ଲକ୍ଷ୍ୟ କେତେ ଦୂର

ନୂଆଦିଲ୍ଲୀ/ କୋଲକାତା,୩ା୬: ୨୦୨୧ ଡିସେମ୍ବର ସୁଦ୍ଧା କେନ୍ଦ୍ର ସରକାର ୧୦୦ କୋଟି ଭାରତୀୟଙ୍କୁ ଟିକା ଦେବା ପାଇଁ ସ୍ଥିର କରିଛନ୍ତି। ତେବେ ବର୍ତ୍ତମାନର ମନ୍ଥର ଟିକାକରଣକୁ ଦେଖିଲେ ଏହି ଲକ୍ଷ୍ୟ ଏତେ ସହଜରେ ପୂରଣ ହେବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଭାରତରେ ପ୍ରସ୍ତୁତ କୋଭିଡ୍‌ ଭାକ୍ସିନ ଦେଶବାସୀଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ। ଟିକାକରଣ ଜାରି ରଖିବା ପାଇଁ ଆବଶ୍ୟକ ପରିମାଣର ଭାକ୍ସିନ ଉପଲବ୍ଧ ନାହିଁ। ତେଣୁ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଏବଂ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଲେରିଆ ରିସର୍ଚ୍ଚର ବିଶେଷଜ୍ଞମାନେ କେନ୍ଦ୍ରର ଦୁର୍ବଳ ଟିକାକରଣ ଯୋଜନାକୁ ସମାଲୋଚନା କରିଛନ୍ତି।
ଶେଷ ସୁଦ୍ଧା ୧୦୦ କୋଟି ଭାରତୀୟଙ୍କୁ ଟିକା ଦେବା ପାଇଁ ଦେଶରେ କୋଭାକ୍ସିନ ଓ କୋଭିଶିଲ୍ଡ ଟିକା ଉତ୍ପାଦନକୁ ତ୍ୱରାନ୍ବିତ କରିବା ଲାଗି କେନ୍ଦ୍ର ସରକାର ଯୋଜନା କରିଛନ୍ତି। କିନ୍ତୁ ଏହା ଅସମ୍ଭବ ମନେହେଉଛି ବୋଲି ବୁଧବାର ବିଜିଏମ୍‌ ଗ୍ଲୋବାଲ ହେଲ୍‌ଥ ଜର୍ନାଲରେ ଏକ ରିପୋର୍ଟ ପ୍ରକାଶ ପାଇଛି। ବର୍ତ୍ତମାନ ସୁଦ୍ଧା ଦେଶର ମୋଟ ଜନସଂଖ୍ୟାର ମାତ୍ର ୩% ଲୋକଙ୍କୁ ଟିକା ଦିଆଯାଇପାରିଛି। ତେଣୁ ବିଦେଶୀ କମ୍ପାନୀଗୁଡ଼ିକୁ ଭାରତରେ ଭାକ୍ସିନ ଯୋଗାଣ ପାଇଁ ଅନୁମତି ଦିଆଯାଉ ବୋଲି ବିଶେଷଜ୍ଞମାନେ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି। ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଦୁଇଟି ଯାକ ଡୋଜ୍‌ ନେବାର ୨ ସପ୍ତାହ ପରେ ସ୍ବାସ୍ଥ୍ୟଗତ ସୁରକ୍ଷା ମିଳିଥାଏ। ଭାକ୍ସିନର ଚାହିଦା ଅଧିକ ଥିବାରୁ ସଂକ୍ରମଣ ରୋକିବାକୁ ହେଲେ ଆଗାମୀ ଦିନରେ ଭାରତକୁ ଭାକ୍ସିନର ଅଧିକ ଉତ୍ସ ଖୋଜିବାକୁ ପଡ଼ିବ। ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବା ପାଇଁ ସରକାର ଘରୋଇ ହସ୍ପିଟାଲଗୁଡ଼ିକୁ ଟିକାକରଣ ଅନୁମତି ଦେଇଛନ୍ତି। ହସ୍ପିଟାଲଗୁଡ଼ିକ ଏଥିଲାଗି ଡୋଜ୍‌ ପିଛା ପ୍ରାୟ ୨୨୦ରୁ ୧,୦୯୮ ଟଙ୍କା ନେଉଛନ୍ତି। ଅର୍ଥାତ୍‌ ଲୋକେ ମଧ୍ୟ ଜୀବନ ବଞ୍ଚାଇବା ପାଇଁ ଏତେ ଟଙ୍କା ପଇଠ କରିବାକୁ ସକ୍ଷମ। ତେଣୁ ଭାରତକୁ କରୋନା ମୁକ୍ତ କରିବାକୁ ହେଲେ ଟିକାକରଣକୁ ତ୍ୱରାନ୍ବିତ କରିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

