ଓ୍ବାଶିଂଟନ,୧୦ା୬ : ବିଶ୍ୱର ଆର୍ଥିକ ଢାଞ୍ଚା ଏପରି ହୋଇଯାଇଛି ଯେ, ପ୍ରତିବର୍ଷ ଗରିବ ଓ ଧନୀଙ୍କ ମଧ୍ୟରେ ବ୍ୟବଧାନ ବଢ଼ିବାରେ ଲାଗିଛି। ଏହା ଦୀର୍ଘ ବର୍ଷ ଧରି ବିତର୍କର ବିଷୟ ହୋଇଥିବାବେଳେ ଆମେରିକାର ଅଣଲାଭକାରୀ ମିଡିଆ ସଂସ୍ଥା ପ୍ରୋପବ୍ଲିକାର ଏକ ସଦ୍ୟ ଅନୁସନ୍ଧାନକାରୀ ରିପୋର୍ଟ ଏଥିରେ ଆହୁରି ଉଷ୍ମତା ଭରିଦେବା ଭଳି ତଥ୍ୟ ସାମ୍ନାକୁ ଆଣିଛି। ବିଶ୍ଳେଷକଙ୍କ ମତରେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିମାନଙ୍କ ସମ୍ପତ୍ତି, ଆୟ ଓ ଟିକସ ପଇଠରେ ବଡ଼ ଧରଣର ଫରକ୍ ରହିଛି। ଆମାଜନ ମାଲିକ ଜେଫ୍ ବେଜୋସ୍ ଓ ଟେସ୍ଲା ମାଲିକ ଏଲନ୍ ମସ୍କଙ୍କ ସମେତ ଆମେରିକାର ସବୁଠୁ ଧନୀ ୨୫ ବ୍ୟକ୍ତି ଗତ କିଛି ବର୍ଷରେ ଅମାପ ସମ୍ପତ୍ତି ବଢ଼ାଇଛନ୍ତି। କିନ୍ତୁ ସମ୍ପତ୍ତି ତୁଳନାରେ ଆବଶ୍ୟକ ଆୟକର ପଇଠ କରିନାହାନ୍ତି। ଆମେରିକାର ଇଣ୍ଟର୍ନାଲ ରେଭିନ୍ୟୁ ସର୍ଭିସ ବା ଆଭ୍ୟନ୍ତରୀଣ ରାଜସ୍ବ ସେବା (ଆଇଆର୍ଏସ୍) ତଥ୍ୟ ଆଧାରରେ ପ୍ରଘଟ ଉକ୍ତ ରିପୋର୍ଟ ସମସ୍ତଙ୍କୁ ଚକିତ କରିଦେଇଛି।
ଆମାଜନ୍ ଡଟ୍ କମ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜେଫ୍ ବେଜୋସ୍, ବ୍ଲୁମ୍ବର୍ଗ ଏଲ୍ପି ପ୍ରତିଷ୍ଠାତା ମାଇକେଲ୍ ବ୍ଲମ୍ବର୍ଗ ଏବଂ ଟେସ୍ଲା ସିଇଓ ଏଲନ୍ ମସ୍କଙ୍କ ସମେତ ବିଶ୍ୱର ସବୁଠୁ ଧନୀ ତାଲିକାରେ ଥିବା ୨୫ ଆମେରିକୀୟ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ୪ ବର୍ଷ ଧରି ପ୍ରାୟ କିଛି ଆୟକର ପଇଠ କରିନାହାନ୍ତି କହିଲେ ଚଳେ। ଇଣ୍ଟର୍ନାଲ ରେଭିନ୍ୟୁ ସର୍ଭିସ (ଆଇଆର୍ଏସ୍) ତଥ୍ୟକୁ ଭିତ୍ତିକରି ପ୍ରୋପବ୍ଲିକା ଏକ ରିପୋର୍ଟରେ ଏହି ଗହନ କଥା ପ୍ରଘଟ କରିଛି।
