ଇତିହାସରେ ଏହା ଏକ ବିରଳ ଘଟଣା। ତେଣୁ ଆମ ସମସ୍ତଙ୍କୁ ସରକାରଙ୍କ ସହିତ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବା ସମୟର ଗୁରୁତ୍ୱପୂର୍ଣ୍ଣ ଆହ୍ବାନ।
ରାଜନୀତି ବିଜ୍ଞାନ ବିଭାଗ, ବଡବିଲ ମହାବିଦ୍ୟାଳୟ, କେନ୍ଦୁଝର
ମୋ-୮୨୪୯୧୩୭୦୯୧

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.