ପେଟେଣ୍ଟମୁକ୍ତ ଟିକା

ଡ. ନରେନ୍ଦ୍ର ସେଠୀ

ଟିକାକରଣ ଏକମାତ୍ର ଉପାୟ ଯାହା କରୋନା ମହାମାରୀ ସଙ୍କଟରୁ ଉଦ୍ଧାର କରିପାରିବ। ଯଦି ଦ୍ରୁତ ଗତିରେ ଟିକାକରଣ ନ ହୁଏ, ତା’ହଲେ କେତେ ମାନବ ଜୀବନ ହାନି ହେବ ତାହା କଳ୍ପନା ବାହାରେ। ସୂଚନାଯୋଗ୍ୟ, ଏହି ମହାମାରୀ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ତିରିଶ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି। ଏଭଳି ପରିସ୍ଥିତିରେ ଦ୍ରୁତ ଟିକାକରଣରେ ବାଧା ଉପୁଜିଛି। ଟିକାର ଅଭାବ ଦେଖାଦେଇଛି। ଆବଶ୍ୟକ ପରିମାଣର ଟିକା ତିଆରି ହୋଇ ଲୋକମାନଙ୍କ ପାଖରେ ପହଞ୍ଚତ୍ ପାରୁନାହିଁ। ଏହାର ଏକମାତ୍ର କାରଣ ହେଲା କିଛି ହାତଗଣତି ଲୋକଙ୍କ ପାଖରେ ଟିକା ତିଆରି କରିବାର ଗୁପ୍ତ ଜ୍ଞାନ କୌଶଳ ଅଛି। ତେଣୁ ଯୋଉ କେତୋଟି ଟିକା ତିଆରି କରିବା କମ୍ପାନୀ ଟିକା ପ୍ରସ୍ତୁତ କରୁଛନ୍ତି, ତାହା ଯଥେଷ୍ଟ ହେଉ ନାହିଁ। ଏହି କାରଣ ଯୋଗୁ ଉଭୟ ଭାରତ ଓ ଦକ୍ଷିଣ ଆମେରିକା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପାଖରେ ଟିକାର ଜ୍ଞାନ କୌଶଳକୁ ପେଟେଣ୍ଟମୁକ୍ତ କରିବାକୁ ଆଗ୍ରହ କରିଥିଲେ। ଏହାକୁ ଷାଠିଏରୁ ଅଧିକ ରାଷ୍ଟ୍ର ସମର୍ଥନ କରିଥିଲେ। ମାତ୍ର ୟୁରୋପୀୟାନ ୟୁନିୟନ ଏହାର ଘୋର ବିରୋଧ କରିଥିଲା। ସୂଚନାଯୋଗ୍ୟ, ବର୍ତ୍ତମାନ ଆମେରିକା ପ୍ରଶାସନ ଭାରତର ଏହି ଦାବିକୁ ସମର୍ଥନ କରି ଏକ ଐତିହାସିକ ନିର୍ଣ୍ଣୟ ନେଇଛି। ଯଦି ଏହା କାର୍ଯ୍ୟକାରୀ ହୁଏ, ତାହାଲେ ଅନେକ କମ୍ପାନୀ ଟିକା ତିଆରି କରିବେ ଓ ଏହା ଅତି ଶସ୍ତା ଓ ଦ୍ରୁତ ଗତିରେ ଲୋକମାନଙ୍କ ପାଖରେ ପହଞ୍ଚିବ। ଫଳରେ ମାନବ ସଭ୍ୟତା ଉପରେ ଦେଖାଦେଇଥିବା ଏହି ମହାସଙ୍କଟକୁ ନିଶ୍ଚିତ ସାମ୍ନା କରିବାକୁ ସହଜ ହେବ।
