ଏଲୋପାଥି ଉପରେ ଆକ୍ରମଣର ନିହିତାର୍ଥ

ଭାଲଚନ୍ଦ୍ର ଷଡ଼ଙ୍ଗୀ

ନିକଟରେ ଆଧୁନିକ ଚିକିତ୍ସା ବିଜ୍ଞାନ ବା ଏଲୋପାଥି ଉପରେ ଯୋଗଗୁରୁ ରାମଦେବଙ୍କ ଦାୟିତ୍ୱହୀନ ମନ୍ତବ୍ୟକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି। ନିଜର ଏକ ଯୋଗ ଶିବିରରେ ରାମଦେବ ଏଲୋପାଥିକୁ ଏକ ତମାସା, ଫାଲ୍‌ତୁ ଓ ଦେବାଳିଆ ବିଜ୍ଞାନ କହି ବର୍ତ୍ତମାନ କରୋନାରେ ଯେତିକି ମରୁନାହାନ୍ତି, ତା’ଠାରୁ ଢେର ଅଧିକ ଏଲୋପାଥି ଚିକିତ୍ସା ଯୋଗୁ ପ୍ରାଣ ହରାଇଛନ୍ତି ବୋଲି କହିଛନ୍ତି। ଅନ୍ୟ ଏକ ଭିଡିଓରେ ସେ ଡାକ୍ତରମାନଙ୍କୁ ବିଦ୍ରୂପ କରି ଡାକ୍ତର..ଟର୍‌…ଟର୍‌…ଟର୍‌.. ବୋଲି କହିବା ସହ କରୋନା ଟିକାର ଉଭୟ ଡୋଜ୍‌ ନେଇସାରିବା ପରେ ବି ଏଯାଏଁ ଦଶ ହଜାର ଡାକ୍ତର ମରିଛନ୍ତି ବୋଲି କହିଛନ୍ତି। ଅତ୍ୟନ୍ତ ସମ୍ବେଦନହୀନ ମନେ ହେଉଥିବା ଏହି ବକ୍ତବ୍ୟ ତଥ୍ୟାତ୍ମକ ଦୃଷ୍ଟିରୁ ବି ଏକଦମ୍‌ ଭୁଲ। କାରଣ କୋଭିଡ୍‌ର ଗତ ଲହରରେ ଯେଉଁ ଆଠଶହରୁ ଊର୍ଦ୍ଧ୍ୱ ଡାକ୍ତର ମରିଛନ୍ତି, ସେତେବେଳେ ଟିକାର ଉଦ୍ଭାବନ ହିଁ ହୋଇ ନ ଥିଲା। ଏପରିକି ଚଳିତ ଲହରରେ ଯେଉଁ ପାଞ୍ଚଶହରୁ ଅଧିକ ଡାକ୍ତର ପ୍ରାଣ ହରାଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଟିକାର ଦ୍ୱିତୀୟ ଡୋଜ୍‌ ବି ନେଇନାହାନ୍ତି। ବରଂ ଏପରି ମିଥ୍ୟା ଓ ସମ୍ବେଦନହୀନ ବକ୍ତବ୍ୟ ଦେଇ ସେ କୋଭିଡ୍‌ ବିରୋଧୀ ସଂଗ୍ରାମରେ ନିଜର ଜୀବନ ଦେଇଥିବା ଦେଶର ସହସ୍ରାଧିକ ଡାକ୍ତର ଓ ତାଙ୍କର ପରିବାରବର୍ଗଙ୍କୁ ଅପମାନିତ କରିଛନ୍ତି। ମହାମାରୀ ସମୟରେ ଆଧୁନିକ ଚିକିତ୍ସା ପଦ୍ଧତି ଉପରେ ରାମଦେବଙ୍କ ଏଭଳି ବକ୍ତବ୍ୟ ନିଜର ଜୀବନକୁ ବାଜି ଲଗାଇ ଲମ୍ବା ସମୟ ଧରି କୋଭିଡ୍‌ ରୋଗୀଙ୍କ ସେବାରେ ନିୟୋଜିତ ଥିବା ଦେଶର ଲକ୍ଷ ଲକ୍ଷ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଏକ ଆକ୍ରମଣ।
