ଭାରତରେ କୋଭିଡ୍-୧୯ ଯୋଗୁ ଅଦ୍ୟାବଧି ୩ ଲକ୍ଷ ୮୮ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ହେଲେ ବାସ୍ତବ ତଥ୍ୟ ଖୋଜି ବାହାର କରିବାର ବ୍ୟବସ୍ଥା ସୃଷ୍ଟି କରାଯାଇପାରି ନାହିଁ। ବିଭିନ୍ନ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ଠିକ୍ ଭାବେ ପ୍ରକାଶ ପାଉନାହିଁ। ଏ ନେଇ କିଛି ଦିନ ହେବ ଖୋଳତାଡ଼ କରାଯିବା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇ କୁହାଯାଇଛି, ଯେକୌଣସି ବ୍ୟକ୍ତିଙ୍କ କୋଭିଡ୍-୧୯ ସଂକ୍ରମଣ ଯୋଗୁ ଯେଉଁଠାରେ ମୃତ୍ୟୁ ଘଟିଥିଲେ ମଧ୍ୟ ତାହାକୁ କରୋନା ମୃତ୍ୟୁ ପର୍ଯ୍ୟାୟଭୁକ୍ତ କରାଯିବ। ଏପରିକି ଜଣଙ୍କର ବିବିଧ ରୋଗ ଥାଇ ଯଦି ସେ କରୋନା ଦ୍ୱାରା ସଂକ୍ରମିତ ହୋଇ ପ୍ରାଣ ହରାଇଥାଆନ୍ତି, ତାଙ୍କୁ କୋଭିଡ୍-୧୯ ମୃତ୍ୟୁ ପ୍ରମାଣପତ୍ର ମିଳିବ। କିନ୍ତୁ ଅଦ୍ୟାବଧି ଡାକ୍ତରଖାନାରେ କରୋନାରେ ପ୍ରାଣହାନି ଘଟୁଥିଲେ ତାହାକୁ ମଧ୍ୟ ଅନ୍ୟ କାରଣ ଦର୍ଶାଇ ମୃତ୍ୟୁ ସଂଖ୍ୟାକୁ ଚପାଇ ରଖାଯାଇ ଆସୁଛି। କେନ୍ଦ୍ରଠାରୁ ଆରମ୍ଭ କରି ସବୁ ରାଜ୍ୟ ସରକାର ଉଭୟ ଘରୋଇ ଓ ସରକାରୀ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉପରେ ପ୍ରବଳ ଚାପ ପକାଇ ଆସିଛନ୍ତି ଯେ, ବାସ୍ତବ କରୋନାଜନିତ ମୃତ୍ୟୁସଂଖ୍ୟାକୁ ଲୁକ୍କାୟିତ ରଖାଯାଉ। ମିଥ୍ୟାର ଆଶ୍ରୟ ନେଇ ଏହି ସଂଖ୍ୟାକୁ ଲୁଚାଇ ରଖାଯାଇଥିବା ବେଳେ ଜନସାଧାରଣ, ପ୍ରତ୍ୟେକ ଦିନ, ଅନେକ ଶହ ମୃତକଙ୍କ ଜୁଇ ଜଳୁଥିବା ଦେଖୁଛନ୍ତି। କିନ୍ତୁ ବ୍ୟବସ୍ଥାକୁ ପ୍ରଶ୍ନ କରିବାର ସାହସ କାହାରି ପାଖରେ ହେଉ ନ ଥିଲା। ଏ ଦିଗରେ ମଧ୍ୟ ସରକାର ଅନେକ କଠୋର ପଦକ୍ଷେପ ନେଇ ବାରମ୍ବାର ଧମକ ଦେଇ ଆସିଛନ୍ତି ଯେ, କରୋନା କିମ୍ବା ଟିକା ସଂକ୍ରାନ୍ତ କୌଣସି ମତ ପ୍ରକାଶ କଲେ ଦେଶଦ୍ରୋହ ଆଇନକୁ ଆକର୍ଷିତ କରିବ। ଏହା କେବଳ ଧମକରେ ରହିନାହିଁ। ଗତ ଦେଢ଼ବର୍ଷ ମଧ୍ୟରେ ଅନେକ ଖବରଦାତା ଓ ସାମାଜିକ କର୍ମୀଙ୍କୁ ଗିରଫ କରାଯାଇ ଜେଲ୍କୁ ପଠାଇ ଦିଆଯିବାର ନଜିର ରହିଛି। ଏହାଦ୍ୱାରା ଗତ ୨୦୨୦ ମସିହାରୁ ଆରମ୍ଭକରି ଆଜି ପର୍ଯ୍ୟନ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଅସତ୍ୟ କହିବା ପାଇଁ ଉସୁକାଯାଇଛି। ଅନୌପଚାରିକ ଭାବେ ଅନେକ ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତର ଏ ବିଷୟରେ ବିଗତ କିଛି ମାସ ଧରି ଆଲୋଚନା କରିଆସିଛନ୍ତି। ଅଧିକାଂଶ ସମୟରେ ଅସତ୍ୟ କହିବାକୁ ଏବଂ ଲେଖିବାକୁ ବାଧ୍ୟ ହୋଇଆସୁଥିବା ସ୍ବାସ୍ଥ୍ୟକର୍ମୀମାନେ ମାନସିକ ନିର୍ଯାତନା ମଧ୍ୟ ସହିଛନ୍ତି।
