ପାଣି ପିଇ ହେଉନି, ଖାଦ୍ୟ ରୁଚୁନି: ଲୁଣିପାଣି କବଳରେ ବ୍ରାହ୍ମଣୀ, ବିରୂପା ଓ ଗେଙ୍ଗୁଟି ଦ୍ୱୀପାଞ୍ଚଳ

ଯାଜପୁର ଅଫିସ/ବରୀ(ଡି.ଏନ.ଏ.),୬।୬: ଯାଜପୁର ଜିଲା ବରୀ ବ୍ଲକର ବ୍ରାହ୍ମଣୀ, ବିରୂପା ଓ ଗେଙ୍ଗୁଟି ଦ୍ୱୀପାଞ୍ଚଳରେ ମାଟି ଅଳ୍ପ ଖୋଳିଲେ ବାହାରୁଛି ଲୁଣି ପାଣି। ସେହି ପାଣି ପିଇ ହେଉନି କି ଏଥିରେ ରାନ୍ଧିଲେ ଖାଦ୍ୟ ରୁଚୁନି। ଫଳରେ ଏହି ବ୍ଲକର ରତ୍ନଗିରି, ମନ୍ଦାରୀ, ଅମଠପୁର ଓ ସେରପୁର ପଞ୍ଚାୟତର ପ୍ରାୟ ୪୦ ହଜାର ଲୋକ ସ୍ବଚ୍ଛ ପାଣି ପାଇବାରୁ ବଞ୍ଚିତ ରହୁଛନ୍ତି। ଏପରିକି ଲୁଣିପାଣି ଯୋଗୁ ଶତାଧିକ ହେକ୍ଟର ଚାଷଜମି ପଡ଼ିଆ ପଡୁଛି।
ମନ୍ଦାରୀ ପଞ୍ଚାୟତର ବେଞ୍ଜେରାପୁରରେ ୨୦୦ ଫୁଟ୍‌ର ଉଠାଜଳସେଚନ ପ୍ରକଳ୍ପ ନିମନ୍ତେ ହୋଇଥିବା ସର୍ଭେରୁ ଲୁଣିପାଣି ବାହାରିବା ଜଣାପଡ଼ିଛି। ତେଣୁ ୭୫୦ ଫୁଟ୍‌ ପର୍ଯ୍ୟନ୍ତ ଖନନ ହେଲେ ଭଲ ପାଣି ବାହାରିବ ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତି। ଏହି ମର୍ମରେ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ, ଜଳସେଚନ ମନ୍ତ୍ରୀ ଓ ସଚିବ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗୀୟ ଅଧିକାରୀ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି। ଏପରି କି ଗତ ବିଧାନସଭା ଅଧିବେଶନରେ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ଏନେଇ ପ୍ରଶ୍ନ ମଧ୍ୟ କରିଛନ୍ତି। କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ଦାବି ଉପରେ କେହି ଦୃଷ୍ଟି ଦେଉ ନ ଥିବାରୁ ଅଞ୍ଚଳବାସୀ ସ୍ବଚ୍ଛ ପାଣି ନ ପାଇ ଫ୍ଲୋରାଇଡ୍‌ କବଳରେ ଘାଣ୍ଟି ହେଉଛନ୍ତି।
ବରୀ ବ୍ଲକର ଅଣିକଣା ଓ ମନ୍ଦାରି ରାଜସ୍ବ ଗ୍ରାମରେ ବିଭିନ୍ନ ଯୋଜନାରେ ୨୦୦ ଫୁଟ୍‌ ଲେଖାଏ ୧୦ରୁ ଊର୍ଦ୍ଧ୍ୱ ବୋର୍‌ୱେଲ ଖନନ ହୋଇଛି। ହେଲେ ସେଥିରୁ ବାହାରୁଥିବା ପାଣି ଚାଷ ଉପଯୋଗୀ ହେଉନାହିଁ। ଫଳରେ ଚାଷୀ ବିଭିନ୍ନ ଚାଷ କରିବାରୁ ବଞ୍ଚିତ ରହୁଛନ୍ତି। ଚାଷୀ ରଘୁନାଥ ଜେନା, ବିଷ୍ଣୁଚରଣ ଜେନା, ଶ୍ୟାମସୁନ୍ଦର ଜେନା ପ୍ରମୁଖ କହିଛନ୍ତି, ଏହି ଅଞ୍ଚଳରେ ଜଳସମ୍ପଦ ବିଭାଗ ତରଫରୁ ଗଭୀର ନଳକୂପ ଖନନ କରାଯାଇ ମଧୁର ଜଳ ପାଇଁ ବ୍ୟବସ୍ଥା କରାଗଲେ ପଡ଼ିଆ ରହୁଥିବା ଶତାଧିକ ହେକ୍ଟର ଜମିରେ ଚାଷ କରାଯାଇ ପାରନ୍ତା। ବିଶେଷକରି ଏହି ଅଞ୍ଚଳରେ ଅଧିକ ପନିପରିବା ଚାଷ ହେଉଥିବାରୁ ଚାଷୀ ଉପକୃତ ହୋଇପାରନ୍ତେ। ଅନ୍ୟପକ୍ଷରେ ପାନୀୟ ଜଳ ସମସ୍ୟା ମଧ୍ୟ ଏଠାରେ ଉତ୍କଟ। ପଟଣା ଏବଂ ରତ୍ନଗିରିଠାରେ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ରହିଛି। ହେଲେ ରାଉତପୁର ଗ୍ରାମବାସୀ ଉକ୍ତ ପ୍ରକଳ୍ପରୁ ପାଉଥିବା ପାଣି ଲୁଣିଆ ଲାଗୁଥିବା କହିିଛନ୍ତି। ଅଞ୍ଚଳରେ ଥିବା ନଳକୂପଗୁଡିକରୁ ମଧ୍ୟ ଲୁଣିଆ ପାଣି ବାହାରୁଛି। ଆବଶ୍ୟକ ବିଶୋଧନ ଯନ୍ତ୍ର ଲଗାଯାଇ ନ ଥିବାରୁ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ପାଣିରେ ରାନ୍ଧିଲେ ଖାଦ୍ୟର ପ୍ରକୃତ ସ୍ବାଦ ମିଳି ପାରୁନାହିଁ। ପଞ୍ଚାୟତବାସୀଙ୍କ ପାଇଁ ଏହା ଏକ ଗୁରୁତର ସମସ୍ୟା ହୋଇଥିଲେ ହେଁ ଜିଲା ପ୍ରଶାସନ ହାଲୁକା ଭାବେ ଗ୍ରହଣ କରି ଆସୁଛି। ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରା ନ ଗଲେ ଫ୍ଲୋରାଇଡ୍‌ ମିଶ୍ରିତ ପାଣି ପିଇ ଲୋକେ ଅଧିକ ରୋଗାକ୍ରାନ୍ତ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏ ସଂକ୍ରାନ୍ତରେ ଯାଜପୁର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ମୋତିଲାଲ ତିୱାରୀଙ୍କ ମୋବାଇଲ ଫୋନ ବନ୍ଦ ଥିବାରୁ ମତାମତ ନିଆଯାଇ ପାରିନାହିଁ। ସ୍ଥାନୀୟ ବାସିନ୍ଦା ଦେବସ୍ମିତା ବେହୁରିଆ କହନ୍ତି, ସମୁଦ୍ରକୂଳକୁ ଏହି ଅଞ୍ଚଳର ଦୂରତା ଆକାଶ ମାର୍ଗରେ ମାତ୍ର ୨୦ରୁ ୨୫ କିମି ଦୂରହେବ। ସେଥିପାଇଁ କମ୍‌ ଗଭୀର ଖନନ କରାଗଲେ ଲୁଣି ପାଣି ବାହାରୁଛି। ପାଇପ୍‌ ଜଳଯୋଗାଣ ପ୍ରକଳ୍ପରେ ମଧ୍ୟ କେତେକ ସ୍ଥାନରେ ପାଣି ଲୁଣିଆ ଲାଗୁଛି। ଏଥିପାଇଁ ରାଜ୍ୟ ସରକାର ଯେଉଁଭଳି ପଦକ୍ଷେପ ନେବା କଥା ତାହା ସମୁଦ୍ରକୁ ଶଙ୍ଖେ। ଜଳସେଚନ ବିଭାଗର ଅବହେଳା ଯୋଗୁ ଚାଷୀଙ୍କ ଅଧିକାଂଶ ଜମି ପଡ଼ିଆ ପଡୁଛି ବୋଲି ବେହୁରିଆ କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.