ସମସ୍ୟା ସମାଧାନ କରାଯାଉ

ଡ. ସନ୍ତୋଷ କୁମାର ମହାପାତ୍ର

ନିକଟରେ କରୋନା ମହାମାରୀଜନିତ ଲକ୍ଷଲକ୍ଷ ଲୋକ ଜୀବନ ଓ ଜୀବିକା ହରାଇବାର ଦୃଶ୍ୟରେ ବ୍ୟସ୍ତହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନ୍ଦି ପକାଇବାର ଦୃଶ୍ୟ ଟିଭିରେ ଦେଖିବାକୁ ମିଳିଛି। ଅନେକେ ଏହାକୁ କୁମ୍ଭୀରକାନ୍ଦଣା ବୋଲି କହିଲାବେଳେ ଆମେ ତାହା ନ କହି ପ୍ରଧାନମନ୍ତ୍ରୀ କାନ୍ଦିଲେ କ’ଣ ସମସ୍ୟା ସମାଧାନ ହୋଇଯିବ ବୋଲି ପ୍ରଶ୍ନ କରୁଛୁ। ସେ ତ ଦେଶର ଭାଗ୍ୟନିୟନ୍ତା। କାନ୍ଦିବା ଅପେକ୍ଷା ଲୋକ ତାଙ୍କଠାରୁ ଧୈର୍ଯ୍ୟ ଓ କାର୍ଯ୍ୟ ଖୋଜନ୍ତି। ସେ ଚାହିଁଲେ ଜୀବିକା ଦେଇପାରିବେ, ଥଇଥାନ କରିପାରିବେ, କ୍ଷତିଗ୍ରସ୍ତ ଲୋକଙ୍କୁ ପ୍ରଚୁର ଆର୍ଥିକ ସହାୟତା ବା ନିଯୁକ୍ତି ଦେଇପାରିବେ। ଭଲଶିକ୍ଷା, ସ୍ବାସ୍ଥ୍ୟସେବା ଦେଶବାସୀଙ୍କୁ ଦେଇପାରିବେ। କିନ୍ତୁ ତାହା ନ କରି କାନ୍ଦିଲେ କାହାର ଲାଭ ହେବନି ବରଂ ଲୋକେ ହତୋତ୍ସାହ ହୋଇପଡ଼ିବେ।
ବାସ୍ତବରେ ଆଗରୁ ସତର୍କ ହୋଇଥିଲେ, ଏପରି ଭୟଙ୍କର ପରିସ୍ଥିତିକୁ ରୋକାଯାଇ ପାରିଥାନ୍ତା। ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମ ମହାମାରୀ ଉଗ୍ରରୂପ ଧାରଣକରିବା ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି। ବିଶ୍ୱବିଖ୍ୟାତ ମେଡିକାଲ ଜର୍ନାଲ୍‌ ‘ଦି ଲାନସେଟ୍‌’ର ସମ୍ପାଦକୀୟ ମନ୍ତବ୍ୟ କରୋନା ମହାମାରୀକୁ ‘ଆତ୍ମଘାତୀ ଜାତୀୟ ବିପର୍ଯ୍ୟୟ’ ଭାବେ ଅଭିହିତ କରିବା ସହିତ, ନିୟନ୍ତ୍ରଣ କରିବାରେ ଭାରତ ଯେଉଁ ପ୍ରାରମ୍ଭିକ ସଫଳତା ପାଇଥିଲା ତାହା ନଷ୍ଟ କରିଦେଇଛି ବୋଲି ମତ ଦେଇଛି। ଫାଇନାନ୍ସିଆଲ ଟାଇମ୍ସର ଏକ ନିବନ୍ଧରେ କୁହାଯାଇଛି ଯେ, ଭାରତର କୋଭିଡ୍‌ -୧୯ ସଙ୍କଟ ନରେନ୍ଦ୍ର ମୋଦିଙ୍କ ଗୁରୁତ୍ୱ ହ୍ରାସକରିଛି। ଅନେକ ଭାରତୀୟ ଅନୁଭବ କରୁଛନ୍ତି ଯେ, ସେମାନେ ତାଙ୍କ ନେତୃତ୍ୱ ଦ୍ୱାରା ପରିତ୍ୟକ୍ତ। ‘ଦି ଗାର୍ଡିଅନ’ ଲେଖିଛି ସିଷ୍ଟମ ଭୁଶୁଡ଼ି ପଡ଼ିଛି ଏବଂ କୋଭିଡ୍‌ ନର୍କରେ ଭାରତ ଅବତରଣ କରିଛି। ନିର୍ବାଚନ ପ୍ରଚାର ଓ କୁମ୍ଭମେଳାରେ ଲକ୍ଷଲକ୍ଷ ଲୋକ ବୁଡ଼ପକାଇବା ପାଇଁ ଭିଡ଼କରିବା ଯୋଗୁ ମହାମାରୀ ଅଧିକ ବ୍ୟାପିଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି। ଲଣ୍ଡନର ‘ଦି ଟାଇମ୍ସ’ ଲେଖିଛି, ଭାରତରେ କରୋନା ମହାମାରୀର ବିଶାଳ ଦ୍ୱିତୀୟ ତରଙ୍ଗକୁ ସମ୍ମୁଖୀନ ହେବାରେ ମୋଦି ଝୁଣ୍ଟି ପଡ଼ିଛନ୍ତି।
କିନ୍ତୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ମୁଖ୍ୟଭାବେ ନିଜକୁ ଦାୟୀ ନ କରି ଏକ ଅଦୃଶ୍ୟ ଶତ୍ରୁକୁ ଦାୟୀ କରୁଛନ୍ତି। ପୂର୍ବରୁ ଅର୍ଥମନ୍ତ୍ରୀ ଭଗବାନଙ୍କୁ ଦାୟୀ କରିଥିଲେ। ଭଲ ହେଲେ ସେ ପ୍ରଶଂସା ନେବେ, ଖରାପ ହେଲେ ଅନ୍ୟକୁ ଦାୟୀ କରିବେ। ଯଦି ସବୁ ଅଦୃଶ୍ୟ ଶତ୍ରୁକରୁଛି, ତେବେ ସାଂସଦ, ମନ୍ତ୍ରିମଣ୍ଡଳ, ପ୍ରଶାସକ, ନ୍ୟାୟପାଳିକାର କ’ଣ ଆବଶ୍ୟକତା ରହିଛି? ବାସ୍ତବରେ ଆତ୍ମସନ୍ତୋଷ, ଅହଂକାର, କ୍ଷମତା ପ୍ରତି ଲୋଭ ଏବଂ ଗରିବଙ୍କ ପ୍ରତି ଉଦାସୀନତା ଶାସକ ଶ୍ରେଣୀକୁ ଆଗାମୀ ବିପଦକୁ ଦେଖିବାରେ ବାଧା ଦେଇଥିଲା। ତାହା ଯୋଗୁ ଆଜି ଏହି ଭୟାନକ ପରିସ୍ଥିତି ଉପୁଜିଛି। ଏହା ମାନବଜାତି ଏବଂ ସଭ୍ୟତା ବିରୋଧରେ ଏକ ଅପରାଧ। ବିମୁଦ୍ରୀକରଣ ପରି କ୍ରୂର ସିଦ୍ଧାନ୍ତ, ତ୍ରୁଟିପୂର୍ଣ୍ଣ ଓ ଜଟିଳ ଜିଏସ୍‌ଟି ତରବରିଆ ଭାବେ ପ୍ରଚଳନ, ଭୁଲ୍‌ ଆର୍ଥିକନୀତି ସହିତ ଖରାପ ଶାସନ ପଦ୍ଧତି ଆମ ଅର୍ଥନୀତିକୁ ନିମ୍ନଗାମୀ କରିଥିଲା। କରୋନା ମହାମାରୀ ଜୀବନ ଏବଂ ଜୀବିକାକୁ ଅଧିକ କ୍ଷତି ପହଞ୍ଚାଇଛି ଏବଂ ଆମ ଶାସନ ବ୍ୟବସ୍ଥା ଓ ସ୍ବାସ୍ଥ୍ୟକ୍ଷେତ୍ର କେତେ ଦୁର୍ବଳ ତାହା ପଦାରେ ପକାଇ ଦେଇଛି।