ଏବେ ଖେଳପଡ଼ିଆକୁ ସୁପ୍ରିମ୍କୋର୍ଟ ଆସିବା ପରେ ସବୁକିଛି ଓଲଟପାଲଟ ହୋଇଯାଇଛି। ମନେରଖିବାକୁ ହେବ ଯେ, ସର୍ବୋଚ୍ଚ ନ୍ୟାୟାଳୟ ବିଗତ ଦିନଗୁଡ଼ିକରେ ଘଟିଥିବା କରୋନାଜନିତ ବାସ୍ତବ ମୃତ୍ୟୁସଂଖ୍ୟା ଖୋଜିଥିଲେ। ଏହାଫଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ନ୍ୟାୟାଳୟର ନିର୍ଦ୍ଦେଶ ମାନିବାକୁ ହେଲେ ଗତ ଦେଢ଼ ବର୍ଷର କରୋନାଜନିତ ମୃତ୍ୟୁ ବ୍ୟତୀତ ଅନ୍ୟ ସବୁ ମୃତ୍ୟୁର ତଥ୍ୟ ବିଶ୍ଳେଷଣ କରିବାକୁ ପଡ଼ିବ। ଏହାଦ୍ୱାରା କାର୍ଯ୍ୟରତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ପୁନର୍ବାର ଚାପ ପଡ଼ିବ। ଯେଉଁ ଡାକ୍ତର ନିଜ ଦସ୍ତଖତରେ ରୋଗୀର ମୃତ୍ୟୁକୁ ଅଣ-କରୋନା କାରଣ ଦର୍ଶାଇ ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତ କରିଥିଲେ, ସେମାନଙ୍କୁ ବର୍ତ୍ତମାନ ଏହିସବୁ କାର୍ଯ୍ୟର ପୁନଃ ତର୍ଜମା କରିବାକୁ ପଡ଼ିପାରେ। ଏଥିରୁ ବୁଝିବାକୁ ହେବ ଯେ ସମ୍ପୃକ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ପୂର୍ବରୁ ଦେଇଆସିଥିବା ଅସତ୍ୟ ପ୍ରମାଣପତ୍ରକୁ କେବେହେଲେ ବଦଳାଇବାକୁ ଇଚ୍ଛୁକ ହେବେ ନାହିଁ। ଯଦି ବଦଳାଇବେ, ତେବେ ସେମାନେ ଅଯୋଗ୍ୟ କିମ୍ବା ମିଛ କହିଥିଲେ ବୋଲି ପ୍ରମାଣିତ ହେବେ। ଏଥିସହିତ ଇତିମଧ୍ୟରେ ଅନେକ ସଂଖ୍ୟକ ମୃତ୍ୟୁ ଘଟିଥିବାରୁ ସମ୍ପୃକ୍ତ ଡାକ୍ତରଙ୍କ ସବୁ ଘଟଣା ସମ୍ପର୍କରେ ପ୍ରକୃତ ରୋଗ ମନେ ନ ଥିବ। ଏବେ ଯେତେବେଳେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଦାଲତ ସମ୍ମୁଖରେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ଯେ, ଯେଉଁ ଡାକ୍ତର ସରକାରଙ୍କ ନିୟମକୁ ଅମାନ୍ୟ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ, ତାହା କଠିନ ପରିଶ୍ରମ କରୁଥିବା ଡାକ୍ତରକୁଳକୁ ଆହୁରି ହଇରାଣରେ ପକାଇବାର କାମ ଆରମ୍ଭ ହୋଇଗଲା ବୋଲି କୁହାଯାଇପାରେ।
