ଉପେନ୍ଦ୍ର ବିଶ୍ୱାଳ
ମାତୃଜାତିର ଶୁଦ୍ଧତା, ପଣତର ପବିତ୍ରତା ପାଖରେ ସ୍ବୟଂ ସ୍ରଷ୍ଟା ମଧ୍ୟ ହାର ମାନିଥାନ୍ତି। କାରଣ ଜଣେ ସଦାଚାରୀ ନାରୀର ପ୍ରାର୍ଥନା ପରାର୍ଦ୍ଧେ ପୁରୁଷଙ୍କ ପ୍ରାର୍ଥନାଠାରୁ ବି ଅଧିକ ଶକ୍ତିଶାଳୀ। କେବେ ବ୍ୟର୍ଥ ଯାଏନା ସେମାନଙ୍କ ପ୍ରାର୍ଥନା। ଯାହାର ପରିଣତିରେ ବ୍ରହ୍ମା-ବିଷ୍ଣୁ-ମହେଶ୍ୱର, ତ୍ରିଦେବ ମଧ୍ୟ ଶିଶୁ ବନି ଯାଇଥିଲେ ରାମାୟଣ ଯୁଗର ସତୀ ଅନସୂୟାଙ୍କ ପ୍ରାର୍ଥନା ବଳରେ। ଜନ୍ତୁରାଜ ବି ସେଦିନ ପରାଜୟ ଲଭିଲେ ସାବିତ୍ରୀଙ୍କ ପଣତ ପାଖରୁ। ଉତ୍କଳର ‘ନ ପାହୁ ରାତି ନ ମରୁ ପତି, ଏକ ରାତି ହେଉ ସପତ ରାତି’ ଉପାଖ୍ୟାନ ବି ଅବିଦିତ ନୁହଁ ଆମକୁ। ଦେବୀଭକ୍ତ ବିଷ୍ଣୁଦାସ ଥିଲେ ବେଶ୍ୟାସକ୍ତ। ଅତୁଳନୀୟ ସୌନ୍ଦର୍ଯ୍ୟର ଅଧିକାରିଣୀ ଲକ୍ଷେହୀରାର ସାମାନ୍ୟ ଟିକେ ସାନ୍ନିଧ୍ୟ ପାଇବାକୁ ପାଗଳପ୍ରାୟ ହେଉଥିଲେ ସେ। ଅତ୍ୟନ୍ତ ଅନୁଚିତ ହେଲେ ବି ସ୍ବାମୀ ଅନୁରକ୍ତ ସତୀ ଅନସୂୟା ସ୍ବାମୀଙ୍କୁ ସୁଖୀ ରଖିବା ପଣରେ ଲକ୍ଷେହୀରାର ଅନୁକମ୍ପା ଭିକ୍ଷା କରିଥିଲେ। କୁଷ୍ଠ ରୋଗାକ୍ରାନ୍ତ ସ୍ବାମୀଙ୍କୁ ନେଇ ରାତିରେ ଲକ୍ଷେହୀରାର ବିଳାସମୟ କୋଠିକୁ ଯିବା ବାଟରେ ଅନ୍ଧାରରେ ଅଲକ୍ଷ୍ୟରେ ଧ୍ୟାନମଗ୍ନ ଜଣେ ତପସ୍ବୀଙ୍କ କ୍ରୋଧର କାରଣ ସାଜିଲେ। ସତିତ୍ୱକୁ ନେଇ ଅନସୂୟାଙ୍କ ଅହଂଜନିତ ଏହି କାଣ୍ଡ ବୋଲି ଭାବି ଅଭିଶାପ ଢାଳିଦେଲେ ଋ଼ଷି ଅନସୂୟାଙ୍କ ଅଜସ୍ର ଅନୁନୟକୁ ଅବଜ୍ଞା କରି -‘ଏଇ ରାତି ହେବ ତୋ ସ୍ବାମୀଙ୍କ ଶେଷ ରାତି’। ଏପରି ଅନ୍ୟାୟ ବିରୋଧରେ ଅନସୂୟା ମଧ୍ୟ କଠୋର ହୋଇ ଉଠିଲେ। ନିଜ ପଣତର ପବିତ୍ରତାକୁ ଆଧାର କରି ପତିଙ୍କ ପ୍ରାଣରକ୍ଷା ପାଇଁ ପ୍ରାର୍ଥନା କଲେ – ନ ପାହୁ ଏ କାଳ ରାତି, ଏକ ରାତି ହେଉ ସାତ ରାତି। ସେଇଠୁ ତା’ପରେ ପଣତର ପରାକାଷ୍ଠା ବି ଫଳବତୀ ହେଲା। କାଳରାତ୍ରିର ହେଲାନି ଅନ୍ତ। ପରିଶେଷରେ ସୃଷ୍ଟି ରକ୍ଷା ପାଇଁ ବାଧ୍ୟହୋଇ ସତୀଙ୍କ ସାମ୍ନାରେ ସ୍ବୟଂ ଉଭା ହେଲେ ଭଗବାନ। ସ୍ବାମୀଙ୍କ ଜୀବନ ବିନିମୟରେ ସତୀଙ୍କୁ ଅନୁରୋଧ ବାଢ଼ିଲେ ନିଷ୍ପତ୍ତିରୁ ଓହରି ଆସିବାକୁ। ମହାଭାରତରେ ପାଞ୍ଚାଲିଙ୍କର ପବିତ୍ର ପଣତକୁ ଅପବିତ୍ର କରିବାକୁ ପ୍ରୟାସ କରିଥିବା କୁରୁକୁଳ ସମେତ ପରୋକ୍ଷରେ ସଂଶ୍ଳିଷ୍ଟ ଥିବା ଭୀଷ୍ମ, ଦ୍ରୋଣ, କର୍ଣ୍ଣ ଆଦି ମହାବୀରମାନେ ବି ନିସ୍ତାର ପାଇ ନ ଥିଲେ ସେଦିନ। ଇତିହାସର ସାକ୍ଷୀ ଭାବେ ମଦୁରାଇ ସହର ଆଜି ବି ପ୍ରଚାର କରିଚାଲିଛି ନାରୀ ପଣତର ପରାକାଷ୍ଠାକୁ। ଏକଦା ଚୋରି ହୋଇଥାଏ ପାଟ୍ଟରାଣୀଙ୍କ ପଟେ ପାଉଁଜି। ଚୋରିର ମିଥ୍ୟା ଆରୋପରେ କିନ୍ତୁ ଶିକାର ହୁଅନ୍ତି ଜଣେ ଅଜଣା ଅପରିଚିତ ନିରୀହ ଯୁବକ। ଅଭାବଜନିତ ଯନ୍ତ୍ରଣାରେ ଜର୍ଜ୍ଜରିତ ବହିରାଗତ ପ୍ରେମୀ ଦମ୍ପତିଙ୍କଠାରେ ନାମମାତ୍ର କେଇଟା ଅଳଙ୍କାର ହିଁ ଥିଲା ତାଙ୍କର ଅସଲ ସମ୍ବଳ। ପାଦରୁ ପଟେ ପାଉଁଜି ଖୋଲିଦେଇ ବିନା ଦ୍ବିଧାରେ ସ୍ବାମୀଙ୍କ ହାତକୁ ବଢ଼ାଇଦେଲେ କଣ୍ବଗୀ। ପାଉଁଜି ବିକ୍ରି ପାଇଁ ବଜାର ବୁଲୁଥିବା କୋଭଲନ୍ ଶିକାର ହେଲେ ଧୂର୍ତ୍ତ ବଣିଆର କପଟତାରେ। ଯୁବକଟି ନିକଟରୁ ସେଇ ପଟେ ପାଉଁଜି ନେଇ ରାଜାଙ୍କ ସାମ୍ନାରେ ତା’ ବିରୋଧରେ ଚୋରି ଅଭିଯୋଗ ବାଢ଼ିଲା ବଣିଆ। କିଛି ନ ବୁଝି ଘୋର ଅନ୍ୟାୟ କରିବସିଲେ ରାଜା। ପାଣ୍ଡ୍ୟ ରାଜାଙ୍କ ସାମ୍ନାରେ, ଭରା ରାଜସଭାରେ ଅନ୍ୟାୟର ଶିକାର ପୂର୍ବକ କୋଭଲନଙ୍କୁ ହତ୍ୟା କରାହେଲା। ଏକଥା ଶୁଣି କାରୁଣ୍ୟରେ ବିଳପି ଉଠିଲା କମନୀୟ କାନ୍ତିଯୁକ୍ତା କଣ୍ବଗୀଙ୍କ ନାରୀ ହୃଦୟ। ସର୍ବାହରା ସ୍ତ୍ରୀ ଜଣଙ୍କ ନିଜକୁ ଆଉ ସମ୍ଭାଳି ପାରିଲେନି। ସତୀ ନାରୀର ଆଖି ଦୁଇଟିରୁ ଉଦ୍ଗିରଣ ହେଲା ଲେଲିହାନ ଅଗ୍ନିପିଣ୍ଡୁଳା। ଅଭିଶାପର ଅଗ୍ନି ଦହନରେ ଚାହୁଁ ଚାହୁଁ ଜଳିପୋଡି ଛାରଖାର ହୋଇଗଲା ସମୃଦ୍ଧ ମଦୁରାଇ ସହର।
