ଇନ୍ଧନ ଟିକସ କ’ଣ ଏକମାତ୍ର ବିକଳ୍ପ

ଡ. ସନ୍ତୋଷ କୁମାର ମହାପାତ୍ର

ତୈଳ ବା ଇନ୍ଧନ ବିନା ପାଦେ ଆଗକୁ ଯିବା ଅସମ୍ଭବ। ଏହାର ମୂଲ୍ୟବୃଦ୍ଧି ଘଟିଲେ ଧନୀ ଓ ଗରିବ ସମସ୍ତେ ପ୍ରଭାବିତ ହୁଅନ୍ତି। କିନ୍ତୁ ଗରିବ, ନିମ୍ନମଧ୍ୟବିତ୍ତ ବେଶି ପ୍ରଭାବିତ ହୋଇଥାନ୍ତି। କାରଣ ତୈଳମୂଲ୍ୟ ବୃଦ୍ଧି ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ,ଏପରିକି ସବୁ ଦ୍ରବ୍ୟ, ଉପାଦାନର ପରିବ୍ୟୟ, ମାଲପରିବହନ, ଗମନାଗମନ ଆଦି ଅଧିକ ବ୍ୟୟସାପେକ୍ଷ ହୋଇଥାଏ। ଦରଦାମ ସାଙ୍ଗକୁ ମୁଦ୍ରାସ୍ଫୀତି ବୃଦ୍ଧି ଜନତାଙ୍କ କ୍ରୟଶକ୍ତି, ଜୀବନର ମାନ ହ୍ରାସ କରିବା ସହିତ ସାମଗ୍ରିକ ଚାହିଦା ଏବଂ ଆର୍ଥିକ ଅଭିବୃଦ୍ଧିକୁ ନିମ୍ନମୁଖୀ କରେ। ତେଲଦର ବଢ଼ିଲେ ତାହାର ସିଧା ମାଡ଼ ପଡ଼େ କ୍ଷୁଦ୍ର ବ୍ୟବସାୟୀ, ସାଧାରଣ ଓ ମଧ୍ୟବିତ୍ତଙ୍କ ଉପରେ। ସଂକ୍ଷେପରେ କହିଲେ ତୈଳ ସାମଗ୍ରୀ ଦର ବୃଦ୍ଧି ଚାହିଦା, ଯୋଗାଣ ଏବଂ ଅର୍ଥନୀତି ଉପରେ କୁପ୍ରଭାବ ପକାଏ। ଏଣୁ ଏସବୁ ସାମଗ୍ରୀ ମୂଲ୍ୟ ସ୍ଥିର କଲାବେଳେ ବା ବୃଦ୍ଧିକରିଲା ବେଳେ ସରକାର ଚିନ୍ତାକରିବା ଉଚିତ। ସବୁବେଳେ ଅନ୍ୟ ବିକଳ୍ପ ଖୋଜିବା ଆବଶ୍ୟକ।
କିନ୍ତୁ ବର୍ତ୍ତମାନ ତୈଳଦର ଅସହ୍ୟ ହେବା ସତ୍ତ୍ୱେ ଏହା ହ୍ରାସ କରା ନ ଯାଇ,ଏହା ସପକ୍ଷରେ ଯୁକ୍ତି କରାଯାଉଛି ଯେ କୋଭିଡ ରିଲିଫ ପଦକ୍ଷେପ, ଟିକା ଏବଂ କଲ୍ୟାଣ ଯୋଜନାରେ ଖର୍ଚ୍ଚକରିବା ପାଇଁ କେନ୍ଦ୍ର ଅର୍ଥ ସଞ୍ଚୟ କରୁଛି। ତେଲ ଟିକସ ବାବଦରେ ଯେଉଁ ଅର୍ଥ ଆସୁଛି ତାହା ଦେଶର ବିକାଶ ପାଇଁ ବ୍ୟୟ ହେଉଛି। କିନ୍ତୁ ବାସ୍ତବରେ ଏପଟେ ସରକାର ମହାମାରୀ ପାଇଁ ବ୍ୟୟବୃଦ୍ଧି କରିଲାବେଳେ ଅନ୍ୟ ବ୍ୟୟହ୍ରାସ କରୁଛନ୍ତି, ଯାହା ଲୋକେ ଜାଣନ୍ତି ନାହିଁ। ପ୍ରତିବର୍ଷ ଉଭୟ ନାମାଙ୍କନ ଏବଂ ବାସ୍ତବ ମୂଲ୍ୟରେ(ଯେତେବେଳେ ମୁଦ୍ରାସ୍ଫୀତିକୁ ବିଚାରକୁ ନିଆଯାଏ) ବଜେଟର ଆକାର ବୃଦ୍ଧି ପାଇଥାଏ। ଏଣୁ ଯିଏ ସରକାର କରିବ ସିଏ ଯୋଜନା କିଛି କରିବାକୁ ବାଧ୍ୟ, କିନ୍ତୁ ଯୋଜନା ବାବଦ ବ୍ୟୟ ତେଲ ଉପରେ ଟିକସ ଅଧିକ ଧାର୍ଯ୍ୟ କରି ଆଦାୟ କରିବା ଅନୁଚିତ। ୨୦୨୧-୨୨ବଜେଟରେ ଯେଉଁ ୩୪.୮୩ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା, ସେଥିରେ ଟିକା ଏବଂ ମହାମାରୀ ଖର୍ଚ୍ଚକୁ ବିଚାରକୁ ନିଆଯାଇଥିଲା। ବଜେଟର ଏହି ବ୍ୟୟରୁ ମହାମାରୀ ଏବଂ ଅନ୍ୟକ୍ଷେତ୍ରରେ କେତେ ବ୍ୟୟ କରିଛନ୍ତି, ତାହା ସରକାର ସ୍ପଷ୍ଟ କରିବା ଉଚିତ। ପୁନଶ୍ଚ ଆମ ଦେଶରେ ମହାମାରୀ ଜନିତ ବିତ୍ତୀୟ ପାକେଜ (ଟଙ୍କା ଦୃଷ୍ଟିରୁ) ଅନ୍ୟ ଦେଶ ତୁଳନାରେ ବହୁତ କମ୍‌।
ଏମିତି କ’ଣ କେଉଁଠି ଲେଖାହୋଇଛି ଯେ, ତେଲ ଉପରେ ଟିକସ ଦ୍ୱାରା ଯେଉଁ ଅର୍ଥ ଆସିବ ସେସବୁ ଦେଶର ବିକାଶ ଓ ଗରିବଙ୍କ ପାଇଁ ବ୍ୟୟ ହେବ। ଅନ୍ୟ ଟିକସ ଦ୍ୱାରା ଆସୁଥିବା ଅର୍ଥ ଏ ସବୁ ଜନମଙ୍ଗଳ କାର୍ଯ୍ୟ ପାଇଁ କ’ଣ ବ୍ୟୟ ହୋଇପାରିବ ନାହିଁ? ଯେଉଁ ଅତିଧନୀ ବକ୍ତିବିଶେଷଙ୍କ ସଂଖ୍ୟା ଏବଂ ତାଙ୍କ ସମ୍ପଦ, କର୍ପୋରେଟଙ୍କ ଲାଭ ପ୍ରବଳ ବୃଦ୍ଧିପାଇଛି, ତାହା ଉପରେ ସମ୍ପଦକର ଧାର୍ଯ୍ୟ କରିବା ସହ କର୍ପୋରେଟ ଟିକସ ବୃଦ୍ଧିକରି ପ୍ରଚୁର ସମ୍ବଳ ସଂଗ୍ରହ କରାଯାଇପାରିବ। କିନ୍ତୁ ତେଲିଆମୁଣ୍ଡରେ ତେଲ ପରି ଧନିକଙ୍କୁ ରିହାତିଦେଲା ବେଳେ, ସରକାର ସାଧାରଣ ଜନତାଙ୍କ ଉପରେ ଟିକସ ବୋଝ ଲଦୁଛନ୍ତି। ପୂର୍ବ ସରକାର ଅମଳରେ ତ ବେଶି ଜନମଙ୍ଗଳ କାର୍ଯ୍ୟ ହେଉଥିଲା, କିନ୍ତୁ ତୈଳଦର ଏତେ ଚଢ଼ା ନଥିଲା। ତୈଳ ସାମଗ୍ରୀ ଦରବୃଦ୍ଧି ଯୋଗୁ ଲୋକଙ୍କ ପକେଟରେ ଯେଉଁ କଣା ହେବ, ତାହାଦ୍ୱାରା ସେମାନେ ବହୁଗୁଣ କ୍ଷତିଗ୍ରସ୍ତ ହେବେ। ଏହା ଅର୍ଥ ଗରିବଙ୍କୁ ହାତରେ ନ ମାରି ଭାତରେ ମାରିବା। ଗୋଟିଏ ପଟେ ସରକାର କିଛି ଯୋଜନା କଥା ଯାହା କହୁଛନ୍ତି ତାହା ଦ୍ୱାରା ଯେଉଁ ଗରିବ, ଚାଷୀ, ଶ୍ରମିକ ଯେତିକି ଉପକୃତ ହେବେ, ତୈଳ ଦର ଅଧିକା ହେବା ଯୋଗୁ ବେଶି କ୍ଷତିଗ୍ରସ୍ତ ହେବେ। ଏତେ ଯୋଜନା କଥା ନ କହି ସରକାର କେବଳ ଶିକ୍ଷା, ସ୍ବାସ୍ଥ୍ୟ ମାଗଣାରେ ଦିଅନ୍ତୁ, ଆଉକିଛି ଦରକାର ନାହିଁ।
ପୁନଶ୍ଚ କରୋନା ମହାମାରୀ ଯୋଗୁ କୋଟି କୋଟି ଲୋକ ଜୀବିକା ହରାଇଛନ୍ତି। ଲୋକେ ଅଧିକ ଗରିବ ହୋଇଛନ୍ତି, ମଧ୍ୟବିତ୍ତ ଲୋକ ତଳକୁ ଖସିଛନ୍ତି,୯୭% ପରିବାରର ଆୟ ହ୍ରାସ ପାଇଛି। କୋଟି କୋଟି ଲୋକ ମୁଠାଏ ଭାତ, ଖଣ୍ଡେ ବସ୍ତ୍ର ପାଇଁ ସଂଗ୍ରାମ କରୁଛନ୍ତି। ଏହି ସମୟରେ ତୈଳଦର କ’ଣ ଏତେମାତ୍ରାରେ ବୃଦ୍ଧିକରିବା ଉଚିତ? ଏପରି ମୂଲ୍ୟବୃଦ୍ଧି ଏକ ନିଷ୍ଠୁର, ନିର୍ଦ୍ଦୟ ସିଦ୍ଧାନ୍ତ। ଏଭଳି ପଦକ୍ଷେପ ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ଆଦୌ ଶୋଭନୀୟ ନୁହେଁ। ସାଧାରଣ ଜନତାଙ୍କ ପାଇଁ ରାଷ୍ଟ୍ରର କ’ଣ କିଛି ଦାୟିତ୍ୱ ନାହିଁ? ସମସ୍ତେ ଜାଣନ୍ତି, ମନ୍ତ୍ରୀ ଓ ସରକାରୀ ବାବୁମାନେ ସର୍ବଦା ଗାଡ଼ି ଚଢ଼ି ବୁଲନ୍ତି ସିନା, ନିଜ ପକେଟରୁ କେବେ ଗାଡ଼ିରେ ତେଲ ପକାନ୍ତି ନାହିଁ। ସରକାରୀ ତହବିଲରୁ ସେହି ଖର୍ଚ୍ଚ ଚଳିଯାଏ। ଧନିକଶ୍ରେଣୀଙ୍କର ଏତେ ଅର୍ଥ ଥାଏ ଯେ ତେଲଦର ଯଦି ଲିଟର ପିଛା ୫୦୦ଟଙ୍କା ହୁଏ ତାଙ୍କୁ ବାଧିବ ନାହିଁ। ପ୍ରତ୍ୟେକ କଥାରେ ସରକାର ଜନମଙ୍ଗଳ ଯୋଜନା କଥା କହୁଛନ୍ତି। ଗତ ୭ବର୍ଷରେ ଲୋକଙ୍କ ଜୀବନଧାରଣ ମାନରେ ଯଦି ଉନ୍ନତି ହୋଇଥାନ୍ତା, ତେବେ ଆଉ ଯୋଜନା ଆବଶ୍ୟକ ପଡ଼ନ୍ତା ନାହିଁ। କିନ୍ତୁ ଭାରତ ସବୁ ଅନ୍ତର୍ଜାତୀୟ ସୂଚକାଙ୍କରେ ବିଶ୍ବରେ ଏତେ ନିମ୍ନରେ କାହିଁକି? ଦାରିଦ୍ର୍ୟ, କ୍ଷୁଧା, ବେକାରି, ଅସମାନତା, ଭୂମିହୀନତା ଏତେ ବ୍ୟାପକ କାହିଁକି ଏବଂ ଦିନକୁ ଦିନ ଏସବୁ କାହିଁକି ବୃଦ୍ଧିପାଉଛି? ମୁଣ୍ଡ ପିଛା ଜିଡିପି ଦୃଷ୍ଟିରୁ ୧୯୪ ଦେଶ ମଧ୍ୟରୁ ଭାରତ ୧୪୪ତମ ସ୍ଥାନରେ ରହିଛି। ଏହାର ଅର୍ଥ ହେଉଛି ୧୪୩ଟି ଦେଶ ପଛରେ ରହିଛି ଭାରତ। ଅତ୍ୟନ୍ତ ଲଜ୍ଜାକର ହେଉଛି ଆମେ ବାଂଲାଦେଶ ପଛରେ ଅଛୁ। ପୁନଶ୍ଚ ଅନ୍ୟସବୁ ଦେଶ ମଧ୍ୟ ମହାମାରୀ ଦ୍ୱାରା ପ୍ରଭାବିତ। ସେସବୁ ଦେଶରେ କାହିଁକି ତୈଳ ମୂଲ୍ୟ ଆମ ଦେଶଠାରୁ କମ୍‌। ଭାରତ ତୁଳନାରେ ପଡ଼ୋଶୀ ଦେଶରେ ମଧ୍ୟ ପେଟ୍ରୋଲ ଶସ୍ତା । ଫେବୃୟାରୀ ୨୦୨୧ ସୁଦ୍ଧା ଭାରତରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା୧୦୦ଟଙ୍କା ପାଖାପାଖି ଥିଲା ବେଳେ ପଡ଼ୋଶୀ ପାକିସ୍ତାନରେ ୫୧.୧୪ଟଙ୍କା, ଶ୍ରୀଲଙ୍କାରେ ୬୦.୨୬ଟଙ୍କା, ବାଂଲାଦେଶରେ ୭୬.୪୧ଟଙ୍କା, ନେପାଳରେ ୬୮.୯୮ଟଙ୍କା, ଭୁଟାନରେ ୪୯.୫୬ ଟଙ୍କା ଥିଲା, ଏପରିକି ଆମେରିକାରେ ୫୧.୪୬ଟଙ୍କା ପାଖାପାଖି ଥିଲା। ଗ୍ୟାସୋଲିନ ହାରାହାରି ବିଶ୍ୱ ମୂଲ୍ୟ ୭୮.୭୧ ଟଙ୍କା ଥିଲା, ଯାହା ଭାରତର ହାରାହାରି ମୂଲ୍ୟ ତୁଳନାରେ ଅତିକମ୍‌ରେ ୨୦% ଶସ୍ତା।
