ଭୁବନେଶ୍ୱର,୬।୬(ବ୍ୟୁରୋ): ବିକାଶ ନାଁରେ ରାଜ୍ୟରେ ଛାରଖାର ହୋଇଯାଉଛି ଜଙ୍ଗଲ ସମ୍ପଦ। ପ୍ରତ୍ୟେକ ବର୍ଷ ବିଭିନ୍ନ ପ୍ରକଳ୍ପ ସକାଶେ ଜଙ୍ଗଲ ଜମିକୁ ଅଣଜଙ୍ଗଲ କିସମରେ ପରିଣତ କରିବା କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଜଙ୍ଗଲ ସଫା ହେଉଥିବାରୁ ରାଜ୍ୟକୁ ପ୍ରତ୍ୟେକ ବର୍ଷ ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଉଛି। ଏପରି ଧାରା ବଜାୟ ରହିଲେ ରାଜ୍ୟରେ ଜଙ୍ଗଲ ଲୋପପାଇବା ସହ ଆଗାମୀ ଦିନରେ ବିପଦ ଆହୁରି ଘନେଇବ ବୋଲି ପରିବେଶବିତ୍ ଚେତାବନୀ ଦେଇଛନ୍ତି। ବିଭିନ୍ନ ପ୍ରକଳ୍ପ ପାଇଁ ଗତ କିଛିବର୍ଷ ମଧ୍ୟରେ ରାଜ୍ୟରେ ୫୭,୪୧୦ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ କିସମରେ ପରିଣତ କରାଯାଇଛି। ନିକଟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ରିପୋର୍ଟ ୨୦୧୯-୨୦ରେ ଏଭଳି ତଥ୍ୟ ପଦାକୁ ଆସିଛି।
ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ୫୭,୪୧୦ ହେକ୍ଟର ଜଙ୍ଗଲକୁ ଅଣଜଙ୍ଗଲ କିସମରେ ପରିଣତ କରାଯାଇଛି। ସେଥିରୁ ୧୮୬ଟି ଖଣି ପ୍ରକଳ୍ପ ପାଇଁ ୨୮,୪୦୯ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିଣତ କରାଯାଇଥିବା ବେଳେ ୮୪ ଜଳସେଚନ ପ୍ରକଳ୍ପ ପାଇଁ ୧୦,୬୫୨ ହେକ୍ଟର, ୨୯ ଶିଳ୍ପ ପ୍ରକଳ୍ପ ପାଇଁ ୪୪୦୫ ହେକ୍ଟର, ୭୦ ଟ୍ରାନ୍ସମିଶନ ପ୍ରୋଜେକ୍ଟ ପାଇଁ ୪,୩୩୯ ହେକ୍ଟର, ୪ ପ୍ରତିରକ୍ଷା ପ୍ରକଳ୍ପ ପାଇଁ ୩,୮୬୫ ହେକ୍ଟର, ୨୦ ରେଲଓ୍ବେ ପ୍ରକଳ୍ପ ପାଇଁ ୨,୪୩୩ ହେକ୍ଟର ଜଙ୍ଗଲ ଜମିକୁ ନଷ୍ଟ କରାଯାଇଛି। ସେହିପରି ଖଣିଜ ସନ୍ଧାନରେ ୧୦୧ ହେକ୍ଟର ଜମିରେ ଡ୍ରିଲିଂ ଯୋଗୁ ଏବଂ ୮୪୬ ହେକ୍ଟର ଜଙ୍ଗଲ ଜମିକୁ ଛୋଟ ଛୋଟ ପ୍ରକଳ୍ପ ପାଇଁ ଅଣଜଙ୍ଗଲ କିସମରେ ପରିବର୍ତ୍ତନ କରାଯାଇଛି।
ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୬୧,୨୦୪.୧୭ ବର୍ଗକିଲୋମିଟର ଜଙ୍ଗଲ ଅଞ୍ଚଳ ରହିଛି। ଏହା ରାଜ୍ୟର ଭୌଗୋଳିକ ଅଞ୍ଚଳର ୪୦ ପ୍ରତିଶତ। ତେବେ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ(ଏଫ୍ଏସ୍ଆଇ) ୨୦୧୯ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୫୧,୬୧୯ ବର୍ଗକିଲୋମିଟର ଜଙ୍ଗଲ ରହିଛି, ଯାହାକି ସମୁଦାୟ ଭୌଗୋଳିକ ଅଞ୍ଚଳର ୩୩ ପ୍ରତିଶତ। ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୨୭୪ ବର୍ଗକିଲୋମିଟର ଜଙ୍ଗଲ ବୃଦ୍ଧି ହୋଇଥିବା ଏଫ୍ଏସ୍ଆଇ ରିପୋର୍ଟରେ କୁହାଯାଇଛି। ତେବେ ଗତ ୧୦ ବର୍ଷ (୨୦୧୦-୧୧ରୁ ୨୦୨୦-୨୧) ମଧ୍ୟରେ ବିଭିନ୍ନ ରାସ୍ତା ନିର୍ମାଣ ଓ ସମ୍ପ୍ରସାରଣ ପାଇଁ ୧,୮୫,୦୦,୭୪୮ ଗଛ କାଟି ପଦା କରାଯାଇଛି। ଏହି ସମୟରେ ୨୯,୮୩,୫୭୩ ବୃକ୍ଷରୋପଣ କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୧ ମାର୍ଚ୍ଚ ୩୧ରେ ବିଧାନସଭାରେ ସୂଚନା ଦେଇଛନ୍ତି।
ରାଜ୍ୟ ସରକାର ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ବିଭିନ୍ନ ପ୍ରକଳ୍ପ ପାଇଁ ୭୮.୩୪୮ ହେକ୍ଟର ଜଙ୍ଗଲ ଜମିର କିସମକୁ ବଦଳାଇଛନ୍ତି। କେବଳ ସେତିକି ନୁହେଁ, ୨୦୧୯ ଜାନୁୟାରୀ ପହିଲାରୁ ନଭେମ୍ବର ୬ ମଧ୍ୟରେ ମାତ୍ର ୧୪ ପ୍ରକଳ୍ପ ପାଇଁ ଓଡ଼ିଶାରେ ସର୍ବାଧିକ ୪,୫୧୪ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ କରିବାକୁ ମନ୍ତ୍ରଣାଳୟ ଅନୁମତି ଦେଇଛି।
୨୦୦୬ରୁ ୨୦୧୨ ମଧ୍ୟରେ ଶିଳ୍ପ, ଖଣି, ଜଳସେଚନ, ରାସ୍ତା ନିର୍ମାଣ, ବିଦ୍ୟୁତ୍ ଆଦି ପାଇଁ ୮୮୨୦.୭୭ ହେକ୍ଟର ଜଙ୍ଗଲ ଜମିକୁ ନଷ୍ଟ କରାଯାଇଥିଲା। ସେହିପରି ୨୦୧୧-୧୨ରେ କେତେକ ପ୍ରକଳ୍ପ ପାଇଁ ୧୨.୨୭ ଲକ୍ଷ ବୃକ୍ଷକୁ ବଳିଦେବାକୁ ପଡ଼ିଛି। ତେବେ ସରକାର ଯେତେ ଗଛ କାଟୁଛନ୍ତି ସେହି ପରିମାଣର ବୃକ୍ଷରୋପଣ ହେଉନାହିଁ। ଅଣଜଙ୍ଗଲ ଅଞ୍ଚଳରେ ଗୋଟିଏ ଗଛ କାଟିଲେ ଏହା ବଦଳରେ ୨ରୁ ୧୦ ଗୁଣ ଗଛ ଲଗାଇବା ନେଇ ସରକାରୀ ଗାଇଡ୍ଲାଇନ ରହିଛି। ତେବେ ସରକାର ଏହାକୁ ଅନୁସରଣ କରୁ ନ ଥିବାରୁ ପରିବେଶବିତ୍ ଚିନ୍ତାପ୍ରକଟ କରିଛନ୍ତି। ସାମାଜିକ କର୍ମୀ ବିଶ୍ୱପ୍ରିୟ କାନୁନ୍ଗୋ କହିଛନ୍ତି ଯେ ଭୁବନେଶ୍ୱର, କଟକ ଜାତୀୟ ରାଜପଥ ହେଉ କିମ୍ବା ସହର ଭିତରେ ଚାଲିଥିବା ରାସ୍ତା ସମ୍ପ୍ରସାରଣ ପାଇଁ ବହୁ ସଂଖ୍ୟାରେ ବଡ଼ ବଡ଼ ଗଛକୁ କାଟି ଦିଆଯାଇଛି। ଫଳରେ ସହରରେ ତାପମାତ୍ରା ବଢ଼ିବା ସାଙ୍ଗକୁ ପରିବେଶ ଉତ୍ତପ୍ତ ହେଉଛି। ବୃକ୍ଷରୋପଣ ଉପରେ ସବୁ ସ୍ତରରେ ପଦକ୍ଷେପ ନିଆଯିବା ଦରକାର ବୋଲି ସେ କହିଛନ୍ତି।
ରାଜଧାନୀରେ ଆଉ ୪ଟି କେନ୍ଦ୍ରରେ ଦିଆଯିବ ଟିକା
ଭୁବନେଶ୍ୱର,୧୪।୬: ରାଜଧାନୀ ଭୁବନେଶ୍ୱରରେ ଟିକାକରଣକୁ ଗୁରୁତ୍ୱ ଦେବା ସହ ସମସ୍ତ ସହରବାସୀ କିପରି ସୁବିଧାରେ ଟିକା ନେଇ ପାରିବେ ସେ ନେଇ ଭୁବନେଶ୍ୱର ମହାନଗର ନିଗମ...
