ସୁଧାର ଆଧାର ସଙ୍ଗୀତ ସୁଧାକର

ପ୍ରଫୁଲ୍ଲ କର

ପ୍ରାଣହୀନ ସଙ୍ଗୀତ ବୃକ୍ଷହୀନ ଟାଙ୍ଗରା ଭୂଇଁ ପରି। ପ୍ରାଣ ନ ଥିବା ସଙ୍ଗୀତ ପାଗଳର ପ୍ରଳାପ ପରି ବୋଧହୁଏ। ତେବେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ସଙ୍ଗୀତର ବିଶେଷତ୍ୱ ହେଲା, ସଙ୍ଗୀତରେ ପ୍ରାଣ ସଞ୍ଚାର। ଈଶ୍ୱର ପ୍ରଦତ୍ତ କଣ୍ଠର ମାଧୁର୍ଯ୍ୟ, ଉପଯୁକ୍ତ ଭାବର ପ୍ରକାଶ, ଭାଷାର ଶୁଦ୍ଧ ଓ ସ୍ପଷ୍ଟ ଉଚ୍ଚାରଣ ପାଇଁ ଓଡ଼ିଶାର ପୁରପଲ୍ଲୀରେ ସେ ଅତ୍ୟନ୍ତ ଲୋକପ୍ରିୟ ହୋଇପାରିଥିଲେ। ଗାଇବା ବେଳେ ଉପଯୁକ୍ତ ଶବ୍ଦ ବିନ୍ୟାସ ସହ ଭାବର ରଞ୍ଜକ ଏପରି ଭରିଦିଅନ୍ତି ଯେ, ତାହା ଯେକୌଣସି ଶ୍ରୋତାର ପ୍ରାଣକୁ ଛୁଇଁଯାଏ; ଯାହାର ଅଭାବ ଆଜିକାଲିର ଗାୟକମାନଙ୍କ ପାଖରେ ପରିଲକ୍ଷିତ ହୁଏ। ଖୋଲା ଗଳାରେ ସ୍ବର କରିବା ବେଳେ ସେ ଯେଭଳି ସ୍ପଷ୍ଟ ଭାବରେ ଓ ଓଜନ ଦେଇ ପରିବେଷଣ କରନ୍ତି, ତାହା ବିରଳ ମନେହୁଏ। ତାଙ୍କ କଣ୍ଠନିଃସୃତ ସଙ୍ଗୀତ ବିତିଲା ତ ଯାମିନୀ… ଓ ମୋହନ ହେ ମୋହନ… କେବଳ ଶ୍ରୋତାଙ୍କୁ ଚମତ୍କୃତ କରେନାହିଁ, ତାଙ୍କ ସଙ୍ଗୀତର ମହନୀୟତାକୁ ପ୍ରମାଣିତ କରିଦିଏ।
ସଙ୍ଗୀତର ପ୍ରତିଟି କ୍ଷେତ୍ରରେ ତାଙ୍କର ପ୍ରବେଶ ଥିଲା। ଚଳଚ୍ଚିତ୍ର, ଓଡ଼ିଶୀ ନୃତ୍ୟ, ନୃତ୍ୟନାଟିକା, ବେତାର, ଦୂରଦର୍ଶନରେ ଉଚ୍ଚକୋଟୀର ନିର୍ଦ୍ଦେଶନା ପାଇଁ ସଙ୍ଗୀତ ସୁଧାକର ଚିର ସ୍ମରଣୀୟ ହୋଇ ରହିବେ। ତାଙ୍କର ଆଉ ଏକ ବିଶେଷତ୍ୱ ହେଲା, ଗୀତର ସ୍ବର ସଂରଚନା ସମୟରେ ସେ ଓଡ଼ିଆ ପାରମ୍ପରିକ ଛାପ ଦେବାକୁ ଭଲ ପାଉଥିଲେ। ତେଣୁ ଶ୍ରୋତାମାନେ ସେଇ ଗୀତରେ ନିଜକୁ ମଜାଇ ରଖୁଥିଲେ। ପ୍ରଚ୍ଛଦପଟ ସଙ୍ଗୀତ ନିର୍ଦ୍ଦେଶନାରେ ବି ସେ ଥିଲେ ସିଦ୍ଧହସ୍ତ। ମୁଖ୍ୟତଃ ସଂଗୀତ ନିର୍ଦ୍ଦେଶନାରେ ଦୁଇଟି ଗୁରୁଦାୟିତ୍ୱ ନ୍ୟସ୍ତ ଥାଏ। ଗୋଟିଏ ହେଲା ସ୍ବର ସଂଯୋଜନା ଏବଂ ଅନ୍ୟଟି ସେଇ ଗୀତକୁ ଖାପ ଖୁଆଇବା ଭଳି ବାଦ୍ୟଯନ୍ତ୍ରରେ ସ୍ବର ସଂଯୋଜନା। ଏହା ବ୍ୟତୀତ ନାଟକ, ଗୀତିନାଟ୍ୟ, ଚଳଚ୍ଚିତ୍ରରେ ପ୍ରଚ୍ଛଦ ସଙ୍ଗୀତ କରିବାରେ ବାଳକୃଷ୍ଣ ସାର୍‌ ଥିଲେ ଧୁରନ୍ଧର। ପାରିପାର୍ଶ୍ୱିକ ସ୍ଥିତିକୁ ବିଚାରରେ ରଖି ଗୀତର ସ୍ବର ରଚନା କରିବାରେ ସେ ମାହିର ଥିଲେ।
ଗୋଟିଏ ଗୀତକୁ ଏକା ସ୍ବର ଓ ଏକ ତାଳରେ ଶହ ଶହ ଗାୟକ ଗାଇପାରନ୍ତି, କିନ୍ତୁ ଜଣେ ଜଣେ ଗାୟକଙ୍କ କଣ୍ଠରେ ସେ ଗୀତ ଶ୍ରୋତାଙ୍କ ପ୍ରାଣକୁ ଛୁଇଁଯାଏ। କାରଣ ସେ ଗାୟକ, ସେ ଗୀତରେ ପ୍ରାଣ ସଞ୍ଚାର କରିବାର ମନ୍ତ୍ର ଜାଣିଥାଏ। ଏହି ମନ୍ତ୍ରକୁ ଆମେ ସଙ୍ଗୀତ ଭାଷାରେ କହୁ ‘ଭାବ’। ସେମିତି ଭାବର ମନ୍ତ୍ର ଜାଣିଥିଲେ ସଙ୍ଗୀତ ସୁଧାକର। ସେଇଥିପାଇଁ ସେ ମଞ୍ଚରେ ଗାଇବା ବେଳେ ଶ୍ରୋତାମାନେ କେବଳ ମନ୍ତ୍ରମୁଗ୍ଧ ହୋଇଯାଉ ନ ଥିଲେ, ବରଂ ଅତି ଭୌତିକ ସ୍ତରକୁ ଚାଲିଯାଉଥିଲେ। ସେହିଭଳି ଓଡ଼ିଆ ଚଳଚ୍ଚିତ୍ର ଲକ୍ଷ୍ମୀ, ଅଦିନ ମେଘ, ଅମଡ଼ା ବାଟ, ଶ୍ରୀଲୋକନାଥ, ଶଙ୍ଖମହୁରି, ଅଭିନେତ୍ରୀ, ମାଣିକଯୋଡ଼ି, ଜୀବନସାଥୀ, ଭାଇଭାଉଜ, ମଥୁରା ବିଜୟ, ଜୟଦେବ ଆଦି ଚଳଚ୍ଚିତ୍ରରେ ବାଳକୃଷ୍ଣ ସାର୍‌ଙ୍କ ନିର୍ଦ୍ଦେଶିତ ସଙ୍ଗୀତ ଆଜି ବି