ଏଥିରେ ଦର୍ଶାଯାଇଛି ଯେ, ଜେଫ୍ ବେଜୋସ୍ ୨୦୦୭ରେ ମଲ୍ଟିବିଲିଅନେୟର ତଥା ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହୋଇସାରିଥିଲେ। କିନ୍ତୁ ସେ ଏହି ସମୟରେ ଆଦୌ ଆୟକର ଭରି ନ ଥିଲେ। ଏପରି କି ୨୦୧୧ରେ ମଧ୍ୟ ସେ ଟ୍ୟାକ୍ସ ଦେଇ ନ ଥିଲେ। ସେହିପରି ବିଶ୍ୱର ଦୁଇ ନମ୍ବର ଧନୀ ପାଲଟିଥିବା ଏଲନ୍ ମସ୍କ ୨୦୧୮ରେ ୧ ଡଲାର ମଧ୍ୟ ଫେଡେରାଲ ଇନ୍କମ ଟ୍ୟାକ୍ସ ବୁଝାଇ ନ ଥିଲେ। ବଡ଼ ବିଜ୍ନେସମ୍ୟାନ୍ ମାଇକେଲ ବ୍ଲୁମ୍ବର୍ଗ ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ଟିକସ ଚୋରି କରିବାରେ ସଫଳ ହୋଇଛନ୍ତି। ଅରବପତି ନିବେଶକ କାର୍ଲ ଇକାନ ଦୁଇବର୍ଷ ଧରି ଟ୍ୟାକ୍ସ ଦେଇ ନ ଥିବାବେଳେ ଜର୍ଜ ସୋରୋସ୍ ଲଗାତର ୩ ବର୍ଷ ଧରି ଟିକସ ଫାଙ୍କିଛନ୍ତି। ବର୍କଶାୟାର ହାଥାଓ୍ବେ ସିଇଓ ଓ୍ବାରେନ୍ ବଫେଟ୍ଙ୍କ ସମ୍ପତ୍ତି ୨୦୧୪ରୁ ୨୦୧୮ ମଧ୍ୟରେ ୨୪.୩ ବିଲିୟନ୍ ଡଲାରକୁ ବୃଦ୍ଧି ପାଇଥିଲା। କିନ୍ତୁ ସେ ନିଜ ସମ୍ପତ୍ତିର ପରିମାଣ ୨୩.୭ ମିଲିୟନ୍ ଡଲାର ଦର୍ଶାଇ ଟିକସ ପଇଠ କରିଥିଲେ।
ରିପୋର୍ଟ ମୁତାବକ ପ୍ରୋପବ୍ଲିକା କେତେଜଣ ଧନୀଙ୍କ ଗତ କିଛିବର୍ଷରେ ବଢ଼ିଥିବା ସମ୍ପତ୍ତିକୁ ଦୃଷ୍ଟିରେ ରଖି ଆଇଆର୍ଏସ୍ ତଥ୍ୟର ବିଶ୍ଳେଷଣ କରିଥିଲା। ଏହି ଧନୀମାନେ ମାତ୍ର ୩.୪% ‘ଟୁ ଟ୍ୟାକ୍ସ ରେଟ୍’ ପଇଠ କରୁଥିଲେ। ଉକ୍ତ ସଂସ୍ଥା ସେମାନଙ୍କ ଷ୍ଟକ୍ ପୋର୍ଟଫୋଲିଓ ଏବଂ ଅନ୍ୟ ସମ୍ପତ୍ତିକୁ ମିଶାଇ ଆକଳନ କରି ପଇଠ କରାଯାଇଥିବା ଟିକସର ହିସାବ ବାହାର କରିଥିଲା। ସେମାନେ ପଇଠ କରିଥିବା ଟିକସ ପଇଠ ନ କରିବା ସହ ସମାନ ବୋଲି କହିଥିଲା। ଆମେରିକାର