ଦେବାଶିଷଙ୍କୁ ଝୁରୁଛି ଜନ୍ମମାଟି

ବାଲେଶ୍ୱର ଅଫିସ/ସଜନାଗଡ଼, ୨୦।୬(ଡି.ଏନ.ଏ.)- ବରିଷ୍ଠ ଆଇପିଏସ୍‌ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଡ. ଦେବାଶିଷ ପାଣିଗ୍ରାହୀଙ୍କ ଅକାଳ ବିୟୋଗରେ ଜନ୍ମମାଟି ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସି ଅଧୀନ ସାନଅତା ଗ୍ରାମ ସ୍ତବ୍ଧ ପାଲଟିଯାଇଛି। ୧୯୬୫ ଅଗଷ୍ଟ ୨୯ରେ ଜନ୍ମିତ ସ୍ବର୍ଗତ ବୃନ୍ଦାବନ ପାଣିଗ୍ରାହୀଙ୍କ ୪ର୍ଥ ସନ୍ତାନ ଦେବାଶିଷ ପିଲାବେଳୁ ମେଧାବୀ ଥିଲେ। ପାଠପଢା ବ୍ୟତୀତ ତବଲା ବଜାଇବା, ରଚନା ଲେଖିବା, ବକ୍ତୃତା, ଅଭିନୟ ଆଦି କ୍ଷେତ୍ରରେ ସେ ଆଗଭର ଥିଲେ। ଏଭଳି ସୁଯୋଗ୍ୟ ସନ୍ତାନକୁ ହରାଇ ଆଜି ଝୁରୁଛି ଜନ୍ମମାଟି।
ନୀଳଗିରିରୁ ଆରମ୍ଭ ହୋଇଥିଲା ତାଙ୍କର ଶିକ୍ଷା ଜୀବନ । ସାନଅତା ପ୍ରାଥମିକ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ପରେ କୈଳାସ ଚନ୍ଦ୍ର ହାଇସ୍କୁଲରୁ ୧୯୮୧ରେ ଦଶମ ପାସ୍‌ କରିଥିଲେ। ପରେ ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟରେ ଇଣ୍ଟରମେଡିଏଟ୍‌, ରେଭେନ୍ସା କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷାପରେ ଦିଲ୍ଲୀର ଜେଏନ୍‌ୟୁରେ ଏମ୍‌ଫିଲ୍‌ ଓ ପିଏଚ୍‌ଡ଼ି କରିଥିଲେ। ୧୯୯୧ରେ ଭାରତୀୟ ପୋଲିସ ସେବାରେ (ଆଇପିଏସ୍‌) ଯୋଗ ଦେଇଥିଲେ। ବିଭିନ୍ନ ପଦପଦବୀରେ ନିଜ ଦକ୍ଷତା ପ୍ରତିପାଦିତ କରିଥିବା ଦେବାଶିଷ ୨୦୧୭ରୁ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଆସୁଥିଲେ।
ସାହିତ୍ୟ କ୍ଷେତ୍ରରେ ତାଙ୍କର ଥିଲା ଗଭୀର ଅନୁଶୀଳନ। ଓଡ଼ିଆ ଓ ଇଂରାଜୀ ଭାଷାରେ ୯ଟି କ୍ଷୁଦ୍ର ଗଳ୍ପ ସଂକଳନ, ୭ଟି ଉପନ୍ୟାସ ଓ ଅନେକ ଗୀତି କବିତା ରଚନା କରିଯାଇଛନ୍ତି। ତାଙ୍କ ଗୀତିକବିତାକୁ ନେଇ ଅନେକ ଭିଡ଼ିଓ ଏବଂ ଆଲବମ୍‌ ମଧ୍ୟ ପ୍ରସ୍ତୁତ ହୋଇଛି। ସେଥିମଧ୍ୟରୁ ଜହ୍ନରାତି ବେଶ୍‌ ଲୋକପ୍ରିୟ। ୨୦୦୨ରେ ଗଳ୍ପ ପାଇଁ ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ତଥା ସମ୍ବର୍ଦ୍ଧିତ ହୋଇଥିଲେ। ତାଙ୍କର ପୁସ୍ତକ ‘ଥିଙ୍ଗ୍‌ସ ଲେଫ୍‌ଟ ଅନସେଡ୍‌’ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଲେଖକ ରସ୍କିନ୍‌ ବଣ୍ଡ୍‌ ଏବଂ ମନୋଜ ଦାସଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା।
