ସଙ୍କଟରେ ଇସ୍ପାତ ଶିଳ୍ପ

ଯାଜପୁର ଅଫିସ, ୨୧।୬: ଅର୍ଥନୀତିକୁ ସୁଦୃଢ କରିବାକୁ ହେଲେ ଗଢ଼ି ଉଠିଥିବା ଶିଳ୍ପ ସଂସ୍ଥାଗୁଡିକ ପାଇଁ କଞ୍ଚାମାଲ ଉତ୍ତୋଳନ ଓ ଯୋଗାଣ ବ୍ୟବସ୍ଥାକୁ ମଧ୍ୟ ଠିକ୍‌ ଢଙ୍ଗରେ ପରିଚାଳନା କରିବାର ଆବଶ୍ୟକତା ରହିଛି। କିନ୍ତୁ ବର୍ଷେ ହେଲା ଉପଯୁକ୍ତ ପରିଚାଳନାଗତ ତ୍ରୁଟି ଯୋଗୁ ଷ୍ଟିଲ ପ୍ଲାଣ୍ଟଗୁଡିକ ଆବଶ୍ୟକ କରୁଥିବା ଲୁହାପଥରର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ଘଟିଛି। ଏଥିରେ ନିଜସ୍ବ ଖଣି ନ ଥିବା ଷ୍ଟିଲ ପ୍ଲାଣ୍ଟଗୁଡିକ ପାଇଁ ସଙ୍କଟମୟ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ସମ୍ପୃକ୍ତ ଷ୍ଟିଲ ପ୍ଲାଣ୍ଟଗୁଡିକରେ ନିର୍ଭରଶୀଳ କର୍ମଚାରୀ ଓ ଶ୍ରମିକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହିକ୍ରମରେ ନିଲାମ ଚୂଡାନ୍ତ ହୋଇ ମଧ୍ୟ କାର୍ଯ୍ୟକ୍ଷମ ହୋଇ ନ ଥିବା ଖଣିଗୁଡିକୁ ଓଏମ୍‌ସି ଅଧୀନକୁ ନେଇ ଲୁହାପଥର ଉତ୍ତୋଳନ କରିବାକୁ ଶିଳ୍ପସଂଘ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।
ତଥ୍ୟ ମୁତାବକ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟରେ ଲୁହାପଥର ଉତ୍ପାଦନ ୧୪୨ ମିଲିୟନ ଟନ୍‌ ହୋଇଥିବାବେଳେ ୨୦୨୦-୨୧ରେ ତାହା ୩୧ ମିଲିୟନ ଟନ୍‌ ହ୍ରାସ ପାଇ ୧୧୧ ମିଲିୟନ ଟନ୍‌ ହୋଇଛି। ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ୧୭.୪ ମିଲିୟନ ଟନ୍‌ ଲୁହାପଥର ଓଡ଼ିଶା ବାହାରକୁ ରପ୍ତାନି କରାଯାଇଥିବାବେଳେ ୨୦୨୦-୨୧ରେ ଏହା ୧୧.୬ ମିଲିୟନ ଟନ୍‌ ବୃଦ୍ଧି ପାଇ ୨୯ ମିଲିୟନ ଟନ୍‌ରେ ପହଞ୍ଚିଛି। ଫଳସ୍ବରୂପ ରାଜ୍ୟରେ ଗତବର୍ଷ ତୁଳନାରେ ଏହି ବର୍ଷ ୪୨ ମିଲିୟନ ଟନ୍‌ ଲୁହାପଥରର ଅଭାବ ଦେଖାଦେଇଛି। ଏହି କାରଣରୁ ଲୁହାପଥର ଦର ଅହେତୁକ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଏହିକ୍ରମରେ ଜୁନ ୨୦୨୦ରେ ଲୁହାପଥର ମୂଲ୍ୟ ଟନ୍‌ ପିଛା ୨୨୦୦ ଟଙ୍କା ଥିଲାବେଳେ ଜୁନ ୨୦୨୧ରେ ଏହା ଅଭୂତପୂର୍ବ ଭାବେ ବୃଦ୍ଧି ପାଇ ଟନ୍‌ ପିଛା ୧୨,୦୦୦ ଟଙ୍କାରେ ପହଞ୍ଚିଛି।
