Categories: ଜାତୀୟ

କଶ୍ମୀରକୁ ଫେରିବ ରାଜ୍ୟ ମାନ୍ୟତା

ନୂଆଦିଲ୍ଲୀ,୨୫।୬(ପି.ଟି.): ଜମ୍ମୁ-କଶ୍ମୀରକୁ ଉପଯୁକ୍ତ ସମୟରେ ରାଜ୍ୟ ମାନ୍ୟତା ଫେରାଇ ଦିଆଯିବ। ବର୍ତ୍ତମାନ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ଚାଲିଥିବା କସରତ ଉପତ୍ୟକାରେ ନିର୍ବାଚନ ପ୍ରକ୍ରିୟା ପାଇଁ ବାଟ ଫିଟାଇବ। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ବିକାଶକୁ ଗୁରୁତ୍ୱ ଦେଉଛନ୍ତି। ଭୋଟ ପରେ ନିର୍ବାଚିତ ସରକାର ବିକାଶ କାର୍ଯ୍ୟକୁ ଆଗେଇ ନେବେ। ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବାର ପ୍ରାୟ ଦୁଇବର୍ଷ ପରେ ଗୁରୁବାର ୧୪ କଶ୍ମୀରୀ ନେତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆଶ୍ୱାସନା ଦେଇଛନ୍ତି। ସର୍ବଦଳୀୟ ବୈଠକରେ ୮ ପ୍ରମୁଖ ଦଳର ନେତାମାନେ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପୁନଃ ଅବସ୍ଥାପିତ କରିବା ଓ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଫେରସ୍ତ ଦାବି କରିଥିଲେ।
୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଓ ୩୫-ଏ’କୁ କେନ୍ଦ୍ର ସରକାର ହଟାଇ ଦେଇଥିଲେ। ଏଥିସହ ଜମ୍ମୁ-କଶ୍ମୀର ଓ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ପ୍ରତିଷ୍ଠା କରିଥିଲେ। ଏହାର ୨୩ ମାସ ପରେ କଶ୍ମୀରୀ ନେତାଙ୍କ ସହ କେନ୍ଦ୍ର ସରକାର ଗୁରୁବାର ପ୍ରଥମ ବୈଠକ କରିଛନ୍ତି। ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଗୁରୁବାର ଅପରାହ୍ନରେ ଏହି ହାଇପ୍ରୋଫାଇଲ୍‌ ମିଟିଂ ଅନୁଷ୍ଠିତ ହୋଇଛି। କେନ୍ଦ୍ରର ଉକ୍ତ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ୬ ଦଳକୁ ନେଇ ଗଠିତ ପିପୁଲ୍ସ ଡିକ୍ଲାରେଶନ୍‌ ଫର୍‌ ଗୁପ୍‌କାର ଡିକ୍ଲାରେଶନ (ପିଏଜିଡି) ଅଧ୍ୟକ୍ଷ ଫାରୁକ୍‌ ଅବ୍‌ଦୁଲ୍ଲା ସର୍ବଦଳୀୟ ବୈଠକରେ ପ୍ରଥମେ ମତ ରଖିଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଫାରୁକ୍‌ କହିଥିଲେ, ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ଫେରାଇ ଆଣିବା ପାଇଁ ତାଙ୍କ ଦଳ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଆଇନଗତ ଚ୍ୟାଲେଞ୍ଜ ଜାରି ରଖିବ। କଶ୍ମୀରରେ ସୃଷ୍ଟି ହୋଇଥିବା ଅନାସ୍ଥା ଭାବକୁ ତୁରନ୍ତ ଦୂର କରି ଆସ୍ଥାକୁ ପୁନଃ ଅବସ୍ଥାପିତ କରାଯାଉ। ଏଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରାଜ୍ୟ ପାହ୍ୟା ଫେରାଇବା ଦିଗରେ କାର୍ଯ୍ୟ କରନ୍ତୁ। ଏପରି କି ଜମ୍ମୁ-କଶ୍ମୀର କ୍ୟାଡରର ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀଙ୍କୁ ମଧ୍ୟ ସେମାନଙ୍କ ପୂର୍ବ ସ୍ଥାନକୁ ଫେରିବାକୁ ସୁଯୋଗ ଦିଅନ୍ତୁ। ଆମର ଏହି ଦାବି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛୁ। ଜମ୍ମୁ-କଶ୍ମୀର ହରାଇଥିବା ସ୍ବତନ୍ତ୍ର ରାଜ୍ୟ ପାହ୍ୟାକୁ ଫେରାଇଦେଇ ଉପତ୍ୟକାବାସୀଙ୍କ ହୃଦୟରେ ବିଶ୍ୱାସ ଜନ୍ମାଇବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରନ୍ତୁ। ସାଢ଼େ ୩ ଘଣ୍ଟା ଧରି ଚାଲିଥିବା ବୈଠକ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଏକାଧିକ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏକ ବିକଶିତ ଓ ପ୍ରଗତିଶୀଳ ଜମ୍ମୁ-କଶ୍ମୀର ପ୍ରତିଷ୍ଠା ନେଇ ଆଲୋଚନା ହୋଇଛି। ଏଥିରେ ଉପତ୍ୟକାର ସର୍ବାଙ୍ଗୀନ ଉନ୍ନତିକୁ ଗୁରୁତ୍ୱ ଦିଆଯାଇଛି। ସେଠାରେ ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ହେଉଛି ଆମର ପ୍ରାଥମିକତା। ସୀମା ପୁନଃ ନିର୍ଦ୍ଧାରଣ ତ୍ୱରିତ ବେଗରେ କରାଯିବ। ଫଳରେ ଜମ୍ମୁ-କଶ୍ମୀରବାସୀ ଏକ ନିର୍ବାଚିତ ସରକାର ପାଇବେ। ଭିନ୍ନ ଭିନ୍ନ ମତର ଲୋକେ ଗୋଟିଏ ଟେବୁଲରେ ବସି ଭାବ ବିନିମୟ କରିବା ହେଉଛି ଭାରତୀୟ ଗଣତନ୍ତ୍ରର ସବୁଠୁ ବଡ଼ ଶକ୍ତି। ଜମ୍ମୁ-କଶ୍ମୀରକୁ ଯୁବପିଢ଼ି ରାଜନୈତିକ ନେତୃତ୍ୱ ଦେବେ। ସେମାନଙ୍କ ଆଶା ଆକାଂକ୍ଷା ପୂରଣକୁ ସୁନିଶ୍ଚିତ କରାଯିବ ବୋଲି ନେତାମାନଙ୍କୁ କୁହାଯାଇଛି। ସେହିପରି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ମଧ୍ୟ ଅନୁରୂପ କଥା କହିଛନ୍ତି। ରାଜ୍ୟ ପାହ୍ୟା ଫେରସ୍ତ ନେଇ ପାର୍ଲାମେଣ୍ଟରେ ଦିଆଯାଇଥିବା ପ୍ରତିଶ୍ରୁତି ପାଇଁ ସୀମା ପୁନଃ ନିର୍ଦ୍ଧାରଣ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ମାଇଲଖୁଣ୍ଟ ହେବ। ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ବୈଠକ ଶେଷ ହୋଇଛି। ଗଣତନ୍ତ୍ର ଓ ସମ୍ବିଧାନକୁ ସୁଦୃଢ଼ କରିବା ଉପରେ ସମସ୍ତେ ନିଜ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଥିଲେ ବୋଲି ଶାହା ଟୁଇଟ୍‌ କରିଛନ୍ତି।
ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ଓ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ୮ ପ୍ରମୁଖ ଦଳର ୧୪ ନେତାଙ୍କୁ ସ୍ବାଗତ କରିଥିଲେ। କଶ୍ମୀରର ୪ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା, ଓମାର ଅବ୍‌ଦୁଲ୍ଲା, ମେହବୁବା ମୁଫ୍‌ତି ଓ ଗୁଲାମନବୀ ଆଜାଦଙ୍କ ସମେତ ଅନ୍ୟ ୧୦ ନେତା ସର୍ବଦଳୀୟ ବୈଠକରେ ସାମିଲ ହୋଇଥିଲେ। ସେମାନେ ହେଲେ କଂଗ୍ରେସର ତାରା ଚାନ୍ଦ, ଜି.ଏ. ମୀର, ଜମ୍ମୁ-କଶ୍ମୀର ଅପ୍‌ନି ପାର୍ଟିର ଅଲ୍‌ତାଫ୍‌ ବୁଖାରୀ, ଭାଜପାର ରବୀନ୍ଦ୍ର ରୈନା, ନିର୍ମଳ ସିଂ, କବୀନ୍ଦ୍ର ଗୁପ୍ତା, ସିପିଆଇଏମ୍‌ର ମହମ୍ମଦ ୟୁସୁଫ ତାରିଗାମୀ, ନ୍ୟାଶନାଲ ପାନ୍ଥର୍ସ ପାର୍ଟି ମୁଖ୍ୟ ପ୍ରଫେସର ଭୀମ ସିଂ ଓ ପିପୁଲ୍ସ କନ୍‌ଫରେନ୍ସ ଅଧ୍ୟକ୍ଷ ସଜାଦ ଲୋନ। ଏମାନଙ୍କ ମଧ୍ୟରୁ ତାରା ଚାନ୍ଦ, ପିପୁଲ୍ସ କନ୍‌ଫରେନ୍ସ ନେତା ମୁଜାଫର ହୁସେନ ବଇଗ୍‌ ଏବଂ ଭାଜପାର ନିର୍ମଳ ସିଂ ଓ କବୀନ୍ଦ୍ର ଗୁପ୍ତା ହେଉଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ। କେନ୍ଦ୍ରଶାସିତ ଅଞ୍ଚଳର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ଉଦ୍ଦିଷ୍ଟ ବୈଠକରେ ପିଏମ୍‌ଓ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ, ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ବୈଠକ ପୂର୍ବରୁ ନିର୍ବାଚନ ଆୟୋଗ ଜମ୍ମୁ-କଶ୍ମୀରର ସମସ୍ତ ୨୦ ଉପାୟୁକ୍ତଙ୍କ ସହ ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକର ପୁନର୍ଗଠନ ଏବଂ ନୂଆ ଆସନ ସୃଷ୍ଟି ନେଇ ବିଚାରବିମର୍ଶ କରିଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.