ଖୋର୍ଦ୍ଧା ଅଫିସ,୨୨।୬: ଏସିଆ ମହାଦେଶର ବୃହତ୍ତମ ଲୁଣା ହ୍ରଦ ‘ଚିଲିକା’ରୁ ପାଣି ଚୋରି ହେଉଛି। ଚିଲିକାକୁ ଲାଗି ରହିଥିବା ଶତାଧିକ ଏକର ଜମିକୁ କେତେକ ମାଫିଆ ନିଜ ଅକ୍ତିଆରରେ ରଖି ମାଟି ବନ୍ଧ ବାନ୍ଧିବା ସହ ସେଠାରେ ପାଣି ଜମାଇ ମାଛ ଓ ଚିଙ୍ଗୁଡ଼ି ଚାଷ କରୁଛନ୍ତି। ଉଚ୍ଚ କ୍ଷମତାସମ୍ପନ୍ନ ମୋଟର ସାହାଯ୍ୟରେ ଚିଲିକାରୁ ପାଣି ଉଠାଇ ସେଥିରେ ବିଭିନ୍ନ ରାସାୟନିକ ସାର ବ୍ୟବହାର କରୁଛନ୍ତି। ଫଳରେ ବର୍ଷା ହେଲେ ଏହି ପାଣି ଉଦ୍ବୃତ୍ତ ହୋଇ ଚିଲିକାରେ ମିଶୁଛି। ଚିଲିକାର ଜଳ ଦୂଷିତ ହେବା ସହ ଜୈବ ବିବିଧତା ନଷ୍ଟ ହେଉଛି। ବିଶେଷତଃ ଚିଲିକା ଉପକୂଳବର୍ତ୍ତୀ ଟାଙ୍ଗୀ ତହସିଲ୍ ଅନ୍ତର୍ଗତ ଭୁଷଣ୍ଡପୁର, ଜଗନ୍ନାଥପୁର ଓ ଶୁଭଦ୍ରାପୁର ମୌଜାରେ ବେଆଇନ ଭାବେ ଶତାଧିକ ମାଛଘେରି ଗଢ଼ି ଉଠିଛି। ରାଜ୍ୟ ତଥା ବାହାର ରାଜ୍ୟର ଚୋରା ବ୍ୟବସାୟୀମାନେ ଚିଲିକାରୁ ମାଛ ମାରି ଦୈନିକ ଟ୍ରକ୍, ପିକଅପ୍ ଭ୍ୟାନ୍, ମିନିଟ୍ରକ୍ ଯୋଗେ ଚିଲିକା ପାଣି ସହିତ ଜିଅନ୍ତା ମାଛକୁ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ଗୋଟିଏ ପିକଅପ୍ ଭ୍ୟାନ୍ରେ ପ୍ରାୟ ୧୦ହଜାର, ୪୦୭ ମିନିଟ୍ରକ୍ରେ ୨୦ହଜାର ଏବଂ ଟ୍ରକ୍ରେ ୩୦ରୁ ୪୦ହଜାର ଲିଟର ପର୍ଯ୍ୟନ୍ତ ପାଣି ନେଉଛନ୍ତି। କୋଲକାତାରେ ଜିଅନ୍ତା ମାଛର ଚାହିଦା ରହିଛି। ତେଣୁ ଚିଲିକା ପାଣିରେ ଜିଅନ୍ତା ମାଛ ରଖି ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ଜଣାପଡ଼ିଛି। ଦୈିନିକ ପ୍ରାୟ ୫ଲକ୍ଷ ଲିଟର ପାଣି ମାଛ ପରିବହନ ବାହାନାରେ ଚୋରି ହେଉଛି। ଏହାକୁ ବିରୋଧ କଲେ ଧମକ୍ ମିଳୁଥିବା ସ୍ଥାନୀୟ ଗ୍ରାମବାସୀ ଓ ମତ୍ସ୍ୟଜୀବୀ କହିଛନ୍ତି। ଚିଲିକାର ଜଳସ୍ତର କମୁଥିବାବେଳେ ଅନାବନା ଦଳ ଓ ପଙ୍କ ଯୋଗୁ ମତ୍ସ୍ୟଜୀବୀମାନେ ଡଙ୍ଗା ନେଇ ଚିଲିକା ଭିତରକୁ ଯିବା ଲାଗି ହଇରାଣ ହେଉଛନ୍ତି। ଜିଲା ପ୍ରଶାସନ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ସବୁ ଜାଣି ବି ଚୁପ୍ ବସିଥିବା ସାଧାରଣରେ ଅଭିଯୋଗ ହେଉଛି।
ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲାର ପ୍ରାୟ ୧୧୬୫ ବର୍ଗ କି.ମି. ଅଞ୍ଚଳ ପର୍ଯ୍ୟନ୍ତ ଚିଲିକା ପରିବ୍ୟାପ୍ତ ଥିଲା। କ୍ରମଶଃ ଏହା ସଙ୍କୁଚିତ ହୋଇ ୧୦୯୧ ବର୍ଗ କି.ମି.କୁ ଆସିଲାଣି। ଏହି ୩ଜିଲାର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଛୋଟ ବଡ଼ ନଦୀ, ନାଳର ପାଣି ଚିଲିକାରେ ମିଶିଥାଏ। ଗୋଟିଏ ପଟେ ନଦୀ, ନାଳର ପାଣି ସହ ମାଟି, ଗୋଡ଼ି, ପ୍ଲାଷ୍ଟିକ, ପଲିଥିନ ପ୍ରଭୃତି ବର୍ଜ୍ୟ ବସ୍ତୁ ଭାସି ଆସି ଧୀରେ ଧୀରେ ଚିଲିକା ପୋତି ହେବାରେ ଲାଗିଥିବାବେଳେ ଅନ୍ୟପଟେ ପ୍ରାୟ ୧୫୦ ବର୍ଗ କି.