ପେଟେଣ୍ଟ ବା ବୌଦ୍ଧିକ ସମ୍ପଦ ଅଧିକାର ଉଠେଇନେଲେ ଏହା କିପରି ମାନବ କଲ୍ୟାଣରେ ଲାଗେ, ତାହାର ଏକ ବଳିଷ୍ଠ ଉଦାହରଣ ଅତୀତରେ ବହୁରାଷ୍ଟ୍ରୀୟ ଭାରତୀୟ ଔଷଧ ତିଆରି କମ୍ପାନୀ ସିପ୍‌ଲା ପ୍ରଦର୍ଶନ କରିଥିଲା। ନବେ ଦଶକରେ ଦୁରାରୋଗ୍ୟ ଏଡ୍‌ସ ପାଇଁ ଔଷଧ ୟୁରୋପୀୟ କମ୍ପାନୀଗୁଡ଼ିକ ଚଢ଼ା ଦରରେ ବିକ୍ରି କରୁଥିବା ବେଳେ ଭାରତୀୟ କମ୍ପାନୀ ସିପ୍‌ଲା ଆନ୍ତର୍ଜାତିକ ନିୟମ ଭଙ୍ଗ ନ କରି ଅତି ଶସ୍ତାରେ ଏଡ୍‌ସ ପାଇଁ ଔଷଧ ଉପଲବ୍ଧ କରି ଚହଳ ସୃଷ୍ଟି କରିଥିଲା, ଯାହା ବହୁତ ଆଫ୍ରିକୀୟ ଗରିବ ରାଷ୍ଟ୍ରକୁ ଏଡ୍‌ସର ମୁକାବିଲା କରିବା ପାଇଁ ସାହାଯ୍ୟ କରିଥିଲା। ୨୦୦୧ରେ ଆନ୍ଥ୍ରାକ୍ସ ମହାମାରୀ ବେଳେ କାନାଡ଼ା ସରକାର ବେୟାର କମ୍ପାନୀର ପେଟେଣ୍ଟ ଛଡ଼େଇ ନେବାକୁ ଧମକ ଦେଇଥିଲେ, ଯାହା ଫଳରେ ବେୟାର କମ୍ପାନୀ ବହୁମାତ୍ରାରେ ମୁକ୍ତରେ ଔଷଧ ଦାନ କରିଥିଲା। ଏକଥା ସତ ଯେ, କୌଣସି ବିଜ୍ଞାନ ଉଦ୍ଭାବନ ପେଟେଣ୍ଟ ହୋଇଥାଏ। ଏହା ଆନ୍ତର୍ଜାତିକ ନିୟମ ଅଧୀନସ୍ଥ ସୁରକ୍ଷାପ୍ରାପ୍ତ। ଏହା ଦ୍ୱାରା ତାକୁ ଅନ୍ୟ କୌଣସି କମ୍ପାନୀ ବା ବ୍ୟକ୍ତିବିଶେଷ କପି କରି ପାରନ୍ତି ନାହିଁ। କିନ୍ତୁ ଏବେ କରୋନା ଏକ ସାମାନ୍ୟ ସମସ୍ୟା ନୁହେଁ। କରୋନା ଭଳି ବେଶ୍ୱିିକ ମହାମାରୀ ବିରୋଧରେ ସାରା ମାନବ ସମାଜ ଲଢ଼େଇ କରୁଥିବା ବେଳେ ଏହି ପେଟେଣ୍ଟ ନିୟମକୁ ଡଷ୍ଟବିନରେ ଫିଙ୍ଗିଦେବା ଉଚିତ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଏଥିରେ ମୁଖ୍ୟ ଭୂମିକା ନେଇ ଆଗେଇ ଆସିବା ଉଚିତ। ତେବେ ବର୍ତ୍ତମାନ ଆମେରିକାର ଏହି ଘୋଷଣା ପରେ ସାରା