ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳଠାରୁ ଏବେ ସେଠାରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଚାଲିଥିବା ଟଣାଓଟରା ଏକ ରୋଚକ ସ୍ଥିତି ସୃଷ୍ଟି କରିଛି। ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଥିବା ଆଲାପନ ବନ୍ଦୋପାଧ୍ୟାୟଙ୍କୁ ରାତାରାତି କେନ୍ଦ୍ରୀୟ ଡେପୁଟେଶନରେ ଛାଡ଼ିବା ପାଇଁ ନରେନ୍ଦ୍ର ମୋଦି ସରକାର ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହାକୁ ମମତା ବାନାର୍ଜୀ ସରକାର ଅସ୍ବୀକାର କରିଥିଲେ। ନିର୍ବାଚନରେ ପରାଜୟବରଣ କରିଥିବାରୁ ମୋଦି ସରକାର ପ୍ରତିଶୋଧପରାୟଣ ହୋଇଥିବା ମମତା ସିଧାସଳଖ ଅଭିଯୋଗ କରିଚାଲିଛନ୍ତି। ଏଠାରେ କୁହାଯାଇପାରେ ଯେ, ଏସବୁ ବିଶୃଙ୍ଖଳା ଘଟିବାର ଏକ ବଡ଼ କାରଣ ରହିଛି। ନିକଟରେ ବାତ୍ୟା ‘ୟାସ୍’ ଦ୍ୱାରା ପ୍ରଭାବିତ ରାଜ୍ୟ ପଶ୍ଚିମବଙ୍ଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷୟକ୍ଷତିର ସମୀକ୍ଷା କରିବାକୁ ଯାଇଥିଲେ। ସେହି ବୈଠକକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ମୁଖ୍ୟ ଶାସନ ସଚିବ ଆଲାପନ ପ୍ରାୟ ୩୦ ମିନିଟ୍ ବିଳମ୍ବରେ ପହଞ୍ଚତ୍ଥିଲେ। ସେଠାରେ ମମତା ଅଳ୍ପ ସମୟ ରହି ପ୍ରଧାନମନ୍ତ୍ରୀଙ୍କୁ କ୍ଷୟକ୍ଷତି ରିପୋର୍ଟ ଦେବା ପରେ ସ୍ଥାନ ଛାଡ଼ି ଦେଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ମୋଦି ସେହିଦିନ ରାତିରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମମତା କେନ୍ଦ୍ରକୁ ଅନୁରୋଧ କରିଥିଲେ ଯେ, ତାଙ୍କ ରାଜ୍ୟରୁ ଅଭିଜ୍ଞ ଅଫିସରମାନଙ୍କୁ ନିଆ ନ ଯାଉ। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏଭଳି ବାଦବିବାଦ ଲାଗିଥିବା ବେଳେ ୩୧ ମେ’ରେ ଆଲାପନ ଚାକିରିରୁ ଅବସର ନେବା ପରେ ମମତା ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତ କରିଛନ୍ତି। ୧ ଜୁନ୍ରୁ ସେ ୩ ବର୍ଷ ପାଇଁ ଏହି ପଦବୀରେ ରହିବେ। ଉଲ୍ଲେଖଯୋଗ୍ୟ ଯେ, ୧୯୮୭ ବ୍ୟାଚ୍ର ଆଇଏଏସ୍ ଅଫିସର ଆଲାପନ ୩୧ ମେ’ରେ ଅବସର ନେବାର ଥିଲା। ଏହା ପୂର୍ବରୁ ତାଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇବା ସକାଶେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଜଣାଇଥିଲେ। କେନ୍ଦ୍ରର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଚଳିତ ମାସ ୨୪ ତାରିଖରେ ଆଲାପନଙ୍କ କାର୍ଯ୍ୟକାଳକୁ ୩ ମାସ ବଢ଼ାଇଥିଲେ। ଯେତେବେଳେ କେନ୍ଦ୍ର-ରାଜ୍ୟ ସମ୍ପର୍କ ବିଗିଡ଼ିବାରେ ଲାଗିଲା ସେତେବେଳେ ଆଲାପନ ଅବସର ନେଇଯିବା ସମଗ୍ର ଘଟଣାକ୍ରମକୁ ଭିନ୍ନ ମୋଡ଼ ଦେଇଛି।