ଏଠାରେ ସ୍ବତଃ ପ୍ରଶ୍ନଉଠେ, ମହାମାରୀ ଯୋଗୁ ଆମ ଦେଶ କାହିଁକି ସର୍ବାଧିକ କ୍ଷତିଗ୍ରସ୍ତ ହେଲା? ଆମ ଦେଶରେ ଟିକାକରଣ ହାର କାହିଁକି ଅତି ନିମ୍ନରେ? ଆମର ସ୍ବାସ୍ଥ୍ୟ ବ୍ୟୟ ଜିଡିପି ଅନୁସାରେ ବିଶ୍ୱରେ ସର୍ବନିମ୍ନ ଏବଂ ସ୍ବାସ୍ଥ୍ୟ ଭିତ୍ତିଭୂମି କାହିଁକି ଅତିଦୁର୍ବଳ ? ଆମର କୋଭିଡ୍‌ ରିଲିଫ ନଗଦ ଅର୍ଥ ହସ୍ତାନ୍ତର କାହିଁକି କମ୍‌? ମୋଦିଙ୍କ ଶାସନ ବ୍ୟବସ୍ଥାର ବଡ଼ ତ୍ରୁଟି ହେଉଛି ଏହା ଅନ୍ୟ ଦେଶର ବା ପୂର୍ବ ସରକାରଙ୍କ ଭଲ କାର୍ଯ୍ୟ ସବୁ ଅନୁସରଣ କରି ସେହି ସ୍ତରକୁ ଦେଶକୁ ନେବା ପରିବର୍ତ୍ତେ ନିଜର ବିଫଳତା ଘୋଡ଼ାଇବା ପାଇଁ ଅନ୍ୟ ଦେଶର ଖରାପ ବା ପୂର୍ବ ସରକାରଙ୍କର କୌଣସି ସମୟର ଖରାପ ସ୍ଥିତି ସହିତ ତୁଳନା କରିବା ଏବଂ ସର୍ବଦା ପ୍ରଚାର କରିବା। ଗଣମାଧ୍ୟମକୁ ମଧ୍ୟ ନିଜ ଇଚ୍ଛାନୁଯାୟୀ ବ୍ୟବହାର କରିବା ଏବଂ ଗଣମାଧ୍ୟମ ସରକାରଙ୍କ ଦୋଷ ଦେଖାଇବା ପରିବର୍ତ୍ତେ ବିରୋଧୀ ଦଳକୁ ଟାର୍ଗେଟ କରିବା, ଯାହା ଭାରତୀୟ ଗଣତନ୍ତ୍ରରେ ପ୍ରଥମ ଘଟଣା। ବିଗତ ସାତ ବର୍ଷରେ ସବୁଠାରୁ ବେଶି ଯଦି ଦେଶର କ୍ଷତି ହୋଇଥାଏ, ତାହା ହେଉଛି ସ୍ବାଧୀନଭାବେ ଚିନ୍ତାକରିବାର କ୍ଷମତା ଅନେକ ଭାରତୀୟ ହରାଇବା।
ଯେଉଁମାନେ ଶାସକ ଶ୍ରେଣୀର ଭୁଲ୍‌ ଦେଖାଇଲେ ତାଙ୍କ ବିରୋଧରେ ଘୃଣା ସୃଷ୍ଟି କରାଗଲା। ଏହାଦ୍ୱାରା ନିରୀହ ଭୋଟରଙ୍କୁ ସିନା ବୁଝେଇ ବା ଭୁତେଇ ହେଲା, କିନ୍ତୁ ବିଦ୍ୟାଳୟରେ ଗଧ ଛାତ୍ରୀଛାତ୍ରଙ୍କ ସହିତ ପ୍ରତିଯୋଗିତା କଲେ ଯାହାହୁଏ, ଆମ ଶାସନ ବ୍ୟବସ୍ଥା ଓ ଅର୍ଥନୀତିର ଅବସ୍ଥା ତାହା ହୋଇଛି।
ପୁନଶ୍ଚ ଜନସାଧାରଣଙ୍କଠାରୁ ଆଦାୟ ହେଉଥିବା ଟିକସ ଅର୍ଥ ଖର୍ଚ୍ଚକରିଲା ବେଳେ, ପ୍ରତି ଟଙ୍କା ଖର୍ଚ୍ଚରୁ ରାଜନୈତିକ ଫାଇଦାନେବା, ରାଜ୍ୟମାନଙ୍କୁ ଦେଉଥିବା ସହାୟତାକୁ କେନ୍ଦ୍ର ଦେଉଛି ବୋଲି ବାହାବା ନେବାପାଇଁ ଚେଷ୍ଟା କରାଯାଉଛି। ଧନିକ ଶ୍ରେଣୀ, କର୍ପୋରେଟମାନଙ୍କୁ ଅଧିକ ରିହାତିଦେବା ଏବଂ ତାଙ୍କଠାରୁ କମ୍‌ ଟିକସ ଆଦାୟ କରିବା ପ୍ରକ୍ରିୟା ସମ୍ବଳ ଅଭାବଜନିତ ସମସ୍ୟା ସୃଷ୍ଟିକରିଛି। ସରକାର ୨୦୧୯ ସେପ୍ଟେମ୍ବରରେ କର୍ପୋରେଟ ଟିକସ ଅହେତୁକ ହ୍ରାସକରି ବିଶ୍ୱରେ ସର୍ବନିମ୍ନ ସ୍ତରକୁ ଆଣିବା ଯୋଗୁ ଦେଶ ସେତେବେଳେ ବାର୍ଷିକ ୧.୪୫ଲକ୍ଷ କୋଟି ରାଜସ୍ବ ହରାଇଲା ଏବଂ ତାହା ପ୍ରତିବର୍ଷ ବୃଦ୍ଧିପାଉଛି। ଯଦି ଟିକସ ହ୍ରାସ ନ କରି ସେହି ଅର୍ଥକୁ ସ୍ବାସ୍ଥ୍ୟ କ୍ଷେତ୍ରରେ ପ୍ରତିବର୍ଷ ବିନିଯୋଗ କରାଯାଉଥାନ୍ତା ତେବେ ଆମ ସ୍ବାସ୍ଥ୍ୟ କ୍ଷେତ୍ର ଏତେ ଶକ୍ତିଶାଳୀ ହୋଇଥାନ୍ତା ଯେ ଲୋକ ବେଡ୍‌, ଅମ୍ଳଜାନ, ଭେଣ୍ଟିଲେଟର, ଔଷଧ ଏବଂ ଅନ୍ୟାନ୍ୟ ଅର୍ଥ ଅଭାବଜନିତ ଚିକିତ୍ସା ଅଭାବରୁ ମରି ନ ଥାନ୍ତେ। ଆମ ଦେଶ ମହାମାରୀ ଦ୍ୱାରା ଏତେମାତ୍ରାରେ କ୍ଷତିଗ୍ରସ୍ତ ହୋଇ ନ ଥା’ନ୍ତା।
ଅପରପକ୍ଷରେ, ରାଷ୍ଟ୍ରାୟତ୍ତ ଶିଳ୍ପରୁ ପୁଞ୍ଜି ପ୍ରତ୍ୟାହାର, ଘରୋଇକରଣ ଏବଂ ରାଷ୍ଟ୍ରର ସମ୍ପତ୍ତି ବିକ୍ରିକରି ସମ୍ବଳ ସଂଗ୍ରହ କରିବା ଓ ବିଭିନ୍ନ ସେବାର ବ୍ୟାପକ ଘରୋଇକରଣ କରିବା ଯୋଗୁ ରାଷ୍ଟ୍ରର କ୍ଷମତା ସଙ୍କୁଚିତ ହୋଇଛି ଏବଂ ଲୋକମାନେ ଶସ୍ତାରେ ବିଭିନ୍ନ ସେବା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଲୋକଙ୍କଠାରୁ ପରୋକ୍ଷ କର ମାଧ୍ୟମରେ ଅଧିକ ସମ୍ବଳ ସଂଗ୍ରହକରିବା ଯୋଗୁ ଲୋକଙ୍କ ଜୀବନ ଧାରଣର ମାନ ହ୍ରାସଘଟିଛି। ଉଲ୍ଲେଖଯୋଗ୍ୟ ଯେ, ପରୋକ୍ଷ କର ପ୍ରତିଗାମୀ ଏବଂ ସାଧାରଣ ଜନତାକୁ ବେଶି ବାଧିଥାଏ। ଆବଶ୍ୟକ ଟିକସ ଆଦାୟ ନ ହେବା ଯୋଗୁ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏହା ହୋଇ ନ ଥିଲେ ସାମାନ୍ୟ ଟିକାଜନିତ ବ୍ୟୟ ପାଇଁ ସରକାର କୁଣ୍ଠାବୋଧ କରି ନ ଥାନ୍ତେ ଏବଂ ପେଟ୍ରୋଲ ଡିଜେଲ ଉପରେ ସରକାର ଏପରି ଦୁର୍ଦ୍ଦିନରେ ଅଧିକ ଟିକସ ଧାର୍ଯ୍ୟ କରନ୍ତେ ନାହିଁ। ବାସ୍ତବରେ ଜନହିତକର, ସାମାଜିକ କ୍ଷେତ୍ରରେ ଅଧିକ ବ୍ୟୟ ନ କରି ଶାସକଶ୍ରେଣୀ ସର୍ବଦା ଭାବାବେଗ ପ୍ରସଙ୍ଗ ଉଠାଇ ଜନପ୍ରିୟତା ହାସଲ କରିବାକୁ ଚେଷ୍ଟା କରିଛି। ଏଥିପାଇଁ ଶାସକଶ୍ରେଣୀ କିଛି ଯୋଜନାକରି ଦେଇ ତାହାର ଅହରହ ପ୍ରଚାର କରିଲା ବେଳେ, ଅନ୍ୟ ସବୁକ୍ଷେତ୍ରରେ ବ୍ୟୟ ହ୍ରାସପାଇଛି; ଯାହାଫଳରେ ଦେଶର ଆର୍ଥିକ ବ୍ୟବସ୍ଥା ଭୁଶୁଡ଼ିପଡ଼ିବା ସହିତ ସବୁ ଅନ୍ତର୍ଜାତୀୟ ସୂଚକାଙ୍କରେ ଭାରତ ଆଗରୁ ନିମ୍ନରେ ଥିଲା ଏବଂ ଗତ କିଛି ବର୍ଷରେ ଆହୁରି ଅଧିକ ନିମ୍ନଗାମୀ ହୋଇଛି। ଦାରିଦ୍ର୍ୟ, ବେକାରି, ଭୋକ ଓ ବୈଷମ୍ୟ ଭୟଙ୍କର ହୋଇଛି।
ଯେତେବେଳେ କରୋନା ମହାମାରୀ ସଙ୍କଟ ହେତୁ ଲୋକମାନେ ଜୀବନ ଏବଂ ଜୀବିକା ହରାଉଛନ୍ତି, ସେତେବେଳେ ବିଲିୟନେୟାର ସଂଖ୍ୟା ଏବଂ ତାଙ୍କ ସମ୍ପଦ ଅହେତୁକ ବୃଦ୍ଧିପାଇଛି। ଅକ୍ସଫାମର ଗତ ଜାନୁୟାରୀରେ ପ୍ରକାଶିତ ‘ଅସମାନତା ଭାଇରସ୍‌’ ଶୀର୍ଷକ ରିପୋର୍ଟ ୨୦୨୧ ଅନୁଯାୟୀ, ଭାରତୀୟ ବିଲିୟନେୟାରଙ୍କ ସମ୍ପଦ ତାଲାବନ୍ଦ ସମୟରେ ୩୫% ବୃଦ୍ଧିପାଇଛି। ଗତବର୍ଷ ଭାରତର ୧୦୦ ଶ୍ରେଷ୍ଠ ବିଲିୟନେୟାରଙ୍କ ସମ୍ପଦ ୧୨,୯୭,୮୨୨କୋଟି ଟଙ୍କା ବୃଦ୍ଧିପାଇଥିଲା; ଯାହା ଭାରତର ୧୩.୮ କୋଟି ଗରିବ ଭାରତୀୟଙ୍କୁ ପ୍ରତ୍ୟେକ ୯୪, ୦୪୫ ଟଙ୍କାର ଚେକ୍‌ ଦେବା ପାଇଁ ଯଥେଷ୍ଟ। ଏପ୍ରିଲ ୨୦୨୧ରେ ପ୍ରକାଶିତ ଫୋର୍ବସର ୩୫ତମ ବାର୍ଷିକ ବିଲିୟନେୟାରଙ୍କ ତାଲିକା ଅନୁଯାୟୀ, ଭାରତୀୟ ବିଲିୟନେୟାରଙ୍କ ସଂଖ୍ୟା ଗତବର୍ଷ ୧୦୨ ଥିଲା। ତାହା ୧୪୦କୁ ବୃଦ୍ଧିପାଇଛି। ସେମାନଙ୍କର ମିଳିତ ସମ୍ପଦ ପ୍ରାୟ ଦ୍ୱିଗୁଣିତ ହୋଇ ୫୯୬ ବିଲିୟନ ଡଲାରରେ ପହଞ୍ଚିଛି ।
