ବର୍ଷକଠାରୁ ବଳିଗଲା ମାସକ ମୃତ୍ୟୁ

ଅନୁଗୋଳ ଅଫିସ, ୨ା୬ – କୋଭିଡ୍‌-୧୯ର ଦ୍ୱିତୀୟ ଲହର କେତେ ଭୟଙ୍କର ତାହାର ଚିତ୍ର ମିଳିଛି ଅନୁଗୋଳ ଜିଲାରୁ। ବର୍ଷକ ମଧ୍ୟରେ ଜିଲାରେ ଯେତିକି ସଂଖ୍ୟକ ଲୋକ କରୋନାରେ ପ୍ରାଣ ହରାଇ ନ ଥିଲେ, ଗତ ମେ’ ମାସରେ ତାହାଠାରୁ ଅଧିକ ଲୋକଙ୍କ ଜୀବନ ଯାଇଛି ଏହି ମହାମାରୀରେ। କେବଳ ମୃତ୍ୟୁ ନୁହେଁ, ମାସକରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବର୍ଷକଠାରୁ ବଳି ଯାଇଛି। ତେବେ ସରକାରୀ ଭାବେ ଦର୍ଶାଯାଉଥିବା ସଂଖ୍ୟାଠାରୁ ଜିଲାରେ କରୋନାରେ ମୃତ୍ୟୁ ସଂଖ୍ୟା ବହୁ ଅଧିକ ହୋଇଥିବା ଆଲୋଚନା ହେଉଛି।
ଗତବର୍ଷ ସାମାନ୍ୟ ବିଳମ୍ବରେ ଅର୍ଥାତ୍‌ ୨୦୨୦ ମେ’ ୧୦ ତାରିଖରେ ଅନୁଗୋଳ ଜିଲାକୁ ଛୁଇଁଥିଲା କରୋନା। ପ୍ରଥମ କରି ଜିଲାରେ ୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେବେ ୨୦୨୧ ଏପ୍ରିଲ ୩୦ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୫ ହଜାର ୬୯୨ ହୋଇଥିଲା। ଏହି ସମୟ ମଧ୍ୟରେ ଜିଲାରେ କରୋନାରେ ୪୩ ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ଦ୍ୱିତୀୟ ଲହର ଆରମ୍ଭରୁ ଅନୁଗୋଳ ଜିଲାରେ ସଂକ୍ରମଣ ଅତି ଦ୍ରୁତଗତିରେ ବଢ଼ିଚାଲିଥିଲା। ଏପରି କି କେବଳ ମେ’ ମାସରେ ଜିଲାରୁ ୧୮ ହଜାର ୪୯୫ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ମୋଟ୍‌ ପଜିଟିଭ୍‌ ସଂଖ୍ୟା ୩୪ ହଜାର ୧୫୧ରେ ପହଞ୍ଚି ଯାଇଥିଲା। ସେହିପରି ମାସକରେ କୋଭିଡ୍‌ କାରଣରୁ ଜିଲାରେ ୬୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍‌ ମୃତକଙ୍କ ସଂଖ୍ୟା ୧୦୯ରେ ପହଞ୍ଚିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ ବେସରକାରୀ ଭାବେ ଏହି ସଂଖ୍ୟା ଢେର ଅଧିକ ହେବ ବୋଲି କୁହାଯାଉଛି। କାରଣ କୋଭିଡ୍‌ ସଂକ୍ରମିତଙ୍କ ମୃତଦେହ ଦାହ କରାଯାଉଥିବା କରଡ଼ାଗାଡ଼ିଆ ଶ୍ମଶାନରେ ମେ’ ମାସରେ ୧୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଶେଷକୃତ୍ୟ ହୋଇଥିବା ଜଣାପଡ଼ିଛି। ଏହାଛଡ଼ା ଗତ ସପ୍ତାହେ ହେଲା ରାଜ୍ୟର ଅଧିକ କୋଭିଡ୍‌ ମୃତ୍ୟୁ ଅନୁଗୋଳ ଜିଲାରେ ହିଁ ହେଉଛି। ଅନ୍ୟପକ୍ଷରେ କୋଭିଡ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନ ଓ ପୋଲିସ ପକ୍ଷରୁ ଆଦାୟ କରାଯାଉଥିବା ଜରିମାନା ଇତିମଧ୍ୟରେ କୋଟିଏ ଟଙ୍କା ଅତିକ୍ରମ କରିଛି। ଅମାନିଆ ବ୍ୟକ୍ତି, ବ୍ୟବସାୟୀଙ୍କଠାରୁ ମୋଟ୍‌ ୧ କୋଟି ୧ ଲକ୍ଷ ୯ ହଜାର ୭୫୦ ଟଙ୍କା ଜରିମାନା ବାବଦକୁ ଆଦାୟ କରାଯାଇଥିବା ସୂଚନା ମିଳିଛି। ତେବେ ଜିଲାରେ କୋଭିଡ୍‌ ଟେଷ୍ଟ ଅଧିକ କରାଯାଉଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଏବଂ ମୃତକଙ୍କ ସମ୍ପର୍କରେ ଠିକ୍‌ ସୂଚନା ଦିଆଯାଉଥିବା ପ୍ରଶାସନ ପକ୍ଷରୁ ସଫେଇ ଦିଆଯାଇଛି।

