ଅଫିମ ହୋଇଛି ଧର୍ମ

ଡ. ଛାୟାକାନ୍ତ ଷଡ଼ଙ୍ଗୀ

କାର୍ଲ ମାର୍କ୍ସ ପ୍ରଚଳିତ ଧର୍ମକୁ ଅଫିମ ବୋଲି କହିଛନ୍ତି। ସେ ଜଣେ ୟୁରୋପୀୟ ହୋଇଥିବାରୁ ଖ୍ରୀଷ୍ଟଧର୍ମକୁ ହିଁ ଆଲୋଚନାର ଭୂମି ରୂପେ ବ୍ୟବହାର କରି ଏହି କଥାଟି କହିଛନ୍ତି। କେବଳ ଈଶ୍ୱର ହିଁ ସର୍ବଶକ୍ତିମାନ ଓ ଜଗତର ନିୟାମକ। ଏହି ତତ୍ତ୍ୱକୁ ଗ୍ରହଣ କରି ନେଇ ଧର୍ମ ମନୁଷ୍ୟମାନଙ୍କୁ ଭୀରୁ ହେବା ପାଇଁ ଶିକ୍ଷା ଦେଇଛି। ମଣିଷ ନିଜକୁ ଛୋଟ ଓ ହୀନ ବୋଲି ଭାବି ଏକ ନିରନ୍ତର ଆମତ୍ଦ୍ୱନ୍ଦ୍ୱ ମଧ୍ୟରେ ସନ୍ତାପିତ ହୋଇଛି। ନାନା ଅଯୋଗ୍ୟ ପ୍ରଭୁତ୍ୱ ପାଖରେ ଆମତ୍ସମର୍ପଣ କରିଛି। ଏହି ପରିପ୍ରେକ୍ଷୀରେ ମାର୍କ୍ସ ଧର୍ମକୁ ନଷ୍ପେଷିତ ମଣିଷର ଏକ ବିସ୍ମରଣକାରୀ ଦୀର୍ଘ ନିଃଶ୍ୱାସ (Religion is the sigh of the oppressed creature) ବୋଲି କହିଛନ୍ତି। ପୁନଶ୍ଚ ସେ ଏହାକୁ ଏକ ହୃଦୟହୀନ ପୃଥିବୀର ଭାବବିଳାସ (The heart of a heartless world) କହି ଶେଷରେ ଏହାକୁ ମନୁଷ୍ୟମାନଙ୍କ ଅଫିମ ବୋଲି କହି କଥାଟିର ଉପସଂହାର କରିଛନ୍ତି। ଅଫିମ ହେଉଛି ମଣିଷକୁ ଶୁଆଇ ପକାଉଥିବା ଏକ ଉତ୍ତେଜକ ଦ୍ରବ୍ୟ। ”ଯାହା କିଛି ଶୁଆଇ ପକାଏ, ଯାହା କିଛି ଆମ ସର୍ବୋତ୍ତମ ଆହ୍ବାନ ଗୁଡ଼ିକଠାରୁ ଓ ସେହି କାରଣରୁ ଆମ ସର୍ବୋତ୍ତମ ସମ୍ଭାବନାଗୁଡ଼ିକ ପାଖରୁ ଆମକୁ ନାନା ମିଛ ପ୍ରବୋଧନା ଦେଇ ଭୁଲାଇ ରଖିଥାଏ, ତାହାକୁ ହିଁ ଆମେ ଅଫିମ ବୋଲି ଜାଣିବା ( ଚିତ୍ତରଞ୍ଜନ ଦାସ)।