ବଜାର ବନ୍ଦ, ସରକାର ନେଉନାହାନ୍ତି

ଭୁବନେଶ୍ୱର, ୮।୬(ବ୍ୟୁରୋ): କରୋନା ସଂକ୍ରମଣ କେବଳ ସ୍ବାସ୍ଥ୍ୟ ନୁହେଁ, ଆର୍ଥିକ ଅବସ୍ଥାକୁ ମଧ୍ୟ ଦୋହଲାଇ ଦେଇଛି। ଉଭୟ କ୍ଷେତ୍ରରୁ ଜୀବନ ଧାରଣ ପ୍ରତି ଭୟଙ୍କର ସଙ୍କଟ ସୃଷ୍ଟି ହୋଇଛି। ମହାମାରୀ ଜନିତ ଲକ୍‌ଡାଉନ ଓ ଶଟ୍‌ଡାଉନ ଯୋଗୁ ବଜାର ଏକପ୍ରକାର ସ୍ଥାଣୁ ପାଲଟିଯାଇଛି। ବିପୁଳ ନିଯୁକ୍ତିର ଏକ ବଡ଼ ମାଧ୍ୟମ ହୋଇଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକ ଅତିମାତ୍ରାରେ ପ୍ରଭାବିତ ହୋଇଛି। ଆତ୍ମନିର୍ଭର ଭାରତ ପାଇଁ କେନ୍ଦ୍ର ସରକାର ଧ୍ୱନି ଦେଉଥିଲାବେଳେ ବଜାର ଅଭାବରୁ ସ୍ବଦେଶୀ ଉତ୍ପାଦିତ ଦ୍ରବ୍ୟ ବିକ୍ରିକୁ ନେଇ ଉଦ୍ୟୋଗୀମାନେ ସମସ୍ୟାରେ ପଡ଼ିଛନ୍ତି। ଗୋଟିଏ ପଟେ କଞ୍ଚାମାଲ ଦର ଆକାଶଛୁଆଁ, ଅନ୍ୟପଟେ ଉତ୍ପାଦିତ ଦ୍ରବ୍ୟ ବିକ୍ରି ନ ହେବା ଯୋଗୁ ଏମ୍‌ଏସ୍‌ଏମ୍‌ଇ/ଷ୍ଟାର୍ଟଅପ୍‌ ଉଦ୍ୟୋଗୀମାନଙ୍କ ନିଦ ହଜିଯାଇଛି। ସମ୍ପ୍ରତି କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ହାତଗଣତି ଲଘୁ ଉଦ୍ୟୋଗ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଥିବା ବେଳେ ସରକାରୀ ଉଦାସୀନତା ସେମାନଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦେଇଛି।
କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ଏମ୍‌ଏସ୍‌ଏମ୍‌ଇ ବିକାଶ ନୀତି-୨୦୧୫ ପ୍ରଣୟନ କରିଛନ୍ତି। ସରକାର ମାନିଛନ୍ତି ଯେ, ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏକ ବଡ଼ ଭୂମିକା ନିର୍ବାହ କରୁଛି। କ୍ଷୁଦ୍ରଶିଳ୍ପକୁ ପ୍ରୋତ୍ସାହନ ଦେଇ ଅନୁକୂଳ ପରିବେଶ ସୃଷ୍ଟି କରୁଥିବାରୁ ୨୦୧୮ ଷ୍ଟାର୍ଟଅପ୍‌ ର଼୍ୟାଙ୍କରେ ଓଡ଼ିଶା ଉତ୍ତମ ପ୍ରଦର୍ଶନକାରୀ ରାଜ୍ୟ ଭାବେ ପରିଚୟ ପାଇପାରିଛି। ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ସହ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ବଞ୍ଚାଇ ରଖିବା, ରାଜ୍ୟରେ ମୁଣ୍ଡ ପିଛା ଆୟ ବୃଦ୍ଧି ସହ ନିଯୁକ୍ତି ସୁଯୋଗ
ସୃଷ୍ଟି କରିବା ଲକ୍ଷ୍ୟରେ ଲଘୁ ଉଦ୍ୟୋଗଗୁଡ଼ିକ ପାଇଁ ରାଜ୍ୟ ସରକାର ଓଡ଼ିଶା ପ୍ରୋକ୍ୟୁରମେଣ୍ଟ ପ୍ରିଫରେନ୍ସ ପଲିସି ଫର୍‌ ମାଇକ୍ରୋ ଆଣ୍ଡ ସ୍ମଲ୍‌ ଏଣ୍ଟରପ୍ରାଇଜର୍ସ-୨୦୧୫ ଆଣିଛନ୍ତି। ଏହି ପଲିସି ଅନୁଯାୟୀ ଏମ୍‌ଏସ୍‌ଏମ୍‌ଇଗୁଡ଼ିକରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ବାର୍ଷିକ ଉତ୍ପାଦନର ୨୦ ପ୍ରତିଶତ ଉତ୍ପାଦ କିଣିବାକୁ ବାଧ୍ୟ। ଓଡ଼ିଶା ରାଜ୍ୟ ଔଷଧ ନିଗମ(ଓଏସ୍‌ଏମ୍‌ସିଏଲ୍‌) ଔଷଧ ନିର୍ମାତା ଉଦ୍ୟୋଗୀଙ୍କଠାରୁ ଗତ କିଛିବର୍ଷ ହେବ ଔଷଧ କ୍ରୟ କରୁଥିଲା। ତେବେ ଚଳିତବର୍ଷଠାରୁ ନିଗମ ଟେଣ୍ଡର ଜରିଆରେଔଷଧ କ୍ରୟ ପାଇଁ ସ୍ଥିର କରିଛି। କେବଳ ନିଗମ ନୁହେଁ, ସରକାରଙ୍କ ଅନ୍ୟ ବିଭାଗଗୁଡ଼ିକ ମଧ୍ୟ ଉତ୍ପାଦିତ ଦ୍ରବ୍ୟ ରାଜ୍ୟ ଭିତରୁ କ୍ରୟ କରିବାକୁ ଅମଙ୍ଗ ହେଉଛନ୍ତି ବୋଲି ଏମ୍‌ଏସ୍‌ଏମ୍‌ଇ ସଂଘ ଅଭିଯୋଗ କରିଛି।
ଅନ୍ୟପକ୍ଷରେ ମେକ୍‌ ଇନ୍‌ ଓଡ଼ିଶାକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ପବ୍ଲିକ ପ୍ରୋକ୍ୟୁରମେଣ୍ଟ (ପ୍ରିଫରେନ୍ସ ଟୁ ମେକ୍‌ ଇନ୍‌ ଓଡ଼ିଶା) ଆଦେଶ-୨୦୨୦ ଚିଠା ପ୍ରସ୍ତୁତ କରିଛନ୍ତିି। ଏହାଦ୍ୱାରା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କିମ୍ବା ଷ୍ଟାର୍ଟଅପ୍‌ଗୁଡ଼ିକୁ ଉତ୍ପାଦନ, ଉତ୍ପାଦିତ ଦ୍ରବ୍ୟର ବିକ୍ରିି , କଞ୍ଚାମାଲ ଇତ୍ୟାଦି ବ୍ୟବସ୍ଥା କରାଯିବ। ଏହାଦ୍ୱାରା ବିଭିନ୍ନ ବଡ଼ ବଡ଼ କମ୍ପାନୀ ସ୍ଥାନୀୟ ଉଦ୍ୟୋଗୀଙ୍କ ସହ ମିଶି ଉତ୍ପାଦନ ଓ କ୍ରୟ କରିବେ। ଫଳରେ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ ବଢ଼ିବା ସହ ମୁଣ୍ଡପିଛା ଆୟ ମଧ୍ୟ ବୃଦ୍ଧି ହେବ। ଏଥିସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବେ। ଏମ୍‌ଏସ୍‌ଏମ୍‌ଇରୁ ଉତ୍ପାଦିତ ସାମଗ୍ରୀକୁ ବିଭାଗଗୁଡ଼ିକ ନିଜର ବିଭିନ୍ନ କାର୍ଯ୍ୟାଳୟ ପାଇଁ ୫୦ ପ୍ରତିଶତ କ୍ରୟ କରିବେ। ଅନୁସୂଚିତ ଜାତି, ଜନଜାତି, ମହିଳା ଏବଂ ଭିନ୍ନକ୍ଷମ ଉଦ୍ୟୋଗୀଙ୍କଠାରୁ ଉତ୍ପାଦିତ ଦ୍ରବ୍ୟ କ୍ରୟ କରାଯିବା ସହ ସ୍ବାବଲମ୍ବୀ କରିବା ଦିଗରେ ଏହି ନୀତି ସହାୟକ ବୋଲି ଦାବି କରାଯାଉଛି। ତେବେ ଆଶ୍ଚର୍ଯ୍ୟର କଥା ଯେ, ଏମ୍‌ଏସ୍‌ଏମ୍‌ଇ ସଂଘର ବାରମ୍ବାର ଦାବି ସତ୍ତ୍ୱେ ପ୍ରୋକ୍ୟୁରମେଣ୍ଟ ଚିଠା ଆଦେଶ-୨୦୨୦ ବର୍ଷେ ହେବ ଫାଇଲ ଭିତରେ ରହିଛି ବୋଲି କ୍ଷୁଦ୍ର ଶିଳ୍ପ ଉଦ୍ୟୋଗ ସଂଘ ମହାସଚିବ ସ୍ବସ୍ତିକ ସ୍ବାଇଁ କହିଛନ୍ତି। ସରକାର ତୁରନ୍ତ ଏ ନେଇ ପଦକ୍ଷେପ ନ ନେଲେ ଲଘୁ ଉଦ୍ୟୋଗୀମାନେ ଘୋର ଆର୍ଥିକ ସଙ୍କଟ ଦେଇ ଗତିକରିବେ। ଏହି ଉଦ୍ୟୋଗ ରାଜ୍ୟରେ ଏକ ପ୍ରକାର ଭୁଶୁଡ଼ି ପଡ଼ିବ। ଯୁବ ଉଦ୍ୟୋଗୀମାନେ ଏନେଇ ଆଉ ଆଗ୍ରହ ଦେଖାଇବେ ନାହିଁ। ଲୋକଙ୍କୁ ଋଣ ଦେବା ଅପେକ୍ଷା କାମ ଦେବା ଦରକାର ବୋଲି ସ୍ବାଇଁ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ସରକାରୀ ହିସାବ ଅନୁଯାୟୀ ୨୦୨୧ ଜୁନ୍‌ ସୁଦ୍ଧା ରାଜ୍ୟରେ ୫,୦୬,୦୧୨ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପଞ୍ଜୀକୃତ ହୋଇଛି। ସେଥିରୁ ଗତ ୫ ବର୍ଷ ମଧ୍ୟରେ ୪୫,୫୮୦.୮୫ କୋଟି ଟଙ୍କାର ୧୫,୩୧୫ ଉଦ୍ୟୋଗ ବିଭିନ୍ନ କାରଣରୁ ବନ୍ଦ ହୋଇଛି। ଏଥିରେ କାର୍ଯ୍ୟରତ ୧,୨୯,୯୫୦ କର୍ମଚାରୀ ଜୀବିକା ହରାଇଛନ୍ତି । ୧୧ ପଛୁଆ ଜିଲାରେ ଏହି ସମୟରେ ମୋଟ ୩,୫୨,୦୦୫.୩୭ ଲକ୍ଷ ଟଙ୍କାର ୩,୧୩୩ ଶିଳ୍ପ ବନ୍ଦ ହୋଇଛି। ଏସବୁ ଶିଳ୍ପ ବନ୍ଦ ହେବା ଯୋଗୁ ୩,୪୪,୬୧୫ ଲୋକ ଜୀବିକା ହରାଇଛନ୍ତି। କରୋନା ସମୟରେ ପ୍ରାୟ ୫୦ ହଜାର ଉଦ୍ୟୋଗ ବନ୍ଦ ହୋଇଥିବା ବେସରକାରୀ ସୂତ୍ରରୁ ସୂଚନା ମିଳିଛି। ଲଘୁ ଉଦ୍ୟୋଗ ପ୍ରତି ଯଦି ସରକାରୀ ବାବୁମାନଙ୍କର ଉଦାସୀନ ମନୋଭାବ ଜାରି ରହିବ ତେବେ ରାଜ୍ୟରେ ସବୁଠାରୁ ଅଧିକ ନିଯୁକ୍ତି ସୁଯୋଗ ଯୋଗାଉଥିବା ଏହି କ୍ଷେତ୍ରର ଉଦ୍ୟୋଗୀମାନେ ତଳିତଳାନ୍ତ ହୋଇଯିବେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.