କୋଭିଡ୍‌ ନେଇ ରାମଦେବଙ୍କ ଅବୈଜ୍ଞାନିକ ଚିନ୍ତାର ଏହା ପ୍ରଥମ ଉଦାହରଣ ନୁହେଁ। ଗତବର୍ଷ ସେ ନାକରେ ସୋରିଷ ତେଲ ଲଗାଇଦେଲେ କୋଭିଡ୍‌ ଭୂତାଣୁ ତା’ର ସଂସ୍ପର୍ଶରେ ଆସିଲେ ମରିଯିବେ ବୋଲି ଏକ ଭିତ୍ତିହୀନ ଦାବି କରିଥିଲେ। ସାରା ବିଶ୍ୱର ବୈଜ୍ଞାନିକ କୋଭିଡ୍‌ ଭୂତାଣୁ ସମ୍ପର୍କରେ ଜାଣିବାକୁ ଗବେଷଣା ଚଳାଇଥିବା ବେଳେ ରାମଦେବ ଏହାର ୧୦୦% ଉପଚାର କରୁଛି କହି ବିନା ସରକାରୀ ଅନୁମତିରେ ‘କରୋନିଲ’ ନାମକ ଏକ ଔଷଧକୁ ଘୋଷଣା କରିଥିଲେ। କିଛି ଦିନ ତଳେ ସାରା ଦେଶରେ ଅକ୍ସିଜେନ୍‌ ପାଇଁ ହାହାକାର ପଡ଼ିଥିଲା ବେଳେ ସେ ଶ୍ୱାସ କଷ୍ଟ ଲାଗି ପ୍ରାଣ ବିକଳରେ ଅକ୍ସିଜେନ୍‌ ସିଲିଣ୍ଡର ଖୋଜୁଥିବା କୋଭିଡ୍‌ ସଂକ୍ରମିତମାନଙ୍କୁ ପରିହାସ କରି, ଭଗବାନ୍‌ ଆମ ଦୁଇ ନାକପୁଡ଼ାରେ ଦୁଇଟି ସିଲିଣ୍ଡର ଦେଇଥିବା ବେଳେ ଏହି ବୋକାମାନେ ଅଯଥାରେ ଅକ୍ସିଜେନ୍‌ ଖୋଜୁଛନ୍ତି ବୋଲି କହିଥିଲେ। ଦେଶରେ ହସ୍ପିଟାଲ ବେଡ୍‌, ଅକ୍ସିଜେନ୍‌, ଔଷଧ ଏବଂ ଶ୍ମଶାନରେ ଜାଗାର ଅଭାବ ନେଇ ଅଭିଯୋଗ କରିବାକୁ ଲୋକେ ନକାରାତ୍ମକତାର ପ୍ରସାର କରୁଛନ୍ତି ବୋଲି କହିଥିଲେ। ଏଠାରେ ପ୍ରଶ୍ନ ଉଠେ, ଅକ୍ସିଜେନ୍‌ ଅଭାବରୁ ପ୍ରାଣ ହରାଇଥିବା ବ୍ୟକ୍ତି ଓ ତାଙ୍କ ପରିଜନମାନଙ୍କୁ ଏଭଳି କଟାକ୍ଷ କରି ସେ କେଉଁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ଅସଲ କଥା ହେଲା, ଦେଶରେ କୋଭିଡ୍‌ ସଂକ୍ରମଣ ଯୋଗୁ ଆଜି ହସ୍ପିଟାଲଠାରୁ ଆରମ୍ଭ କରି ଶ୍ମଶାନ ଘାଟ ପର୍ଯ୍ୟନ୍ତ ଯେଉଁ ଅଭୂତପୂର୍ବ ସଙ୍କଟ ଦେଖାଯାଇଛି, ସେଥିରେ କେନ୍ଦ୍ର ସରକାରଙ୍କ ବିଫଳତାଟି ସମ୍ପୂର୍ଣ୍ଣ ଭାବେ ଉଜାଗର ହୋଇଯାଇଛି ଏବଂ ରାମଦେବଙ୍କ ବୟାନ ତାକୁ ଘୋଡ଼େଇବାକୁ ଉଦ୍ଦିଷ୍ଟ।