“ ଏହି ଦୃଷ୍ଟିରୁ ଧର୍ମ ଅଫିମର କାମ କରିଆସିଛି। ଧର୍ମ କହେ ମଣିଷ ଯେତେ ପାପ କର୍ମ କଲେ ମଧ୍ୟ ଈଶ୍ୱରଙ୍କ ଶରଣାପନ୍ନ ହେଲେ ତା’ର ସମସ୍ତ ପାପ ଧୌତ ହୋଇଯାଏ। ଏହି ଚିନ୍ତାଧାରା ମଣିଷର ପାପକର୍ମକୁ ବହୁଗୁଣିତ କରିଛି। ଏହି ଅବଧାରଣା ଠିକ୍‌ ଅଫିମ ଭଳି ମଣିଷକୁ ନିଦ୍ରାଭୀଭୂତ କରି ବାସ୍ତବତାଠାରୁ ଦୂରେଇ ନେଇଛି। ସତ୍ୟ, ଶାନ୍ତି, ଦୟା, କ୍ଷମା, ଅହିଂସା ଆଦି ଗୁଣ ସବୁ ଧର୍ମର ମୂଳମନ୍ତ୍ର।
ସମଗ୍ର ମଣିଷ ଜାତି ପାଇଁ ଧର୍ମ ଏକ। ମାତ୍ର ମଣିଷ ତାକୁ ବହୁଧା ବିଭକ୍ତ କରିଛି। ପ୍ରତ୍ୟେକ ଧର୍ମ ଗୋଟିଏ ଲେଖାଏ ଅପରିବର୍ତ୍ତନଶୀଳ ସିଦ୍ଧାନ୍ତ ମଧ୍ୟରେ ଆବଦ୍ଧ ହୋଇଛି। ପ୍ରତ୍ୟେକ ଧର୍ମାବଲମ୍ବୀ ନିଜ ନିଜ ସିଦ୍ଧାନ୍ତରେ ଅଟଳ ରହି ଅନ୍ୟର ସିଦ୍ଧାନ୍ତକୁ ଭୁଲ୍‌ କହୁଛନ୍ତି। ପ୍ରତ୍ୟେକ ଧର୍ମର ଈଶ୍ୱର ଭିନ୍ନ। ନିଜ ନିଜର ଧର୍ମ ଓ ଈଶ୍ୱରକୁ ନେଇ ସେମାନେ ଏତେ ମଦମତ୍ତ ରହୁଛନ୍ତି ଯେ ଶେଷରେ ସମସ୍ତେ ଆମତ୍ନିୟନ୍ତ୍ରଣ ହରାଉଛନ୍ତି ଓ ପରସ୍ପର ମଧ୍ୟରେ ଯୁଦ୍ଧ କରୁଛନ୍ତି। ଧର୍ମ ସହ ଧର୍ମର ସଂଘର୍ଷ ଘଟି ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ‘ଏନ୍‌ସାଇକ୍ଲୋପେଡିଆ ଅଫ ଓ୍ବାର୍‌ସ’ର ତଥ୍ୟ ଅନୁସାରେ ୧୭୬୩ ସଂଖ୍ୟକ ଐତିହାସିକ ସଂଘର୍ଷ ମଧ୍ୟରୁ ୧୨୩ଟି ସଂଘର୍ଷର ମୂଳ କାରଣ ହେଉଛି ଧର୍ମ। ମାତ୍‌ହ୍ୟୁ ହ୍ବାଇଟ୍‌ଙ୍କ ‘ଦି ଗ୍ରେଟ୍‌ ବୁକ୍‌ ଅଫ ହୋରିବଲ ଥିଙ୍ଗ୍ସ’ ଅନୁଯାୟୀ ପୃଥିବୀର ୧୦୦ଟି ଭୟଙ୍କର ନୃଶଂସ ଓ ନିଷ୍ଠୁର ଘଟଣା ମଧ୍ୟରୁ ୧୧ଟିର କାରଣ ହେଉଛି ଧର୍ମ। ଇସ୍ରାଏଲ୍‌-ପାଲେଷ୍ଟାଇନ ଯୁଦ୍ଧ, ସିରିଆନ ଯୁଦ୍ଧ ଆଫ୍‌ଗାନିସ୍ତାନ-ଇରାକ୍‌ରେ ସଂଘଟିତ ଯୁଦ୍ଧ ଆଦି ଧାର୍ମିକ ମୌଳବାଦରୁ ହିଁ ସୃଷ୍ଟି। ଧର୍ମ ଏକ ଭାବାବେଗ ଓ ଏହା ମଣିଷକୁ ଯୁଗେ ଯୁଗେ ଜୀବନର ବାସ୍ତବତାଠାରୁ ଦୂରେଇ ନେଇ ଅଫିମ ଭଳି କାର୍ଯ୍ୟକରି ମଣିଷ ଜାତିର ଧ୍ୱଂସ ସାଧନରେ ସାହାଯ୍ୟ କରୁଛି।