ସତୀ ନାରୀର ପଣତର ପରାକାଷ୍ଠାର କାହାଣୀ ଏହିପରି ସୁଦୀର୍ଘ। ସେଇଥିପାଇଁ ତ ପୁରୁଷ ସମାଜ ଯେବେ ଅସହାୟ ପ୍ରକାଶ କରନ୍ତି, ସେତେବେଳେ ସମାଜ ଉଦ୍ଧାର ପାଇଁ ନାରୀ ହିଁ ଆବିର୍ଭୂତା ହୁଅନ୍ତି ମାଆ ଦୁର୍ଗାଙ୍କ ରୂପ ନେଇ। ଅକଳନୀୟ, ଅତୁଳନୀୟ ସେ ମାତୃଶକ୍ତି। ଅପରିମିତ ସେ ପଣତର ପାରଦର୍ଶିତା। ଏଣୁ ତା’ର ସାମାନ୍ୟତମ ଅପମାନ ବି ଅକ୍ଷମଣୀୟ। ନାରୀ ଆଖିର ବିନ୍ଦୁଏ ଲୁହର ପ୍ରତିବଦଳରେ ଦୁଷ୍ପରିଣାମ ଭୋଗିବାକୁ ହେବ ସମସ୍ତଙ୍କୁ। ଏଣୁ ନାରୀ ନିର୍ଯାତନା ଅର୍ଥ ନିଃଶେଷ ହେବାର ପୂର୍ବାଭାସ। ନାରୀ ଯଦି ନିଃବସ୍ତ୍ର ହୁଏ, ତେବେ ବୁଝିନେବାକୁ ହେବ ଯେ ଶେଷ ସମୟ ଆସନ୍ନ। ଅର୍ଥାତ ସଂହାର ପାଇଁ ମାଆ କାଳୀଙ୍କୁ ଆମେ ବାଧ୍ୟକରି ଆମନ୍ତ୍ରଣ କରୁଛୁ। ଅତଏବ ସ୍ବେଚ୍ଛାକୃତ ଭାବେ ହେଉ ଅବା କାହାର ସୈତାନୀ ପଣ ଯୋଗୁ, ନାରୀ ନିଃବସ୍ତ୍ର ହେଲେ ନିସ୍ତାର ନାହିଁ। ସତ୍ୟସ୍ନାତା ଜଣେ ସତୀ ନାରୀର ଆଖିରେ ବନ୍ଧା ପଟିର ପଛରେ ପ୍ରଚୁର ଶକ୍ତି ପୁଞ୍ଜିଭୁତ ହୋଇ ରହିଥିଲା ପରି ନାରୀର ପବିତ୍ର ପଣତ ତଳେ ବି ଗଚ୍ଛିତ ଅଛି ଅମାପ ଶକ୍ତି। ମାତ୍ର ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଯେ ସେଇ ନାରୀ ହିଁ ନିଜେ ବୁଝୁନି ନିଜ ମର୍ଯ୍ୟାଦାର ମୂଲ୍ୟ। ବୁଝିପାରୁନାହିଁ ନିଜ ଶୁଦ୍ଧତାର ସାମର୍ଥ୍ୟକୁ। ସାବିତ୍ରୀମାନଙ୍କର ଉତ୍କୃଷ୍ଟତାର ଉପଲବ୍ଧି, ଉତ୍ତରଣରେ ହିଁ ନିହିତ ଉଜ୍ଜ୍ୱଳ ଭବିଷ୍ୟତ।
ମୋ-୯୪୩୭୪୩୬୦୭୩
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.