ତେବେ ଏଲୋପାଥି ଓ ତା’ର ଚିକିତ୍ସକମାନଙ୍କ ବିରୋଧରେ ରାମଦେବଙ୍କ ଏଭଳି ଅପପ୍ରଚାର ଓ ବିଷୋଦ୍‌ଗାର ସହ ଆୟୁର୍ବେଦର କୌଣସି ସମ୍ପର୍କ ନାହିଁ। ସେ ନିଜର ବ୍ୟବସାୟ ଓ ରାଜନୀତିର ସ୍ବାଥର୍ର୍ରେ ଏଲୋପାଥି ଉପରେ ଆକ୍ରମଣ କରୁଥିବା ବେଳେ ନିଜର ଭୁଲ ବୟାନରୁ ରକ୍ଷା ପାଇବା ପାଇଁ ଆୟୁର୍ବେଦକୁ ଢାଲ ରୂପେ ବ୍ୟବହାର କରିଛନ୍ତି। ତାଙ୍କର ନା ଏଲୋପାଥି ଉପରେ କୌଣସି ଧାରଣା ରହିଛି ନା ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ସେ କୌଣସି ବିଧିବଦ୍ଧ ଅଧ୍ୟୟନ ବା ଡିଗ୍ରୀ ହାସଲ କରିଛନ୍ତି। ସେ ମୂଳତଃ ଜଣେ ଯୋଗ ଶିକ୍ଷକ ଏବଂ ଯୋଗ ପ୍ରଚାର ଜରିଆରେ ସୃଷ୍ଟି ହୋଇଥିବା ନିଜର ଲୋକପ୍ରିୟତାକୁ ଆଧାର କରି ପତଞ୍ଜଳି ନାଁରେ ଏକ ଆୟୁର୍ବେଦିକ ଫାର୍ମାସୀ ପ୍ରତିଷ୍ଠା କରି ତା’ରି ଜରିଆରେ ଆୟୁର୍ବେଦିକ ଔଷଧର ବ୍ୟବସାୟ କରୁଛନ୍ତି।
ଅନେକ ଲୋକଙ୍କ ମତରେ ରାମଦେବ ନିଜର ଆୟୁର୍ବେଦ ଔଷଧ ବ୍ୟବସାୟର ସ୍ବାର୍ଥରେ ଏଲୋପାଥି ବିରୋଧରେ ଏଭଳି ବିଷୋଦ୍‌ଗାର କରୁଛନ୍ତି। ଏହା ସତ ଯେ, ତାଙ୍କ ପତଞ୍ଜଳି କମ୍ପାନୀର ମୁନାଫାରେ ଲଗାତାର ହ୍ରାସ ଦେଖାଯାଇଛି। ୨୦୧୬-୧୭ରେ ଏହାର ମୁନାଫା ୧୧୯୦ କୋଟି ଥିବା ବେଳେ ତାହା ହ୍ରାସ ପାଇ ୨୦୧୯-୨୦ରେ ମାତ୍ର ୨୪୨ କୋଟିରେ ପହଞ୍ଚତ୍ଛି। ଏପରିକି କୋଭିଡ୍‌ ସଙ୍କଟରୁ ଫାଇଦା ନେବା ପାଇଁ ତାଙ୍କ କମ୍ପାନୀ ଦ୍ୱାରା ପ୍ରସ୍ତୁତ ‘କରୋନିଲ’ ବି ବିକ୍ରି ହୋଇପାରୁନି। ଅତଏବ ବ୍ୟବସାୟିକ ସ୍ବାର୍ଥ ତ ରହିଛି। ତେବେ ସମସ୍ୟାଟି କେବଳ ତାଙ୍କର ବେପାରରେ ସୀମିତ ରହିନି। କୋଭିଡ୍‌ ପରିଚାଳନାରେ ମୋଦି ସରକାରଙ୍କ ବିଫଳତାକୁ ଘୋଡ଼େଇବା ପାଇଁ ରାମଦେବ ଲଗାତାର ଚେଷ୍ଟା କରିଆସିଛନ୍ତି। ବିଶେଷକରି ଦେଶରେ ଅକ୍ସିଜେନ୍‌, ଔଷଧ, ଖଟିଆ ଏପରିକି ଟିକା ନ ମିଳିବା ଫଳରେ ଅଧିକରୁ ଅଧିକ ଲୋକ ସଂକ୍ରମିତ ଏବଂ ମୃତ୍ୟୁବରଣ କରୁଥିବା ଯୋଗୁ ମୋଦି ସରକାରଙ୍କ ଯେଉଁ ବଦନାମ ହେଉଛି, ଏକ ରାଜନୈତିକ ଏଜେଣ୍ଡା ଅନୁରୂପ ସେ ଅତ୍ୟନ୍ତ ଚତୁରତାର ସହିତ ଏଲୋପାଥି ଓ ଡାକ୍ତରଙ୍କୁ ସଂକ୍ରମିତଙ୍କ ମୃତ୍ୟୁ ପାଇଁ ଦାୟୀ କରି ସରକାରଙ୍କୁ ବଞ୍ଚେଇବାକୁ ଉଦ୍ୟମ କରିଛନ୍ତି।
ବିଶ୍ୱରେ ଶହ ଶହ ପ୍ରକାରର ଚିକିତ୍ସା ପଦ୍ଧତି ରହିଛି। ଏସବୁ ପ୍ରଣାଳୀଗୁଡ଼ିକ ମଣିଷ ପ୍ରକୃତିର କୋଳରେ ରହି ତା’ ସହିତ ଲଢ଼ି, ବିଜୟ ଲାଭ କରି ନିଜର ଅନୁଭୂତିରୁ ଶିଖିଛି ଏବଂ ପ୍ରୟୋଗ ଜରିଆରେ ତାକୁ ସମୃଦ୍ଧ କରିବା ସହିତ ସଂଶୋଧିତ ମଧ୍ୟ କରିଛି। ପରବର୍ତ୍ତୀ ପିଢ଼ିମାନେ ନିଜର ଅନୁଭୂତି, ପ୍ରୟୋଗ, ବୁଦ୍ଧି ଏବଂ ବୁଝିବା ମଧ୍ୟ ଦେଇ ତାକୁ ଅଧିକରୁ ଅଧିକ ଆଧୁନିକ ଏବଂ ଉନ୍ନତ କରିଆସିଛନ୍ତି। ସବୁ ଚିକିତ୍ସା ପ୍ରଣାଳୀର ନିଜ ନିଜର ଇତିହାସ ଓ ଯୋଗଦାନ ରହିଛି। ସମସ୍ତଙ୍କ ନିଜ ନିଜର ଯୋଗ୍ୟତା ଓ କ୍ଷମତା ସହିତ ସୀମା ବି ରହିଛି। ଏହା ସତ ଯେ, ଆୟୁର୍ବେଦ ହଜାର ବର୍ଷ ପୁରୁଣା । କିନ୍ତୁ ସାରା ଦୁନିଆରେ ଏହାହିଁ ଏକମାତ୍ର ଚିକିତ୍ସା ପ୍ରଣାଳୀ ନୁହେଁ। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଆୟୁର୍ବେଦଠାରୁ ଆରମ୍ଭ କରି ହୋମିଓପାଥି, ୟୁନାନି, ତିବତ୍ତି, ଆକ୍ୟୁପ୍ରେସର, ଆକ୍ୟୁପଙ୍କଚର, ସିଦ୍ଧ, ମାଟି ଚିକିତ୍ସା, ଦେଶୀ ଚିକିତ୍ସା ଆଦି ଅନେକ ଚିକିତ୍ସା ପଦ୍ଧତି ରହିଛି। ଏସବୁ ଚିକିତ୍ସା ପଦ୍ଧତି ହୁଏତ କମ୍‌ ବା ବେଶୀ ବିକଶିତ ହୋଇପାରେ। କିନ୍ତୁ ସେସବୁ ମଧ୍ୟରୁ କାହାରିକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରିଦେବା ଅଥବା ଗୋଟିଏକୁ ସର୍ବଶ୍ରେଷ୍ଠ କହି ସବୁ ରୋଗର ସମାଧାନ ବୋଲି ଦାବି କରିବା ମୂର୍ଖାମି। ଗତ ୨୫୦ ବର୍ଷ ମଧ୍ୟରେ ବିଶ୍ୱରେ ଆଧୁନିକ ଚିକିତ୍ସା ବିଜ୍ଞାନର ଅଭୂତପୂର୍ବ ବିକାଶ ଘଟିଛି। ଆଣ୍ଟିବାୟୋଟିକ୍‌, କ୍ଲାରୋଫର୍ମ, ଇନ୍‌ସୁଲିନ୍‌, ଟିକା ଆଦିର ଉଦ୍ଭାବନ ମଣିଷର ଜୀବନକୁ ରୋଗରୁ ବଞ୍ଚାଇବାରେ ତଥା କଷ୍ଟ ଲାଘବ କରିବାରେ ସହାୟକ ହୋଇଥିବା ବେଳେ ଷ୍ଟେଥୋସ୍କୋପ୍‌ଠାରୁ ଆରମ୍ଭ କରି ଏକ୍ସ-ରେ ମେଶିନ, ସିଟି ସ୍କାନ ପର୍ଯ୍ୟନ୍ତ ଅନେକ ଚିକିତ୍ସା ସମ୍ପର୍କିତ ସରଞ୍ଜାମର ଉଦ୍ଭାବନ ମଣିଷର ରୋଗର ନିଦାନ ଓ ଚିକିତ୍ସାକୁ ସହଜ କରିଦେଇଛି। ଫଳସ୍ବରୂପ ଗତ ଏକ ଶତକ ମଧ୍ୟରେ ମଣିଷର ହାରାହାରି ପରମାୟୁ ତିନି ଗୁଣ ହୋଇଯାଇଥିବା ବେଳେ ପୋଲିଓ, ବସନ୍ତ ପରି ଅନେକ ରୋଗକୁ ସମୂଳେ ଧ୍ୱଂସ କରାଯାଇ ପାରିଛି। ସମୟକ୍ରମେ ଦୁନିଆର ଅନେକ ସଭ୍ୟତା ନିଜ ନିଜର ପରମ୍ପରାଗତ ଚିକିତ୍ସା ପଦ୍ଧତିକୁ ଆଧୁନିକ ଚିକିତ୍ସା ପଦ୍ଧତି ସହିତ ସମ୍ମିଳିତ କରିବାକୁ ପ୍ରୟାସ କରିଛନ୍ତି।
ରାଜନୈତିକ ସ୍ବାର୍ଥରେ ଆୟୁର୍ବେଦର କଥା କହୁଥିବା ଏବଂ କଥା କଥାରେ ଆଧୁନିକ ଚିକିତ୍ସା ପଦ୍ଧତି ବିରୋଧରେ ବିଷୋଦ୍‌ଗାର କରି ଗୋମୂତ୍ର ଓ ଗୋବରର ଉପଚାର ଦେଉଥିବା ରାମଦେବ ଏବଂ ପ୍ରଜ୍ଞା ଠାକୁରଙ୍କ ପରି ବାବା, ନେତା ଓ ମନ୍ତ୍ରୀମାନେ କୋଭିଡ୍‌ରେ ସଂକ୍ରମିତ ହୋଇ ଏମ୍ସ ଓ ଅନ୍ୟ କର୍ପୋରେଟ୍‌ ହସ୍ପିଟାଲରେ ଚିକିତ୍ସିତ ହେବା ଜଣାପଡିଛି। ସ୍ବୟଂ ରାମଦେବ ଓ ବାଳକୃଷ୍ଣ ମଧ୍ୟ ଅତୀତରେ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି ହୋଇ ଚିକିତ୍ସିତ ହେବା ଦେଖାଯାଇଛି। ନିକଟରେ କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ତାଙ୍କ ସଂସ୍ଥାର ଡେୟିରି ଉପତ୍ାଦର ମୁଖ୍ୟ ବି ସେମାନଙ୍କ ବହୁ ପ୍ରଚାରିତ ‘କରୋନିଲ୍‌’ ଉପରେ ଭରସା ନ କରି ଆଧୁନିକ ଚିକିତ୍ସା ଯୋଗାଉଥିବା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ଦେଶର