କାର୍ଲ ମାର୍କ୍ସ ଧର୍ମକୁ ଅଫିମ ବୋଲି କହିଥିଲେ। ମାତ୍ର ଆଧୁନିକ ମଣିଷ ଅଫିମଗୁଡ଼ିକୁ ହିଁ ଧର୍ମ ରୂପେ ଗ୍ରହଣ କରି ନେଇଛି। ବିଶିଷ୍ଟ ଚିନ୍ତା ନାୟକ ଚିତ୍ତରଞ୍ଜନ ଦାସଙ୍କ ଭାଷାରେ ”ଆଦର୍ଶମାନେ ଆଦର୍ଶବାଦରେ ପରିଣତ ହେଲେ ଅଫିମରେ ପରିଣତ ହୁଅନ୍ତି। ରାଷ୍ଟ୍ରଶାସକମାନେ ରାଷ୍ଟ୍ରୀୟତାକୁ ହିଁ ଅଫିମ ପରି ଗୋଳି ମଣିଷମାନଙ୍କୁ ପିଆଇ ଦିଅନ୍ତି ଓ ବାଉଳା କରି ରଖନ୍ତି। ରାଜନୀତି କ୍ଷମତାନୀତିରେ ପରିଣତ ହେଲେ କ୍ଷମତାଧାରୀଙ୍କ ପାଇଁ ଠିକ୍‌ ଅଫିମ ଭଳି କାର୍ଯ୍ୟକରେ ଓ ଏମାନେ ଅଧିକରୁ ଅଧିକ କ୍ଷମତାରେ ବାନ୍ଧି ହୋଇ ସତେ ଅବା ଯଶସ୍ବୀ ହୋଇ ରହିବାର ଅଭିପ୍ରାୟରେ ନାନା ଖଣ୍ଡସତ୍ୟର ଆକର୍ଷଣୀୟ ପ୍ରଚାର ଦ୍ୱାରା କୋଟି କୋଟି ମଣିଷକୁ ଅଫିମ ଖୁଆଇ ପୋଷା ମନାଇ ରଖନ୍ତି।“ ଆଦର୍ଶ ଆଦର୍ଶବାଦରେ ପରିଣତ ହେଲେ କିପରି ତାହା ଅନ୍ୟମାନଙ୍କ ପାଇଁ ଯନ୍ତ୍ରଣାଦାୟକ ହୁଏ ଓ ନିଜର ତୁଚ୍ଛା ଅହଂ କେବଳ ତୃପ୍ତ ହୁଏ ତାହାର ଏକ ଉଦାହରଣ ଦେଇଛନ୍ତି ବିଶିଷ୍ଟ ଲେଖକ ମନୋଜ ଦାସ। ଥରେ ସେ ଏକ ସର୍ବଭାରତୀୟ ଲେଖକ ସମ୍ମିଳନୀରେ ଯୋଗ ଦେଇଥାନ୍ତି। ତାଙ୍କ ଭଳି ଦୂରାଗତ ଅତିଥିମାନଙ୍କ ରହଣି ପାଇଁ ଏକ ବିଳାସପୂର୍ଣ୍ଣ ହୋଟେଲର ବ୍ୟବସ୍ଥା ହୋଇଥାଏ। ତାଙ୍କ ପାର୍ଶ୍ୱସ୍ଥ କୋଠରିରେ ରହୁଥାନ୍ତି ଜଣେ ପ୍ରବୀଣ ନୀତିବାଦୀ ଅଧ୍ୟାପକ। ସେ ମହାଶୟ କହୁଥାନ୍ତି ”ମୋତେ ଏଭଳି ବିଳାସ ଭଲା ଲାଗେ ନାହିଁ। ମୋ ପାଇଁ ଏକ ସାଧାରଣ ହୋଟେଲ ବ୍ୟବସ୍ଥା କରନ୍ତୁ।