ପ୍ରକଳ୍ପ ପାଇଁ ଉଜୁଡୁଛି ସବୁଜ ବଳୟ

ଭୁବନେଶ୍ୱର,୬।୬(ବ୍ୟୁରୋ): ବିକାଶ ନାଁରେ  ରାଜ୍ୟରେ ଛାରଖାର ହୋଇଯାଉଛି ଜଙ୍ଗଲ ସମ୍ପଦ। ପ୍ରତ୍ୟେକ ବର୍ଷ ବିଭିନ୍ନ ପ୍ରକଳ୍ପ ସକାଶେ ଜଙ୍ଗଲ ଜମିକୁ ଅଣଜଙ୍ଗଲ କିସମରେ ପରିଣତ କରିବା କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଜଙ୍ଗଲ ସଫା ହେଉଥିବାରୁ ରାଜ୍ୟକୁ ପ୍ରତ୍ୟେକ ବର୍ଷ ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଉଛି। ଏପରି ଧାରା ବଜାୟ ରହିଲେ ରାଜ୍ୟରେ ଜଙ୍ଗଲ ଲୋପପାଇବା ସହ ଆଗାମୀ ଦିନରେ ବିପଦ ଆହୁରି ଘନେଇବ ବୋଲି ପରିବେଶବିତ୍‌ ଚେତାବନୀ ଦେଇଛନ୍ତି। ବିଭିନ୍ନ ପ୍ରକଳ୍ପ ପାଇଁ ଗତ କିଛିବର୍ଷ ମଧ୍ୟରେ ରାଜ୍ୟରେ ୫୭,୪୧୦ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ କିସମରେ ପରିଣତ କରାଯାଇଛି। ନିକଟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ରିପୋର୍ଟ ୨୦୧୯-୨୦ରେ ଏଭଳି ତଥ୍ୟ ପଦାକୁ ଆସିଛି।
ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ୫୭,୪୧୦ ହେକ୍ଟର ଜଙ୍ଗଲକୁ ଅଣଜଙ୍ଗଲ କିସମରେ ପରିଣତ କରାଯାଇଛି। ସେଥିରୁ ୧୮୬ଟି ଖଣି ପ୍ରକଳ୍ପ ପାଇଁ ୨୮,୪୦୯ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିଣତ କରାଯାଇଥିବା ବେଳେ ୮୪ ଜଳସେଚନ ପ୍ରକଳ୍ପ ପାଇଁ ୧୦,୬୫୨ ହେକ୍ଟର, ୨୯ ଶିଳ୍ପ ପ୍ରକଳ୍ପ ପାଇଁ ୪୪୦୫ ହେକ୍ଟର, ୭୦ ଟ୍ରାନ୍ସମିଶନ ପ୍ରୋଜେକ୍ଟ ପାଇଁ ୪,୩୩୯ ହେକ୍ଟର, ୪ ପ୍ରତିରକ୍ଷା ପ୍ରକଳ୍ପ ପାଇଁ ୩,୮୬୫ ହେକ୍ଟର, ୨୦ ରେଲଓ୍ବେ ପ୍ରକଳ୍ପ ପାଇଁ ୨,୪୩୩ ହେକ୍ଟର ଜଙ୍ଗଲ ଜମିକୁ ନଷ୍ଟ କରାଯାଇଛି। ସେହିପରି ଖଣିଜ ସନ୍ଧାନରେ ୧୦୧ ହେକ୍ଟର ଜମିରେ ଡ୍ରିଲିଂ ଯୋଗୁ ଏବଂ ୮୪୬ ହେକ୍ଟର ଜଙ୍ଗଲ ଜମିକୁ ଛୋଟ ଛୋଟ ପ୍ରକଳ୍ପ ପାଇଁ ଅଣଜଙ୍ଗଲ କିସମରେ ପରିବର୍ତ୍ତନ କରାଯାଇଛି।
ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୬୧,୨୦୪.୧୭ ବର୍ଗକିଲୋମିଟର ଜଙ୍ଗଲ ଅଞ୍ଚଳ ରହିଛି। ଏହା ରାଜ୍ୟର ଭୌଗୋଳିକ ଅଞ୍ଚଳର ୪୦ ପ୍ରତିଶତ। ତେବେ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଆଇ) ୨୦୧୯ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୫୧,୬୧୯ ବର୍ଗକିଲୋମିଟର ଜଙ୍ଗଲ ରହିଛି, ଯାହାକି ସମୁଦାୟ ଭୌଗୋଳିକ ଅଞ୍ଚଳର ୩୩ ପ୍ରତିଶତ। ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୨୭୪ ବର୍ଗକିଲୋମିଟର ଜଙ୍ଗଲ ବୃଦ୍ଧି ହୋଇଥିବା ଏଫ୍‌ଏସ୍‌ଆଇ ରିପୋର୍ଟରେ କୁହାଯାଇଛି। ତେବେ ଗତ ୧୦ ବର୍ଷ (୨୦୧୦-୧୧ରୁ ୨୦୨୦-୨୧) ମଧ୍ୟରେ ବିଭିନ୍ନ ରାସ୍ତା ନିର୍ମାଣ ଓ ସମ୍ପ୍ରସାରଣ ପାଇଁ ୧,୮୫,୦୦,୭୪୮ ଗଛ କାଟି ପଦା କରାଯାଇଛି। ଏହି ସମୟରେ ୨୯,୮୩,୫୭୩ ବୃକ୍ଷରୋପଣ କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୧ ମାର୍ଚ୍ଚ ୩୧ରେ ବିଧାନସଭାରେ ସୂଚନା ଦେଇଛନ୍ତି।
ରାଜ୍ୟ ସରକାର ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ବିଭିନ୍ନ ପ୍ରକଳ୍ପ ପାଇଁ ୭୮.୩୪୮ ହେକ୍ଟର ଜଙ୍ଗଲ ଜମିର କିସମକୁ ବଦଳାଇଛନ୍ତି। କେବଳ ସେତିକି ନୁହେଁ, ୨୦୧୯ ଜାନୁୟାରୀ ପହିଲାରୁ ନଭେମ୍ବର ୬ ମଧ୍ୟରେ ମାତ୍ର ୧୪ ପ୍ରକଳ୍ପ ପାଇଁ ଓଡ଼ିଶାରେ ସର୍ବାଧିକ ୪,୫୧୪ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ କରିବାକୁ ମନ୍ତ୍ରଣାଳୟ ଅନୁମତି ଦେଇଛି।
୨୦୦୬ରୁ ୨୦୧୨ ମଧ୍ୟରେ ଶିଳ୍ପ, ଖଣି, ଜଳସେଚନ, ରାସ୍ତା ନିର୍ମାଣ, ବିଦ୍ୟୁତ୍‌ ଆଦି ପାଇଁ ୮୮୨୦.୭୭ ହେକ୍ଟର ଜଙ୍ଗଲ ଜମିକୁ ନଷ୍ଟ କରାଯାଇଥିଲା। ସେହିପରି ୨୦୧୧-୧୨ରେ କେତେକ ପ୍ରକଳ୍ପ ପାଇଁ ୧୨.୨୭ ଲକ୍ଷ ବୃକ୍ଷକୁ ବଳିଦେବାକୁ ପଡ଼ିଛି। ତେବେ ସରକାର ଯେତେ ଗଛ କାଟୁଛନ୍ତି ସେହି ପରିମାଣର ବୃକ୍ଷରୋପଣ ହେଉନାହିଁ। ଅଣଜଙ୍ଗଲ ଅଞ୍ଚଳରେ ଗୋଟିଏ ଗଛ କାଟିଲେ ଏହା ବଦଳରେ ୨ରୁ ୧୦ ଗୁଣ ଗଛ ଲଗାଇବା ନେଇ ସରକାରୀ ଗାଇଡ୍‌ଲାଇନ ରହିଛି। ତେବେ ସରକାର ଏହାକୁ ଅନୁସରଣ କରୁ ନ ଥିବାରୁ ପରିବେଶବିତ୍‌ ଚିନ୍ତାପ୍ରକଟ କରିଛନ୍ତି। ସାମାଜିକ କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ କହିଛନ୍ତି ଯେ ଭୁବନେଶ୍ୱର, କଟକ ଜାତୀୟ ରାଜପଥ ହେଉ କିମ୍ବା ସହର ଭିତରେ ଚାଲିଥିବା ରାସ୍ତା ସମ୍ପ୍ରସାରଣ ପାଇଁ ବହୁ ସଂଖ୍ୟାରେ ବଡ଼ ବଡ଼ ଗଛକୁ କାଟି ଦିଆଯାଇଛି। ଫଳରେ ସହରରେ ତାପମାତ୍ରା ବଢ଼ିବା ସାଙ୍ଗକୁ ପରିବେଶ ଉତ୍ତପ୍ତ ହେଉଛି। ବୃକ୍ଷରୋପଣ ଉପରେ ସବୁ ସ୍ତରରେ ପଦକ୍ଷେପ ନିଆଯିବା ଦରକାର ବୋଲି ସେ କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.