Categories: ଫୁରସତ

ରୋଜଗାର ଟଙ୍କାରେ ବଳଦ କିଣା ହୋଇଥିଲା: ବିଷ୍ଣୁ ଚରଣ ସାହୁ

ଯାଜପୁର ଜିଲା ଭୂଇଁପୁର ପୋଷ୍ଟ ଅନ୍ତର୍ଗତ କଲ୍ୟାଣପୁର ଗାଁରେ ମୋ ଜନ୍ମ। ସ୍ଥାନୀୟ ବରଦାୟୀ ହାଇସ୍କୁଲରେ ପଢ଼ୁଥିବାବେଳେ ସପ୍ତମ ଶ୍ରେଣୀରେ ନ୍ୟାଶନାଲ୍‌ ସ୍କଲାରଶିପ୍‌ ବାବଦେ ୪୮୦ ଟଙ୍କା ଜାତୀୟ ମେଧାବୃତ୍ତି ପାଇଥିଲି, ଯାହା କି ଥିଲା ମୋ ଜୀବନର ପ୍ରଥମ ରୋଜଗାର। ସେହି ଟଙ୍କାରେ ବାପା ଚାଷ କରିବା ପାଇଁ ଗୋଟିଏ ବଳଦ ଘରକୁ କିଣି ଆଣିଥିଲେ। ବଳଦକୁ ଦେଖି ସେଦିନ ଘରେ ଆମେ ସମସ୍ତେ ବହୁତ ଖୁସି ହୋଇଯାଇଥିଲୁ। ପାଠ ପଢ଼ା ପ୍ରତି ମୋର ଖୁବ୍‌ ଆଗ୍ରହ ଓ ଶ୍ରଦ୍ଧା ରହିଥିବାରୁ ମୁଁ ବରଦାୟୀ ସ୍କୁଲ୍‌ରୁ ମାଟ୍ରିକ୍‌ ପାସ୍‌ କରିବା ପରେ ଯାଜପୁର ଏନ୍‌.ସି. କଲେଜରେ ନାମ ଲେଖାଇଥିଲି। ସେଠାରୁ ଇଂଲିଶ ଅନର୍ସରେ ବି.ଏ. ସାରି ରେଭେନ୍ସା କଲେଜରେ ଏମ୍‌.ଏ. ପଢ଼ିଲି। ହେଲେ ତା’ରି ଭିତରେ ଏକ ବଡ଼ ଦୁଃଖଦ ଘଟଣା ଆମ ପରିବାରରେ ଘଟିଯାଇଥିଲା। ମୁଁ ବି.ଏ. ପଢ଼ିବା ସମୟରେ ହିଁ ବାପାଙ୍କର ହଠାତ୍‌ ଦେହ ଖରାପ ହେଲା ଆଉ ସେ ଆରପାରିକୁ ଚାଲିଗଲେ। ତାଙ୍କ ପରେ ଘରର ସମସ୍ତ ଦାୟିତ୍ୱ ବଡ଼ ଭାଇଙ୍କୁ ବୁଝିବାକୁ ପଡ଼ିଲା। ଏପରି କି ମୋ ପାଠପଢ଼ା କଥା ବି ସେ ବୁଝୁଥିଲେ। ତେଣୁ ପି.ଜି. ସରିବା ପରେ ଯେବେ ମୁଁ ବରଦାୟୀ ହାଇସ୍କୁଲ୍‌ରେ ଅସ୍ଥାୟୀ ଶିକ୍ଷକ ଭାବେ ଶିକ୍ଷକତା କରିବାକୁ ଲାଗିଲି ସେବେ ମୋତେ ପ୍ରତିମାସ ୩୦୦ ଟଙ୍କା ପାରିଶ୍ରମିକ ମିଳୁଥିଲା। ଆଉ ସେହି ଟଙ୍କାକୁ ନେଇ ମୁଁ ମୋ ବଡ଼ ଭାଇଙ୍କ ହାତରେ ଦେଇ ଦେଉଥିଲି। ଏହିପରି ୬ମାସ ଯିବା ପରେ ଯାଜପୁର ରୋଡ୍‌ସ୍ଥିତ ବ୍ୟାସନଗର କଲେଜରେ ୧୯୭୭ ମସିହାରେ ଆଡ୍‌ହକ୍‌ ଇଂଲିଶ ଅଧ୍ୟାପକ ଭାବେ ଯାଇ ଜଏନ୍‌ କଲି। ତିନି ବର୍ଷ ପରେ ୟୁଜିସି ସ୍କେଲ୍‌ରେ ମୋର ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟକୁ ପୋଷ୍ଟିଂ ହେଲା। ମାତ୍ର ବର୍ଷେ ସେଠାରେ କାମ କରିବା ପରେ କେନ୍ଦୁଝର ଧରଣୀଧର କଲେଜକୁ ବଦଳି ହୋଇଗଲି। ସେଠାରେ ପାଖାପାଖି ୧୨ ବର୍ଷ କାମ କରିବା ଭିତରେ ବରିଷ୍ଠ ଅଧ୍ୟାପକ ଭାବେ ପ୍ରମୋଶନ ପାଇଲି ଆଉ ରାଉରକେଲା ସରକାରୀ ସ୍ବୟଂ ଶାସିତ କଲେଜ, ପାନପୋଷକୁ ବଦଳି ହୋଇଗଲି। ସେଠାରେ ମଧ୍ୟ ୧୪ ବର୍ଷ ପାଖାପାଖି ରହିବା ଭିତରେ ପ୍ରାଧ୍ୟାପାକ ଭାବେ ମୋର ପ୍ରମୋଶନ ହେଲା। ଏହାର କିଛିଦିନ ପରେ ରାଉରକେଲା ସରକାରୀ ସାନ୍ଧ୍ୟ ମହାବିଦ୍ୟାଳୟ (ଯାହାର ବର୍ତ୍ତମାନର ନାମ ରାଉରକେଲା କଲେଜ, ରାଉରକେଲା)କୁ ମୋର ବଦଳି ହେଲା। ସେଠାରେ କିଛିଦିନ ପ୍ରାଧ୍ୟାପକ ଭାବେ କାମ କରିବା ପରେ କଲେଜ ଅଧ୍ୟକ୍ଷ ଭାବେ ମୋତେ ଦାୟିତ୍ୱ ଦିଆଯାଇଥିଲା। ଶେଷରେ ସେହି ଦାୟିତ୍ୱରେ ଥିବା ଅବସ୍ଥାରେ ହିଁ ୨୦୧୧ ଏପ୍ରିଲ୍‌ ୩୦ରେ ମୁଁ ଚାକିରିରୁ ଅବସର ନେଇଥିଲି। ଏ ତ ଥିଲା ମୋ ଚାକିରି ଜୀବନ କଥା। ଏହାଛଡ଼ା ନାଟକ ସହିତ ମୋର ଅର୍ଦ୍ଧ ଶତାବ୍ଦୀର ସମ୍ପର୍କ। ଷଷ୍ଠ ଶ୍ରେଣୀରେ ପଢ଼ିଲା ବେଳେ କଂସା କବାଟ ନାଟକରେ ବଡ଼ ରାଜ୍‌ କୁମାର ବିକ୍ରମ ଭୂମିକାରେ ଶିଶୁ ଅଭିନେତା ଭାବେ ମୁଁ ପ୍ରଥମେ ଅଭିନୟ କରିଥିଲି। ସେହିପରି କଲେଜ ଜୀବନରେ ମଧ୍ୟ ମୁଁ ଅନେକ ନାଟକରେ ଅଭିନୟ କରି ଶ୍ରେଷ୍ଠ ଅଭିନେତା ଭାବେ ବହୁ ପୁରସ୍କାର ଓ ସମ୍ମାନ ପାଇଥିଲି। ତେବେ ୧୯୬୫ ମସିହାରୁ ୨୦୧୫ ପାଖାପାଖି ୫୦ ବର୍ଷ ଧରି ମଞ୍ଚରେ ଅଭିନୟ କରିବାର ଅନୁଭୂତି ମୋତେ ଅନେକ କିଛି ଶିକ୍ଷା ଦେଇଛି। ସେହିପରି ଆଜକୁ ପ୍ରାୟ ୪୨ ବର୍ଷରୁ ଊର୍ଦ୍ଧ୍ୱ ହେବ ନାଟ୍ୟ ନିର୍ଦ୍ଦେଶକ, ପ୍ରଯୋଜକ, ସମୀକ୍ଷକ, ବିଚାରକ ଏବଂ ନାଟ୍ୟକାର ଭାବେ ମଧ୍ୟ ମୁଁ କାର୍ଯ୍ୟ କରିଆସୁଛି। ମୋ ରଚିତ ନାଟକଗୁଡ଼ିକ ମଧ୍ୟରେ ଧର୍ମର ଜୟ, ଏକ ନିଷ୍ଠୁର ସତ୍ୟ ସମ୍ପର୍କରେ, ଅନ୍ଧାରରୁ ଅନ୍ଧାରକୁ ଯାତ୍ରା, ବାନର କଣ୍ଠେ ମୁକ୍ତାମାଳ, ନିଷିଦ୍ଧ ସ୍ବପ୍ନ ଇତ୍ୟାଦି ଅନ୍ୟତମ। ସେହିପରି ମୋ ନିର୍ଦ୍ଦେଶିତ କେତୋଟି ସଫଳ ନାଟକ ହେଉଛି, ଗୁଣ୍ଡା, ଛତା, ପ୍ରଥା, ଈଶ୍ୱର ଜଣେ ଯୁବକ, ମୋନାଲିସାର ହସ ଇତ୍ୟାଦି ପ୍ରମୁଖ। ତେବେ ନାଟକରେ ଅଭିନୟ ହେଉ ଅବା ନାଟ୍ୟ ରଚନା କିମ୍ବା ନିର୍ଦ୍ଦେଶନା କ୍ଷେତ୍ରରେ ବି ମୋର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ମୋତେ ବହୁ ସମ୍ମାନ ଓ ପୁରସ୍କାର ମଧ୍ୟ ମିଳିଛି; ଯାହା ମୋତେ ସମାଜରେ ଏକ ନିଆରା ପରିଚିତି ଦେଇପାରିଛି।

-ଅମ୍ବ୍ରିତା

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.