ଲୋକଙ୍କୁ ତୁରନ୍ତ ଚିକିତ୍ସା ପ୍ରଶାସନର ଲକ୍ଷ୍ୟ
ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବବର୍ଷ ଅପେକ୍ଷା ବଢ଼ିଛି। ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ସହ ଅଧିକ ଟେଷ୍ଟ କରାଯାଉଥିବାରୁ ସଂକ୍ରମଣ ଶୀଘ୍ର ଧରାପଡ଼ିଯାଉଛି। ବିପତ୍ତି ସମୟରେ ଧନ ଜୀବନ କ୍ଷୟକ୍ଷତି ହେଉଥିବାରୁ ଚିକିତ୍ସା ଦ୍ୱାରା କିପରି ଅଧିକରୁ ଅଧିକ ଲୋକଙ୍କୁ ସୁସ୍ଥ କରାଯିବ, ତାହା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ
ସଙ୍କଟ ଟଳି ନ ଥିବାରୁ ସଚେତନ ରୁହ
କରୋନା ବିପତ୍ତି ଏଯାଏ ଟଳିନାହିଁ। ତେଣୁ ଜିଲାବାସୀ ସତର୍କ, ସଚେତନ ଓ ସୁସ୍ଥ ରହୁନ୍ତୁ। ବହୁ ଲୋକ ଅଯଥାରେ ବାହାରେ ବୁଲାବୁଲି କରୁଥିବାରୁ ପୋଲିସ ଜରିମାନା ଆଦାୟ କରୁଛି। ସମସ୍ତେ ସଚେତନ ରହିଲେ ଜିଲାରେ ସ୍ଥିତି ସୁଧୁରିବା ସହ ଜରିମାନା ଦେବାକୁ ପଡ଼ିବ ନାହିଁ। ନିହାତି ଆବଶ୍ୟକ ହେଲେ ବାହାରକୁ ଆସନ୍ତୁ, ନଚେତ୍‌ ଘରେ ରହିବା ସହ ଅନ୍ୟମାନଙ୍କୁ ସଚେତନ କରନ୍ତୁ।
-ଜଗମୋହନ ମୀନା, ଏସ୍‌ପି, ଅନୁଗୋଳ
ନିଜ ସୁରକ୍ଷା ନିଜ ହାତରେ
ଦେଢ଼ବର୍ଷ ହେଲା ଅଦୃଶ୍ୟ କରୋନା ଭୂତାଣୁ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଲୋକମାନେ କୋଭିଡ୍‌ ନିୟମ ମାନୁ ନ ଥିବାରୁ ସମସ୍ୟା ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ବଜାରରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଉ ନାହିଁ। ବିନା ମାସ୍କରେ ବହୁ ଲୋକ ଚଳପ୍ରଚଳ କରୁଛନ୍ତି। ନିଜ ସୁରକ୍ଷା ନିଜ ହାତରେ ଥିବା ଲୋକେ ଯେପରି ଭୁଲିଯାଇଛନ୍ତି। ସଚେତନ ହେଲେ ସମସ୍ୟା ଦୂର ହେବ।
-ସାଗର ମିଶ୍ର, ଅନୁଗୋଳ
କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ
କରୋନାର ପ୍ରଥମ ଲହରରେ ଲୋକେ ଭୟଭୀତ ଥିଲେ। କିନ୍ତୁ ଦ୍ୱିତୀୟ ଲହରକୁ ଅନେକେ ଖାତିର କରୁନାହାନ୍ତି। ସେଥିପାଇଁ ଗୋଷ୍ଠୀ ସଂକ୍ରମଣ ବୃଦ୍ଧି ପାଉଛି। ପ୍ରଶାସନ ଓ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଲୋକମାନେ ଅମାନିଆ ହେଉଛନ୍ତି। ଜିଲାର ଅନେକ ଗାଁରେ ଭୂତାଣୁ ପ୍ରବେଶ କରିସାରିଥିବାରୁ ଆଗକୁ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି।
-ଶିଶିର କୁମାର ପ୍ରଧାନ, ଅବସରପ୍ରାପ୍ତ ସେନା ଅଧିକାରୀ

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.