ବିଶ୍ୱରେ ଆଲୋଡ଼ନ ଖେଳିଯାଇଛି। ଏହାର କାରଣ ହେଲା ବ୍ୟବହାର ନ କରି ଅନେକ ଟିକା ଆମେରିକା ଠୁଳ କରି ରଖିଚି ଓ ଏହି ଟିକାକୁ ତୁରନ୍ତ ଅନ୍ୟ ଦେଶକୁ ଦେବା ପାଇଁ ଆମେରିକା ଉପରେ ଚାପ ପଡୁଛି। କିନ୍ତୁ ଜର୍ମାନୀ ଓ ବ୍ରାଜିଲ ଭଳି ଦେଶ ଟିକାକୁ ପେଟେଣ୍ଟମୁକ୍ତ କରିବାର ବିରୋଧ କରିଛନ୍ତି। ଏପରିକି ଆମେରିକାର ପୂର୍ବତନ ରାଷ୍ଟ୍ରପତି କ୍ଲିଣ୍ଟନ ମଧ୍ୟ ଭାରତକୁ ଟିକା ପେଟେଣ୍ଟମୁକ୍ତ କରି ଦେବାକୁ ବିରୋଧ କରୁଛନ୍ତି। ତେବେ ବିଶ୍ୱ ବାଣିଜ୍ୟ ସଙ୍ଗଠନରେ ଏହା ଉପରେ ଆଲୋଚନା ହେବ। ଯେହେତୁ ବିଶ୍ୱ ବାଣିଜ୍ୟ ସଙ୍ଗଠନରେ ସବୁ ନିଷ୍ପତ୍ତି ସର୍ବସମ୍ମତିରେ ହେଇଥାଏ, ଏଥିପାଇଁ ସମୟ ଲାଗିପାରେ। କିନ୍ତୁ ପ୍ରଶ୍ନ ଉଠୁଛି ଯେ, ଏଥିମଧ୍ୟରେ ଅନେକ ଜୀବନ ହାନି ପାଇଁ କିଏ ଦାୟୀ ହେବ?
ଖୁସିର କଥା ହେଲା, ବିଶ୍ୱ ବାଣିଜ୍ୟ ସଙ୍ଗଠନର ୧୬୪ ଦେଶ ମଧ୍ୟରୁ ୧୨୦ ଦେଶ ଟିକାକୁ ପେଟେଣ୍ଟମୁକ୍ତ କରିବା ପାଇଁ ସମର୍ଥନ କରି ସାରିଲେଣି। ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱର ସର୍ବମୋଟ ଟିକା ଉତ୍ପାଦନର ଷାଠିଏ ଭାଗରୁ ଅଧିକ ଧନୀ ଦେଶ ନିଜ ପାଖରେ ଠୁଳ କରି ରଖିଛନ୍ତି, ଯାହାଙ୍କ ଲୋକସଂଖ୍ୟ ବିଶ୍ୱର ମାତ୍ର ଶତକଡ଼ା ଷୋହଳଭାଗ। ଯଦି ଜଣକୁ ଦୁଇଟି ଟିକା ଦିଆଯାଏ, ବିଶ୍ୱର ସତୁରି ପ୍ରତିଶତ ଲୋକଙ୍କ ଟିକାକରଣ ପାଇଁ ୧୧ ଶହ କୋଟି ଟିକା ଆବଶ୍ୟକ। ଏପର୍ଯ୍ୟନ୍ତ ୮୬୦ କୋଟି ଟିକା ପ୍ରସ୍ତୁତ ସରିଥିଲେ ମଧ୍ୟ ଏଥିମଧ୍ୟରୁ ୬ ଶହ କୋଟି ଟିକା ଧନୀ ରାଷ୍ଟ୍ରମାନେ ନେଇଯିବେ। ଅବଶିଷ୍ଟ ଟିକା ଗରିବ ରାଷ୍ଟ୍ରମାନେ, ଯିଏ କି ବିଶ୍ୱର ଅଶୀଭାଗ ଜନସଂଖ୍ୟା ଅଟନ୍ତି ପାଇବେ। ଏଭଳି ଅସନ୍ତୁଳିତ ଅବସ୍ଥାରେ ଟିକାକୁ ପେଟେଣ୍ଟମୁକ୍ତ କରିବା ଛଡ଼ା ଅନ୍ୟ ଉପାୟ ନାହିଁ। ଏହି କାରଣ ଯୋଗୁ ଶହେରୁ ଅଧିକ ଦେଶ ଭାରତ ନେତୃତ୍ୱରେ ଟିକାର ପେଟେଣ୍ଟମୁକ୍ତ ନିର୍ମାଣ ପାଇଁ ବିଶ୍ୱ ବାଣିଜ୍ୟ ସଂଗଠନ ପାଖରେ ଦାବି ଜଣେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅନେକ ଦୁରାରୋଗ୍ୟରୁ ରକ୍ଷା ପାଇଁ ପେନ୍‌ସିଲିନିର ଉତ୍ପାଦନ ପାଇଁ ଏହିଭଳି ପେଟେଣ୍ଟ ଉଠେଇ ଦିଆଯାଇଥିଲା। ଯଦିଓ ସବୁବେଳେ ପ୍ରତିଦ୍ବନ୍ଦ୍ୱିତା ଗବେଷଣା ଓ ନୂତନ ଆବିଷ୍କାର ପାଇଁ ସହାୟକ ହେଇଥାଏ। କିନ୍ତୁ ଏମିତି ବି ସମୟ ଥାଏ, ଯେତେବେଳେ ବୃହତ୍‌ ମାନବ କଲ୍ୟାଣ ପାଇଁ ଏହାକୁ ପଛ କରି ଦିଆଯାଇପାରେ। ତେଣୁ କରୋନା ଟିକା ନିର୍ମାଣ ଜ୍ଞାନ କୌଶଳକୁ ତୁରନ୍ତ ପେଟେଣ୍ଟମୁକ୍ତ କରାଯାଇ ମାନବ ଅସ୍ତିତ୍ୱକୁ ରକ୍ଷା କରାଯାଉ। ଫଳରେ ଟିକା ନିର୍ମାଣ ଯୁଦ୍ଧକାଳୀନ ଭିତ୍ତିରେ ଅନେକ ଦେଶରେ ତିଆରି ହେବ ଓ କରୋନା ମହାମାରୀ କବଳରୁ ସାରା ବିଶ୍ୱ ରକ୍ଷାପାଇବ, ଏଥିରେ ସନ୍ଦେହ ନାହିଁ। ଭାରତ ଛଡ଼ା ଫିଲିପାଇନ୍ସ, ଇଣ୍ଡୋନେସିଆ ଓ ତାଇୱାନ ପ୍ରଭୃତି ଅନେକ ଦେଶ ପାଖରେ ଟିକା ତିଆରି କରିବା ପାଇଁ ଯଥେଷ୍ଟ ଆନୁଷଙ୍ଗିକ ଭିତ୍ତିଭୂମି ଅଛି, ଯାହା ଏଥିପାଇଁ ସହାୟକ ହେବ । ସାରା ବିଶ୍ୱ ବର୍ତ୍ତମାନ ପରିସ୍ଥିତିରେ ଏକଜୁଟ ହୋଇ ଏଥିପାଇଁ ଆଗେଇ ଆସିବା ଉଚିତ। ତେବେ ଭାରତ ଏହାକୁ ଅପେକ୍ଷା ନ କରି ନିଜର ବୃହତ୍‌ ମାନବ ସମ୍ବଳକୁ ରକ୍ଷା କରିବା ପାଇଁ ଦ୍ରୁତ ଟିକାକରଣ ପ୍ରକ୍ରିୟାକୁ ଆହୁରି ଦ୍ରୁତ କରିବା ଉଚିତ।
ଯାଦୁଗୁଡା, ପଶ୍ଚିମ ସିଂହଭୂମ, ଝାଡ଼ଖଣ୍ଡ
ମୋ: ୭୦୦୪୦୬୮୧୧୦

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.