ଅପଚୟ କଲେ କମ୍‌ ମିଳିବ

ନୂଆଦିଲ୍ଲୀ,୯ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟଗୁଡ଼ିକୁ ସାବାଳକଙ୍କ ପାଇଁ ମାଗଣାରେ ଟିକା ଦିଆଯିବ ବୋଲି ଘୋଷଣା କରିବାର ଦିନକ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। କେଉଁ ରାଜ୍ୟକୁ କେତେ ଡୋଜ୍‌ ଆବଣ୍ଟନ କରାଯିବ ତାହା ଜନସଂଖ୍ୟା, ସଂକ୍ରମଣ ବୋଝ, ଟିକାକରଣରେ ଅଗ୍ରଗତି ଆଦିକୁ ଦୃଷ୍ଟିରେ ରଖି ସ୍ଥିର କରାଯିବ ବୋଲି ସରକାର ଏଥିରେ ସ୍ପଷ୍ଟ କରିଛନ୍ତି। ସେହିପରି ଭାକ୍ସିନ ଅପଚୟ ମଧ୍ୟ ଆବଣ୍ଟନ ଉପରେ ନକାରାମତ୍କ ପ୍ରଭାବ ପକାଇବ ବୋଲି ଏହି ମାର୍ଗଦର୍ଶିକାରେ ଚେତାଇ ଦିଆଯାଇଛି।
ନୂଆ ଭାକ୍ସିନ ଗାଇଡ୍‌ଲାଇନ୍‌ ଅନୁସାରେ କେନ୍ଦ୍ର ସରକାର ଉତ୍ପାଦନକାରୀ କମ୍ପାନୀଗୁଡ଼ିକଠାରୁ ରାଜ୍ୟଗୁଡ଼ିକର କୋଟା ବାବଦ ୨୫ ପ୍ରତିଶତ ଟିକାକୁ ମିଶାଇ ୭୫% ଭାକ୍ସିନ କିଣିବେ। ୧୮ରୁ ୪୪ ବର୍ଷୀୟଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କେନ୍ଦ୍ର ସରକାର ମାଗଣାରେ ଟିକା ଯୋଗାଇଦେବେ। ଏଥିପାଇଁ କୌଣସି ରାଜ୍ୟକୁ ଅର୍ଥ ପଇଠ କରିବାକୁ ପଡ଼ିବ ନାହିଁ। ତେବେ ସମ୍ପୃକ୍ତ ରାଜ୍ୟର ଜନସଂଖ୍ୟା, ସଂକ୍ରମିତଙ୍କ ସଂଖ୍ୟା, ଟିକାକରଣ କେତେ ବାଟ ଆଗେଇଛି ଓ କେତେ ପରିମାଣର ଭାକ୍ସିନ ଅପଚୟ ହୋଇଛି, ଏସବୁ ଆଧାରରେ ଟିକା ଯୋଗାଣ ନିର୍ଭର କରେ। ସେହିପରି ଦେଶର ଟିକା ଉତ୍ପାଦନକାରୀମାନଙ୍କୁ ଘରୋଇ ହସ୍ପିଟାଲଗୁଡ଼ିକୁ ପ୍ରତ୍ୟକ୍ଷ ଭାବେ ଭାକ୍ସିନ ଯୋଗାଣ ନେଇ ବିକଳ୍ପ ଦିଆଯିବ। ସମସ୍ତ ଘରୋଇ ହସ୍ପିଟାଲ ଟିକା ଉପରେ ସର୍ବାଧିକ ୧୫୦ ଟଙ୍କା ସର୍ଭିସ ଚାର୍ଜ ଲଗାଇପାରିବେ ବୋଲି ଜାରି କରାଯାଇଥିବା ସଦ୍ୟ ବିବୃତିରେ କେନ୍ଦ୍ର ସ୍ପଷ୍ଟ କରିଛି।
ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳକୁ କେତେ ପରିମାଣର ଟିକା ଯୋଗାଇଦିଆଯିବ ତାହା ସେମାନଙ୍କୁ ଆଗୁଆ ଅବଗତ କରାଯିବ। ଅନୁରୂପ ଭାବେ ରାଜ୍ୟଗୁଡ଼ିକ ଏହାକୁ ଦେଖି ଜିଲା ଓ ଟିକାକରଣ କେନ୍ଦ୍ରଗୁଡ଼ିକୁ ଭାକ୍ସିନ ଆବଣ୍ଟନ କରିବେ। ପାଖରେ କେତେ ଟିକା ଉପଲବ୍ଧ ରହିଛି ତାହା ସେମାନେ ସାର୍ବଜନୀନ କରିବେ। ଏହାସହ ଟିକାକୁ ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ତୁରନ୍ତ ବିସ୍ତୃତ ଭାବେ ସବୁଆଡ଼େ ପଠାଇବେ। ରାଜ୍ୟଗୁଡ଼ିକ ପ୍ରଥମେ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା, ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ନାଗରିକ, ଦ୍ୱିତୀୟ ଡୋଜ୍‌ ନେବାକୁ ଅପେକ୍ଷା କରିଥିବା ବ୍ୟକ୍ତିଙ୍କୁ ଟିକାକରଣ ଉପରେ ପ୍ରାଥମିକତା ଦେବେ। ପରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକା ଦିଆଯିବ। ନୂଆ ନିୟମ ଅନୁସାରେ ଆୟ ସ୍ଥିତି ନିର୍ବିଶେଷରେ ସମସ୍ତ ନାଗରିକ ମାଗଣା ଟିକା ପାଇବାକୁ ଯୋଗ୍ୟ। ଯେଉଁମାନେ ଏଥିପାଇଁ ଅର୍ଥ ପଇଠ କରିବାକୁ ସକ୍ଷମ ସେମାନେ ଘରୋଇ ହସ୍ପିଟାଲର ଟିକାକରଣ କେନ୍ଦ୍ରରେ ଟିକା ନେବା ଉଚିତ ବୋଲି ଏଥିରେ ଦର୍ଶାଯାଇଛି। ହସ୍ପିଟାଲଗୁଡ଼ିକ କେତେ ମୂଲ୍ୟରେ ଟିକା କିଣିବେ ତାହା ସମ୍ପୃକ୍ତ ଉତ୍ପାଦନକାରୀ କମ୍ପାନୀ ପକ୍ଷରୁ ଘୋଷଣା କରାଯିବ। ବର୍ତ୍ତମାନ ଘରୋଇ ହସ୍ପିଟାଲ ପାଇଁ କୋଭାକ୍ସିନ ଡୋଜ୍‌ ପିଛା ୧,୨୦୦ ଟଙ୍କା ରହିଥିବାବେଳେ କୋଭିଶିଲ୍ଡ୍‌ ଡୋଜ୍‌ ପ୍ରତି ୬୦୦ ଟଙ୍କା ରହିଛି। କିନ୍ତୁ କେନ୍ଦ୍ର ସରକାର ପ୍ରତି ଡୋଜ୍‌କୁ ୧୫୦ ଟଙ୍କାରେ କିଣିବେ।
ଅପଚୟକୁ ନେଇ ଦିଆଯାଇଥିବା ଚେତାବନୀକୁ ରାଜ୍ୟଗୁଡ଼ିକ ଭଲ ଦୃଷ୍ଟିରେ ଦେଖି ନ ପାରନ୍ତି। ବିଶେଷକରି ଯେଉଁ ରାଜ୍ୟଗୁଡ଼ିକ ଅଧିକ ପରିମାଣର ଭାକ୍ସିନ ନଷ୍ଟ କରୁଛନ୍ତି ସେମାନଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌ ସୁବିଧାଜନକ ହେବ ନାହିଁ ବୋଲି କୁହାଯାଉଛି। ଗତ ମାସରେ ଝାଡ଼ଖଣ୍ଡ କେନ୍ଦ୍ର ପକ୍ଷରୁ ଯୋଗାଇ ଦିଆଯାଇଥିବା ଟିକାର ୩୭% ଓ ଛତିଶଗଡ଼ ୩୦% ଅପଚୟ କରିଥିବା ଅଭିଯୋଗ ହୋଇଥିଲା। ଭାଜପା ଶାସିତ ମଧ୍ୟପ୍ରଦେଶରେ ୧୧% ଡୋଜ୍‌ ଟିକା ନଷ୍ଟ ହୋଇଥିଲା। ତେବେ ଉକ୍ତ ୩ ରାଜ୍ୟ ଏହି ତଥ୍ୟକୁ ତ୍ରୁଟିଯୁକ୍ତ ଦର୍ଶାଇବା ସହ ପ୍ରକୃତ ଅପଚୟ ୫% ବୋଲି କହିଥିଲେ।
ପ୍ରକାଶ ଯେ, ରାଜ୍ୟଗୁଡ଼ିକର ଲଗାତର ଦାବି ଓ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ସୋମବାର ପ୍ରଧାନମନ୍ତ୍ରୀ ମୋଦି ଦେଶର ସମସ୍ତ ନାଗରିକଙ୍କୁ ଆସନ୍ତା ୨୧ ତାରିଖରୁ ମାଗଣା ଟିକା ଦେବା ପାଇଁ ଘୋଷଣା କରିଥିଲେ। ୭ଟି କମ୍ପାନୀ ବିଭିନ୍ନ ପ୍ରକାର ଟିକା ଉତ୍ପାଦନ କରୁଛନ୍ତି ଏବଂ ଅନ୍ୟ ୩ ଭାକ୍ସିନର ଟ୍ରାଏଲ୍‌ ଆଡ୍‌ଭାନ୍ସଡ୍‌ ଷ୍ଟେଜ୍‌ରେ ରହିଛି। ସେହିପରି ପିଲାଙ୍କ ଟିକାକରଣ ନେଇ ୨ଟି ଭାକ୍ସିନ ଏବଂ ଗୋଟିଏ ନାଜାଲ ଭାକ୍ସିନ ଉପରେ ଗବେଷଣା ଜାରି ରହିଥିବା ମୋଦି କହିଥିଲେ। କେନ୍ଦ୍ର ସରକାର ଚଳିତ ବର୍ଷ ଶେଷ ସୁଦ୍ଧା ୧୦୮ କୋଟି ଭାରତୀୟଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି। ସେଥିରୁ ମଙ୍ଗଳବାର ସକାଳ ସୁଦ୍ଧା ଦେଶରେ ପ୍ରାୟ ୨୩.୬ କୋଟି ଡୋଜ୍‌ ଟିକା ଦିଆଯାଇଛି।

