ଆର୍‌ପିଡିଏସିକୁ ଡର

ଯାଜପୁର ଅଫିସ,୫।୬:ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଏବଂ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି) ବୈଠକ ଶେଷ ଥର ପାଇଁ ୧୪ା୯ା୨୦୧୬ରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ କଟକଠାରେ ଆର୍‌ପିଡିଏସି ବୈଠକ ହୋଇଛି ବୋଲି ପ୍ରଶାସନ ପକ୍ଷରୁ ଦାବି କରାଯାଉଛି। ତେବେ ଏଭଳି ଲୁଚାଛପା ବୈଠକ କାହିଁକି ଏବଂ କାହାସ୍ବାର୍ଥରେ ବୋଲି ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ। ପ୍ରାୟ ୫ ବର୍ଷ ହେଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଆର୍‌ପିଡିଏସି ବୈଠକ ନ ହେବା ଶିଳ୍ପ ବିସ୍ଥାପିତଙ୍କ ଦୁର୍ଦ୍ଦଶା ପ୍ରତି ପ୍ରଶାସନ ସମ୍ବେଦନହୀନ ମନେ ହେଉଛି।
ରାଜ୍ୟ ସରକାରଙ୍କ ପ୍ରଣିତ ପୁନର୍ବାସ ଓ ଥଇଥାନ ନୀତିକୁ ପ୍ରଶାସନିକ ସ୍ତରରେ ଗୁରୁତ୍ୱ ଦିଆଯାଉ ନଥିବାବେଳେ ଶିଳ୍ପସଂସ୍ଥା ମାଲିକଙ୍କୁ ଖୁସି କରିବା ପାଇଁ ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟା ପ୍ରତି ଆଖିବୁଜି ଦିଆଯାଉଛି। ବିଶେଷକରି ଶିଳ୍ପ ଓ ଖଣି ସଂସ୍ଥାଗୁଡ଼ିକରେ ସ୍ଥାନୀୟ ନିଯୁକ୍ତିକୁ ନେଇ ଅଞ୍ଚଳରେ ଅସନ୍ତୋଷ ସରକାରଙ୍କ ବିପକ୍ଷରେ ଏକ ନକାରାତ୍ମକ ଭାବନା ସୃଷ୍ଟି କରୁଛି। ଯାଜପୁର ଜିଲା କଳିଙ୍ଗନଗର କ୍ଷେତ୍ରରେ ଉଭୟ ରାଜ୍ୟ ଓ ଜିଲା ପ୍ରଶାସନ ଏହି ଭୂମିକା ନେଇଥିବା ସ୍ପଷ୍ଟ ପରିଲକ୍ଷିତ ହେଉଛି।
ଓଡ଼ିଶା ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତିର ସଫଳ ରୂପାୟନ ପାଇଁ ଯାଜପୁର ସମେତ ଶିଳ୍ପ ବହୁଳ ଜିଲାଗୁଡିକରେ ୨୦୦୮ରୁ ଓଡ଼ଶା ପ୍ରଶାସନିକ ସେବାର ଜଣେ ଲେଖାଏ ବରିଷ୍ଠ ପଦାଧିକାରୀଙ୍କୁ ପ୍ରକଳ୍ପ ନିର୍ଦ୍ଦେଶକ (ପୁନର୍ବାସ ଓ ଥଇଥାନ) ଭାବରେ ଅବସ୍ଥାପିତ କରାଯାଇଛି। କିନ୍ତୁ ଯାଜପୁର ଜିଲା ପାଇଁ ନିଯୁକ୍ତ ସମ୍ପୃକ୍ତ ଅଧିକାରୀ କାର୍ଯ୍ୟରେ ଯୋଗଦେଇ ନାହାନ୍ତି । ସେହିପରି ଜିଲାରେ ୧୦ରୁ ଊର୍ଦ୍ଧ୍ୱ ବଡ ଶିଳ୍ପ ରହିଥିବାବେଳେ ଏହାର ଜମିହରା ଓ ବିସ୍ଥାପିତଙ୍କ ପୁନର୍ବାସ ଓ ଥଇଥାନ ଦିଗ ଅବହେଳିତ ହୋଇ ରହିଛି। ପୁନର୍ବାସ ଓ ଥଇଥାନ ନୀତି ଅନୁସାରେ ବର୍ଷରେ ଅନ୍ତତଃ ୪ ଥର ଆର୍‌ପିଡିଏସି ବୈଠକ ହେବା କଥା। କିନ୍ତୁ ୪ ବର୍ଷ ୯ ମାସରୁ ଅଧିକ ସମୟ ହେଲା ଏହି ବୈଠକ ହୋଇନାହିଁ। ବିସ୍ଥାପିତ ଓ ଜମିହରାଙ୍କ ଅସନ୍ତୋଷରୁ ବିଭିନ୍ନ କାରଖାନାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେବା ଏବଂ କାରଖାନା ପ୍ରତିଷ୍ଠାରେ ବାଧା ସୃଷ୍ଟି ହେଉଥିଲେ ବି ପ୍ରଶାସନ ତତ୍ପରତା ପ୍ରକାଶ କରୁନାହିଁ। ଶିଳ୍ପ କାରଖାନାଜନିତ ବିସ୍ଥାପନକୁ ବନ୍ଦ କରିବା ପାଇଁ ଦିନ ଥିଲା ଲୋକଙ୍କୁ ପୋଲିସ ଗୁଳିର ସାମ୍ନା କରିବାକୁ ପଡୁଥିଲା। କିନ୍ତୁ କଳିଙ୍ଗନଗରରେ ଏବେ ପରିସ୍ଥିତି ଓଲଟା ହୋଇଛି। ଶିଳ୍ପଜନିତ ପରିବେଶ ଓ ସାମାଜିକ ପ୍ରଦୂଷଣରେ ଅତିଷ୍ଠ ହୋଇ ସାରଙ୍ଗପୁର, ବାରଗାଡିଆ, କୁଡୁମୀସାହି, ଟାଙ୍ଗରସାହି, ଅରାସାହି, କଚେରୀ ଗାଁ, ନୂଆଗାଁ, ଖୁରୁଣ୍ଟି, କେନ୍ଦୁଢିପି ଆଦି ଗ୍ରାମର ଲୋକେ ବିସ୍ଥାପନ କରିବାକୁ ଦାବି କରି ଆସୁଛନ୍ତି। ଅନ୍ୟପକ୍ଷେ କଳିଙ୍ଗନଗର ଶିଳ୍ପାଞ୍ଚଳ ପ୍ରତିଷ୍ଠାର ୨୫ ବର୍ଷ ପରେ ବି ୬ ଶିଳ୍ପ କାରଖାନା ଦ୍ୱାରା ବିସ୍ଥାପିତ ପରିବାରର ୫୪୯ ଉତ୍ତରାଧିକାରୀ ନିଯୁକ୍ତି ପାଇବାରୁ ବଞ୍ଚିତ ରହିଛନ୍ତି। ଏଭଳି ସ୍ଥିତିରେ ସୁକିନ୍ଦା ଖଣି ଅଞ୍ଚଳରେ ନୂଆ ଖଣି ହାତେଇଥିବା ବେଦାନ୍ତ ବାହାର ରାଜ୍ୟର ପ୍ରାୟ କର୍ମଚାରୀ ଓ ଅଧିକାରୀଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି। ଏହାସହ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ୨୦୧୭-୨୧ ମଧ୍ୟରେ ବିଆରପିଏଲ(ବ୍ରାହ୍ମଣୀ ରିଭର୍ସ ପେଲେଟ ଲିଃ) ୩୦ ଜଣଙ୍କୁ ନୂଆ ନିଯୁକ୍ତି ଦେଇଛି। ଏଥିରେ ୨୦ ଜଣ ରାଜ୍ୟର ଓ ୧୦ ଜଣ ରାଜ୍ୟ ବାହାରର ବୋଲି ଦର୍ଶାଯାଇଛି। ତେବେ ନିଯୁକ୍ତି ପାଇଥିବା ବାହାର ରାଜ୍ୟର ସମସ୍ତେ ଅଫିସର କ୍ୟାଡର ହୋଇଥିବାବେଳେ ଓଡ଼ିଶାର ସମସ୍ତେ ଶ୍ରମିକ ଶ୍ରେଣୀଭୁକ୍ତ ବୋଲି ଜଣାପଡ଼ିଛି। ଏହା କେବଳ ଉଦାହରଣ ମାତ୍ର। ପ୍ରାୟ ସମସ୍ତ ଶିଳ୍ପ ଓ ଖଣି କମ୍ପାନୀରେ ଏଭଳି ନୀତି ଚାଲିଛି। ଇତିମଧ୍ୟରେ ନୀଳାଚଳ ଇସ୍ପାତ, ମେସ୍କୋ, ମୈଥାନ ଭଳି ବୃହତ୍‌ କାରଖାନା ବନ୍ଦ ପଡିଛି। ଏଥିରେ କାର୍ଯ୍ୟରତ ପ୍ରାୟ ୨୦ ହଜାର ସ୍ଥାନୀୟ ଲୋକେ ଜୀବିକା ହରାଇିଛନ୍ତି। ଏଭଳିସ୍ଥିତିରେ ଆର୍‌ପିଡିଏସି ବୈଠକ ନ ବସିବା ପ୍ରଶାସନର କମ୍ପାନୀ ପ୍ରୀତି ଜଳଜଳ ହୋଇ ଦିଶୁଛି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ବିସ୍ଥାପିତମାନଙ୍କ ସମସ୍ତ ସମସ୍ୟାର ସମାଧାନ ହେଉଛି। ସେମାନଙ୍କ ପ୍ରତି କୌଣସି ପ୍ରକାର ଅବହେଳା କରାଯାଉ ନାହିଁ। ତେବେ ଆର୍‌ପିଡିଏସି ବୈଠକ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.