ଅବିସ୍ମୃତ ହୋଇ ରହିଛି ଓ ରହିଥିବ ମଧ୍ୟ। ମୁଁ ବାଳକୃଷ୍ଣ ସାର୍‌ଙ୍କ ନିର୍ଦ୍ଦେଶିତ ‘ଭୁଜ ତଳେ ମୋତେ ରଖ ମହାବାହୁ…’ ଗାଇଥିବା ବେଳେ ଓଡ଼ିଆ ସଙ୍ଗୀତ ଜଗତକୁ ସେ ଏହିଭଳି ବହୁ କାଳଜୟୀ ସଙ୍ଗୀତ ଭେଟି ଦେଇଛନ୍ତି। ମୋ ସମେତ ରଘୁନାଥ ପାଣିଗ୍ରାହୀ, ଅକ୍ଷୟ ମହାନ୍ତି, ପ୍ରଣବ ପଟ୍ଟନାୟକ, ମହମ୍ମଦ ସିକନ୍ଦର ଆଲାମ, ମାନ୍ନା ଦେ, ବାଣୀ ଜୟରାମ, ନିର୍ମଳା ମିଶ୍ର, ଆରତି ମୁଖାର୍ଜୀ, ସନ୍ଧ୍ୟା ମୁଖାର୍ଜୀ, ଶେଖର ଘୋଷ, ସୁଧା ମିଶ୍ରଙ୍କ ଭଳି ବହୁ ଦିଗ୍‌ଗଜ କଣ୍ଠଶିଳ୍ପୀଙ୍କ କଣ୍ଠରେ ଚିର ସବୁଜ ସଙ୍ଗୀତ ଭେଟି ଦେଇ ବିଦଗ୍ଧ ଓଡ଼ିଆଙ୍କ ହୃଦ ଆକାଶରେ ସେ ଚିରକାଳ ପ୍ରକାଶ ପାଉଛନ୍ତି, ପାଉଥିବେ।
ଜଣେ ସଙ୍ଗୀତକାର ଭାବେ ବାଳକୃଷ୍ଣ ସାର୍‌ଙ୍କ ଜୀବନଚର୍ଯ୍ୟା ବି ଥିଲା ପ୍ରାଣବନ୍ତ। ତାଙ୍କର ପୋଷାକ, ପରିଚ୍ଛେଦ, ଖାଇବା ପିଇବା, ଚାଲିର ଠାଣି, କଥାର ଭଙ୍ଗୀ ସବୁ ପ୍ରାଣବନ୍ତ ଥିଲା। ଗିଲକରା ଅଦିକନାର ପଞ୍ଜାବି ଏବଂ ମୁଣିଆ କୁଞ୍ଚକରା ଶାନ୍ତିପୁରୀ ଧୋତି ପିନ୍ଧିବାର ସଉକ ସେ ଶେଷ ନିଃଶ୍ୱାସ ନେବା ପର୍ଯ୍ୟନ୍ତ ଛାଡ଼ିପାରି ନ ଥିଲେ। ତାଙ୍କ ପାଖରୁ କ୍ରୋଧ ଯେପରି ବହୁ ଦୂରକୁ ଅପସରି ଯାଇଥିଲା। ପ୍ରେମ ହିଁ ଥିଲା ତାଙ୍କ ଜୀବନଚର୍ଯ୍ୟାର ପରିଭାଷା। ତାଙ୍କ ପରି ଜଣେ ସମ୍ପୂର୍ଣ୍ଣ କଳାମୟ ମହାପୁରୁଷ କେବେ ପୁଣି ଉତ୍କଳ ମାତାର କୋଳରେ ଜନ୍ମ ନେବେ, ସେ କଥା ଭାବିଲା ବେଳକୁ ଆଖି ପାଉନାହିଁ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.