ନିଜସ୍ବ ଖଣି ନ ଥିବା ଷ୍ଟିଲ ପ୍ଲାଣ୍ଟଗୁଡିକ ଲୁହାପଥର ପାଇଁ ଓଡ଼ିଶା ଖଣି ନିଗମ (ଓଏମ୍‌ସି)ଉପରେ ନିର୍ଭର କରିଥାନ୍ତି। ୨୦୨୦-୨୧ରେ ରାଜ୍ୟରେ ଉତ୍ପାଦିତ ୧୧୧ ମିଲିୟନ ଟନ୍‌ ଲୁହାପଥରରୁ ଓଏମ୍‌ସି ମାତ୍ର ୧୩ ମିଲିୟନ ଟନ୍‌ ଲୁହାପଥର ଉତ୍ପାଦନ କରିଥିଲା। ନିଜସ୍ବ ଲୁହାପଥର ଖଣି ଥିବା ଶିଳ୍ପ ସଂସ୍ଥା ଯଥା ଟାଟା ଷ୍ଟିଲ, ସେଲ, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ, ଆରସେଲର ମିତ୍ତଲ ଓ ଜେଏସ୍‌ପିଏଲ ୬୫ ମିଲିୟନ ଟନ୍‌ ଲୁହାପଥର ଉତ୍ପାଦନ କରିଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ଦେଖାଦେଇଥିବା ଲୁହାପଥର ଅଭାବ ଓ ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ହେଲେ ଓଏମ୍‌ସିକୁ ଲୁହାପଥର ଉତ୍ପାଦନ ବାର୍ଷିକ ୧୩ ମିଲିୟନ ଟନ୍‌ରୁ ବଢ଼ାଇ ୨୬ ମିଲିୟନ ଟନ୍‌ କରିବାକୁ ପଡିବ ବୋଲି କେତେଜଣ ଶିଳ୍ପ ସଂସ୍ଥା କର୍ତ୍ତୃପକ୍ଷ ମତ ପ୍ରକାଶ କରିଛନ୍ତି। ଖଣି ନିଗମ ଅଧୀନରେ ଥିବା ଜିଲିଙ୍ଗ ଓ ଗୁଆଳି ଲୁହାପଥର ଖଣିରୁ ବାର୍ଷିକ ୧୧ ମିଲିୟନ ଟନ୍‌ ଏବଂ ଦୈତାରୀ, ଗନ୍ଧମାର୍ଦ୍ଦନ ଓ କୋଇଡା ଖଣିରୁ ବାର୍ଷିକ ୧୫ ମିଲିୟନ ଟନ୍‌ ଲୁହାପଥର ଉତ୍ପାଦନ କରିବା ପାଇଁ ଶିଳ୍ପ ସଂସ୍ଥାଗୁଡିକ ଓଏମ୍‌ସି ନିକଟରେ ଦାବି ଜଣାଇଛନ୍ତି। ଏହାସହ ନିଲାମ ପ୍ରକ୍ରିୟାରେ ନଦୀଡ଼ିହ, ତେହେରାଇ, ରେଙ୍ଗାଳବେଡ଼ା ଓ ବଳଦା ଲୁହାପଥର ଖଣି ହାତେଇଥିବା ସଂସ୍ଥା ବର୍ତ୍ତମାନ ସୁଦ୍ଧା ଲୁହାପଥର ଉତ୍ପାଦନ ଆରମ୍ଭ କରିନାହାନ୍ତି। ଏହି ଲୁହାପଥର ଖଣିଗୁଡିକୁ ଓଏମ୍‌ସି ଅଧୀନକୁ ନେଇ ଲୁହାପଥର ଉତ୍ପାଦନ କରିବା ପାଇଁ କଳିଙ୍ଗନଗର ଇଣ୍ଡଷ୍ଟ୍ରି ଆସୋସିଏଶନ (କେଏନଆଇଏ)ଓ ଆସୋସିଏଟେଡ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ ଇଣ୍ଡିଆ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.