ଭୁବନେଶ୍ୱର,୨୪।୬(ବ୍ୟୁରୋ): ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବ ଆରମ୍ଭ ହୋଇଗଲାଣି । ଜୁନ୍ରୁ ଅକ୍ଟୋବର ଗୁରୁତ୍ୱପୂର୍ଣ୍ଣ ସମୟ । ଏହି ସମୟରେ ବାତ୍ୟା, ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଇପାରେ। ସମ୍ଭାବ୍ୟ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ବୁଧବାର ଭିଡିଓ କନ୍ଫରେନ୍ସରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି କହିଛନ୍ତି, ପ୍ରାକ୍ ସୂଚନା ବ୍ୟବସ୍ଥା, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକ୍ରମ, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ଓ ପ୍ରାଣୀସେବା ଆଦି ସମସ୍ତ ବ୍ୟବସ୍ଥା ଠିକ୍ ଭାବେ ପ୍ରସ୍ତୁତ ରହିବା ଆବଶ୍ୟକ। ଓଡ୍ରାଫ୍ ଓ ଅଗ୍ନିସେବା ୟୁନିଟ୍ଗୁଡ଼ିକ ତୁରନ୍ତ ପଦକ୍ଷେପ ନେବା ପାଇଁ ସତର୍କ ହୋଇ ରହିବା ଜରୁରୀ । ବିପଦସଙ୍କୁଳ ଓ ଅଗମ୍ୟ ଅଞ୍ଚଳରେ ଯଥେଷ୍ଟ ପରିମାଣର ଖାଦ୍ୟପଦାର୍ଥ ଏବଂ ଗୋଖାଦ୍ୟ ମହଜୁଦ ରଖିବା ଆବଶ୍ୟକ । ବିପର୍ଯ୍ୟୟ ସମୟରେ ସବୁଜ ଗୋଖାଦ୍ୟର ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦେବା ସହିତ ପ୍ରାଣୀସେବା କ୍ୟାମ୍ପ୍ ଆୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସବୁ ଜିଲା ଓ ସମ୍ପୃକ୍ତ ବିଭାଗଗୁଡ଼ିକରେ କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟା ଖୋଲା ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସମୟରେ ଗର୍ଭବତୀ, ଭିନ୍ନକ୍ଷମ ଓ ମାନସିକ ଅନଗ୍ରସର ବ୍ୟକ୍ତିବିଶେଷ, ଛୋଟପିଲା, ବିଧବା ଓ ବୟୋଜ୍ୟେଷ୍ଠଙ୍କୁ ସ୍ବତନ୍ତ୍ର ଧ୍ୟାନ ଦେବାପାଇଁ ସେ ପରାମର୍ଶ ଦେଇଛନ୍ତି । ଲୋକଙ୍କୁ ଖୋଜିବା ଓ ଉଦ୍ଧାର କରିବା, ପ୍ରାଥମିକ ଚିକିତ୍ସା, ରିଲିଫ୍ ବ୍ୟବସ୍ଥା, ଅତ୍ୟାବଶ୍ୟକ ସେବା ସମ୍ପର୍କିତ ଭିତ୍ତିଭୂମିର ତୁରନ୍ତ ମରାମତି ଓ ପୁନରୁଦ୍ଧାର ଏବଂ ଉଜୁଡ଼ି ଯାଇଥିବା ଜୀବିକାର ପୁନଃସଂସ୍ଥାନ ଆଦି ସମସ୍ତ ବିଷୟଗୁଡ଼ିକୁ ଧ୍ୟାନ ଦେଇ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଛନ୍ତି। ମାନବୀୟ ଦୃଷ୍ଟିକୋଣରୁ ସହାୟତା ପାଇବା ହେଉଛି ବିପର୍ଯ୍ୟୟ ପ୍ରଭାବିତ ଲୋକମାନଙ୍କର ଅଧିକାର । ଏହି ଆଭିମୁଖ୍ୟ ନେଇ ଲୋକମାନଙ୍କୁ ଠିକ୍ ସମୟରେ ସହାୟତା ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନାରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି ନବୀନ କହିଛନ୍ତି, ମହାମାରୀର ପ୍ରଭାବ ସତ୍ତ୍ବେ ଓଡ଼ିଶା ବିଭିନ୍ନ ବିପର୍ଯ୍ୟୟର ଉତ୍ତମ ମୁକାବିଲା କରି ବିଶ୍ବସ୍ତରରେ ପ୍ରଶଂସାର ପାତ୍ର ହୋଇପାରିଛି । ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’। ଏଥିପାଇଁ ସରକାରଙ୍କ ସବୁ ବିଭାଗ ମିଳିତ ଭାବେ କାମ କରିବାର ଆଭିମୁଖ୍ୟ ନେଇ ବିପର୍ଯ୍ୟୟ ପରିଚାଳନା ନୀତି କାର୍ଯ୍ୟକାରୀ କରାଯାଉଛି। ସବୁଠାରୁ ଭଲ ପଦକ୍ଷେପ ନିଆଯାଇ ବିପର୍ଯ୍ୟୟର ପ୍ରଭାବକୁ କମ୍ କରାଯାଇପାରିବ।