“ ମନୋଜବାବୁ ତାଙ୍କୁ କହିଲେ, ”ଆଜ୍ଞା! ବିଳାସ ଆଉ କ’ଣ? ଫୋନ୍‌ ଓ ରେଡିଓ ଅଛି (ସେତେବେଳେ ଭାରତରେ ଟିଭି ନ ଥିଲା) ଆପଣ ବ୍ୟବହାର ନ କଲେ ହେଲା। ଗରମ ଜଳ ପାଇଁ ଗିଜର ଅଛି। ଆପଣ ସୁଇଚ୍‌ ନ ଟିପିଲେ ହେଲା। ଶେଯଟି ବିଳାସ ହୋଇଥିଲେ ସେ ଗୋଟିକ ଗୋଟାଇ ରଖି ଖାଲି ଖଟ ଉପରେ ଶୋଇଲେ ହେଲା।“ ମାତ୍ର ସେ ବୁଝିଲେ ନାହିଁ। ତାଙ୍କ ଜିଦ୍‌ ଯୋଗୁ ଦୁଇଦିନ ପରେ ଆୟୋଜକମାନେ ତାଙ୍କୁ ଏକ ସାଧାରଣ ହୋଟେଲକୁ ସ୍ଥାନାନ୍ତରୀତ କଲେ। ଅଧ୍ୟାପକ ମହାଶୟ ସନ୍ତୁଷ୍ଟ ହେଲେ। ମାତ୍ର ପ୍ରଥମ ହୋଟେଲକୁ ତାଙ୍କ କୋଠରି ବାବଦରେ ଚୁକ୍ତି ଅନୁସାରେ ସମଗ୍ର ପାଞ୍ଚଦିନର ଦେୟ ଦେବାକୁ ପଡ଼ିଲା ଓ ଦ୍ୱିତୀୟ ହୋଟେଲ ପାଇଁ ମଧ୍ୟ ସେମାନଙ୍କୁ ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡ଼ିଲା। ପୁଣି ତାଙ୍କୁ ସଭା ସ୍ଥଳକୁ ନେବା ଆଣିବା ପାଇଁ ଏକ ସ୍ବତନ୍ତ୍ର ଟ୍ୟାକ୍ସିର ବ୍ୟବସ୍ଥା କରାଗଲା। ସେହି ଅଧ୍ୟାପକ ବିଳାସବ୍ୟସନମୁକ୍ତ ଜୀବନଯାପନକୁ ନିଜ ଆଦର୍ଶ ମଣୁଥିଲେ। ମାତ୍ର ସେ ଏହି ଆଦର୍ଶକୁ ଏକ ଆଦର୍ଶବାଦରେ ପରିଣତ କରିବା ଦ୍ୱାରା ସେ ତା’ର ଦାସତ୍ୱ ସ୍ବୀକାର କରିନେଲେ; ଯେଉଁଥି ପାଇଁ ଆୟୋଜକମାନଙ୍କୁ ଅନେକ ହଇରାଣ ହେବାକୁ ପଡ଼ିଲା। ତାଙ୍କର ଆଦର୍ଶ ତାଙ୍କ ପାଇଁ ଅଫିମ ହୋଇଗଲା, କେବଳ ତାଙ୍କର ଅହଂ ତୃପ୍ତି ହିଁ ସାର ହେଲା।
ଆଜି ଜାତୀୟତାବାଦ ହେଉଛି ଆଉ ଏକ ଅଫିମ। ବିଶିଷ୍ଟ ଚିନ୍ତାନାୟକ ଜର୍ଜ ଅରଓ୍ବେଲଙ୍କ ମତରେ ଜାତୀୟତାବାଦ ମଣିଷମାନଙ୍କୁ କୀଟପତଙ୍ଗ ଭଳି ‘ଭଲ’ ଓ ‘ମନ୍ଦ’ ଏହିଭଳି ଦୁଇଟି ଶ୍ରେଣୀରେ ବିଭକ୍ତ କରେ। ନିଜକୁ ଏକ ଜାତି ସହ ଚିହ୍ନିତ କରିବା ଓ କେବଳ ନିଜ ଜାତିର ସ୍ବାର୍ଥକୁ ଆଗେଇ ନେବାକୁ ଜାତୀୟତାବାଦ ଗୁରୁତ୍ୱ ଦିଏ। ଜାତୀୟତାବାଦ ଦେଶ ପ୍ରେମଠାରୁ ଭିନ୍ନ। ଏକ ନିର୍ଦ୍ଦିଷ୍ଟ ଦେଶକୁ ଭଲ ପାଇବା ଓ ତା’ର ଜୀବନଶୈଳୀକୁ ସର୍ବୋତ୍କୃଷ୍ଟ ମଣିବା ହେଉଛି ଦେଶପ୍ରେମ। ମାତ୍ର ଏହି ପ୍ରେମକୁ ଅନ୍ୟ ଦେଶବାସୀଙ୍କ ଉପରେ ଲଦିଦେବା ଦେଶପ୍ରେମର ଉଦ୍ଦେଶ୍ୟ ନୁହେଁ। ଅପରପକ୍ଷରେ ଜାତୀୟତାବାଦ କ୍ଷମତାକାଂକ୍ଷା ସହିତ ଜଡ଼ିତ ଥାଏ। ନିଜ ପାଇଁ ନୁହେଁ, ତା’ର ଜାତି ପାଇଁ ଅଧିକରୁ ଅଧିକ କ୍ଷମତା ଓ ସମ୍ମାନ ଲାଭ କରିବା ପାଇଁ ଚେଷ୍ଟିତ ହେବା ହେଉଛି ଜାତୀୟତାବାଦୀର ମୂଳ ଲକ୍ଷ୍ୟ। ନିଜ ଜାତି ବା ଦେଶକୁ ଭଲ ପାଇବା ଭଲ କଥା, ମାତ୍ର ମୋ ଜାତି ପୃଥିବୀର ସର୍ବଶ୍ରେଷ୍ଠ ଜାତି ଓ ଅନ୍ୟମାନେ ସମସ୍ତେ ନିକୃଷ୍ଟ ଭାବିବା ହେଉଛି ଉଗ୍ର ଜାତୀୟତାବାଦ। ଏହି ଉଗ୍ରଜାତୀୟତାବାଦରୁ ଜନ୍ମ ନେଇଥିଲା ପ୍ରଥମ ବିଶ୍ୱଯୁଦ୍ଧ। ଗ୍ରୀକ୍‌ମାନେ ଗର୍ବ କଲେ ଯେ ଇଉରୋପୀୟ ସଭ୍ୟତାର ଆଜି ଭୂମି ହେଉଛି ଗ୍ରୀସ୍‌। ଇଟାଲୀୟମାନେ ଅତୀତକାଳର ରୋମ୍‌ ସାମ୍ରାଜ୍ୟର ଗୌରବ ଓ ବିଭବ ବିଷୟରେ ଗର୍ବିତ ହେଲେ। ଫରାସୀ ଜାତି ଫରାସୀ ରାଷ୍ଟ୍ରବିପ୍ଳବ ଓ ନେପୋଲିଅନ ବୋନାପାର୍ଟଙ୍କ ଦିଗ୍‌ବିଜୟକୁ ନେଇ ନିଜକୁ ମହାନ୍‌ ଭାବିଲେ। ରୁଷୀୟମାନେ ସେମାନଙ୍କ ସାମ୍ରାଜ୍ୟକୁ ପୃଥିବୀର ବୃହତ୍ତମ ଶକ୍ତି ବୋଲି ବିବେଚନା କଲେ। ଇଂରେଜମାନେ ଆସ୍ଫାଳନ କଲେ ଯେ ବ୍ରିଟିଶ ସାମ୍ରାଜ୍ୟରେ ସୂର୍ଯ୍ୟ ଅସ୍ତମିତ ହୁଏ ନାହିଁ। ଏହିଭଳି ଚିନ୍ତାରୁ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଈର୍ଷାଭାବ ବଢ଼ିଲା। ଫଳରେ ଜାତୀୟତା ଉଗ୍ରରୂପ ଧାରଣ କଲା। ତଦ୍ଦ୍ବାରା ଦେଶ ଦେଶ ମଧ୍ୟରେ କ୍ଷମତା ବୃଦ୍ଧି