୪୪ କୋଟି ଡୋଜ୍‌ ଅର୍ଡର

କେନ୍ଦ୍ର ସରକାର ମଙ୍ଗଳବାର କୋଭିଶିଲ୍ଡ ଓ କୋଭାକ୍ସିନ ଟିକାର ୪୪ କୋଟି ଡୋଜ୍‌ ଅର୍ଡର ଦେଇଛନ୍ତି। ଏଥିରୁ କୋଭିଶିଲ୍ଡ ନିର୍ମାତା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆକୁ ୨୫ କୋଟି ଓ କୋଭାକ୍ସିନ ପ୍ରସ୍ତୁତକାରୀ ଭାରତ ବାୟୋଟେକ୍‌କୁ ୧୯ କୋଟି ଡୋଜ୍‌ ଯୋଗାଇବାକୁ କୁହାଯାଇଛି। ଉତ୍ପାଦନକାରୀ ଦୁଇ କମ୍ପାନୀ ଆସନ୍ତା ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଏହା ଯୋଗାଇଦେବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଜୁନ୍‌ ୨୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ନାଗରିକଙ୍କୁ ମାଗଣାରେ ଟିକା ଦିଆଯିବ। ଏଥିଲାଗି କେନ୍ଦ୍ର ସରକାର ୭୫% ଟିକା କିଣିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବାର ଦିନକ ପରେ ଏହି ଅର୍ଡର ଦିଆଯାଇଛି।

ପାର୍ଲାମେଣ୍ଟ ଅଧିବେଶନ ଡାକିବାକୁ କଂଗ୍ରେସର ଦାବି

କେନ୍ଦ୍ର ସରକାର ନିଜ ଭାକ୍ସିନ ନୀତିକୁ ନେଇ ପାର୍ଲାମେଣ୍ଟରେ ସ୍ପଷ୍ଟୀକରଣ ଦେବା ଆବଶ୍ୟକ। ଏଥିପାଇଁ ସଂସଦର ଅଧିବେଶନ ଡକାଯାଉ ବୋଲି ମଙ୍ଗଳବାର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ସରକାର ଡେଡ୍‌ଲାଇନ୍‌ ଉପରେ ନୁହେଁ, ବରଂ ହେଡ୍‌ଲାଇନ୍‌ ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ସମାଲୋଚନା କରିଛନ୍ତି।
ଜୟରାମ କହିଛନ୍ତି, ସମସ୍ତ ଭାରତୀୟଙ୍କୁ ମାଗଣାରେ କୋଭିଡ୍‌ ଭାକ୍ସିନ ମିଳିବା ଉଚିତ। ଦେଶର ବହୁ ଲୋକଙ୍କ ପାଖରେ ଡିଜିଟାଲ ସୁବିଧା ନ ଥିବାରୁ କୋଓ୍ବିନ୍‌ ଆପ୍‌ ଜରିଆରେ ଟିକାକରଣକୁ ବାଧ୍ୟତାମୂଳକ କରା ନ ଯାଉ। କେଉଁ ରାଜ୍ୟକୁ କେତେ ଟିକା ଯୋଗାଣ କରାଯିବ ସେନେଇ ସ୍ବଚ୍ଛତା ରହିବା ଉଚିତ। ପାର୍ଲମେଣ୍ଟ ଅଧିବେଶନରେ ସରକାରଙ୍କ ଭାକ୍ସିନ ନୀତିର ଆଲୋଚନା କରାଯାଉ। ଏହାସହ ସମସ୍ତଙ୍କୁ ମାଗଣା ଟିକା ଦେବା ଲାଗି ଆବଶ୍ୟକ ବଜେଟକୁ ଅନୁମୋଦନ ନେଇ ମଧ୍ୟ ଅଧିବେଶନରେ ଚର୍ଚ୍ଚା ହେବା ଜରୁରୀ ବୋଲି ଜୟରାମ କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.