କେନ୍ଦ୍ରାପଡ଼ା ଅଫିସ,୧୧।୬: ସହର ରାସ୍ତାରେ ସର୍ବଦା ଟ୍ରାଫିକ ଜାମ୍। ପାଣିନାଳ ଉପରେ ଘର। ବର୍ଷା ହେଲେ ଘରେ ପାଣି ପଶୁଛି। ମାତ୍ର ୫ ବର୍ଷ ପୂର୍ବରୁ କେନ୍ଦ୍ରାପଡ଼ା ସହର ମଧ୍ୟରେ ୨୪ଟି ପୋଖରୀ ଥିବା ବେଳେ ଏବେ ମାତ୍ର ୬ଟିର କେବଳ ଚିହ୍ନ ରହିଛି। ଗୋବରୀ ନଦୀପଠାରେ ଗୋଟିଏ ପରେ ଗୋଟିଏ କୋଠା ନିର୍ମାଣ ହେଉଛି। ଜବରଦଖଲର ଏହି ଚିତ୍ର କେବଳ ସହର ମଧ୍ୟରେ ସୀମିତ ନାହିଁ। ଜିଲାର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ମହାକାଳପଡ଼ା, ରାଜନଗର, ରାଜକନିକା ଅଞ୍ଚଳରେ ଅନୁପ୍ରବେଶକାରୀ ଭର୍ତ୍ତି ହୋଇ ଗଲେଣି। ଜାତୀୟ ଉଦ୍ୟାନ ଭିତରକନିକା ଏଥିରୁ ବାଦ୍ ପଡିନି। ଜଙ୍ଗଲ ଜମିକୁ ଲୋକେ ଜବରଦଖଲ କରି ଘର ସହ ଚିଙ୍ଗୁଡ଼ି ଘେରି କରୁଛନ୍ତି। ଚିଙ୍ଗୁଡ଼ି ଘେରିରୁ ଉଦ୍ବୃତ୍ତ ରାସାୟନିକ ବର୍ଜ୍ୟ ଜଳ ଚାଷ ଓ ଜଙ୍ଗଲକୁ ନଷ୍ଟ କରୁଛି। ଏ ନେଇ ଅଭିଯୋଗ କଲେ କରୋନା ଆଳ ଦେଖାଇ ସରକାରୀ କଳ ନୀରବ ରହୁଛି। ଜବରଦଖଲ ଏବେ ଜିଲାର ମୁଖ୍ୟ ସମସ୍ୟା ପାଲଟିଛି। ଏହାଦ୍ୱାରା ଜିଲା ବିକାଶରେ ବାଧା ସୃଷ୍ଟି ହେଉଥିବା ବହୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକ ମତ ଦେଇଛନ୍ତି।
ଏ ସମ୍ପର୍କରେ ସହରର ଖଡିଅଙ୍ଗସ୍ଥ କ୍ଷିତୀଶ କୁମାର ସିଂହ କହିଛନ୍ତି, ସହର ମଧ୍ୟରେ ଜବରଦଖଲ ଏକ ସମସ୍ୟା ହୋଇଛି। ଗୋବରୀ ନଦୀପଠା ଏବେ ଜବରଦଖଲକାରୀଙ୍କ ନିକଟକୁ ଚାଲିଯାଇଛି। ଫଳରେ ବର୍ଷାଋତୁରେ ନଦୀରେ ଜଳ ପ୍ରବାହ ଠିକ୍ ଭାବେ ହେଉନାହିଁ। ସେହିପରି କନିଆ ଯୋରରେ ଥିବା ପାଣିନାଳ ଉପରେ ଘର ହୋଇଥିବାରୁ ବର୍ଷାଜଳ ନିଷ୍କାସନରେ ବାଧକ ସାଜିଛି। ଏହି ସମସ୍ୟା ଗୋଟିଏ ସ୍ଥାନର ନୁହଁ। ପୌରାଞ୍ଚଳରେ ଥିବା ପ୍ରତ୍ୟେକ ନାଳ ଉପରେ ଘର ନିର୍ମାଣ ହେଉଛି। ଏପରି କି ରାସ୍ତା ଉପରକୁ ଘର ନିର୍ମାଣ ହେଉଥିବାରୁ ସର୍ବଦା ଟ୍ରାଫିକ ଜାମ୍ ହେଉଛି। ଏ ନେଇ ପୌର ଅଧିକାରୀଙ୍କ ସମେତ ଜିଲାପାଳଙ୍କୁ ସ୍ଥାନୀୟ ଲୋକ ଅବଗତ କରୁଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଫଳରେ ସ୍ବିରେଜ ସିଷ୍ଟମ, ଟ୍ରାଫିକ ବ୍ୟବସ୍ଥା, ବିଦ୍ୟୁତୀକରଣ ଓ ସହରର ସୌନ୍ଦର୍ଯ୍ୟକରଣରେ ବାଧା ସୃଷ୍ଟି ହୋଇଛି। ରାଜନଗରର ହରିହର ସାହୁ, ମହାକାଳପଡ଼ାର ଲକ୍ଷ୍ମୀକାନ୍ତ ସ୍ବାଇଁ, ଅମିତାଭ ଚାନ୍ଦ ପ୍ରମୁଖ କହିଛନ୍ତି, ଉପାନ୍ତ ଅଞ୍ଚଳ ଏବେ ଜବରଦଖଲକାରୀଙ୍କ ହାତରେ ରହିଛି। ଭୂମିହୀନ ଦର୍ଶାଇ ଅଥବା କୁଜଙ୍ଗ ରାଜାଙ୍କ ମିଛ ହାତପଟ୍ଟା ଦ୍ୱାରା ଜଙ୍ଗଲ ଜମିକୁ ଜବରଦଖଲ କରାଯାଉଛି। ଏପରି ଘଟଣା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବେଶି ଦେଖିବାକୁ ମିଳୁଛି। ପେଟ୍ଛେଲାଠାରୁ ରଙ୍ଗଣୀ ପର୍ଯ୍ୟନ୍ତ ଅନୁପ୍ରବେଶକାରୀ ଏହାର ଫାଇଦା ନେଉଛନ୍ତି। ସେହିପରି ଗମନାଗମନ ପାଇଁ ସୁବିଧା ନ ଥିବା ଜିଲାର ୧୭ ପଞ୍ଚାୟତରେ ଜବରଦଖଲ ସାମାନ୍ୟ ଘଟଣା ହୋଇଛି। କେବଳ ଜବରଦଖଲ ସମସ୍ୟାକୁ ନେଇ ୨ ମାସରେ ୧୬ଟି ମାମଲା ସ୍ଥାନୀୟ ଥାନାଗୁଡ଼ିକରେ ହୋଇଛି। ଏହା ବ୍ୟତୀତ ଚିଙ୍ଗୁଡ଼ି ଘେରି ପାଇଁ ସମୁଦ୍ରତଟ ଅଞ୍ଚଳର ଜଙ୍ଗଲ ଜମି ଜବରଦଖଲ ହେଉଛି। ଉଚ୍ଚ ନ୍ୟାୟାଳୟ ଏହି ଜବରଦଖଲକାରୀଙ୍କ ନାମରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଉଥିଲେ ମଧ୍ୟ କରୋନା ମହାମାରୀ ଆଳ ଦେଖାଇ ସରକାରୀ କଳ ନୀରବଦ୍ରଷ୍ଟା ସାଜିଛି। ଏହି କାରଣ ଯୋଗୁ ଜାତୀୟ ଉଦ୍ୟାନ ଭିତରକନିକା ବିଶ୍ୱ ଐତିହ୍ୟ ତାଲିକାରୁ ୨୦୧୭ରେ ବାଦ୍ ପଡ଼ିଥିଲେ ମଧ୍ୟ ପ୍ରଶାସନ ଓ ରାଜନେତାମାନେ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ଏ ସମ୍ପର୍କରେ ଏଡିଏମ୍ ବସନ୍ତ କୁମାର ରାଉତ କହିଛନ୍ତି, ଜବରଦଖଲକାରୀଙ୍କ ବିରୋଧରେ ମାମଲା ରୁଜୁ ହେଉଛି। ସହର ମଧ୍ୟରେ ଜବରଦଖଲକାରୀଙ୍କୁ ହଟାଇବାକୁ ଯୋଜନା ରହିଛି ବୋଲି ସେ ମତ ଦେଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.