ଭୁବନେଶ୍ୱର, ୮।୬(ବ୍ୟୁରୋ): କରୋନା ସଂକ୍ରମଣ କେବଳ ସ୍ବାସ୍ଥ୍ୟ ନୁହେଁ, ଆର୍ଥିକ ଅବସ୍ଥାକୁ ମଧ୍ୟ ଦୋହଲାଇ ଦେଇଛି। ଉଭୟ କ୍ଷେତ୍ରରୁ ଜୀବନ ଧାରଣ ପ୍ରତି ଭୟଙ୍କର ସଙ୍କଟ ସୃଷ୍ଟି ହୋଇଛି। ମହାମାରୀ ଜନିତ ଲକ୍ଡାଉନ ଓ ଶଟ୍ଡାଉନ ଯୋଗୁ ବଜାର ଏକପ୍ରକାର ସ୍ଥାଣୁ ପାଲଟିଯାଇଛି। ବିପୁଳ ନିଯୁକ୍ତିର ଏକ ବଡ଼ ମାଧ୍ୟମ ହୋଇଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ଗୁଡ଼ିକ ଅତିମାତ୍ରାରେ ପ୍ରଭାବିତ ହୋଇଛି। ଆତ୍ମନିର୍ଭର ଭାରତ ପାଇଁ କେନ୍ଦ୍ର ସରକାର ଧ୍ୱନି ଦେଉଥିଲାବେଳେ ବଜାର ଅଭାବରୁ ସ୍ବଦେଶୀ ଉତ୍ପାଦିତ ଦ୍ରବ୍ୟ ବିକ୍ରିକୁ ନେଇ ଉଦ୍ୟୋଗୀମାନେ ସମସ୍ୟାରେ ପଡ଼ିଛନ୍ତି। ଗୋଟିଏ ପଟେ କଞ୍ଚାମାଲ ଦର ଆକାଶଛୁଆଁ, ଅନ୍ୟପଟେ ଉତ୍ପାଦିତ ଦ୍ରବ୍ୟ ବିକ୍ରି ନ ହେବା ଯୋଗୁ ଏମ୍ଏସ୍ଏମ୍ଇ/ଷ୍ଟାର୍ଟଅପ୍ ଉଦ୍ୟୋଗୀମାନଙ୍କ ନିଦ ହଜିଯାଇଛି। ସମ୍ପ୍ରତି କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ହାତଗଣତି ଲଘୁ ଉଦ୍ୟୋଗ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଥିବା ବେଳେ ସରକାରୀ ଉଦାସୀନତା ସେମାନଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦେଇଛି।
କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ଏମ୍ଏସ୍ଏମ୍ଇ ବିକାଶ ନୀତି-୨୦୧୫ ପ୍ରଣୟନ କରିଛନ୍ତି। ସରକାର ମାନିଛନ୍ତି ଯେ, ଏମ୍ଏସ୍ଏମ୍ଇ କ୍ଷେତ୍ର ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏକ ବଡ଼ ଭୂମିକା ନିର୍ବାହ କରୁଛି। କ୍ଷୁଦ୍ରଶିଳ୍ପକୁ ପ୍ରୋତ୍ସାହନ ଦେଇ ଅନୁକୂଳ ପରିବେଶ ସୃଷ୍ଟି କରୁଥିବାରୁ ୨୦୧୮ ଷ୍ଟାର୍ଟଅପ୍ ର଼୍ୟାଙ୍କରେ ଓଡ଼ିଶା ଉତ୍ତମ ପ୍ରଦର୍ଶନକାରୀ ରାଜ୍ୟ ଭାବେ ପରିଚୟ ପାଇପାରିଛି। ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ସହ ଏମ୍ଏସ୍ଏମ୍ଇଗୁଡ଼ିକୁ ବଞ୍ଚାଇ ରଖିବା, ରାଜ୍ୟରେ ମୁଣ୍ଡ ପିଛା ଆୟ ବୃଦ୍ଧି ସହ ନିଯୁକ୍ତି ସୁଯୋଗ
