ପଞ୍ଚାୟତ ନିର୍ବାଚନ ବିଳମ୍ବ ହେବା ଆଶଙ୍କା

ଭୁବନେଶ୍ୱର,୧୬ା୬(ବ୍ୟୁରୋ): ପୌର ନିର୍ବାଚନ ଭଳି ପଞ୍ଚାୟତ ନିର୍ବାଚନ ମଧ୍ୟ ବିଳମ୍ବ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି। ୨୦୨୨ ଫେବୃୟାରୀରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ରାଜ୍ୟ ସରକାର ଓ୍ବାର୍ଡ ପୁନର୍ଗଠନ ଓ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କରିବା କଥା। ଏ ପର୍ଯ୍ୟନ୍ତ ସେ ନେଇ କୌଣସି କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ପାରିନାହିଁ।
ପଞ୍ଚାୟତ ନିର୍ବାଚନ ସମ୍ପନ୍ନ କରିବା ରାଜ୍ୟ ନିର୍ବାଚନ କମିଶନଙ୍କ ଦାୟିତ୍ୱ। ଓ୍ବାର୍ଡ ପୁନର୍ଗଠନ ଓ ସ୍ଥାନ ସଂରକ୍ଷଣ କାର୍ଯ୍ୟ ୨୦୨୧ ଏପ୍ରିଲ ସୁଦ୍ଧା ଶେଷ କରିବାକୁ କମିଶନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ୨୦୨୧ ଜାନୁୟାରୀ ଓ ମାର୍ଚ୍ଚରେ ଦୁଇଟି ଚିଠି ଲେଖିଥିଲେ। ତେବେ ବିଭାଗ ପକ୍ଷରୁ ଏ ନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପଞ୍ଚାୟତ ନିର୍ବାଚନ ନେଇ ଜିଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ନ ଦେଲେ ନିର୍ଦ୍ଧାରିତ ସମୟରେ ନିର୍ବାଚନ ଶେଷ କରିବା ସମ୍ଭବ ହେବ ନାହିଁ ବୋଲି କମିଶନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ୨୦୧୭ରେ ହୋଇଥିବା ପଞ୍ଚାୟତ ନିର୍ବାଚନ ବେଳେ ରାଜ୍ୟ ସରକାର ଓ୍ବାର୍ଡ ପୁନର୍ଗଠନ କାର୍ଯ୍ୟ ଓ ସ୍ଥାନ ସଂରକ୍ଷଣ ଇତ୍ୟାଦି ଦେଢ଼ମାସ ଭିତରେ ଶେଷ କରିଥିଲେ।
ପଞ୍ଚାୟତ ନିର୍ବାଚନକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ଗତ ଅଢ଼େଇ ବର୍ଷ ହେବ ରାଜ୍ୟ ସରକାର ପୌର ନିର୍ବାଚନ ଖୁବ୍‌ଶୀଘ୍ର ହେବ ବୋଲି କହି ଆସୁଛନ୍ତି। ତେବେ ଏ ପର୍ଯ୍ୟନ୍ତ ନିର୍ବାଚନ ହୋଇପାରିଲା ନାହିଁ। ପୌର ନିର୍ବାଚନ ଭଳି ପଞ୍ଚାୟତ ନିର୍ବାଚନକୁ ନ ଗଡ଼େଇ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରିବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେହିପରି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ହାରିଯିବା ଭୟରେ ରାଜ୍ୟ ସରକାର ନିର୍ବାଚନ କରିବାକୁ ଚାହୁନାହାନ୍ତି। ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ ଆଇନ ଅନୁଯାୟୀ ସରକାର ପଦକ୍ଷେପ ନେବେ।
ରାଜ୍ୟ ସରକାର ଗତ ଦୁଇ ବର୍ଷ ହେବ ପୌର ନିର୍ବାଚନ ନ କରି ଝୁଲାଇ ରଖିଛନ୍ତି। ଓ୍ବାର୍ଡ ପୁନର୍ଗଠନ ଓ ସ୍ଥାନ ସଂରକ୍ଷଣ ନେଇ ଆଇନରେ ସଂଶୋଧନ କରୁ ନ ଥିବାରୁ ଏହା ବିଳମ୍ବ ହୋଇଚାଲିଛି। ପୌର ନିର୍ବାଚନରେ ଏସ୍‌ସି,ଏସ୍‌ଟି ଏବଂ ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣ ସକାଶେ ଓଡ଼ିଶା ମ୍ୟୁନିସିପାଲ୍‌ ଆଇନ-୧୯୫୦ ଏବଂ ଓଡ଼ିଶା ମହାନଗର ନିଗମ ଆଇନ-୨୦୦୩ରେ ଆବଶ୍ୟକ ସଂଶୋଧନ କରିବାକୁ ହେବ।
ଉଲ୍ଲେଖଯୋଗ୍ୟ ଅଣଅନୁସୂଚିତ ଅଞ୍ଚଳରେ ଏସ୍‌ସି, ଏସ୍‌ଟି ଏବଂ ଓବିସିଙ୍କ ପାଇଁ ଥିବା ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ବୋଲି ୨୦୧୮ରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର କରାଯାଇଥିଲା। ହାଇକୋର୍ଟ ପୌର ନିର୍ବାଚନ ପ୍ରକ୍ରିୟା ଉପରେ ରୋକ୍‌ ଲଗାଇବା ସହ ଆଇନରେ ସଂଶୋଧନ ଆଣିବାକୁ ପରାମର୍ଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ୨୦୧୮ ସେପ୍ଟେମ୍ବରରେ ସୁପ୍ରିମକୋର୍ଟରେ ମାମଲା ଦାଏର କରିଥିଲେ। ତେବେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ। ଫଳରେ ରାଜ୍ୟ ସରକାର ପୌର ନିର୍ବାଚନ କରିବାରେ ସମର୍ଥ ହୋଇପାରି ନାହାନ୍ତି। ଆଇନରେ ସଂଶୋଧନ ଆଣିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରସ୍ତାବ ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିଧାନସଭାରେ ସଂଶୋଧନ ବିଧେୟକ ହୋଇପାରି ନାହିଁ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.