ଆଜିର କେନ୍ଦ୍ର ସରକାର ପାଇଁ ମିଛ ହୋଇଗଲାଣି କାଳ। ଗୋଟେ ମିଛ ଲୁଚାଇବାକୁ ଯାଇ ଅନେକ ଭୁଲ କରିବସିବା ଭଳି ସରକାର ନେଉଥିବା ପଦକ୍ଷେପ ଦେଶ ପାଇଁ କ୍ଷତି ପହଞ୍ଚାଉଛି। ସମସ୍ତେ ଜାଣନ୍ତି ଏହି ରୋଗ ଆମଦାନୀ କରିବା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଦାୟୀ। ଚାଇନାଠାରୁ ଆରମ୍ଭ କରି ପାଶ୍ଚାତ୍ୟ ରାଷ୍ଟ୍ରରେ କୋଭିଡ୍-୧୯ କାୟା ବିସ୍ତାର କରିଥିବା ବେଳେ ଭାରତ ସେସବୁ ଦେଶରୁ ତା’ର ନାଗରିକଙ୍କୁ ଉଡ଼ାଜାହାଜ ଓ ଜଳଜାହାଜରେ ବୋହି ଆଣିଥିଲା। ଦ୍ୱିତୀୟ ଭୁଲ ଭାବେ ଅଚାନକ ଲକ୍ଡାଉନ ଓ ଶଟ୍ଡାଉନ କରି ଆର୍ଥିକ ବ୍ୟବସ୍ଥାକୁ ଭାଙ୍ଗିଦେଇଥିଲା। ଯେତେବେଳେ ସଂକ୍ରମଣ ସ୍ତର ବୃଦ୍ଧି ପାଇଲା ସେତେବେଳେ ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଯିବା ପାଇଁ ଅନୁମତି ଦେଇଦେଲା। ଫଳରେ ଭୂତାଣୁ ସମଗ୍ର ଦେଶରେ ଖେଳେଇ ହୋଇଗଲା। ଏଥିରୁ ବୁଝିବାକୁ ହେବ ଯେ, ଆରମ୍ଭରୁ ସରକାର କୋଭିଡ୍ ପରିଚାଳନାରେ ସମ୍ପୂର୍ଣ୍ଣ ବାଚାଳାମି ପ୍ରଦର୍ଶନ କରିଆସିଛି। କରୋନା ପରିଚାଳନାରେ ଭାରତର ବିଫଳତା ନେଇ ସାଧାରଣରେ ଆଲୋଚନା ହେବା ପରେ କେନ୍ଦ୍ର ସରକାର ତାହାକୁ ଚପାଇବା ପାଇଁ କାମ ଆରମ୍ଭ କରିଦେଲେ। ଦୁନିଆକୁ ଦେଖେଇବା ପାଇଁ ପ୍ରାରମ୍ଭିକ କାର୍ଯ୍ୟ ଭାବେ ମୃତ୍ୟୁସଂଖ୍ୟା କମାଇ ଦର୍ଶାଗଲା। ଏହି ତଥ୍ୟ ଲୁଚାଇବା ସକାଶେ ମିଛର ସାହାରା ଖୁସିରେ ନିଆଗଲା। ଯଦିଓ ଦେଶରେ ଭୂତାଣୁ ସଂକ୍ରମଣ ବଢ଼ିଗଲା ଓ ଲୋକଙ୍କ ମୃତ୍ୟୁ ଘଟିଲା ତାହାକୁ ଲୁଚାଇବାର କୌଣସି ଆବଶ୍ୟକତା ନ ଥିଲା। ଭାଜପା ଶାସିତ ଉତ୍ତରପ୍ରଦେଶରେ କୋଭିଡ୍ ଯୋଗୁ ପ୍ରାଣ ହରାଇଥିବା ଅନେକ ହଜାର ଶବ ଗଙ୍ଗା ନଦୀରେ ଭାସିବା ବିଷୟ ପ୍ରଘଟ ହେବା ପରେ ସରକାରୀ ଭୁଲ୍ଭଟକା ଲୋକଲୋଚନକୁ ଆସିଲା। ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି ଏହା ଏକ ଦୃଷ୍ଟାନ୍ତ। କୋଭିଡ୍-୧୯କୁ ଜିତିଗଲୁ ବୋଲି କହିବାକୁ ଯାଇ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ଦିନକୁ ଦିନ ଅସତ୍ୟ ପାଲଟି ଯାଉଛି।
ଏକ ତ୍ରୁଟିପୂର୍ଣ୍ଣ ଅନ୍ବେଷଣ
ଜାଚରୀ କାରାବେଲ୍ ନିକଟରେ ଆମେରିକାର ପୋଡ୍କାଷ୍ଟର ଜୋଏ ରୋଗନ ଶୀର୍ଷକରେ ପ୍ରକାଶ କରିଛନ୍ତି ଯେ,ସମ୍ପ୍ରତି ଆମେରିକାର ସାଂସ୍କୃତିକ ପଥ ଯାହା ରହିଛି ତାହା ଗୋରା ଲୋକଙ୍କୁ...