ସୃଷ୍ଟି କରିବା ଲକ୍ଷ୍ୟରେ ଲଘୁ ଉଦ୍ୟୋଗଗୁଡ଼ିକ ପାଇଁ ରାଜ୍ୟ ସରକାର ଓଡ଼ିଶା ପ୍ରୋକ୍ୟୁରମେଣ୍ଟ ପ୍ରିଫରେନ୍ସ ପଲିସି ଫର୍ ମାଇକ୍ରୋ ଆଣ୍ଡ ସ୍ମଲ୍ ଏଣ୍ଟରପ୍ରାଇଜର୍ସ-୨୦୧୫ ଆଣିଛନ୍ତି। ଏହି ପଲିସି ଅନୁଯାୟୀ ଏମ୍ଏସ୍ଏମ୍ଇଗୁଡ଼ିକରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ବାର୍ଷିକ ଉତ୍ପାଦନର ୨୦ ପ୍ରତିଶତ ଉତ୍ପାଦ କିଣିବାକୁ ବାଧ୍ୟ। ଓଡ଼ିଶା ରାଜ୍ୟ ଔଷଧ ନିଗମ(ଓଏସ୍ଏମ୍ସିଏଲ୍) ଔଷଧ ନିର୍ମାତା ଉଦ୍ୟୋଗୀଙ୍କଠାରୁ ଗତ କିଛିବର୍ଷ ହେବ ଔଷଧ କ୍ରୟ କରୁଥିଲା। ତେବେ ଚଳିତବର୍ଷଠାରୁ ନିଗମ ଟେଣ୍ଡର ଜରିଆରେଔଷଧ କ୍ରୟ ପାଇଁ ସ୍ଥିର କରିଛି। କେବଳ ନିଗମ ନୁହେଁ, ସରକାରଙ୍କ ଅନ୍ୟ ବିଭାଗଗୁଡ଼ିକ ମଧ୍ୟ ଉତ୍ପାଦିତ ଦ୍ରବ୍ୟ ରାଜ୍ୟ ଭିତରୁ କ୍ରୟ କରିବାକୁ ଅମଙ୍ଗ ହେଉଛନ୍ତି ବୋଲି ଏମ୍ଏସ୍ଏମ୍ଇ ସଂଘ ଅଭିଯୋଗ କରିଛି।
ଅନ୍ୟପକ୍ଷରେ ମେକ୍ ଇନ୍ ଓଡ଼ିଶାକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ପବ୍ଲିକ ପ୍ରୋକ୍ୟୁରମେଣ୍ଟ (ପ୍ରିଫରେନ୍ସ ଟୁ ମେକ୍ ଇନ୍ ଓଡ଼ିଶା) ଆଦେଶ-୨୦୨୦ ଚିଠା ପ୍ରସ୍ତୁତ କରିଛନ୍ତିି। ଏହାଦ୍ୱାରା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କିମ୍ବା ଷ୍ଟାର୍ଟଅପ୍ଗୁଡ଼ିକୁ ଉତ୍ପାଦନ, ଉତ୍ପାଦିତ ଦ୍ରବ୍ୟର ବିକ୍ରିି , କଞ୍ଚାମାଲ ଇତ୍ୟାଦି ବ୍ୟବସ୍ଥା କରାଯିବ। ଏହାଦ୍ୱାରା ବିଭିନ୍ନ ବଡ଼ ବଡ଼ କମ୍ପାନୀ ସ୍ଥାନୀୟ ଉଦ୍ୟୋଗୀଙ୍କ ସହ ମିଶି ଉତ୍ପାଦନ ଓ କ୍ରୟ କରିବେ। ଫଳରେ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ ବଢ଼ିବା ସହ ମୁଣ୍ଡପିଛା ଆୟ ମଧ୍ୟ ବୃଦ୍ଧି ହେବ। ଏଥିସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବେ। ଏମ୍ଏସ୍ଏମ୍ଇରୁ ଉତ୍ପାଦିତ ସାମଗ୍ରୀକୁ ବିଭାଗଗୁଡ଼ିକ ନିଜର ବିଭିନ୍ନ କାର୍ଯ୍ୟାଳୟ ପାଇଁ ୫୦ ପ୍ରତିଶତ କ୍ରୟ କରିବେ। ଅନୁସୂଚିତ ଜାତି, ଜନଜାତି, ମହିଳା ଏବଂ ଭିନ୍ନକ୍ଷମ ଉଦ୍ୟୋଗୀଙ୍କଠାରୁ ଉତ୍ପାଦିତ ଦ୍ରବ୍ୟ କ୍ରୟ କରାଯିବା ସହ ସ୍ବାବଲମ୍ବୀ କରିବା