ମି. ଅଞ୍ଚଳର ନଳଘାସ ସଫେଇ କରାଯାଉ ନ ଥିବାରୁ ଚିଲିକା ପ୍ରଦୂଷିତ ହୋଇପଡୁଛି। ପୁରୀ ଜିଲାର ବରକୁଦିଠାରୁ ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଅଧୀନ କୁମଣ୍ଡପାଟଣା ଉପକୂଳବର୍ତ୍ତୀ ଅଞ୍ଚଳରେ ନଳଘାସ ମାଡ଼ିଗଲାଣି। ଏଥିଯୋଗୁ ଜଳଜୀବ ପ୍ରଭାବିତ ହେଉଛନ୍ତି। ମତ୍ସ୍ୟଜୀବୀଙ୍କ ଜୀବିକା ମଧ୍ୟ ଉଜୁଡ଼ିବାକୁ ବସିଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଚାଲିଥିବା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନ ସଫେଇ ଦେଉଛନ୍ତି। କିନ୍ତୁ ବାସ୍ତବ ଚିତ୍ର ଭିନ୍ନ। ଗତବର୍ଷ ଭୁଷଣ୍ଡପୁର ଓ ଆଖପାଖ ଅଞ୍ଚଳର ମାଟିବନ୍ଧ ଘେରିଗୁଡ଼ିକୁ ଭାଙ୍ଗିବା ଲାଗି ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର କିଛିଦିନ ପରେ ତାହା ଶିଥିଳ ପଡ଼ିଗଲା। ପୁଣି ମାଟିବନ୍ଧ ଘେରି ଗଢ଼ିିଉଠିଲା। ଏବେ ହଜାର ହଜାର ହେକ୍ଟର ଜମିରେ ମାଟିବନ୍ଧ ଘେରି ରହିଥିବା ଦେଖିବାକୁ ମିଳୁଛି। ସେହି ଘେରିଗୁଡ଼ିକ ଯେପର୍ଯ୍ୟନ୍ତ ଭଙ୍ଗା ନ ଯାଇଛି ସେ ପର୍ଯ୍ୟନ୍ତ ଚିଲିକା ବିପଦମୁକ୍ତ ନୁହେଁ ବୋଲି ପରିବେଶବିତ୍ମାନେ ମତ ଦେଉଛନ୍ତି। ଏନେଇ ଖୋର୍ଦ୍ଧା ଉପଜିଲାପାଳ ଅଶୋକ ବେହୁରିଆଙ୍କୁ ପଚାରିବାରେ ଚିଲିକା ପାଣିରେ ମାଛ ଚାଲାଣ ହେଉଥିବା ଖବର ପାଇଛି। ଏହି ଘଟଣାର ଅନୁଧ୍ୟାନ କରାଯିବ। ଚିଲିକାରେ ପାଟ୍ରୋଲିଂ କରିବାକୁ ସ୍ଥାନୀୟ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଜାରି ରହିଛି। ହାଟବରିଡ଼ିରେ ଗଢ଼ିଉଠିଥିବା ପ୍ରାୟ ୬୦ହେକ୍ଟର ଚିଙ୍ଗୁଡ଼ି ଘେରି ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି। ଆଗକୁ ଚିଲିକା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବେଆଇନ ଭାବେ ଗଢ଼ି ଉଠିଥିବା ମାଟିବନ୍ଧ ଘେରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବା ଯୋଜନା ରହିଛି। ଚିଲିକାକୁ ସମ୍ପୂର୍ଣ୍ଣ ଘେରି ମୁକ୍ତ ଏବଂ ବେଆଇନ କାର୍ଯ୍ୟକଳାପ ରୋକିବା ଲାଗି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ତହସିଲଦାର, ମତ୍ସ୍ୟ ବିଭାଗ ଏବଂ ପୋଲିସ ପ୍ରଶାସନ ସହ ଆଲୋଚନା କରାଯାଇଛି। ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରିକଲେ, ସେମାନଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ତହସିଲଦାରଙ୍କୁ କୁହାଯାଇଛି।
ପ୍ରଭାତ କୁମାର ପାଣିଗ୍ରାହୀ
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.