ନନ୍ଦିନୀ ଶତପଥୀ ଥିଲେ ବାସ୍ତବରେ ଏକ ସଂକଳ୍ପ, ଏକ ସ୍ବାଭିମାନ। ଉଭୟ ରାଜନୀତିରେ, ମାନବ ସେବାରେ, ସାହିତ୍ୟ ରଚନାରେ। ୧୯୩୧ ମସିହା ଆଜିର ଦିନରେ କଟକରେ ତାଙ୍କର ଜନ୍ମ। ଯୁଗନ୍ଧର ଲେଖକ ପଦ୍ମଭୂଷଣ କାଳିନ୍ଦୀଚରଣ ପାଣିଗ୍ରାହୀ ତା’ଙ୍କ ବାପା। ଧୂଳିବାଲିରୁ ଉଠି ଉଠି କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ଦୁଇ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ବି! ରାଜନୀତିର ନାନା ଝଡ଼ଝଞ୍ଜା ଭିତରେ ଥାଇ ବି ନିଜକୁ ତହିଁରୁ ମୁକୁଳାଇ ଗଳ୍ପ, କବିତା, ନିବନ୍ଧ ଲେଖୁଥିଲେ। ଓଡ଼ିଆ ଭାଷାକୁ ବହୁ କାଳଜୟୀ ପୁସ୍ତକର ଅନୁବାଦ କରି ଯଶସ୍ବିନୀ ହୋଇଥିଲେ।
ନନ୍ଦିନୀ ଶୈଶବରୁ ତାଙ୍କ ବୟସର ପୁଅ ଝିଅଙ୍କଠାରୁ ଅଲଗା ଥିଲେ ମନରେ, ବିବେକରେ ଓ ଆଚରଣରେ। ଯାହା ମନସ୍ଥ କରୁଥିଲେ, କରୁଥିଲେ। ଯେଉଁ ବାଟରେ ଯିବା ସ୍ପୃହଣୀୟ ମଣୁଥିଲେ, ସେହି ବାଟରେ ଚାଲୁଥିଲେ। ନିଜ ବିଷୟରେ କହିବାବେଳେ ଠାଏ ସେ କହିଥିଲେ: ‘ମୁଁ ମୋ’ ନିଜ ପାଇଁ ବଞ୍ଚତ୍ନାହିଁ, ବଞ୍ଚତ୍ଛି ସମାଜ ପାଇଁ, ଦେଶ ପାଇଁ।“ ଏକଥା କେବଳ ସେ କହି ନ ଥିଲେ, ନିଜର କର୍ମମୟ ଜୀବନର ପ୍ରତି ପଦପାତରେ କାର୍ଯ୍ୟରେ କରି ଦେଖାଇ ଦେଇଥିଲେ। ସେ ମୁଖ୍ୟମନ୍ତ୍ରୀ ହେଲା ବେଳକୁ ଓଡ଼ିଶାରେ ଭୂ-ସଂସ୍କାର ଆଇନ ଥିଲା, କିନ୍ତୁ ଠିକ୍ ଭାବେ କାର୍ଯକାରୀ ହୋଇପାରୁ ନ ଥିଲା। ତାହାକୁ ସେ କାର୍ଯ୍ୟକାରୀ କରାଇଥିଲେ ବିହିତ ସଂସ୍କାର ସହ। ସେ ବୁଝିଥିଲେ- ଓଡ଼ିଶାର କ୍ଷେତକୁ ଅଧିକ ଅମଳକ୍ଷମ କରିବା ପାଇଁ ସାର ଦରକାର। ତେଣୁ ତାଳଚେରରେ ସାର କାରଖାନା ବସାଇଥିଲେ। ସେ ଶାସନକୁ ଆସିବା ଆଗରୁ ଜମିଦାରି ଉଚ୍ଛେଦ ହୋଇଥିଲା ସତ, କିନ୍ତୁ ସରକାରମାନେ ମଠ ମନ୍ଦିର ଅଧିକାରୀମାନଙ୍କୁ ଡରି ମଠ, ମନ୍ଦିର ଟ୍ରଷ୍ଟ ଉଚ୍ଛେଦ କରି ନ ଥିଲେ। ନନ୍ଦିନୀ ଦେବୀ ଏକ ଘୋଷଣାନାମାରେ ଟ୍ରଷ୍ଟବୋର୍ଡ ଉଚ୍ଛେଦ କରିଦେଇଥିଲେ। ତାଙ୍କ ନାଅଁାରେ ପ୍ରଚାର ହୋଇଥିଲା- ‘ଶ୍ରୀଜଗନ୍ନାଥ ଆଜିଠାରୁ ଭୂମିହୀନ ହେଲେ।’ ସରକାରଙ୍କୁ ବଦନାମ କରାଇବା ପାଇଁ ସେବକମାନଙ୍କୁ ମତାଇ ଚକ୍ରାନ୍ତକାରୀଏ ରଥାଯାତ୍ରା ପହଣ୍ଡିରେ ବିଳମ୍ବ କରାଇଥିଲେ। ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ହେଲେ ଏହାର ୧୪ ବର୍ଷ ପରେ ୧୯୮୮ରେ ସୁପ୍ରିମ କୋର୍ଟ ସରକାରଙ୍କ ନିଷ୍ପତ୍ତିକୁ ଆଇନସିଦ୍ଧ ବୋଲି ରାୟ ଦେଇଥିଲେ।
ନନ୍ଦିନୀ ଦେବୀଙ୍କ ସରକାର ମହାଜନୀ କାରବାରକୁ ବେଆଇନ ଘୋଷଣା କରିଥିଲେ। ଯୌତୁକ ପ୍ରଥା ବିରୋଧରେ ଆମୃତ୍ୟୁ ଲଢ଼ିଥିଲେ। ତାଙ୍କର ନିନ୍ଦୁକମାନେ କହୁଥିଲେ- ”ନନ୍ଦିନୀ ଶତପଥୀଙ୍କର କିଛି କାମ ନାହିଁ, ‘ଯୌତୁକ ପ୍ରଥା’ ଭଳି ମାମୁଲି କଥାର ପିଛା ଧରିଛନ୍ତି।“ ଏବେ ସେ ନାହାନ୍ତି। ହେଲେ ତାଙ୍କ କଥା ଯେ କେତେ ଉଚିତ ଥିଲା, ତାହା ହେଜିବା ବାକି ରହେନାହିଁ। ଆଜିର ‘ଚିଟ୍ଫଣ୍ଡ’ ଠକେଇ ଯୁଗରେ ବୁଝି ହୁଏ, ମହାଜନୀ କାରବାରକୁ ବେଆଇନ କରିବା ସେ ସମୟରେ କିପରି ଥିଲା ଖୁବ୍ ପ୍ରାସଙ୍ଗିକ ପଦକ୍ଷେପ। ନନ୍ଦିନୀଙ୍କ ସମୟରେ ବସା ହୋଇ ଉପତ୍ାଦନ ଆରମ୍ଭ କରିଥିଲା ରାଉରକେଲାର ଏସିଆଟିକ୍ ଅକ୍ସିଜେନ୍। ଆଜି କରୋନା କାଳରେ ଅକ୍ସିଜେନ୍ ଯେତେବେଳେ ଜୀବନ ରକ୍ଷା ପାଇଁ ଅତି ଦୁର୍ଲଭ, ସେତେବେଳେ ବୁଝିହୁଏ ଅକ୍ସିଜେନ୍ ଉପତ୍ାଦନ କାରଖାନା ପ୍ରତିଷ୍ଠା କିପରି ସେତେବେଳେ ଥିଲା ନନ୍ଦିନୀଙ୍କର ଏକ ଦୂରଦୃଷ୍ଟିସମ୍ପନ୍ନ ନିର୍ଣ୍ଣୟ।