ଅନ୍ୟ ଦେଶ ତୁଳନାରେ ଭାରତରେ ଇନ୍ଧନ ଟିକସ ଯଥେଷ୍ଟ ଅଧିକ। କେୟାର ରେଟିଂ ଅନୁଯାୟୀ, ଦିଲ୍ଲୀରେ ମାର୍ଚ୍ଚ ୧୬, ୨୦୨୦ସୁଦ୍ଧା ଭାରତ ସରକାର ପେଟ୍ରୋଲର ମୂଳମୂଲ୍ୟ (ବେସ୍‌ ପ୍ରାଇସ) ଉପରେ ପ୍ରାୟ ୧୩୪% ଟିକସ (ଅବକାରୀ ଶୁଳ୍କ ଏବଂ ଭାଟ୍‌) ଏବଂ ଡିଜେଲରୁ ୮୮% ସଂଗ୍ରହ କରୁଥିଲେ। ପରେ ଟିକସ ସରକାର ବୃଦ୍ଧି କରିଲା ପରେ ମେ ୬, ୨୦୨୦ସୁଦ୍ଧା ପେଟ୍ରୋଲ ମୂଳମୂଲ୍ୟ ଉପରେ ଟିକସ (ଅବକାରୀ ବା ଉତ୍ପାଦ ଶୁଳ୍କ ଏବଂ ଭାଟ୍‌) ପ୍ରାୟ୨୬୦% ଏବଂ ଡିଜେଲ ଉପରେ୨୫୬%କୁ ବୃଦ୍ଧିପାଇଥିଲା। ତୁଳନାତ୍ମକ ଭାବେ ପମ୍ପ ମୂଲ୍ୟ ଉପରେ ଇନ୍ଧନ ଟିକସ ଜର୍ମାନୀ ଏବଂ ଇଟାଲୀରେ ଖୁଚୁରା ମୂଲ୍ୟର ପ୍ରାୟ ୬୫%, ବ୍ରିଟେନରେ ୬୨%, ଜାପାନରେ ୪୫% ଏବଂ ଆମେରିକାରେ୨୦%ରୁ କମିଥିଲା। ଦିଲ୍ଲୀରେ କେନ୍ଦ୍ରୀୟ ଏବଂ ରାଜ୍ୟ ଟିକସ ପେଟ୍ରୋଲର ପମ୍ପମୂଲ୍ୟର ୫୭% ଏବଂ ଡିଜେଲର ପମ୍ପମୂଲ୍ୟର ପ୍ରାୟ ୫୧.୪% ରହିଛି, ଯାହା ଯୁକ୍ତି କରାଯାଉଛି ଯେ କେନ୍ଦ୍ର ଅଧିକ ଟିକସ ନେଉଛି ତାହା ଭୁଲ୍‌। ଜାତୀୟ ରାଜଧାନୀରେ ମୋଟ ଟିକସରେ କେନ୍ଦ୍ରୀୟ ଶୁଳ୍କ ପେଟ୍ରୋଲ ଉପରେ ମୋଟ ଟିକସର ୬୦.୧% ଏବଂ ଡିଜେଲ ଉପରେ ମୋଟ ଟିକସର ୭୧.୮ % ।
ସରକାର ବିଦେଶରେ ଅଶୋଧିତ ତୈଳଦର ବୃଦ୍ଧି ଯୋଗୁ ଆମ ଦେଶରେ ବୃଦ୍ଧି ଘଟୁଛି ବୋଲି କହୁଛନ୍ତି। ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ଯେତେବେଳେ ଅନ୍ତର୍ଜାତୀୟ ଅଶୋଧିତ ତୈଳମୂଲ୍ୟ ବ୍ୟାରେଲ ପିଛା ୨୦ଡଲାରରୁ କମ୍‌ ହୋଇଗଲା, ମାର୍ଚ୍ଚ ୨୦୨୦ରୁ ମେ ୨୦୨୦ ମଧ୍ୟରେ କେନ୍ଦ୍ର ଉତ୍ପାଦ/ଅବକାରୀ ଶୁଳ୍କ ବୃଦ୍ଧି କରିଲା ବେଳେ ରାଜ୍ୟ ମାନେ ଭାଟ୍‌ ବୃଦ୍ଧି କରିଥିଲେ। ୨୦୧୪ରେ ପେଟ୍ରୋଲ ଉପରେ ଲିଟର ପିଛା ଅବକାରୀ ଶୁଳ୍କ ୯.