ସଦ୍ୟ ବିବାଦର ମୂଳକୁ ଗଲେ ଜଣାପଡ଼ୁଛି ଯେ, ମୋଦିଙ୍କ ବୈଠକରେ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ତଥା ଭାଜପାର ଶୁଭେନ୍ଦୁ ଅଧିକାରୀ ଉପସ୍ଥିତ ଥିଲେ। ପ୍ରୋଟୋକଲ ଦୃଷ୍ଟିରୁ ସେ ସେଠାରେ ରହିବାର ନ ଥିଲା ବୋଲି ସମୀକ୍ଷକମାନେ କହୁଛନ୍ତି। ସମ୍ଭବତଃ ଶୁଭେନ୍ଦୁଙ୍କ ଉପସ୍ଥିତି ଯୋଗୁ ମମତା ବିରକ୍ତି ପ୍ରକାଶ କରିବାକୁ ଯାଇ ପ୍ରାୟ ୩୦ ମିନିଟ୍ ବିଳମ୍ବରେ ପହଞ୍ଚତ୍ଥିଲେ। ତତ୍କ୍ଷଣାତ୍ ବାତ୍ୟା କ୍ଷୟକ୍ଷତି ପରିମାଣ ସଂକ୍ରାନ୍ତ ରିପୋର୍ଟ ମୋଦିଙ୍କୁ ଦେଇ ମୁଖ୍ୟ ଶାସନ ସଚିବଙ୍କ ସହ ସେ ବୈଠକରୁ ଚାଲିଯାଇଥିଲେ। ଫଳରେ ଅନନ୍ୟୋପାୟ ହୋଇ ମୋଦି ମୁଖ୍ୟ ଶାସନ ସଚିବ ଆଲାପନଙ୍କ ଉପରେ ରାଗ ଶୁଝାଇବାକୁ ଯାଇ ପଦକ୍ଷେପ ନେଇଛନ୍ତି ବୋଲି ସାଧାରଣରେ ଧାରଣା ସୃଷ୍ଟି ହୋଇଛି। କିନ୍ତୁ ଯଦି ସର୍ବଭାରତୀୟ ସେବା (ଶୃଙ୍ଖଳା ଓ ନିବେଦନ) ନିୟମ ୧୯୬୯ର ରୁଲ୍ ୭କୁ ଦେଖାଯାଏ, ସେଥିରେ ଉଲ୍ଲେଖ ରହିଛି, ଯେଉଁ ଅଧିକାରୀ ରାଜ୍ୟ ସରକାରଙ୍କ ଅଧୀନରେ ନିଯୁକ୍ତ ହୋଇଛନ୍ତି ତାଙ୍କ ବିରୋଧରେ କେନ୍ଦ୍ର କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ। ରାଜ୍ୟରେ କାର୍ଯ୍ୟ କରୁଥିବା ଏଭଳି ସର୍ବଭାରତୀୟ ସ୍ତରର ଅଧିକାରୀଙ୍କ ବିରୋଧରେ ରାଜ୍ୟ କାର୍ଯ୍ୟାନୁଷ୍ଠାନ ନେବ ଏବଂ ସ୍ଥଳବିଶେଷରେ ଉଭୟ ସରକାର ରାଜି ହେବା ଆବଶ୍ୟକ। ହେଲେ ମୋଦି ସରକାର ସିଧାସଳଖ ନିଜ କ୍ଷମତା ବିସ୍ତାର କରିବାକୁ ଚାହିଁଥିବାରୁ ମମତା ଏହାକୁ ପ୍ରତିରୋଧ କରିଛନ୍ତି।
କୋଅପରେଟିଭ୍ ଫେଡେରାଲିଜମ୍ ବା ସହଯୋଗୀ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର-ରାଜ୍ୟ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ମୋଦି ସରକାର କ୍ଷମତାକୁ ଆସିବା ପରେ ଏହି ସମ୍ପର୍କ ନିଜ ଦଳ ଦ୍ୱାରା ଶାସିତ ରାଜ୍ୟ ପାଇଁ ଗୋଟିଏ ରହୁଥିବା ବେଳେ ଅନ୍ୟମାନଙ୍କ ପାଇଁ ଭିନ୍ନ ରହୁଛି ବୋଲି ଅଭିଯୋଗ ହେଉଛି। ସଦ୍ୟ ଘଟଣା ଦେଖିଲେ ଟିକାକରଣ କ୍ଷେତ୍ରରେ ଅଧିକ ଅଭିଯୋଗ ଆସୁଛି। ଅନ୍ୟପକ୍ଷରେ ମମତା ବାନାର୍ଜୀ ମଧ୍ୟ କେନ୍ଦ୍ର ସହ ସର୍ବଦା ମୁକାବିଲାମୂଳକ ମନୋଭାବ ନେଇ ଲଢ଼ିବାରୁ କ୍ଷାନ୍ତ ହେବା ଦରକାର। ଏକ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର-ରାଜ୍ୟ ସମ୍ପର୍କ ବିଗିଡ଼ିଗଲେ ନାଗରିକମାନେ ଅସୁବିଧା ଭୋଗିଥାଆନ୍ତି। ତେଣୁ ଉଭୟ ସରକାର ନୀଚ ସ୍ତରକୁ ନ ଯାଇ ସାମ୍ବିଧାନିକ ମର୍ଯ୍ୟାଦାକୁ ବଜାୟ ରଖିବା ଉଚିତ।
କରୋନା ବର୍ଜ୍ୟ ବିପଦ
ଡା. ଉମେଶ ଚନ୍ଦ୍ର ପାତ୍ର ନିକଟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି ଏବଂ ଭୟାବହ କରୋନା ମହାମାରୀ ଦିନକୁ ଦିନ ସ୍ବାସ୍ଥ୍ୟଗତ ବିପଦ ସୃଷ୍ଟି...