 

ମାସକୁ ୨୩୮ ନିୟୁତ ଡୋଜ୍‌ ଦରକାର

୨୦୨୧ ସୁଦ୍ଧା ଦେଶର ସମସ୍ତ ସାବାଳକଙ୍କୁ ଟିକା ଦେବାକୁ ହେଲେ ଭାରତକୁ ମୋଟ ୧.୮୮ ବିଲିୟନ୍‌ ଡୋଜ୍‌ ଆବଶ୍ୟକ। ଏଥିରୁ ୧.୬୭ ବିଲିୟନ୍‌ ଅର୍ଥାତ୍‌ ୮୯% ଡୋଜ୍‌ ଟିକା ଦିଆଯିବା ବାକି ଅଛି। ଅର୍ଥାତ୍‌ ଦେଶରେ ଜୁନ୍‌ରୁ ପ୍ରତିମାସ ୨୩୮ ନିୟୁତ ଡୋଜ୍‌ ଟିକା ଦିଆଯିବା ଦରକାର। ଏହି ଅବଧି ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସ୍କଙ୍କ ସମେତ ସମସ୍ତଙ୍କୁ ଟିକା ଦେବାକୁ ହେଲେ ଭାରତକୁ ଜୁନ୍‌ରୁ ଡିସେମ୍ବର ପର୍ଯ୍ୟନ୍ତ ମାସିକ ୨.୫୧ ବିଲିୟନ୍‌ ଡୋଜ୍‌ ଭାକ୍ସିନ ଲୋଡ଼ା ପଡ଼ିବ। କୋଓ୍ବିନ୍‌ ଡ୍ୟାଶ୍‌ବୋର୍ଡ ଅନୁସାରେ ବର୍ତ୍ତମାନ ଦୈନିକ ୩.୮ ନିୟୁତ ଡୋଜ୍‌ ଟିକା ଦିଆଯାଉଛି। ଜୁନ୍‌ ୧ ସୁଦ୍ଧା ଦେଶରେ ମୋଟ ୨୧୬ ନିୟୁତ ଡୋଜ୍‌ ଟିକା ଦିଆଯାଇଛି। ତେଣୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି।

 

ଭାର୍ଗବଙ୍କ ଦାବି ଗୁଜବ

ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସାରା ଦେଶରେ ଟିକାକରଣ ଶେଷ ହୋଇଯାଇଥିବ ବୋଲି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଅଧ୍ୟକ୍ଷ ଡ. ବଳରାମ ଭାର୍ଗବଙ୍କ ଦାବିକୁ ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଗୁଜବ ବୋଲି ଅଭିହିତ କରିଛନ୍ତି। ଏଥିସହ କେନ୍ଦ୍ର ଭାକ୍ସିନ କିଣି ରାଜ୍ୟଗୁଡ଼ିକୁ ମାଗଣାରେ ଯୋଗାଇବା ଆବଶ୍ୟକ ବୋଲି ଏକ ଖବରଦାତା ସମ୍ମିଳନୀରେ ସେ ଦାବି କରିଛନ୍ତି। ମମତାଙ୍କ ମତରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ୨୦୨୧ ଡିସେମ୍ବର ସୁଦ୍ଧା ସମସ୍ତ ନାଗରିକଙ୍କ ଟିକାକରଣ ଶେଷ ହେବ ବୋଲି ଯେଉଁ ଦାବି କରୁଛନ୍ତି, ତାହା କେବଳ ଏକ ପରିହାସ ମୂଳକ ପ୍ରତାରଣା। ସେମାନେ ଭିତ୍ତିହୀନ ଦାବି କରୁଛନ୍ତି। ଭାରତରେ ୧୪୦ କୋଟି ଲୋକ ଅଛନ୍ତି। ସମସ୍ତଙ୍କୁ ଟିକା ଦେବା ଛୋଟ କଥା ନୁହେଁ। ପ୍ରକାଶ ଯେ, ଆସନ୍ତା ଜୁଲାଇ ଶେଷ କିମ୍ବା ଅଗଷ୍ଟ ମାସ ଆରମ୍ଭ ବେଳକୁ ଦିନକୁ ୧ କୋଟି ଲୋକଙ୍କୁ କୋଭିଡ୍‌ ଟିକା ଦିଆଯିବ। ଏଥିପାଇଁ ଧୈର୍ଯ୍ୟ ଧରିବାକୁ ପଡ଼ିବ ବୋଲି ମଙ୍ଗଳବାର ଭାର୍ଗବ କହିଥିଲେ।