ଏମିତି କୌଣସି ଆୟୁର୍ବେଦ ହସ୍ପିଟାଲ ନାହିଁ, ଯେଉଁଠି ଜଣେ କୋଭିଡ୍‌ ସଂକ୍ରମିତ ବିନା ଦ୍ୱିଧାରେ ଦାଖଲ ହୋଇପାରିବ ଏବଂ ଆୟୁର୍ବେଦିକ ଚିକିତ୍ସା ଦ୍ୱାରା ସୁସ୍ଥ ହୋଇପାରିବ ବୋଲି ଭରସା କରିପାରିବ। କାରଣ କୋଭିଡ୍‌ ସଂକ୍ରମଣର ଏଯାଏଁ କୌଣସି ଔଷଧ ନାହିଁ ଏବଂ ସଂକ୍ରମଣ ପ୍ରଭାବରେ ରୋଗୀର ସ୍ବାସ୍ଥ୍ୟରେ ଯେଉଁ ଦ୍ରୁତ ଅବନତି ଘଟୁଛି, ସେଥିରେ ଆଧୁନିକ ଚିକିତ୍ସା ପଦ୍ଧତି ଆପଣାଉଥିବା ଆଇସିୟୁ ଓ ଭେଣ୍ଟିଲେଟରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
କରୋନା କାଳରେ ସମସ୍ତେ ମାନସିକ ଅବସାଦ ଭିତରେ ରହିଥିବା ବେଳେ ବିଶେଷକରି ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇ ମୃତ୍ୟୁ ସହିତ ସଂଘର୍ଷ କରୁଥିବା ସମୟରେ ତଥା ଅନେକ ପରିବାର ନିଜର ପ୍ରିୟଜନଙ୍କୁ ହରାଇ ଅତ୍ୟନ୍ତ ଦୁଃଖ ଓ ଅବସାଦ ଭିତରେ ରହିଥିବା ବେଳେ ଏଭଳି ଦାୟିତ୍ୱହୀନ ବୟାନ ଲୋକଙ୍କ ଭିତରେ ଭୟଙ୍କର ବିଭ୍ରାନ୍ତି ସୃଷ୍ଟି କରି କୋଭିଡ୍‌ ବିରୋଧୀ ଲଢ଼େଇକୁ ଦୁର୍ବଳ କରିବା ନିଶ୍ଚିତ। ଯଦି ରାମଦେବ କିମ୍ବା ପ୍ରଜ୍ଞା ଠାକୁରଙ୍କ କଥାରେ ପଡ଼ି ସାଧାରଣ ଲୋକ ଆଧୁନିକ ଚିକିତ୍ସା ବ୍ୟବସ୍ଥାକୁ ଅବିଶ୍ୱାସ କରିବେ ଏବଂ ଡାକ୍ତରଙ୍କ ଦ୍ୱାରା ମରିଯିବା ଭୟରେ ହସ୍ପିଟାଲକୁ ଯିବେନି ଅଥବା ଟିକା ନେବେନି, ତା’ହେଲେ ଦେଶରେ ସଂକ୍ରମଣ ଓ ମୃତ୍ୟୁ ଉଭୟ ବୃଦ୍ଧି ପାଇବ। ଏଭଳି ବୟାନ ଦେଉଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରୀ। ଖୁସିର କଥା, ଏଭଳି ଅବୈଜ୍ଞାନିକ ଅଭିଯାନ ବିରୋଧରେ ଆଜି ଦେଶର ଚିକିତ୍ସକ ଗୋଷ୍ଠୀ ଏକଜୁଟ ହୋଇଛନ୍ତି।
ମୋ: ୯୪୩୭୧୬୬୩୯୧

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.