ଅସଲ ଖୁସିର ମୁହୂର୍ତ୍ତ
ପ୍ରକାଶ ତ୍ରିପାଠୀ ଚିତ୍ତେ ପ୍ରସନ୍ନେ ଭୁବନମ୍ ପ୍ରସନ୍ନମ୍,ଚିତ୍ତେ ବିଷଣ୍ଣେ ଭୁବନମ୍ ବିଷଣ୍ଣମ୍। ଅର୍ଥାତ୍ ଯଦି ଆମ ହୃଦୟ ପ୍ରସନ୍ନ ବା ଖୁସି ଅଛି, ତେବେ...
ଏଇ ଭାରତରେ
ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିତ୍ବା ପାଇଁ ଯେଉଁ କେତେଜଣ ପ୍ରୟାସ ଜାରି ରଖିତ୍ଛନ୍ତି ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ସମୀକ୍ଷା ଗନେରିଓ୍ବାଲ ସମ୍ପୂର୍ଣ୍ଣ ଭିନ୍ନ। ସମୀକ୍ଷା ପ୍ଲାଷ୍ଟିକ...
ଏଲୋପାଥି ଉପରେ ଆକ୍ରମଣର ନିହିତାର୍ଥ
ଭାଲଚନ୍ଦ୍ର ଷଡ଼ଙ୍ଗୀ ନିକଟରେ ଆଧୁନିକ ଚିକିତ୍ସା ବିଜ୍ଞାନ ବା ଏଲୋପାଥି ଉପରେ ଯୋଗଗୁରୁ ରାମଦେବଙ୍କ ଦାୟିତ୍ୱହୀନ ମନ୍ତବ୍ୟକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି।...
ଏଇ ଭାରତରେ
ଜନସେବା କରିବାର ତରିକା ସମାଜସେବୀ ମାତିୟୁର ରହମାନଙ୍କ କ୍ଷେତ୍ରରେ ନିଶ୍ଚିତ ଭିନ୍ନ। ସେ ବିଦେଶରୁ ମୃତଦେହ ଆଣିବାରେ ଗରିବ ଲୋକମାନଙ୍କୁ ସହଯୋଗ କରୁଛନ୍ତି । ସବୁ...
ପରିସଂସ୍ଥାର ପୁନରୁଦ୍ଧାର ହେଉ
ଡ. ଦେବାନନ୍ଦ ବେଉରା ଏହା କହିବା ବାହୁଲ୍ୟ ଯେ, ଆଜିର ପିଢ଼ି ପରିସଂସ୍ଥା କହିଲେ କିଛି ବୁଝନ୍ତି ନାହିଁ। ଅବଶ୍ୟ କିଛି ଓଡ଼ିଆ ଶବ୍ଦର ସ୍ବଳ୍ପ...
ଏଇ ଭାରତରେ
କୋଭିଡ୍-୧୯ ମହାମାରୀର ଦ୍ୱିତୀୟ ଲହରରେ ଦେଶକୁ ଅକ୍ସିଜେନ ଅଭାବର ସାମ୍ନା କରିବାକୁ ପଡ଼ିଛି। ତେବେ ସରକାରୀ ସ୍ତରରେ ଏହି ସଙ୍କଟ ଦୂର କରିବା ଲାଗି ପଦକ୍ଷେପ...
ଏଇ ଭାରତରେ
ବର୍ଜ୍ୟ ଉପଯୋଗ କରି ପରିବେଶ ଉପଯୋଗୀ ସିମେଣ୍ଟ ପ୍ରସ୍ତୁତ କରିଛନ୍ତି ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ଏବଂ ଆଲିଗଡ଼ ମୁସଲିମ ୟୁନିଭର୍ସିଟି (ଉତ୍ତରପ୍ରଦେଶ)ର ପ୍ରାଧ୍ୟାପକମାନେ। ସେମାନଙ୍କ...