ସହପାଠୀ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ କହିଛନ୍ତି, ନୀଳଗିରି ମାଟି ତା’ର ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଛି। ସେ ଜଣେ ସଫଳ ଲେଖକ ଓ ଦୟାଳୁ ମଣିଷ ଥିଲେ। କେସି ହାଇସ୍କୁଲରେ ପଢ଼ିବା ବେଳେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ଥିଲେ ଆଇନ୍‌ଜୀବୀ ସୂର୍ଯ୍ୟନାରାୟଣ ଆଇଚ। ସେ କୁହନ୍ତି, ମୃତ୍ୟୁର ମାସକ ପୂର୍ବରୁ ସେ ଦେବାଶିଷଙ୍କ ସହ କଥା ହୋଇଥିଲେ। ତାଙ୍କ ଭଳି ବନ୍ଧୁ ମିଳିବା ବିରଳ। ସ୍କୁଲ ଜୀବନରୁ ଆରମ୍ଭ କରି ଭିଜିଲାନ୍ସ ନିର୍ଦ୍ଦେଶକ ହେବା ପର୍ଯ୍ୟନ୍ତ କୌଣସି ସମୟରେ ଫୋନ୍‌ କଲେ ସେ ସଙ୍ଗେ ସଙ୍ଗେ ପ୍ରତ୍ୟୁତ୍ତର ଦେବା ସହ ଅନ୍ୟ ସାଙ୍ଗମାନଙ୍କ ବିଷୟରେ ମଧ୍ୟ ପଚାରିଥାନ୍ତି। ତାଙ୍କୁ ହରାଇ ସାଙ୍ଗ ମୃତ୍ୟୁଞ୍ଜୟ ଦାସ, ବିନୋଦ ମହାପାତ୍ର, ଜୀବନ ମହାପାତ୍ର, ଦୀପକ ଜେନା, ରାମକୃଷ୍ଣ ଜେନା, ହରିହର ନାୟକ, ରାଜେଶ ମହାନ୍ତି, ଚିତ୍ତରଞ୍ଜନ ଜେନା ପ୍ରମୁଖ ଦୁଃଖରେ ଭାଙ୍ଗିପଡିଛନ୍ତି।
କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ମୃତ୍ୟୁ ଖବର ପାଇ ମର୍ମାହତ ହେବା ସହ ତାଙ୍କ ଅମର ଆମତ୍ାର ସଦ୍‌ଗତି କାମନା କରି ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ କହିଛନ୍ତି, ନୀଳଗିରି ମାଟି ଜଣେ ବରପୁତ୍ରକୁ ହରାଇଲା। ଏଭଳି କଠିନ ସମୟରେ ସମ୍ମୁଖୀନ ହେବାକୁ ଠାକୁରେ ତାଙ୍କ ପରିବାରକୁ ଶକ୍ତି ପ୍ରଦାନ କରନ୍ତୁ।
ଡ. ପାଣିଗ୍ରାହୀ ପରିବାରଙ୍କର ସଜନାଗଡ଼ ମା’ ଭୂଧାରଚଣ୍ଡୀ ଦେବୀଙ୍କ ଉପରେ ଦୃଢ଼ ବିଶ୍ୱାସ ରହିଥିଲା ଏବଂ ସେମାନେ ମନ୍ଦିର ସହ ଜଡ଼ିତ ଥିଲେ। ତାଙ୍କ ମରଶରୀର କଲିକତାରୁ ଫେରିବା ବେଳେ ଶନିବାର ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ସ୍ଥିତ ବାମପଦା ଛକରେ ଜିଲା ଭିଜିଲାନ୍ସ ଏସ୍‌ପି ସନ୍ତୋଷ କୁମାର ମିଶ୍ରଙ୍କ ନେତୃତ୍ୱରେ ସମସ୍ତ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଶେଷ ଦର୍ଶନ କରିବା ସହ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.