ଓଡ଼ିଶା ଦେଶରେ ସବୁଠାରୁ ଅଧିକ ବିପର୍ଯ୍ୟୟପ୍ରବଣ ରାଜ୍ୟ। ବନ୍ୟା, ବାତ୍ୟା, ମରୁଡ଼ି ଭଳି ବିଭିନ୍ନ ପ୍ରକାର ବିପର୍ଯ୍ୟୟକୁ ରାଜ୍ୟ ନିୟମିତ ଭାବରେ ସାମ୍ନା କରିଆସୁଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ବିପର୍ଯ୍ୟୟର ତୀବ୍ରତା ବଢ଼ିବା ସହିତ ଅଧିକ ସଂଖ୍ୟକ ବିପତ୍ତି ଦେଖାଦେଉଛି। ବିପର୍ଯ୍ୟୟ ପରିଚାଳନାରେ ଗୋଷ୍ଠୀ ଅଂଶଗ୍ରହଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସମସ୍ତ ବିପର୍ଯ୍ୟୟପ୍ରବଣ ଅଞ୍ଚଳରେ ଗୋଷ୍ଠୀମାନଙ୍କର ଅଂଶଗ୍ରହଣକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ଛାତ୍ରୀଛାତ୍ରମାନଙ୍କର ଶିକ୍ଷା, ସରକାରୀ କର୍ମଚାରୀ ଓ ପ୍ରତିନିଧିମାନଙ୍କ ପ୍ରଶିକ୍ଷଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରକୃତିର ବିଭୀଷିକାକୁ ମୁକାବିଲା ପାଇଁ ଆମକୁ ସବୁବେଳେ ପ୍ରସ୍ତୁତ ରଖିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
୨୦୨୦-୨୧ରେ ବାତ୍ୟା ‘ଅମ୍ଫନ’ ଓ ‘ୟାସ୍’କୁ ରାଜ୍ୟ ସାମ୍ନା କରିଛି। ବାରମ୍ବାର ଆସୁଥିବା ବାତ୍ୟା ପ୍ରତିରୋଧ ପାଇଁ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା କରିବାକୁ ବହୁ ପରିମାଣର ଅର୍ଥ ବିନିଯୋଗର ଆବଶ୍ୟକତା ରହିଛି। ଆମେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଆଲୋଚନାରେ ଏମ୍ପି ଚନ୍ଦ୍ରଶେଖର ସାହୁ, ବିଧାୟକ ନରସିଂହ ମିଶ୍ର, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବିଧାୟକ ପ୍ରତାପ କେଶରୀ ଦେଓ, ବିଧାୟକ ଅନନ୍ତ ଦାସ ପ୍ରମୁଖ ଭାଗ ନେଇ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସେମାନଙ୍କର ମତାମତ ଦେଇଛନ୍ତି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରାରମ୍ଭିକ ଭାଷଣରେ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ସ୍ବତନ୍ତ୍ର ରିଲିଫ୍ କମିଶନର ପି.କେ. ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ମନ୍ତ୍ରିମଣ୍ଡଳର ସଦସ୍ୟଗଣ, ବିଧାୟକ, ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ସଚିବ ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏକ୍ମୋ ସପୋର୍ଟରେ ୧୦ରୁ ପ୍ରାୟ ୪ ଜଣ ବଞ୍ଚିଯାଇପାରନ୍ତି
ଭୁବନେଶ୍ୱର, ୧୭ା୬ (ବ୍ୟୁରୋ): କୋଭିଡ୍ ରୋଗୀଙ୍କ ପାଇଁ ଏବେ ଜୀବନ ରକ୍ଷକ ସାଜିଛି ଏକ୍ମୋ ମେଶିନ। କିନ୍ତୁ ରାଜ୍ୟରେ ଏହି ମେଶିନର ଅଭାବ ଥିବାରୁ ବହୁ...