ଦିଗରେ ଏହି ନୀତି ସହାୟକ ବୋଲି ଦାବି କରାଯାଉଛି। ତେବେ ଆଶ୍ଚର୍ଯ୍ୟର କଥା ଯେ, ଏମ୍ଏସ୍ଏମ୍ଇ ସଂଘର ବାରମ୍ବାର ଦାବି ସତ୍ତ୍ୱେ ପ୍ରୋକ୍ୟୁରମେଣ୍ଟ ଚିଠା ଆଦେଶ-୨୦୨୦ ବର୍ଷେ ହେବ ଫାଇଲ ଭିତରେ ରହିଛି ବୋଲି କ୍ଷୁଦ୍ର ଶିଳ୍ପ ଉଦ୍ୟୋଗ ସଂଘ ମହାସଚିବ ସ୍ବସ୍ତିକ ସ୍ବାଇଁ କହିଛନ୍ତି। ସରକାର ତୁରନ୍ତ ଏ ନେଇ ପଦକ୍ଷେପ ନ ନେଲେ ଲଘୁ ଉଦ୍ୟୋଗୀମାନେ ଘୋର ଆର୍ଥିକ ସଙ୍କଟ ଦେଇ ଗତିକରିବେ। ଏହି ଉଦ୍ୟୋଗ ରାଜ୍ୟରେ ଏକ ପ୍ରକାର ଭୁଶୁଡ଼ି ପଡ଼ିବ। ଯୁବ ଉଦ୍ୟୋଗୀମାନେ ଏନେଇ ଆଉ ଆଗ୍ରହ ଦେଖାଇବେ ନାହିଁ। ଲୋକଙ୍କୁ ଋଣ ଦେବା ଅପେକ୍ଷା କାମ ଦେବା ଦରକାର ବୋଲି ସ୍ବାଇଁ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ସରକାରୀ ହିସାବ ଅନୁଯାୟୀ ୨୦୨୧ ଜୁନ୍ ସୁଦ୍ଧା ରାଜ୍ୟରେ ୫,୦୬,୦୧୨ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପଞ୍ଜୀକୃତ ହୋଇଛି। ସେଥିରୁ ଗତ ୫ ବର୍ଷ ମଧ୍ୟରେ ୪୫,୫୮୦.୮୫ କୋଟି ଟଙ୍କାର ୧୫,୩୧୫ ଉଦ୍ୟୋଗ ବିଭିନ୍ନ କାରଣରୁ ବନ୍ଦ ହୋଇଛି। ଏଥିରେ କାର୍ଯ୍ୟରତ ୧,୨୯,୯୫୦ କର୍ମଚାରୀ ଜୀବିକା ହରାଇଛନ୍ତି । ୧୧ ପଛୁଆ ଜିଲାରେ ଏହି ସମୟରେ ମୋଟ ୩,୫୨,୦୦୫.୩୭ ଲକ୍ଷ ଟଙ୍କାର ୩,୧୩୩ ଶିଳ୍ପ ବନ୍ଦ ହୋଇଛି। ଏସବୁ ଶିଳ୍ପ ବନ୍ଦ ହେବା ଯୋଗୁ ୩,୪୪,୬୧୫ ଲୋକ ଜୀବିକା ହରାଇଛନ୍ତି। କରୋନା ସମୟରେ ପ୍ରାୟ ୫୦ ହଜାର ଉଦ୍ୟୋଗ ବନ୍ଦ ହୋଇଥିବା ବେସରକାରୀ ସୂତ୍ରରୁ ସୂଚନା ମିଳିଛି। ଲଘୁ ଉଦ୍ୟୋଗ ପ୍ରତି ଯଦି ସରକାରୀ ବାବୁମାନଙ୍କର ଉଦାସୀନ ମନୋଭାବ ଜାରି ରହିବ ତେବେ ରାଜ୍ୟରେ ସବୁଠାରୁ ଅଧିକ ନିଯୁକ୍ତି ସୁଯୋଗ ଯୋଗାଉଥିବା ଏହି କ୍ଷେତ୍ରର ଉଦ୍ୟୋଗୀମାନେ ତଳିତଳାନ୍ତ ହୋଇଯିବେ।
‘ଆମ ପାଇଁ ୪ରୁ ୬ ସପ୍ତାହ ଗୁରୁତ୍ୱପୂର୍ଣ୍ଣ’
ଭୁବନେଶ୍ୱର,୨୩।୬(ବ୍ୟୁରୋ): କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏବେ ‘ଡେଲ୍ଟା ପ୍ଲସ୍’ ଭାରିଆଣ୍ଟକୁ ନେଇ ଚିନ୍ତା ବଢ଼ିଲାଣି। ଓଡ଼ିଶାରେ ଏ ପର୍ଯ୍ୟନ୍ତ କୌଣସି ଡେଲ୍ଟା ପ୍ଳସ୍...