ନନ୍ଦିନୀ ଦେବୀ ଏପରି ଏକ ନେତ୍ରୀ ଥିଲେ, ଯିଏ ନିଜେ ବଞ୍ଚୁଥିବା ସମୟର ବହୁ ଆଗକୁ ଦେଖିପାରୁଥିଲେ। ୧୯୭୪ରେ ଇନ୍ଦିରା ଗାନ୍ଧୀ ସରକାର ଯେଉଁ ‘କଳିଙ୍ଗ କୁଟୀର’ ଯୋଜନାର ଶୁଭାରମ୍ଭ କରିଥିଲେ, ଅନେକେ ଜାଣନ୍ତି ନାହିଁ ଯେ ତାହା ନନ୍ଦିନୀଙ୍କର ହିଁ ଚିନ୍ତାପ୍ରସୂତ ଥିଲା। ପ୍ଲାନିଂ କମିଶନର ଡେପୁଟି ଚେୟାରମ୍ୟାନ ଥାଆନ୍ତି ପି.ଏନ୍. ହକ୍ସର। ଇନ୍ଦିରା ଗାନ୍ଧୀ ଥାଆନ୍ତି କମିଶନର। ଓଡ଼ିଶାର ୫ ଲକ୍ଷ ଗରିବ ଲୋକଙ୍କୁ ଘର ଯୋଗାଇବାକୁ ପଡ଼ିବ କହି ନନ୍ଦିନୀ ଯେତେବେଳେ କମିଶନ ନିକଟରେ ଅଡ଼ି ବସିଲେ, ହକ୍ସର କହିଲେ- ”ନନ୍ଦିନୀଜୀ! ମୁଝେ ଲଗ୍ତା ଆପ୍ ଓଡ଼ିଶାକୋ ଏକ୍ ଅଟୋନମସ୍ ଷ୍ଟେଟ୍ ବନାଏଙ୍ଗେ।“ ଏପରି ଟିପ୍ପଣୀ ସତ୍ତ୍ୱେ ନନ୍ଦିନୀ ତାଙ୍କ ଜିଦ୍ରେ ଅଟଳ ରହିଲେ ଓ ଶେଷରେ ତାଙ୍କର ଦାବି ମଞ୍ଜୁର ହେଲା।
ନନ୍ଦିନୀଙ୍କ ଦୂରଦୃଷ୍ଟିସମ୍ପନ୍ନ ରାଜନୈତିକ ନିଷ୍ପତ୍ତିର ତାଲିକା କରିବସିଲେ ତାହା ଖୁବ୍ ଲମ୍ବା ହେବ। ଜଳସେଚନ ପ୍ରକଳ୍ପ, କେନ୍ଦୁପତ୍ର ଜାତୀୟକରଣଠାରୁ ଜନହିତର ନାନା ସ୍ତର ଯାଏଁ ତା’ର ବ୍ୟାପ୍ତି। ଶାସନରେ କଠୋର ଥିଲେ ବି ଅନ୍ତରରେ ବେଶ୍ ଦରଦୀ ଥିଲେ ନନ୍ଦିନୀ। ମରୁଡ଼ିପୀଡ଼ିତ ନୂଆପଡ଼ାରେ ତାଙ୍କୁ ଅଖିଆଅପିଆ ଦିନଦିନ ବୁଲିବାର ଯିଏ ଦେଖିଛି, ସେ ଅବଶ୍ୟ ବୁଝିଛି ଯେ ତାଙ୍କ ଭିତରେ କିପରି ସମାହିତା ଥିଲେ ଦେବୀ ଅନ୍ନପୂର୍ଣ୍ଣା। ଏକଦା ସେ କହିଥିଲେ: ”ମୁଁ ବିଜୟୀ ହେବାଟାକୁ ଆଖି ଆଗରେ ରଖି କୌଣସି କଥାରେ କେବେ ବି ଲଢ଼େ ନାହିଁ। ଯେଉଁ କଥା ପାଇଁ ଲଢ଼ିବାକୁ ନିଷ୍ପତ୍ତି ନିଏ, କେବଳ ସେହି କଥା ପାଇଁ ଲଢ଼େ।“ ଆଜି ତାଙ୍କର ପୁଣ୍ୟ ଜନ୍ମ ଦିନରେ ତାଙ୍କ କଥା ସ୍ମରଣକୁ ଆଣିଲେ ମଥା ସ୍ବତଃ ନଇଁଯାଏ। ଲାଗେ, ଆମ ଗହଣରେ, ଏଇ ଭାରତମାଟିରେ ଆଜି ଥାଆନ୍ତେ କି ନନ୍ଦିନୀ ଦେବୀ।
ଡ. ହୃଷୀକେଶ ମଲ୍ଲିକ
ମୋ: ୯୮୫୩୨୮୭୭୫୫
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.