କଲେ ମଲ, ନ କଲେ ଭଲ
ରଞ୍ଜନ କୁମାର ଦାସ ଶାସନତନ୍ତ୍ରର ଦକ୍ଷତା ସଦାସର୍ବଦା ପ୍ରମାଣିତ ହୁଏ ତା’ର କର୍ମତପତ୍ରତା ଓ ତା’ର ଫଳପ୍ରସବର ମାତ୍ରାକୁ ନେଇ। ତେଣୁ ଶାସନ ବ୍ୟବସ୍ଥାରେ ନେତା...
ଅସତ୍ୟକୁ ହାମ୍ବୁଡୁଛି
ସମଗ୍ର ପୃଥିବୀକୁ ଦେଖିଲେ କରୋନା ମହାମାରୀ ବିଭିନ୍ନ ଦିଗରୁ ଅନେକ କିଛି ଉଜାଡ଼ି ଦେଇଛି। ଏହାର ଦ୍ୱିତୀୟ ଲହରରେ ଭାରତ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଅସଂଖ୍ୟ...
ବାଇଡେନ୍ଙ୍କ ବୈଦେଶିକ ନୀତି ବିଶ୍ୱକୁ ବିପଦ
ହରେକୃଷ୍ଣ ପଣ୍ଡା ଆମେରିକାର ନୂତନ ରାଷ୍ଟ୍ରପତି ବାଇଡେନ ଶାସନଭାର ନେବା ପରେ ଯାହା ଅନୁମାନ କରାଯାଉଥିଲା ତାହା ଏବେ ବିପରୀତମୁଖୀ ବୋଲି ଜଣାପଡୁଛି। ବାଇଡେନ ସ୍ଥିର...
ଜୀବନର ସାତରଙ୍ଗ
ରଞ୍ଜନ କୁମାର ଦାସ ଏବେ ଏସି ନ ଲଗେଇଲେ ରହିହଉନି। ଆମ ପିଲାଦିନେ କୋଉ ଏସି ଥିଲା? କୁଲର ବି ନ ଥିଲା। କଦବା କାହାଘରେ...
ଏଲୋପାଥି ଉପରେ ଆକ୍ରମଣର ନିହିତାର୍ଥ
ଭାଲଚନ୍ଦ୍ର ଷଡ଼ଙ୍ଗୀ ନିକଟରେ ଆଧୁନିକ ଚିକିତ୍ସା ବିଜ୍ଞାନ ବା ଏଲୋପାଥି ଉପରେ ଯୋଗଗୁରୁ ରାମଦେବଙ୍କ ଦାୟିତ୍ୱହୀନ ମନ୍ତବ୍ୟକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି।...
ଏଇ ଭାରତରେ
ବିନା ମାଟିରେ ସେଓ ଘରେ ଫଳିବ। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏମିତି ସେଓ ପଳାଉଛନ୍ତି ବେଙ୍ଗାଲୁରୁର ବିବେକ ବିଳାସିନୀ। କମ୍ ଥଣ୍ଡାରେ ଫଳୁଥିବା...
ଜି-୭ ଓ ସର୍ବନିମ୍ନ ଟିକସ ହାର
ଡାନି ରୋଡ୍ରିକ ବିଶ୍ୱ ଅର୍ଥବ୍ୟବସ୍ଥାରେ ବେଶ୍ ଆଗୁଆ ଦେଶଗୁଡ଼ିକ ୫ ଜୁନ୍ରେ ଏକ ଚୁକ୍ତି ଘୋଷଣା କରିଛନ୍ତି। ଏହା ବିଶ୍ୱର କର୍ପୋରେଟ୍ଗୁଡ଼ିକ ଉପରେ ଟ୍ୟାକ୍ସ ବା...