ଦାନ ମାଝିଙ୍କ ଝିଅ ମାଟ୍ରିକ ପାସ୍ କଲେ
ଭୁବନେଶ୍ୱର,୨୫।୬: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଶୁକ୍ରବାର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ୍(କିସ୍)ରେ ପଢୁଥିବା ବହୁ...
୧୯ ମାଛ ୧୮.୬୫ ଲକ୍ଷ
ପାରାଦୀପ,୨୩ା୬(ସ୍ବ.ପ୍ର.): ପାରାଦୀପ ନିକଟ ସମୁଦ୍ରରୁ ମଙ୍ଗଳବାର ୧୯ଟି ତେଲିଆ ବୋରେଇ ମାଛ ମିଳିଛି। ସେଗୁଡିକ ମଧ୍ୟରେ ୪ଟି ମାଛ ୩୦ କିଲୋ ଓଜନର ହୋଇଥିବା ବେଳେ...
କାଲିମେଳାରେ ଡିଜେଲ ୧୦୦ ଟଙ୍କା ଟପିଲା
ନୂଆଦିଲ୍ଲୀ/ଭୁବନେଶ୍ୱର,୧୫।୬: ଦିନକର ବିରତି ପରେ ପୁଣି ଥରେ ତୈଳ ଦର ବୃଦ୍ଧି ପାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍...
କେନ୍ଦ୍ରକୁ ଓଡ଼ିଶାର ଚିଠି
ଭୁବନେଶ୍ୱର, ୨୬।୬(ବ୍ୟୁରୋ): ଟିକା ଅନୁପାତରେ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛି ଓଡ଼ିଶା। ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ପରିବର୍ତ୍ତେ ୫ ପ୍ରତିଶତ ଟିକା...
ସ୍କୁଲ୍ ଫି’ ଛାଡ଼ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ରାୟ ମାନିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୪ା୬(ବ୍ୟୁରୋ): କରୋନା କାଳରେ ଘରୋଇ ସ୍କୁଲର ଛାତ୍ରୀଛାତ୍ରଙ୍କ ଫି’ ଛାଡ଼କୁ ନେଇ ସୁପ୍ରିମ୍କୋର୍ଟଙ୍କ ରାୟକୁ ଆଧାର କରି ରାଜ୍ୟ ସରକାର ଗୁରୁବାର ଏକ ବିଜ୍ଞପ୍ତି ପ୍ରକାଶ...
ଆଜି ୬ ଜିଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର,୧୨ା୬(ବ୍ୟୁରୋ): ଲଘୁଚାପ ଓ ମୌସୁମୀ ପ୍ରଭାବରେ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବାବେଳେ ଚାନ୍ଦବାଲିରେ ସର୍ବାଧିକ ୨୫.୪ ମି.ମି. ବର୍ଷା ରେକର୍ଡ...
୧୯ ଜିଲାରେ ସଂକ୍ରମଣ ହାର ୫ ପ୍ରତିଶତରୁ କମ୍
ଭୁବନେଶ୍ୱର,୨୩।୬(ବ୍ୟୁରୋ): ରାଜ୍ୟରେ ଗତ ୨୪ଘଣ୍ଟାରେ ୬୫,୮୪୫ ନମୂନା ପରୀକ୍ଷା ହୋଇଥିବା ବେଳେ ୩,୪୫୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ କରୋନା ତଳମୁହାଁ ହୋଇଥିବା ବେଳେ ୧୯ଟି...