ଟିକସ ବ୍ୟବସ୍ଥା ସ୍ବଳ୍ପ ଆୟକାରୀଙ୍କ ପାଇଁ କଠୋର ହୋଇଥିବାବେଳେ ଧନୀମାନେ କିପରି ଟିକସ ବଞ୍ଚାଉଛନ୍ତି ତାହା ଉକ୍ତ ରିପୋର୍ଟରୁ ଜଣାପଡ଼ିଛି। କାରଣ ଧନୀମାନେ ଟିକସ ଫାଙ୍କିବା ପାଇଁ ନିଜ ସମ୍ପତ୍ତିକୁ ଭାଗ ଭାଗ କରି ଷ୍ଟକ୍ କିମ୍ବା ରିୟଲ ଇଷ୍ଟେଟ୍ରେ ନିବେଶ କରନ୍ତି ଏବଂ ସେଥିରୁ ମିଳୁଥିବା ଲାଭ ଉପରେ ସେମାନଙ୍କର କୌଣସି ଉତ୍ତରଦାୟିତ୍ୱ ରହି ନ ଥାଏ। ଉଲ୍ଲେଖଯୋଗ୍ୟ, ଆମେରିକାରେ ଟିକସ ବ୍ୟବସ୍ଥାକୁ ନେଇ ଦୀର୍ଘ ସମୟ ଧରି ବିତର୍କ ଲାଗିରହିଛି। ଡେମୋକ୍ରାଟ୍ସଙ୍କ ମତରେ ଦେଶର ସବୁଠୁ ଧନୀମାନେ ନିଜ ସମ୍ପତ୍ତି ଅନୁସାରେ ଟିକସ ପଇଠ କରିବା ଉଚିତ। ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ମଧ୍ୟ ଏହି ଦିଗ ଉପରେ କାମ କରିବା ନେଇ କହିସାରିଛି।
ତଦନ୍ତ ଆରମ୍ଭ କଲା ଆଇଆର୍ଏସ୍
ପ୍ରୋପବ୍ଳିକା ଏହି ତଥ୍ୟ କେଉଁଠୁ ଆଣିଲା ତାହା ଜାଣିବା ପାଇଁ ଅନ୍ୟ କେତେକ ବଡ଼ ମିଡିଆ ସଂସ୍ଥା ଉଦ୍ୟମ କରୁଛନ୍ତି। କିନ୍ତୁ ପ୍ରୋପବ୍ଲିକା ତାହା ଜଣାଇବାକୁ ମନା କରିଦେଇଛି। ଏହି ସଂସ୍ଥା ନିଜ ‘ସି ସିକ୍ରେଟ ଫାଇଲ୍ସ: ଟ୍ରୋଭ୍ ଅଫ୍ ନେଭର-ବିଫୋର-ସିନ୍ ରେକଡର୍ସ ରିଭିଲ୍ ହାଓ ଦି ଓ୍ବେଲ୍ଦିଏଷ୍ଟ ଆଭଏଡ୍ ଇନ୍କମ ଟ୍ୟାକ୍ସ’ ଶୀର୍ଷକ ଆଲେଖ୍ୟରେ ଆମେରିକାର ହଜାର ହଜାର ଧନୀଙ୍କ ୧୫ ବର୍ଷ ପର୍ଯ୍ୟନ୍ତ ପୁରୁଣା ଟିକସ ଦସ୍ତାବିଜ ହାସଲ କରି ଏହି ରିପୋର୍ଟ ପ୍ରକାଶ କରିଛି। ପ୍ରାଇଭେଟ ଟ୍ୟାକ୍ସ ଡକ୍ୟୁମେଣ୍ଟ ଲିକ୍କୁ ନେଇ ତଦନ୍ତ ଆରମ୍ଭ ହୋଇଥିବା ଆଇଆର୍ଏସ୍ କମିଶନର ଚାଲର୍ସ ରେଟିଗ୍ ମଙ୍ଗଳବାର ସୂଚନା ଦେଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.