 

‘ସମସ୍ତଙ୍କୁ ମାଗଣା ଦିଅ’

ମାଗଣାରେ ସାର୍ବଜନୀନ ଟିକାକରଣ ପାଇଁ କେନ୍ଦ୍ର ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚାପ ଅଭିଯାନ ଆରମ୍ଭ କରିଛନ୍ତି। ଟୁଇଟରରେ ହାଶଟ୍ୟାଗ୍‌ ସ୍ପିକ୍‌ଅପ୍‌ ଫର୍‌ ଫ୍ରି ୟୁନିଭର୍ସାଲ ଭାକ୍ସିନେଶନ ଶୀର୍ଷକ କ୍ୟାମ୍ପେନ ଆରମ୍ଭ କରି ରାହୁଲ ଲେଖିଛନ୍ତି, ଟିକା ହେଉଛି ମହାମାରୀ କରୋନା ବିରୋଧରେ ଲଢ଼ିବା ପାଇଁ ସବୁଠୁ ବଡ଼ ସୁରକ୍ଷା କବଚ। କେନ୍ଦ୍ର ସରକାର କୋଭିଡ୍‌ ମୃତ୍ୟୁର ପ୍ରକୃତ ସଂଖ୍ୟା ଲୁଚାଉଛନ୍ତି। ଲୋକେ ସରକାରଙ୍କଠାରୁ ସାର୍ବଜନୀନ ମାଗଣା ଟିକା ପାଇଁ ସ୍ବର ଉତ୍ତୋଳନ କରନ୍ତୁ।

ପିଲାଙ୍କଠାରେ କୋଭାକ୍ସିନ ପରୀକ୍ଷା ଆରମ୍ଭ

୨ରୁ ୧୮ ବର୍ଷ ବୟସ ବର୍ଗର ପିଲାମାନଙ୍କଠାରେ ଭାରତର ସ୍ବଦେଶୀ କୋଭିଡ୍‌ ଟିକା କୋଭାକ୍ସିନ୍‌ର କ୍ଲିନିକାଲ ପରୀକ୍ଷା ବୁଧବାର ପାଟନାସ୍ଥିତ ଏମ୍ସରେ ଆରମ୍ଭ ହୋଇଛି। ଏଥିପାଇଁ ଗତ ସପ୍ତାହରୁ ନାମ ପଞ୍ଜୀକରଣ ଚାଲିଥିଲା। ପିଲାମାନଙ୍କଠାରେ କୋଭାକ୍ସିନ୍‌ର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା କରିବାକୁ ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ମଞ୍ଜୁରୀ ପ୍ରଦାନ କରିବା ପରେ ଏମ୍ସ ପାଟନା, ଏମ୍ସ ଦିଲ୍ଲୀ ଏବଂ ମେଡିଟ୍ରିନା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ନାଗପୁରରେ ଏହି ପରୀକ୍ଷା କରାଇବାକୁ ସ୍ଥିର ହୋଇଥିଲା। ୭୦ରୁ ୮୦ ଜଣ ପିଲାଙ୍କଠାରେ ପରୀକ୍ଷା କରାଇବାକୁ ଲକ୍ଷ୍ୟ ରଖାଯାଇଥିବା ପାଟନା ଏମ୍ସ ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି। ପଞ୍ଜୀକରଣ କରିଥିବା ପିଲାମାନଙ୍କର ଆର୍‌ଟି-ପିସିଆର ଏବଂ ଆଣ୍ଟିବଡ଼ି ପରୀକ୍ଷା ପରେ ନେଗେଟିଭ୍‌ ରିପୋର୍ଟ ଆସିଥିବା ପିଲାଙ୍କୁ ଟିକା ଦିଆଯିବ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.