ବରିଷ୍ଠ ଆଇନଜୀବୀ ଜୟନ୍ତ ଦାସଙ୍କ ଦେହାନ୍ତ
ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ, ୨୬।୬: ପୂର୍ବତନ ଆଡ୍ଭୋକେଟ ଜେନେରାଲ ତଥା ବରିଷ୍ଠ ଆଇନଜୀବୀ ଜୟନ୍ତ ଦାସଙ୍କ ୭୬ ବର୍ଷ ବୟସରେ ପରଲୋକ ଘଟିଛି। ଜୟନ୍ତ ହେଉଛନ୍ତି ଉତ୍କଳମଣି...
ଆଜି ଆଉ ୪୦ ଜୀବନ ନେଲା କରୋନା, ୩୮୦୦ ଟପିଲା ମୃତ୍ୟୁସଂଖ୍ୟା
ଭୁବନେଶ୍ୱର,୨୫ା୬(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ କରୋନା ମହାମାରୀ ଆଉ ୪୦ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...
ଓଜେଇଇ ପରୀକ୍ଷା ସ୍ଥଗିତ
ଭୁବନେଶ୍ୱର,୧୪।୬(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ସ୍ଥଗିତ କରାଯାଇଛି। ଏହି ପରୀକ୍ଷା ସମ୍ଭବତଃ ଆସନ୍ତା ୧୭ ତାରିଖରେ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବାର...
ଲେଖିକା ମୀନାକ୍ଷୀ ଦେବୀଙ୍କ ପରଲୋକ
କଟକ ଅଫିସ, ୩।୬: ବିଶିଷ୍ଟ ଲେଖିକା ତଥା ଉତ୍କଳ ସାହିତ୍ୟ ସମାଜ ସାଧାରଣ ସମ୍ପାଦିକା ମୀନାକ୍ଷୀ ଦେବୀ(୬୬)ଙ୍କର ବୁଧବାର ପରଲୋକ ହୋଇଯାଇଛି। କଟକ ରାଜାବଗିଚା ଚକୋଲେଟ୍...
ସାବିତ୍ରୀବ୍ରତରେ ସ୍ତ୍ରୀ ମାଡ଼ରେ ସ୍ବାମୀ ଗୁରୁତର
ବଡ଼ବିଲ,୧୦।୬(ସ୍ବ.ପ୍ର.): ଆଜି ଥିଲା ପବିତ୍ର ସାବିତ୍ରୀ ବ୍ରତ। ସ୍ବାମୀଙ୍କ ଦୀର୍ଘାୟୁ ପାଇଁ ପୂଜାର୍ଚ୍ଚନା କରିଥାନ୍ତି ସ୍ତ୍ରୀ। ହେଲେ ଏଭଳି ଏକ ଦିନରେ ସ୍ତ୍ରୀଙ୍କ ଆକ୍ରମଣରେ ସ୍ବାମୀ...
‘ଆମ ପାଇଁ ୪ରୁ ୬ ସପ୍ତାହ ଗୁରୁତ୍ୱପୂର୍ଣ୍ଣ’
ଭୁବନେଶ୍ୱର,୨୩।୬(ବ୍ୟୁରୋ): କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏବେ ‘ଡେଲ୍ଟା ପ୍ଲସ୍’ ଭାରିଆଣ୍ଟକୁ ନେଇ ଚିନ୍ତା ବଢ଼ିଲାଣି। ଓଡ଼ିଶାରେ ଏ ପର୍ଯ୍ୟନ୍ତ କୌଣସି ଡେଲ୍ଟା ପ୍ଳସ୍...
କୃଷକଙ୍କ ପାଇଁ ନୂଆ ପ୍ରକଳ୍ପ ‘ରିୱାର୍ଡ’
ଭୁବନେଶ୍ୱର,୭।୬(ବ୍ୟୁରୋ): ଜଳଛାୟା ଅଞ୍ଚଳରେ ନିରନ୍ତର ଜୀବିକା ସୃଷ୍ଟି ଓ ସମନ୍ବିତ ବିକାଶ ପାଇଁ ରାଜ୍ୟ ସରକାର ନୂଆ ପରିକଳ୍ପନା ଆରମ୍ଭ କରିଛନ୍ତି। ଏହି ପ୍ରକଳ୍ପର ନାଁ...