କେବଳ ତିନି ଧନୀ ଭାରତୀୟ ଗୋଟିଏ ବର୍ଷରେ ୧୦୦ ବିଲିୟନ ଡଲାରରୁ ଅଧିକ ସମ୍ପଦ ଯୋଡ଼ିଛନ୍ତି।
କୋଭିଡ୍‌ ଯେତେବେଳେ ପୂରା ଶୀର୍ଷରେ ରହିଛି, ୨୦୨୧, ମେ ୨୩ ସୁଦ୍ଧା ୧୪୨ଦିନରେ ଆଦାନୀ ନିଜ ସମ୍ପତ୍ତିରେ ୩୫.୨ ବିଲିୟନ ଡଲାର ବା ୨.୫୬ଲକ୍ଷ କୋଟି ଟଙ୍କା ଯୋଡ଼ିଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଫ୍ରାନ୍ସର ବିଳାସପୂର୍ଣ୍ଣ ଟାଇକନ୍‌ ବର୍ନାର୍ଡ ଆର୍ନାଉଟ ପରେ ଅଧିକ ଧନ ଯୋଗକରିବାରେ ସେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ମୁକେଶ ଅମ୍ବାନୀ ଘଣ୍ଟାକୁ ୯୦କୋଟି ଟଙ୍କା ତାଙ୍କ ସମ୍ପଦରେ ଯୋଡ଼ୁଥିଲେ ବୋଲି ଆମେ ଜାଣିଛୁ, କିନ୍ତୁ ଆଦାନୀ ମଧ୍ୟ ଘଣ୍ଟାକୁ ୭୫କୋଟି ଟଙ୍କା ଯୋଡ଼ୁଛନ୍ତି । ବ୍ୟାଙ୍କରେ ଠକାମି ଜାଲିଆତି ପରିମାଣ ୨୦୨୦-୨୧ରେ କେବଳ ୧.୮୫ଲକ୍ଷ କୋଟି ଟଙ୍କା । ଏହା ବର୍ତ୍ତମାନ ଆହୁରି ଅଧିକ ହେବ। ଅନାଦେୟ ଟିକସ ପରିମାଣ ୮ଲକ୍ଷ କୋଟି ଟଙ୍କା ହେବ। ୨୦୨୦-୨୧ରେ ପ୍ରଥମ ୬ମାସରେ ୩୦୦୦ରୁ ଅଧିକ କମ୍ପାନୀର ମୋଟ ନିଟ୍‌ ଲାଭ ରେକର୍ଡ ୧.୪୫ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏଣୁ ପ୍ରଧାନମନ୍ତ୍ରୀ ସେହି ଧନୀ ଓ କର୍ପୋରେଟଙ୍କଠାରୁ ସମ୍ପଦ କର ବା ଅନ୍ୟାନ୍ୟ କର ଧାର୍ଯ୍ୟକରି ଅଧିକ ସମ୍ବଳ ସଂଗ୍ରହ କରିବା ସହିତ ମହାମାରୀ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପରିବାରଗୁଡ଼ିକୁ ଥଇଥାନ କରିବା ଉଚିତ ଏବଂ ସ୍ବାସ୍ଥ୍ୟକ୍ଷେତ୍ରକୁ ଅଧିକ ଶକ୍ତିଶାଳୀ କରିବା ଉଚିତ।
skmohapatra67@gmail.com.
ମୋ: ୯୪୩୭୨୦୮୭୬୨

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.