କିନ୍ନରଙ୍କୁ ମିଳିବ ଓଡ଼ିଶା ପୋଲିସରେ ନିଯୁକ୍ତି
ଭୁବନେଶ୍ୱର,୧୨।୬: ଓଡ଼ିଶା ପୋଲିସରେ ନିଯୁକ୍ତି ପାଇବେ କିନ୍ନର। ଏନେଇ ଡିଜିପି ଅଭୟ ଶନିବାର ସୂଚନା ଦେଇଛନ୍ତି । ୪୭୭ ସବ୍ ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି...
ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ
କୋକସରା,୯।୬: କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ମହିମା ପଞ୍ଚାୟତ ତେନ୍ତୁଲିପଡାର ଚାଷ ଜମି ନିକଟ ଏକ ବରଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ...
ରାତି ପାହିଲେ ବାହାରିବେ ବରଯାତ୍ରୀ
ସମ୍ବଲପୁର,୧୪ା୬(ବ୍ୟୁରୋ): କରୋନା କଟକଣା ମଧ୍ୟରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପ୍ରସ୍ତୁତି ଶେଷ ହୋଇଛି। ରାତି ପାହିଲେ ମହାଦେବଙ୍କ ବରଯାତ୍ରୀ ଲାଗି ପାରମ୍ପରିକ ବିଧି ହେବ।...
ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୮।୬(ବ୍ୟୁରୋ): ମାଗଣାରେ ଟିକା ଯୋଗାଣ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି...
ଆଜିଠୁ ୟୁଟ୍ୟୁବ୍ରେ ପାଠ ପଢ଼ିବେ ପିଲା
ଭୁବନେଶ୍ୱର,୨୧।୬(ବ୍ୟୁରୋ): ସୋମବାରଠାରୁ ପ୍ରଥମଥର ପାଇଁ ୟୁଟ୍ୟୁବ ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ପାଠପଢ଼ା ହେବ। ଗଣଶିକ୍ଷା ବିଭାଗ ରାଜ୍ୟରେ ଏହି ନୂଆ ପ୍ରୟୋଗ ଆରମ୍ଭ...
ଶ୍ୱାସ ନେବାକୁ ସଂଘର୍ଷ
ତାଳଚେର,୨୨ା୬(ନି.ପ୍ର.) ଘରୁ ବାହାରିଲେ ମାସ୍କ ବାଧ୍ୟତାମୂଳକ। କୋଭିଡ୍ ସଂକ୍ରମିତ କିମ୍ବା ସନ୍ଦିଗ୍ଧ ହୋଇଥିଲେ, ଘରେ ମାସ୍କ ପିନ୍ଧିବାକୁ ବାଧ୍ୟ। କରୋନାକୁ କାବୁ କରିବାକୁ ମହାମାରୀ ପରିଚାଳନା...
ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ
ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ଆଜି ରାଜ୍ୟରେ ୨,୯୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯୮...