୪୮ଟଙ୍କା ପଇସା ଥିବାବେଳେ, ଡିଜେଲ ଲିଟର ପିଛା ୩.୫୬ଟଙ୍କା ରହିଥିଲା। ମେ ୨୦୨୦ ପରେ କେନ୍ଦ୍ର ଅବକାରୀ ଶୁଳ୍କ ବଢ଼ି ପେଟ୍ରୋଲ ଲିଟର ପିଛା ୩୨.୯୮ଟଙ୍କା ଓ ଡିଜେଲ ଲିଟର ପିଛା ଟିକସ ୩୧.୮୩ ଟଙ୍କାରେ ପହଞ୍ଚିଥିଲା। ମାର୍ଚ୍ଚ ୨୦୨୦ରେ ଗ୍ୟାସ ସିଲିଣ୍ଡର ପିଛା ପ୍ରାୟ ଯେଉଁ ୨୩୧ଟଙ୍କା ସବସିଡି ମିଳୁଥିଲା ବର୍ତ୍ତମାନ ଏହା ପ୍ରାୟ ନିଲ୍‌। ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟ ଯାହା ୨୦୧୪ ମାର୍ଚ୍ଚରେ ୪୧୦.୫୦ଟଙ୍କା ଥିଲା ତାହା ୨୦୨୧ ମାର୍ଚ୍ଚରେ ୮୧୯ ଟଙ୍କାକୁ ବୃଦ୍ଧିପାଇଛି। ଇନ୍ଧନ ସବସିଡି ମଧ୍ୟ ସରକାର ଯାହା ଦେଉଥିଲେ ତାହା ହ୍ରାସ କରାଯାଇଛି। ୨୦୨୦-୨୧ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲରୁ ଉତ୍ପାଦ ଶୁଳ୍କ ଭାବେ ୩.୯ଲକ୍ଷ କୋଟି ଟଙ୍କା ପାଖାପାଖି ଆୟ କରିଥିବା ଜଣାପଡ଼ିଛି। ପୁନଶ୍ଚ ଚିନ୍ତାଜନକ ହେଉଛି ଏହି ବୃଦ୍ଧିର ପ୍ରମୁଖ ଭାଗ ସେସ୍‌ ଓ ସରଚାର୍ଜରେ ଆସୁଥିବାରୁ ସେଥିରେ ରାଜ୍ୟର କିଛି ଭାଗ ମଧ୍ୟ ରହୁନାହିଁ। ଯେହେତୁ ରାଜ୍ୟଗୁଡ଼ିକରେ ଟିକସ ସଂଗ୍ରହ କରିବାର ଉତ୍ସ ପ୍ରାୟ ନାହିଁ,ଏମାନେ ବେଶି ବ୍ୟୟ କରନ୍ତି ଏବଂ କେନ୍ଦ୍ରର ଅନେକ ଉତ୍ସ ଅଛି, କେନ୍ଦ୍ର କାଳ ବିଳମ୍ବ ନ କରି ବର୍ଦ୍ଧିତ ଟିକସ ହ୍ରାସ କରିବା ଉଚିତ।
Email: skmohapatra67@gmail.com
ମୋ: ୯୪୩୭୨୦୮୭୬୨

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.