ପାଇଁ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହେଲା। ତା’ର ପରିଣତି ହେଲା ପ୍ରଥମ ବିଶ୍ୱଯୁଦ୍ଧ। ଶାନ୍ତିପୂର୍ଣ୍ଣ ସହାବସ୍ଥାନ ମଣିଷର ଲକ୍ଷ୍ୟ। ମାତ୍ର ଜାତୀୟତାବାଦ ଅଫିମ ଭଳି ମଣିଷକୁ ବାଉଳା କଲା ଓ ତା’ର ପରିଣତି ହେଲା ହିଂସା ଓ ରକ୍ତପାତ।
କ୍ଷମତା ମଧ୍ୟ ଅଫିମ ଭଳି ଏକ ନିଶା। ଏହା ବେଳେ ବେଳେ ମଣିଷକୁ ବକୃତ କରିଦିଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ବନ୍ଦୀ ଶିବିରଗୁଡ଼ିକରେ ଅସହାୟ ନରନାରୀମାନଙ୍କୁ ଯେପରି କଲବଲ କରି ମରାଗଲା ତାକୁ ପୈଶାଚିକ ଆଚରଣ ଛଡ଼ା ଆଉ କିଛି କୁହାଯାଇ ନ ପାରେ। ମଣିଷର କ୍ଷମତାଲିପ୍‌ସା ଯେତେବେଳେ ଅହମିକା ପ୍ରଣୋଦିତ ହୁଏ ସେତେବେଳେ ତା’ର ପରିଣତି ଅତ୍ୟନ୍ତ ଭୟାବହ ହୁଏ। ମଣିଷ ଥରେ କ୍ଷମତା ନିଶାସକ୍ତ ହେଲେ ଆଉ କ୍ଷମତାକୁ ଛାଡ଼ି କେବେ ରହି ପାରେ ନାହିଁ। ସେଥିପାଇଁ ଆଜିକାଲି ରାଜନୈତିକ ନେତାମାନେ ଥରେ କ୍ଷମତା ସ୍ବାଦ ଚାଖିଲା ପରେ ଆଉ ଥରେ ସେହି ପଦ ହରାଇବାକୁ ଚାହାନ୍ତି ନାହିଁ। ପୁଣି କ୍ଷମତାସୀନ ହେବା ପାଇଁ ସେମାନେ ଭୋଟରମାନଙ୍କୁ ଅର୍ଥ ଉପହାର ଓ ମଦ ଦେଇ ନିର୍ବାଚନ ଜିଣିବାକୁ ଅକ୍ଳାନ୍ତ ଚେଷ୍ଟା କରନ୍ତି। କ୍ଷମତା-ଅଫିମ ଖାଇ ସେମାନେ ଏତେ ମତ୍ତ ହୋଇଯାଆନ୍ତି ଯେ କ୍ଷମତାକୁ ଯେ କୌଣସି ପ୍ରକାରେ ବଜାୟ ରଖିବା ସେମାନଙ୍କ ଧର୍ମ ହୋଇଯାଏ। ଏହା ହିଁ ଆଜିର ବାସ୍ତବତା। ଆଜି କେବଳ ଧର୍ମ ଅଫିମ ହୋଇନାହିଁ, ଅଫିମ ମଧ୍ୟ ଧର୍ମ ହୋଇଯାଇଛି।
ପ୍ରାକ୍ତନ କଲେଜ ଅଧ୍ୟକ୍ଷ
ଟିଟିଲାଗଡ଼, ମୋ: ୯୪୩୭୩୨୯୨୬୩

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.